/odisha-reporter/media/media_files/2025/10/22/vikram-2025-10-22-20-00-51.jpg)
ପୂର୍ବତନ ବିଜେଡି ବିଧାୟକ ବିକ୍ରମ ପଣ୍ଡା ଗିରଫ
ବ୍ୟକ୍ତିଗତ, ଆର୍ଥିକ ଓ ରାଜନୀତିକ ଶତ୍ରୁତା ପାଇଁ ବ୍ରହ୍ମପୁରର ଜଣାଶୁଣା ଓକିଲ ତଥା ବିଜେପି ନେତା ପୀତବାସ ପଣ୍ଡାଙ୍କୁ ହତ୍ୟା କରାଯାଇଛି। ଆଉ ତାଙ୍କ ହତ୍ୟା ପଛର ମୁଖ୍ୟ ଷଡ଼ଯନ୍ତ୍ରକାରୀ ହେଉଛନ୍ତି ବିଜେଡିର ପୂର୍ବତନ ବିଧାୟକ ବିକ୍ରମ ପଣ୍ଡା ଓ ପୂର୍ବତନ ମେୟର ଶିବଶଙ୍କର ଦାସ ଓରଫ ପିଣ୍ଟୁ ଦାସ। ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ଏହି ଖୁଲାସା କରିଛନ୍ତି ବ୍ରହ୍ମପୁର ଏସ୍ପି ଶ୍ରବଣ ବିବେକ ଏମ୍।
ଏହି ମାମଲାରେ ବ୍ରହ୍ମପୁର ପୁଲିସ ଆଜି ବିକ୍ରମ ପଣ୍ଡା ଓ ଶିବଶଙ୍କର ଦାସ ଓରଫ ପିଣ୍ଟୁ ଦାସଙ୍କ ସମେତ ମୋଟ ୧୨ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ଗିରଫ ହୋଇଥିବା ଅନ୍ୟ ଅଭିଯୁକ୍ତମାନେ ହେଉଛନ୍ତି, ଚିଣ୍ଟୁ ପ୍ରଧାନ (ହତ୍ୟାକାଣ୍ଡ ଘଟିବା ବେଳେ ଶୁଟରକୁ ବାଇକରେ ନେଇ ଯାଇଥିଲା), ବିପିନ ସ୍ୱାଇଁ, ସୀମାଞ୍ଚଳ ନାୟକ, ଶିଶୁପାଲ କୁମାର ପାଶ୍ୱାନ (ବିହାରୀ ଶାର୍ପ ଶୁଟର), କୁନ୍ଦନ କୁମାର (ବିହାରୀ ଶାର୍ପ ଶୁଟର), ଯୋଗେନ୍ଦ୍ର ରାଉତ, କର୍ପୋରେଟର ମଳୟ ବିଷୋୟୀ, ବିକ୍ରମଙ୍କ ନିକଟତମ ସହଯୋଗୀ ମଦନ ମୋହନ ଦଳେଇ, ରାଜେନ୍ଦ୍ର କୁମାର ସାହୁ (ହତ୍ୟାକାଣ୍ଡରେ ବ୍ୟବହୃତ ବାଇକକୁ ଖଣ୍ଡ ଖଣ୍ଡ କରି କାଟି ଦେଇଥିବା କବାଡ଼ି ବାଲା), କାଳୁ ଚରଣ ଭୂୟାଁ ଓରଫ କାଳୁ (ଯିଏ ସବୁ ଜାଣି ଉମା ବିଷୋୟୀ ଓ କୁରୁପତି ଭୂୟାଁଙ୍କୁ ଆଶ୍ରୟ ଦେଇଥିଲେ)। ପିଣ୍ଟୁ ଦାସ ନାଁରେ ପୂର୍ବରୁ ୩୮ଟି ମାମଲା ରହିଥିବା ବେଳେ କୁରୁପତି ଭୂୟାଁ (ପୀତବାସଙ୍କ ଉପରକୁ ଗୁଳି କରିଥିବା ଶାର୍ପ ଶୁଟର) ନାଁରେ ୩ଟି ମାମଲା ରହିଛି।
ଗୁଳି କରିଥିବା ଶାର୍ପ ଶୁଟର କୁରୁପତି ଭୂୟାଁ ଏବେବି ଫେରାର ଅଛି। ତା’ ସହିତ ଉମା ବିଷୋୟୀ ଓ ବିକ୍ରମ ପଣ୍ଡାଙ୍କ ବିଜ୍ନେସ ପାର୍ଟନର ସୁଦର୍ଶନ ଜେନା ଫେରାର ଅଛନ୍ତି। ସେମାନଙ୍କୁ ପୁଲିସ ଧରିବା ପାଇଁ ପ୍ରୟାସ ଜାରି ରଖିଛି। ଏହି ତିନି ଜଣଙ୍କ ବ୍ୟତୀତ ଏହି ହତ୍ୟାକାଣ୍ଡରେ ବ୍ରହ୍ମପୁରର ଆଉ କିଛି କର୍ପୋରେଟରଙ୍କ ସଂପୃକ୍ତି ଥିବା ପୁଲିସ ସନ୍ଦେହ କରୁଛି। ସେ ଦିଗରେ ତଦନ୍ତ ଜାରି ରହିଛି ବୋଲି ବ୍ରହ୍ମପୁର ଏସ୍ପି କହିଛନ୍ତି।
ପ୍ରଥମ ପ୍ରୟାସ ଫେଲ୍
ବ୍ରହ୍ମପୁର ଏସ୍ପି କହିଛନ୍ତି ଯେ ପୀତବାସ ପଣ୍ଡାଙ୍କୁ ହତ୍ୟା କରିବା ପାଇଁ ଏକ ଟିମ୍ ଗତ ସେପ୍ଟେମ୍ବର ୧୦ରୁ ୧୪ ତାରିଖ ପର୍ଯ୍ୟନ୍ତ ବ୍ରହ୍ମପୁରରେ ଡେରା ପକାଇଥିଲା। ଏହି ଟିମ୍ରେ ୨ ଜଣ ବିହାରୀ ଶୁଟର (ଶିଶୁପାଲ କୁମାର ପାଶ୍ୱାନ ଓ କୁନ୍ଦନ କୁମାର) ଥିଲେ। ଉମା ବିଷୋୟୀ ସେମାନଙ୍କୁ ଆଣିଥିଲା। ଉମା ବିଷୋୟୀ ଜଣେ ଆଣ୍ଟି ସୋଶିଆଲ। ତା’ର ସହଯୋଗୀ ଯୋଗୀ ଓରଫ ଯୋଗେନ୍ଦ୍ର ରାଉତ ପଶ୍ଚିମବଙ୍ଗରେ ରହୁଥିବା ହିଞ୍ଜିଳି ଅଞ୍ଚଳର ବିପିନ ସ୍ୱାଇଁଙ୍କୁ ଡାକିଥିଲା। ବିପିନ ସ୍ୱାଇଁ କିଛି ଶୁଟରଙ୍କୁ ଜାଣିଥିଲା। ସୀମାଞ୍ଚଳ ନାୟକ ନାମକ ଜଣେ ବ୍ୟକ୍ତିଙ୍କୁ ସେମାନେ ଯୋଗାଯୋଗ ପାଇଁ ଡାକିଥିଲେ। ଯୋଗେନ୍ଦ୍ର ରାଉତ, ବିପିନ ସ୍ୱାଇଁ ଓ ୨ ଶୁଟର ଅଲକାପୁରୀରେ ଏକ ଭଡ଼ା ଘରେ ରହିଥିଲେ ସେପ୍ଟେମ୍ବର ୧୦ ରୁ ୧୪ ତାରିଖ ପର୍ଯ୍ୟନ୍ତ। ଶୂନ୍ୟଚନ୍ଦ୍ର ଦାସଙ୍କ ଘରେ ସେମାନେ ଭଡ଼ାରେ ରହିଥିଲେ। କର୍ପୋରେଟର ମଳୟ ବିଷୋୟୀଙ୍କ ନିର୍ଦ୍ଦେଶରେ ସେ ଏହି ୪ ଜଣଙ୍କୁ ଘରେ ରଖିଥିଲେ ବୋଲି କହିଛନ୍ତି।
ଶୂନ୍ୟଚନ୍ଦ୍ର ଦାସଙ୍କର ଏହି ମାମଲାରେ କିଛି ସଂପୃକ୍ତି ନାହିଁ। ଏହି ୪ ଜଣ ମେଡିକାଲ କାମରେ ଆସିଥିଲେ ବୋଲି ତାଙ୍କୁ କୁହାଯାଇଥିଲା। ତେବେ ଦୁଇ ଜଣ ବିହାରର ହୋଇଥିବାରୁ ତାଙ୍କର ସନ୍ଦେହ ହୋଇଥିଲା। ତେଣୁ ଶୂନ୍ୟଚନ୍ଦ୍ର ଦାସ ପୁଣି ଥରେ ମଳୟ ବିଷୋୟୀଙ୍କୁ ଏ ବିଷୟରେ ପଚାରିଥିଲେ। ଏମ୍କେସିଜିରେ ସେମାନେ ଦେଖାଇବାକୁ ଆସିଛନ୍ତି ବୋଲି ମଳୟ କହିଥିଲେ। କିନ୍ତୁ ଶୂନ୍ୟଚନ୍ଦ୍ର ଦାସ ଯେତେବେଳେ ଭଡ଼ାଟିଆଙ୍କୁ ପଚାରିଲେ ସେମାନେ କହିଥିଲେ ଯେ ଏକ ଘରୋଇ ହସ୍ପିଟାଲରେ ଦେଖାଇବାକୁ ଆସିଛନ୍ତି। ତେଣୁ ତାଙ୍କର ସନ୍ଦେହ ହୋଇଥିଲା। ତେବେ ମଳୟ ବିଷୋୟୀ କହିଥିବାରୁ ସେ ଆଉ କିଛି କହି ନଥିଲେ।
ଶୁଟରଙ୍କ ଖାଇବା ପିଇବା ଓ ସେମାନଙ୍କୁ ଗାଡ଼ି ଯୋଗାଇବା ବ୍ୟବସ୍ଥା କରିଥିଲେ ଯୋଗୀ ରାଉତ ଓ ଉମା ବିଷୋୟୀ। ବିହାରୀ ଶୁଟର ଦ୍ୱୟ ପୀତବାସ ପଣ୍ଡାଙ୍କ ଚାମ୍ବର ଦେଖିଥିଲେ। କେଉଁ ରାସ୍ତାରେ ସେ ଯା’ଆସ କରନ୍ତି, ତାହା ଦେଖିଥିଲେ। ମାରିସାରିବା ପରେ କେଉଁ ରାସ୍ତାରେ ଖସିଯିବେ, ତା’ର ବି ପ୍ଲାନ୍ କରିଥିଲେ। ପୀତବାସଙ୍କୁ ମାରିବା ପାଇଁ ଶୁଟର ଦ୍ୱୟ ୧୦ ଲକ୍ଷ ଟଙ୍କାର ଡିଲ୍ କରିଥିଲେ। ସେମାନେ କିଛି ଟଙ୍କା ଅଗ୍ରୀମ ନେଇଥିଲେ। ୧୪ ତାରିଖରେ ସେମାନେ ପୀତବାସ ପଣ୍ଡାଙ୍କୁ ହତ୍ୟା କରିଥା’ନ୍ତେ। କିନ୍ତୁ ବିହାରରୁ ଆସିଥିବା ଏହି ଦୁଇ ଶୁଟରଙ୍କ ମଧ୍ୟରୁ ଜଣଙ୍କର ମେଡିକାଲ ଏମର୍ଜେନ୍ସୀ ପଡ଼ିଗଲା। ତା’ ସ୍ତ୍ରୀର ଆବର୍ସନ ହୋଇଥିଲା। ସେଥିପାଇଁ ସେ ସଙ୍ଗେ ସଙ୍ଗେ ପଳେଇଥିଲା। ତେଣୁ ଯୋଜନା ଅନୁଯାୟୀ ସେହି ଦିନ ପୀତବାସଙ୍କୁ ସେମାନେ ମାରିପାରି ନଥିଲେ।
ଗଠନ ହେଲା ନୂଆ ଟିମ୍, ନିଯୁକ୍ତ ହେଲେ ଲୋକାଲ ଶୁଟର
ଏସ୍ପି କହିଛନ୍ତି ଯେ ପ୍ରଥମ ଉଦ୍ୟମ ବିଫଳ ହେବା ପରେ ଉମା ବିଷୋୟୀ ଏକ ନୂଆ ଟିମ୍ ଗଠନ କରିଥିଲା। ଏଥର ବିହାରୀ ଶୁଟର ବଦଳରେ ଲୋକାଲ ଶୁଟରଙ୍କୁ କାମରେ ଲଗାଯାଇଥିଲା। ନିଜ ଘର ବନ୍ତପଲିରୁ ୨ ଜଣ ପିଲାଙ୍କୁ ଠିକ୍ କଲା। ସେମାନେ ହେଉଛନ୍ତି କୁରୁପତି ଭୂୟାଁ ଓ ଚିଣ୍ଟୁ ପ୍ରଧାନ। ଚିଣ୍ଟୁ ବେଙ୍ଗାଲୁରୁରେ କାମ କରୁଥିଲା। ସେ ବସ୍ରେ ଆସିଥିଲା। ବ୍ରହ୍ମପୁର ବସ୍ଷ୍ଟାଣ୍ଡରେ ଓହ୍ଲାଇଥିଲା। କୁରୁପତି ଗାଁରେ ଥିଲା। ଏହି ଦୁଇ ଜଣ ପୀତବାସ ପଣ୍ଡାଙ୍କ ଘରଠାରୁ ୨୦୦ ମିଟର ଦୂରରେ ବ୍ୟାଚଲରଙ୍କ ପାଇଁ ଉଦ୍ଦିଷ୍ଟ ଏକ ଘରେ ରହିଥିଲେ। ସେଠାରେ ରହି ସେମାନେ ରେକି କରିଥିଲେ। ଯୋଗୀ ରାଉତ ଓ ଉମା ବିଷୋୟୀ ସେମାନଙ୍କୁ ୮ ଲକ୍ଷ ଟଙ୍କା ଦିଆଯିବ ବୋଲି କହିଥିଲେ। ଯିଏ ଗୁଳି ମାରିବେ ତାଙ୍କୁ ୫ ଲକ୍ଷ ଓ ଯିଏ ଗାଡ଼ି ଚଲାଇବେ ତାଙ୍କୁ ୩ ଲକ୍ଷ ଟଙ୍କା ଦିଆଯିବ ବୋଲି ସେମାନଙ୍କୁ କୁହାଯାଇଥିଲା। କୁରୁପତି ଭୟାଁ ଗୁଳି କରିବ ବୋଲି ନିଷ୍ପତ୍ତି ହୋଇଥିଲା। ଚିଣ୍ଟୁ ପ୍ରଧାନ ଗାଡ଼ି ଚଲାଇବ ବୋଲି କହିଥିଲା। ଏତିକିରେ ଡିଲ୍ ହୋଇଥିଲା।
୬ ତାରିଖ ରାତିରେ ଘଟଣା ଘଟିବା ପୂର୍ବରୁ କୁରୁପତି ଓ ଚିଣ୍ଟୁଙ୍କୁ ସେଠାରୁ ନେଇ ଅଲକାପୁରୀରେ ଶୂନ୍ୟଚନ୍ଦ୍ର ଦାସଙ୍କ ଘର ପାଖରେ ଥିବା ଏକ ପରିତ୍ୟକ୍ତ ଘରେ ସମସ୍ତେ ପହଞ୍ଚିଥିଲେ। ଉଭୟଙ୍କୁ ଗାଡ଼ି, ବନ୍ଧୁକ, ନୂଆ ପୋଷାକ ଓ ଜୋତା ଦିଆଯାଇଥିଲା। ଏହା ପରେ ଦୁଇଟି ବନ୍ଧୁକ ଧରି କୁରୁପତି ଓ ଜିଣ୍ଟୁ ଫାୟାର କରିବାକୁ ପ୍ରସ୍ତୁତ ହୋଇଯାଇଥିଲେ। ଚିଣ୍ଟୁ ଗାଡ଼ି ଚଲାଇଲା। କୁରୁପତି ଭୂୟାଁ ଗାଡ଼ି ପଛରେ ବସିଥିଲେ। ପୀତବାସଙ୍କ ଘରର ଛକ ପାଖରେ ସେମାନେ ଗାଡ଼ି ରଖିଦେଲେ। ଯେତେବେଳେ ପୀତବାସ ପଣ୍ଡା ଆସିଲେ, ୧୦ଟା ୧ରେ ସେମାନେ ଫାୟାର କରିଥିଲେ। ସେମାନେ ପ୍ରଥମେ ପୀତବାସ ପଣ୍ଡାଙ୍କୁ ଅଟକାଇ ନାଁ ଧରି ଆଜ୍ଞା ନମସ୍କାର ବୋଲି କହିଥିଲେ। ସେମାନେ କିଏ ବୋଲି ପୀତବାସ ପଣ୍ଡା ପଚାରିଥିଲେ। ତେଣୁ ଶୁଟରମାନେ ନିଶ୍ଚିତ ହୋଇଗଲେ ଯେ ସେ ପୀତବାସ ପଣ୍ଡା। ତା’ପରେ ସେମାନେ ତାଙ୍କ ଉପରକୁ ଗୁଳି କରିଥିଲେ।
ଗୁଳିମାଡ଼ ପରେ ପୀତବାସ ଗାଡ଼ି ସହିତ ପଡ଼ି ଯାଇଥିଲେ। ଏହା ପରେ କୁରୁପତି ଗାଡ଼ି ଓହ୍ଲାଇ ପୁଣି ଗୁଳି କରିଥିଲା। ଚିଣ୍ଟୁ ଗାଡ଼ିରେ ବସିଥିଲା। ତା’ପରେ ସେମାନେ ସେଠାରୁ ଫେରାର ହୋଇଯାଇଥିଲେ। ଶୀତଳାପଲ୍ଲୀର ଗୋଟିଏ ସ୍ଥାନରେ କୁରୁପତି ଓ ଚିଣ୍ଟୁ ସେମାନଙ୍କ ପିନ୍ଧା ପୋଷାକ, ବୁଟ୍ ଓ ହେଲ୍ମେଟ୍ ଖୋଲି ଦେଇଥିଲେ। ସେମାନେ ଅଲଗା ପୋଷାକ ପିନ୍ଧିଥିଲେ ଓ ସେଠାରେ ଏକ ସ୍ଥାନରେ ବନ୍ଧୁକକୁ ପୋତି ଦେଇଥିଲେ। ସେଠାରୁ ସେମାନେ ପୁରୁଷୋତ୍ତମପୁର ଯାଇଥିଲେ। ସେଠାରୁ ଏନ୍ଏଚ୍ରେ ଯାଇ ରାମେଶ୍ୱରମ ପାଖରେ ଏକ ଚା’ ଦୋକାନରେ ଗାଡ଼ିଟିକୁ ଛାଡ଼ି ଦେଇଥିଲେ। ଗାଡ଼ିଟିକୁ ପାଖରେ ରଖିଲେ ଧରାପଡ଼ିଯିବା ଆଶଙ୍କାରେ ସେଇଟିକୁ ଛାଡ଼ି ଦେଇଥିଲେ। ତା’ପରେ ବସ୍ରେ ଭୁବନେଶ୍ୱର ଗଲେ। ସେଠାରୁ ପୁରୀ ଗଲେ।
ପରେ ଚିଣ୍ଟୁ ପ୍ରଧାନ ଟ୍ରେନ୍ରେ ବେଙ୍ଗାଲୁରୁ ପଳାଇଯାଇଥିଲା। ସେହିପରି କୁରୁପତି ଭୂୟାଁଙ୍କୁ ପୁରୀରେ ଜଣେ ବ୍ୟକ୍ତି ରହିବାକୁ ବ୍ୟବସ୍ଥା କରିଥିଲେ। ସେଠାରୁ ସେ କୋରାପୁଟ ଜିଲ୍ଲା ଜୟପୁର ଯାଇଥିଲା। ଜୟପୁରରେ ସୁନୀଲ ହୋତା ତାଙ୍କୁ ଆଶ୍ରୟ ଦେଇଥିଲେ। ସୁନୀଲ ହୋତା ହେଉଛନ୍ତି ବିକ୍ରମ ପଣ୍ଡାଙ୍କର ଜଣେ ଘନିଷ୍ଠ ସହଯୋଗୀ। କଲେଜ ସମୟରୁ ସେମାନେ ପରସ୍ପରକୁ ଜାଣନ୍ତି। ସୁନୀଲ ଭଲ ଭାବେ ଜାଣିଥିଲେ ଯେ କୁରୁପତି ଭୂୟାଁ ହତ୍ୟା ମାମଲାରେ ସଂପୃକ୍ତ। ସୁନୀଲଙ୍କ ଫାର୍ମ ହାଉସରେ କୁରୁପତି ଭୂୟାଁ ୪ ଦିନ ରହିଥିଲା। ତା’ପରେ ତାକୁ ରାଜ୍ୟ ବାହାରକୁ ପଠାଇ ଦିଆଯାଇଥିଲା। ଉମା ବିଷୋୟୀ ଓ କୁରୁପତି ଭୂୟାଁ ରାଜ୍ୟ ବାହାରେ ଅଛନ୍ତି। ସେମାନେ ଧରିବାକୁ ପ୍ରୟାସ ଚାଲିଛି ବୋଲି ଏସ୍ପି କହିଛନ୍ତି।
ବ୍ରହ୍ମପୁର ଏସ୍ପି କହିଛନ୍ତି, ଯେଉଁମାନେ ଚିଣ୍ଟୁ ଓ କୁରୁପତିଙ୍କୁ ଆଶ୍ରୟ ଦେଇଥିଲେ, ଯେଉଁମାନେ ସେମାନଙ୍କ ପାଇଁ ସମସ୍ତ ପ୍ରକାର ବ୍ୟବସ୍ଥା କରିଥିଲେ, ସମସ୍ତଙ୍କ ସାଙ୍ଗରେ ମଳୟ ବିଷୋୟୀ ଓ ମଦନ ଦଳେଇ ଏବଂ ପିଣ୍ଟୁ ଦାସର ସଂପର୍କ ରହିଛି। ସେମାନଙ୍କ ମଧ୍ୟରେ ହୋଇଥିବା ଯୋଗାଯୋଗର ପ୍ରମାଣ ଅଛି।
କାହିଁକି ହତ୍ୟା ଷଡ଼ଯନ୍ତ୍ର?
ଏହି ହତ୍ୟା ପାଇଁ ୫୦ ଲକ୍ଷ ଟଙ୍କାର ଡିଲ୍ ହୋଇଥିଲା। ଉମା ବିଷୋୟୀଙ୍କୁ ଅଗ୍ରୀମ ଆକାରରେ ମଳୟ ବିଷୋୟୀ ୧୦ ଲକ୍ଷ ଟଙ୍କା ଦେଇଥିଲେ। ଏସ୍ପି କହିଛନ୍ତି, ତଦନ୍ତ ବେଳେ ଜଣାପଡ଼ିଲା ଯେ ଏହି ହତ୍ୟାକାଣ୍ଡରେ ପୂର୍ବତନ ମେୟର ଶିବ ଶଙ୍କର ଦାସ (ପିଣ୍ଟୁ) ପୂରା ସଂପୃକ୍ତି ଅଛି। ଟେକ୍ନିକାଲ୍ ପ୍ରମାଣରୁ ଏହା ଜଣାପଡ଼ିଲା। ଏହା ପଛରେ ତାଙ୍କର ଉଦ୍ଦେଶ୍ୟ ମଧ୍ୟ ରହିଛି। ପିଣ୍ଟୁ ଦାସଙ୍କ ସହଯୋଗୀ ଶାନ୍ତି ମିଶ୍ରକୁ ୨୦୧୩ରେ ହତ୍ୟା କରାଯାଇଥିଲା। ସେହି ମାମଲାରେ ୧୩ ଜଣ ଗିରଫ ହୋଇଥିଲେ। ସେହି ଅଭିଯୁକ୍ତମାନଙ୍କ ପକ୍ଷରୁ କୋର୍ଟରେ ମାମଲାର ପରିଚାଳନା କରୁଥିଲେ ପୀତବାସ ପଣ୍ଡା। ସେହି ଅଭିଯୁକ୍ତମାନଙ୍କ ମଧ୍ୟରୁ ମଉଜ ମିଶ୍ର ବେଲରେ ଆସି ଫେରାର ହେବା ପରେ ପିଣ୍ଟୁ ଦାସଙ୍କୁ ୩ ଥର ଗୁଳି କରି ମାରିବାକୁ ଉଦ୍ୟମ କରିଥିଲା। ଆଉ ଏଥିପାଇଁ ପିଣ୍ଟୁ ଦାସଙ୍କର ପୀତବାସ ପଣ୍ଡାଙ୍କ ଉପରେ ରାଗ ଥିଲା। କାରଣ ପୀତବାସଙ୍କ ପାଇଁ ମଉଜ ମିଶ୍ର ବେଲ୍ ପାଇବାକୁ ସକ୍ଷମ ହୋଇଥିଲା। ସେ ପୀତବାସଙ୍କ ନାଁରେ ହତ୍ୟା ଉଦ୍ୟମ ଭଳି ଅଭିଯୋଗ ଆଣି ଥାନାରେ ଏଫଆଇଆର ମଧ୍ୟ ଦେଇଥିଲେ। ସେହିଦିନଠାରୁ ପୀତବାସଙ୍କ ସହିତ ତାଙ୍କର ବ୍ୟକ୍ତିଗତ ଶତୃତା ଅଧିକ ହୋଇଛି।
ସେହିପରି ପୀତବାସ ପଣ୍ଡାଙ୍କ ଯୋଗୁ ତାଙ୍କର ନିର୍ବାଚନ ଟିକେଟ୍ (ବ୍ରହ୍ମପୁର ବିଧାନସଭା ଆସନରୁ ବିଜେପି ଟିକେଟ ପାଇବାକୁ ଆଶା ରଖିଥିଲେ) କଟିଗଲା ବୋଲି ମନେ କରୁଥିଲେ। ସେଥିପାଇଁ ତାଙ୍କର ପୀତବାସ ପଣ୍ଡାଙ୍କ ଉପରେ ରାଗ ଥିଲା।
ଯେଉଁମାନେ ଶୁଟରମାନଙ୍କୁ ଆଶ୍ରୟ ଦେଇଥିଲେ ଓ ସେମାନଙ୍କ ପାଇଁ ଅନ୍ୟାନ୍ୟ ବ୍ୟବସ୍ଥା କରିଥିଲେ, ସେମାନେ ସମସ୍ତେ ବିକ୍ରମ ପଣ୍ଡାଙ୍କର ଘନିଷ୍ଠ ସହଯୋଗୀ। ଆଉ ଜଣେ ସହଯୋଗୀ ହେଉଛନ୍ତି ସୁଦର୍ଶନ ଜେନା। ପୀତବାସଙ୍କ ଯୋଗୁ ଏ ସମସ୍ତଙ୍କର କିଛି ଆର୍ଥିକ ଓ କିଛି ବ୍ୟକ୍ତିଗତ କ୍ଷତି ଘଟିଛି। ତା’ ସହିତ କିଛି ରାଜନୀତିକ କ୍ଷତି ବି ହୋଇଛି।
ଓଡ଼ିଶା ବାର କାଉନସିଲ ନିର୍ବାଚନ ପରଠାରୁ ବିକ୍ରମ ପଣ୍ଡା ଓ ପୀତବାସ ପଣ୍ଡାଙ୍କ ମଧ୍ୟରେ ଶତ୍ରୁତା ବହୁତ ବଢ଼ିଯାଇଥିଲା। ଏହି ନିର୍ବାଚନରେ ପୀତବାସ ପଣ୍ଡା ପୂରା ରାଜ୍ୟରେ ସବୁଠୁ ଅଧିକ ଭୋଟ୍ ପାଇଥିଲେ। କିନ୍ତୁ ସେ ଅଧ୍ୟକ୍ଷ, ଉପାଧ୍ୟକ୍ଷ ବା ବାର କାଉନସିଲ ଅଫ୍ ଇଣ୍ଡିଆର ସଦସ୍ୟ ହୋଇପାରି ନଥିଲେ। ଏହା ପଛରେ ବିକ୍ରମ ପଣ୍ଡାଙ୍କର ହାତ ଥିଲା ବୋଲି ପୀତବାସ ମନେ କରୁଥିଲେ। ସେଥିପାଇଁ ସେ ବିକ୍ରମ ପଣ୍ଡାଙ୍କ ରାଜନୀତିକ କ୍ୟାରିୟରକୁ ଶେଷ କରି ଦେବାକୁ ଶପଥ ନେଇଥିଲେ। ଏନେଇ ସେ ବହୁ ଲୋକଙ୍କୁ କହିଥିଲେ।
ଏକଥା ଯେମିତି ବିକ୍ରମ ପଣ୍ଡାଙ୍କ କାନରେ ପଡ଼ିବ, ସେ କାର୍ଯ୍ୟ ବି କରିଥିଲେ ପୀତବାସ ପଣ୍ଡା। ସେଥିପାଇଁ ବିକ୍ରମ ପଣ୍ଡା ବହୁତ ରାଗି ଯାଇଥିଲେ। କିଛି ଲୋକଙ୍କ ଦ୍ୱାରା ତାଙ୍କ ବିରୋଧରେ ଯାହା ସବୁ ସୋଶାଲ ମିଡିଆରେ ପ୍ରଚାର କରାଯାଇଥିଲା, ତା’ ପଛରେ ପୀତବାସଙ୍କ ହାତ ଥିବା ମନେ କରୁଥିଲେ ବିକ୍ରମ। ଏହା ସେମାନଙ୍କ ମଧ୍ୟରେ ଥିବା ବ୍ୟକ୍ତିଗତ ଶତୃତାକୁ ବଢ଼ାଇଥିଲା। ରାଜନୀତିକ ଦୃଷ୍ଟିକୋଣରୁ ପୀତବାସକୁ ରାସ୍ତାରୁ ନହଟାଇଲେ ଆଉ ଆଗକୁ ଯାଇ ହେବନି ବୋଲି ସେମାନେ (ପିଣ୍ଟୁ ଦାସ ଓ ବିକ୍ରମ ପଣ୍ଡା) ବିଚାର କରିଥିଲେ। ସେଥିପାଇଁ ପୀତବାସ ପଣ୍ଡାଙ୍କୁ ମାରିବାକୁ ଷଡ଼ଯନ୍ତ୍ର କରିଥିଲେ। ବିକ୍ରମ ପଣ୍ଡା ଓ ପିଣ୍ଟୁ ଦାସ ସେମାନଙ୍କ ସହିତ ମଳୟ ବିଷୋୟୀ ଓ ମଦନ ଦଳେଇକୁ ମିଶାଇ ଷଡ଼ଯନ୍ତ୍ର କରିଥିଲେ।
ପିଣ୍ଟୁ ଦାସ ଓ ବିକ୍ରମ ପଣ୍ଡାଙ୍କ ମଧ୍ୟରେ ବୁଝାମଣା
୨୦୨୪ରେ ସେମାନେ ଗୋଟିଏ ଇଲେକ୍ସନ ପିଟିସନ ଦାଖଲ କରିଥିଲେ। ବ୍ରହ୍ମପୁର ବିଧାୟକ କେ ଅନୀଲ କୁମାରଙ୍କ ନାଁରେ ସେହି ପିଟିସନ ଦାଖଲ ହୋଇଛି। ସେହି ଇଲେକ୍ସନ ପିଟିସନକୁ ଦାଖଲ କରିଛନ୍ତି ପିଣ୍ଟୁ ଦାସ। ପିଣ୍ଟୁ ଦାସ ଘରେ ମୂଲିଆ କାମ କରୁଥିବା ଜଣେ ବ୍ୟକ୍ତିଙ୍କ ନାଁରେ ପିଟିସନଟି ଦାଖଲ ହୋଇଛି। ସେହି ମାମଲାଟି ତାଙ୍କ ପକ୍ଷରୁ ଯେଉଁ ଆଡ୍ଭୋକେଟ୍ ଲଢ଼ୁଛନ୍ତି, ତାଙ୍କର ଫି’ ଓ ଅନ୍ୟାନ୍ୟ ଖର୍ଚ୍ଚ ବହନ କରୁଛନ୍ତି ବିକ୍ରମ ପଣ୍ଡା। ତେଣୁ ସେମାନଙ୍କ ମଧ୍ୟରେ ଏକ ବୁଝାମଣା ହୋଇଥିଲା। ଯଦି ବିଧାୟକ କେ ଅନୀଲ କୁମାରଙ୍କୁ ଅଯୋଗ୍ୟ ଘୋଷଣା କରିଦିଆଯିବ, ଉପ-ନିର୍ବାଚନରେ ବିକ୍ରମ ପଣ୍ଡା ବିଧାୟକ ପ୍ରାର୍ଥୀ ହେବେ। ତା’ପରେ ନିଜ କ୍ଷମତା ବଳରେ ସେ ନିଜ କର୍ପୋରେଟର ମାନଙ୍କ ଦ୍ୱାରା ପିଣ୍ଟୁ ଦାସଙ୍କୁ ମେୟର କରିଦେବେ ବୋଲି ଯୋଜନା ହୋଇଥିଲା। ବର୍ତ୍ତମାନ ପର୍ଯ୍ୟନ୍ତ ତଦନ୍ତରୁ ଏତିକି କଥା ଜଣାପଡ଼ିଛି ବୋଲି ବ୍ରହ୍ମପୁର ଏସ୍ପି କହିଛନ୍ତି। ତଦନ୍ତ ଜାରି ରହିଛି ବୋଲି ସେ କହିଛନ୍ତି।
ବନ୍ଧୁକ ଜବତ, ବାଇକ ଖଣ୍ଡ ଖଣ୍ଡ
ଏସ୍ପି କହିଛନ୍ତି, ହତ୍ୟାରେ ବ୍ୟବହୃତ ବନ୍ଧୁକ ଜବତ ହୋଇଛି। ଅଲଗା କପଡ଼ାଲକା ବି ଜବତ ହୋଇଛି। ସମସ୍ତଙ୍କ ମୋବାଇଲ ଫୋନ୍ ସିଜ୍ କରାଯାଉଛି। ସାଇଣ୍ଟିଫିକ୍ ପ୍ରମାଣ ସଂଗ୍ରହ କରାଯାଇଛି। ଯେଉଁ ଗାଡ଼ିକୁ ଶୁଟରମାନେ ବ୍ୟବହାର କରିଥିଲେ, ସେହି ଗାଡ଼ିକୁ ସେମାନେ ରାମେଶ୍ୱରମରେ ଏକ ଚା’ ଦୋକାନ ପାଖରେ ଛାଡ଼ି ଦେଇଥିଲେ। ସେ ଗାଡ଼ିକୁ ଜଣେ ଚୋରି କରି ନେଇଯାଇଥିବାର ସିସିଟିଭି ଫୁଟେଜ ମିଳିଛି। ତାକୁ ପଚରାଉଚରା କରାଯାଇଥିଲା। ସେ ଗାଡ଼ିଟିକୁ କବାଡ଼ିବାଲାକୁ ଦେଇଥିଲା। କବାଡ଼ିବାଲା ଗାଡ଼ିଟିକୁ ଖଣ୍ଡ ଖଣ୍ଡ କରି ଦେଇଛି। ସେ ପ୍ରମାଣ ବି ଆମ ପାଖରେ ଅଛି। ସେଥିପାଇଁ ସେହି କବାଡ଼ି ବାଲା ମଧ୍ୟ ଗିରଫ ହୋଇଛି।
ହତ୍ୟା ବେଳେ ବାଇକ୍ ଚଲାଉଥିବା ଚିଣ୍ଟୁ ପ୍ରଧାନ ବନ୍ଧୁକ ଠାବ କରିବାରେ ସହଯୋଗ କରିଥିଲା। ତା’ଠାରୁ ମିଳିଥିବା ସୂଚନା ଆଧାରରେ ହତ୍ୟାକାଣ୍ଡ ଘଟିବା ବେଳେ ସେମାନେ ପିନ୍ଧିଥିବା ପୋଷାକଗୁଡ଼ିକୁ ଜବତ କରାଯାଇଛି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
