ଦୁବାଇରୁ ଭଦ୍ରକ ଭାୟା କୋଲକାତା: ଚତୁର୍ଥ ‘କରୋନା’ ରୋଗୀଙ୍କ ଇତିହାସ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଗତକାଲି ବିଳମ୍ୱିତ ରାତିରେ ଓଡ଼ିଶାରେ ଚତୁର୍ଥ ‘କରୋନା’ ଚିହ୍ନଟ ହୋଇଛନ୍ତି। ତାଙ୍କୁ ଏବେ ଆଇସୋଲେସନ୍‌ରେ ଚିକିତ୍ସା କରାଯାଉଛି। ସେ ବିମାନରେ ଦୁବାଇରୁ ଭଦ୍ରକ ଭାୟା କଲୋକାତା ହୋଇ ଆସିଛନ୍ତି। ଏହି ସମୟରେ ସେ କେତେ ଲୋକଙ୍କ ସଂସ୍ପର୍ଶରେ ଆସିଛନ୍ତି? ତାହାର ଇତିହାସ ଏବେ ରାଜ୍ୟ ସରକାର ଖୋଜୁଛନ୍ତି। ଚତୁର୍ଥ ‘କରୋନା’ ରୋଗୀଙ୍କ ସମ୍ପର୍କରେ ସୂଚନା ଦେଇ କୋଭିଡ୍‌-୧୯ ମୁଖ୍ୟ ମୁଖପାତ୍ର ସୁବ୍ରତ ବାଗ୍‌ଚୀ କହିଛନ୍ତି-“ଚତୁର୍ଥ ‘କରୋନା’ ଆକ୍ରାନ୍ତ ଦୁବାଇରୁ ୧୮ ତାରିଖରେ ଏମିରେଟ୍‌ […]

bhadrak

Manoranjan Sial
  • Published: Wednesday, 01 April 2020
  • , Updated: 01 April 2020, 06:13 PM IST

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଗତକାଲି ବିଳମ୍ୱିତ ରାତିରେ ଓଡ଼ିଶାରେ ଚତୁର୍ଥ ‘କରୋନା’ ଚିହ୍ନଟ ହୋଇଛନ୍ତି। ତାଙ୍କୁ ଏବେ ଆଇସୋଲେସନ୍‌ରେ ଚିକିତ୍ସା କରାଯାଉଛି। ସେ ବିମାନରେ ଦୁବାଇରୁ ଭଦ୍ରକ ଭାୟା କଲୋକାତା ହୋଇ ଆସିଛନ୍ତି। ଏହି ସମୟରେ ସେ କେତେ ଲୋକଙ୍କ ସଂସ୍ପର୍ଶରେ ଆସିଛନ୍ତି? ତାହାର ଇତିହାସ ଏବେ ରାଜ୍ୟ ସରକାର ଖୋଜୁଛନ୍ତି।

ଚତୁର୍ଥ ‘କରୋନା’ ରୋଗୀଙ୍କ ସମ୍ପର୍କରେ ସୂଚନା ଦେଇ କୋଭିଡ୍‌-୧୯ ମୁଖ୍ୟ ମୁଖପାତ୍ର ସୁବ୍ରତ ବାଗ୍‌ଚୀ କହିଛନ୍ତି-“ଚତୁର୍ଥ ‘କରୋନା’ ଆକ୍ରାନ୍ତ ଦୁବାଇରୁ ୧୮ ତାରିଖରେ ଏମିରେଟ୍‌ ବିମାନରେ କୋଲକାତା ଆସିଥିଲେ। ସେ ବିମାନବନ୍ଦରରୁ ହାୱଡ଼ା ଷ୍ଟେସନ୍‌କୁ ଟ୍ୟାକ୍ସିରେ ଏକୁଟିଆ ଯାଇଥିଲେ। ସେଠାରୁ ଇଷ୍ଟକୋଷ୍ଟ୍‌ ଏକ୍ସପ୍ରେସ୍‌ର ଏସ୍‌-୧୧ ବଗିରେ ଭଦ୍ରକ ଷ୍ଟେସନ୍‌ ଆସିଥିଲେ। ସେହିଦିନ ସେ ଷ୍ଟେସନ୍‌ରୁ ଘରକୁ ଅଟୋରେ ଯାଇଥିଲେ। ବିଦେଶରୁ ଆସିଥିବାରୁ ନିଜ ଘରେ ସଙ୍ଗରୋଧ ହୋଇ ରହିଥିଲେ। ତେବେ ଗତ ୩୦ ତାରିଖରେ ସେ ମେଡିକାଲ୍‌ ଯାଇ ରକ୍ତ ନମୂନା ପରୀକ୍ଷା କରିବାକୁ ଦେଇଥିଲେ। ଗତକାଲି ରିପୋର୍ଟରେ ପଜିଟିଭ୍‌ ଆସିଥିଲା।”

ସେ କହିଛନ୍ତି-“ଦେଶ, ସମାଜ ଓ ରାଜ୍ୟ ବର୍ତ୍ତମାନ କଷ୍ଟକର ସ୍ଥିତି ଦେଇ ଗତି କରୁଛି। ଆଗକୁ ଆମକୁ ଆହୁରି କଠିନ ସ୍ଥିତି ଦେଇ ଗତି କରିବାକୁ ପଡ଼ିବ। ଏପରିସ୍ଥିତିରେ କେତେକ ଅସାମାଜିକ ବ୍ୟକ୍ତି ଗୁଜବ ପ୍ରଚାର କରିବା ଆରମ୍ଭ କରିଦେଇଛନ୍ତି। ଏପରି କାର୍ଯ୍ୟ ଘୃଣ୍ୟ ଓ ନିନ୍ଦନିୟ। ରାଜ୍ୟ ସରକାର ଯେଉଁଠି ସମସ୍ତଙ୍କୁ ନିରାପଦରେ ରଖିବାକୁ ଚେଷ୍ଟା କରୁଛନ୍ତି, ସେପରି ସ୍ଥିତିରେ ଏପରି ବ୍ୟବହାର ଅତ୍ୟନ୍ତ ନିନ୍ଦନିୟ। ଦେଖିବାକୁ ଗଲେ ଏହା ଏକ ପ୍ରକାର ରାଷ୍ଟ୍ରଦ୍ରୋହ ଅପରାଧ। ଏପରି ଗୁଜବ ପ୍ରଚାର କରୁଥିବା ବ୍ୟକ୍ତିଙ୍କ ବିରୋଧରେ ଦରକାର ପଡ଼ିଲେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।”

‘କରୋନା’ରେ ସଂକ୍ରମିତ ଲୋକଙ୍କ ପ୍ରତି ଆମର ବ୍ୟବହାର କେମିତି ହେବା ଦରକାର? ଏ ନେଇ ବାଗ୍‌ଚୀ କହିଛନ୍ତି-“କରୋନା ଧନି, ଗରିବ, ବର୍ଣ୍ଣ, ଧର୍ମ ଓ ଜାତି ପାଇଁ ଏକ ଭୟଙ୍କର ପରିସ୍ଥିତି ସୃଷ୍ଟି କରିଛି। ‘କରୋନା’ ଯେ କୌଣସି ପରିସ୍ଥିତିରେ ମଣିଷକୁ ଆକ୍ରମଣ କରିପାରେ। ବ୍ରିଟିଶ ପ୍ରଧାନମନ୍ତ୍ରୀ ବୋରିସ ଜନ୍‌ସନ୍‌, କାନାଡ଼ାର ପ୍ରଧାନମନ୍ତ୍ରୀ ଜଷ୍ଟିନ୍‌ ଟୁଡେଓଙ୍କ ଧର୍ମପତ୍ନୀ, ବ୍ରିଟେନ ରାଜକୁମାର ପ୍ରିନ୍ସ ଚାଲ୍ସ ଓ ଇରାନ୍‌ର ଉପରାଷ୍ଟ୍ରପତି ଇସାକ୍‌ ଜାହାଙ୍ଗୀରି ପରି ଲୋକ ‘କରୋନା’ରେ ଆକ୍ରାନ୍ତ ହୋଇଛନ୍ତି। ଆଜି ସେମାନଙ୍କୁ ‘କରୋନା’ ହୋଇଛି। କାଲି ଆପଣଙ୍କୁ ହୋଇପାରେ। ମୁଁ ଭାବୁଛି, ଆପଣଙ୍କୁ ସେମିତି କେବେ ନହେଉ। ଆମକୁ ରୋଗୀକୁ ନୁହେଁ, ରୋଗ ବିରୋଧରେ ମୁକାବିଲା କରିବାକୁ ପଡ଼ିବ। ଜଣେ ଆକ୍ରାନ୍ତ ବ୍ୟକ୍ତିଙ୍କୁ ଆମେ ନିନ୍ଦା, ଲାଞ୍ଛନା ଓ ଘୃଣା କରିପାରିବା ନାହିଁ। ଆକ୍ରାନ୍ତ ଓ ତାଙ୍କ ପରିବାର ଲୋକଙ୍କ ପ୍ରତି ଅମାନୁଷିକ ବ୍ୟବହାର ପ୍ରଦର୍ଶନ କରିପାରିବେ ନାହିଁ। ସେମାନଙ୍କୁ ଏମିତି କଲେ, ତାହାର ପ୍ରଭାବ ଆମ ଉପରେ ପଡ଼ିବ। ଯେଉଁ ସନ୍ଦିଗ୍ଧମାନେ ଲକ୍ଷଣକୁ ଲୁଚାଇବେ, ସେମାନେ ସୁପର ସ୍ପ୍ରେଡର ହୋଇଯିବେ। ସେମାନେ ସୁପରସ୍ପ୍ରେଡରେ ହେଲେ ଲାଞ୍ଛନା ଓ ତିରସ୍କାର କରୁଥିବା ଲୋକଙ୍କୁ ଆକ୍ରମଣ କରିବେ। ତେଣୁ ‘କରୋନା’ରେ ଆକ୍ରାନ୍ତ ବ୍ୟକ୍ତିଙ୍କୁ ସାହାଯ୍ୟ ଓ ସମବେଦନା ଦେବାକୁ ପଡ଼ିବ।”

Related story