ଡିଜେ ଆଜେକ୍ସଙ୍କ ମୃତ୍ୟୁ ପଛରେ ରହିଛି ତାଙ୍କ ପ୍ରେମିକା ଓ ପ୍ରେମିକାଙ୍କ ବନ୍ଧୁଙ୍କ ହାତ

‘ସେହି ଝିଅ ଡିଜେ ଆଜେକ୍ସଙ୍କୁ ଭଲ ପାଉଥିଲା। ଅନ୍ୟପଟେ ନିଜ ବେଷ୍ଟ ଫ୍ରେଣ୍ଡ (ଅନ୍ୟ ଜଣେ ପୁରୁଷ ବନ୍ଧୁ) ସହିତ ବୁଲୁଥିଲା ଓ ରହୁଥିଲା।’

DJ azex PhotoOR

ଡିଜେ ଆଜେକ୍ସ

Jitendra Garnayak
  • Published: Sunday, 19 March 2023
  • Updated: 19 March 2023, 01:51 PM IST

Sports

Latest News

ଓଡ଼ିଶାର ଜଣାଶୁଣା ଡିଜେ ‘ଡିଜେ ଆଜେକ୍ସ’ ଓରଫ ଅକ୍ଷୟ କୁମାରଙ୍କର ଗତକାଲି ସନ୍ଦେହଜନକ ଭାବେ ମୃତ୍ୟୁ ଘଟିଥିବା ବେଳେ ଏହା ପଛରେ ତାଙ୍କ ପ୍ରେମିକା ଓ ପ୍ରେମିକାଙ୍କ ବନ୍ଧୁଙ୍କ ହାତ ଅଛି ବୋଲି ଅଭିଯୋଗ ହୋଇଛି। ଡିଜେ ଆଜେକ୍ସଙ୍କ ପରିବାର ଲୋକେ ଏନେଇ ଖାରବେଳ ନଗର ଥାନାରେ ଲିଖିତ ଅଭିଯୋଗ କରିଛନ୍ତି ଓ ସେମାନଙ୍କ ନିକଟରେ ଥିବା ସମସ୍ତ ତଥ୍ୟ ଓ ପ୍ରମାଣ ପୁଲିସ୍‌କୁ ଦେଇଛନ୍ତି।

ଡିଜେ ଆଜେକ୍ସଙ୍କ ମାମୁ ଭୋଳାନାଥ ମହାରଣା କହିଛନ୍ତି, ତାଙ୍କୁ ଯୋଜନାବଦ୍ଧ ଭାବେ ହତ୍ୟା କରାଯାଇଛି। ଜଣେ ଝିଅ (ଭୁବନେଶ୍ୱରର ଏକ ଘରୋଇ ଶିକ୍ଷାନୁଷ୍ଠାନର ଛାତ୍ରୀ) ତାଙ୍କୁ ବ୍ଲାକ୍‌ମେଲ୍ କରୁଥିଲା। ସେହି ଝିଅ ସହିତ ଡିଜେ ଆଜେକ୍ସଙ୍କ ପ୍ରେମ ସଂପର୍କ ଥିଲା। ଡିଜେ ଆଜେକ୍ସଙ୍କ ଫୋନ୍‌ରୁ ସ୍ପଷ୍ଟ ଜଣାପଡ଼ୁଛି ଯେ ତାଙ୍କୁ ବ୍ଲାକ୍‌ମେଲ୍ କରାଯାଉଥିଲା। ଏହି ଷଡ଼ଯନ୍ତ୍ରରେ ସେହି ଝିଅ ସହିତ ତାଙ୍କର ଜଣେ ପୁରୁଷ ବନ୍ଧୁ ବି ସାମିଲ ଅଛନ୍ତି। କିଛି ଭିଡିଓ ଭାଇରାଲ କରି ଦେବେ ବୋଲି କହି ସେମାନେ ଡିଜେ ଆଜେକ୍ସଙ୍କୁ ବ୍ଲାକ୍‌ମେଲ୍ କରୁଥିଲେ। ୧୫ ଦିନ ତଳେ ଡିଜେ ଆଜେକ୍ସଙ୍କ ଆକାଉଣ୍ଟରୁ ସେହି ଝିଅ ପାଖକୁ ୧୫ ହଜାର ଟଙ୍କା ଯାଇଛି। ଫୋନ୍‌ ପେ’ରେ ସେହି ଟଙ୍କା ଟ୍ରାନ୍ସଫର ହୋଇଛି।

ଡିଜେ ଆଜେକ୍ସଙ୍କ ବିଜ୍‌ନେସ୍ ପାର୍ଟନର ରାହୁଲ କହିଛନ୍ତି, ସେହି ଝିଅ ଡିଜେ ଆଜେକ୍ସଙ୍କୁ ଭଲ ପାଉଥିଲା। ଅନ୍ୟପଟେ ନିଜ ବେଷ୍ଟ ଫ୍ରେଣ୍ଡ (ଅନ୍ୟ ଜଣେ ପୁରୁଷ ବନ୍ଧୁ) ସହିତ ବୁଲୁଥିଲା ଓ ରହୁଥିଲା। ଏହା ଡିଜେ ଆଜେକ୍ସଙ୍କୁ ଖୁବ୍ ବାଧୁ ଥିଲା। ଭିତରେ ଭିତରେ ସେ ବହୁତ ଘାଣ୍ଟି ହେଉଥିଲେ। ଦିନକୁ ଦିନ ବହୁତ ଚିନ୍ତିତ ରହୁଥିଲେ। ଗତକାଲି ଡିଜେ ଆଜେକ୍ସ ମୋତେ ଫୋନ୍ କରି କହିଥିଲେ ଯେ ସେ ଝିଅ ତା’ର ସେହି ବନ୍ଧୁ ସହିତ ବୁଲୁଛି। ତା’ ସ୍କୁଟିରେ ଯିବାଆସିବା କରୁଛି। ଗୋଟେ ସେକେଣ୍ଡ ହ୍ୟାଣ୍ଡ ସ୍କୁଟି ବୁଝି ଦେ, ମୁଁ ସେଇଟା କିଣି ତାକୁ (ସେହି ଝିଅକୁ) ଦେଇ ଦେବି। ତା’ହେଲେ ସେ ଆଉ ଯିବାଆସିବା କରିବା ପାଇଁ ତା’ର ସେହି ବନ୍ଧୁ ଉପରେ ନିର୍ଭର କରିବ ନାହିଁ। ମୁଁ ବୁଝି ଦେବି ବୋଲି କହିଥିଲି। ବ୍ୟସ୍ତ ନ ହେବାକୁ ବି ତାକୁ କହିଥିଲି। ସେ (ଡିଜେ ଆଜେକ୍ସ) ଟେନ୍‌ସନ୍‌ରେ ରହୁଥିବା ନେଇ ମୋତେ କହିଥିଲେ। କ’ଣ କରିବେ କିଛି ଜାଣିପାରୁନାହାନ୍ତି ବୋଲି ବି କହିଥିଲେ। ଆଉ ରାତିରେ ଏଭଳି ଏକ ଅଘଟଣ ଘଟିଗଲା।

ରାହୁଲ ଆହୁରି କହିଛନ୍ତି, ଡିଜେ ଆଜେକ୍ସଙ୍କ ସବୁ କଥା ତାଙ୍କ ଫୋନ୍‌ରେ ଅଛି। ଆମେ ଫୋନ୍ ପୁଲିସ୍‌କୁ ଦେଇଛୁ। ଫୋନ୍‌ଟିକୁ ଭଲ ଭାବେ ଯାଞ୍ଚ କଲେ ପୁଲିସ୍ ସବୁ କଥା ଜାଣିପାରିବ। ଡିଜେ ଆଜେକ୍ସଙ୍କ ମୃତ୍ୟୁ ପଛରେ ତାଙ୍କ ପ୍ରେମିକାର ପୁରୁଷ ବନ୍ଧୁର ବି ହାତ ରହିଛି। ସେହି ବ୍ୟକ୍ତି ପାଖରେ ଏମିତି କିଛି ଭିଡିଓ ବା ଫଟୋ ଥିଲା, ଯାହାକୁ ଦେଖାଇ ସେ ଡିଜେ ଆଜେକ୍ସଙ୍କୁ ବ୍ଲାକମେଲ୍ କରୁଥିଲା। ସେହି ବ୍ୟକ୍ତି ଡିଜେ ଆଜେକ୍ସଙ୍କୁ ତାଙ୍କ ପ୍ରେମିକା ଠାରୁ ଦୂରେଇ ଯିବାକୁ କହୁଥିଲା। ତେବେ ସେହି ଭିଡିଓ ବା ଫଟୋଟି କ’ଣ, ତାହା ଆମକୁ ଜଣାନାହିଁ। ଡିଜେ ଆଜେକ୍ସ ବି ମୋତେ ଏନେଇ କେବେ କିଛି କହି ନାହାନ୍ତି। ପୁଲିସ୍ ତଦନ୍ତରୁ ଏ ବିଷୟରେ କିଛି ଜଣାପଡ଼ିବ।

Also Read

ସେ ଆହୁରି କହିଛନ୍ତି, ସେହି ଝିଅ ଡିଜେ ଆଜେକ୍ସଙ୍କୁ ସବୁବେଳେ ପଇସା ମାଗେ। ଆଉ ଡିଜେ ଆଜେକ୍ସ ପାଣି ଭଳିଆ ତାକୁ ପଇସା ଦିଅନ୍ତି। ମୋତେ ଡିଜେ ଆଜେକ୍ସ ଏ ବିଷୟରେ କହିଛନ୍ତି। ୧୫ ଦିନ ତଳେ ସେହି ଝିଅ ତାଙ୍କୁ ୧୫ ହଜାର ଟଙ୍କା ମାଗିଥିଲା। ୩/୪ଟା ବିଷୟରେ ବ୍ୟାକ୍‌ ଲାଗିଥିବାରୁ ଫର୍ମପୂରଣ କରି ଆଉ ଥରେ ପରୀକ୍ଷା ଦେବା ପାଇଁ ସେ ଡିଜେ ଆଜେକ୍ସଙ୍କୁ ଏହି ଟଙ୍କା ମାଗିଥିଲା। ସେହି ଝିଅକୁ ଟଙ୍କା ନଦେବାକୁ ମୁଁ ତାଙ୍କୁ (ଡିଜେ ଆଜେକ୍ସଙ୍କୁ) କହିଥିଲି। କିନ୍ତୁ ସେ ମାନି ନଥିଲେ, ଟଙ୍କା ଦେବେ ବୋଲି କହିଥିଲେ। ଆମେ ନ୍ୟାୟ ଚାହୁଁଛୁ। ଡିଜେ ଆଜେକ୍ସଙ୍କ ସେହି ପ୍ରେମିକା ଓ ପ୍ରେମିକାଙ୍କ ବନ୍ଧୁଙ୍କୁ ଦଣ୍ଡ ଦିଆଯାଉ ବୋଲି ଆମେ ଚାହୁଁଛୁ।

ସୂଚନାଯୋଗ୍ୟ, ଦୁଇ ବର୍ଷ ତଳେ ଡିଜେ ଆଜେକ୍ସ ଉକ୍ତ ଛାତ୍ରୀ ଜଣଙ୍କୁ ତାଙ୍କ ଶିକ୍ଷାନୁଷ୍ଠାନରେ ଭେଟି ଥିଲେ ଓ ତାଙ୍କ ପ୍ରେମରେ ପଡ଼ିଯାଇଥିଲେ। ଡିଜେ ଆଜେକ୍ସଙ୍କ ପ୍ରେମରେ ତାଙ୍କ ପ୍ରେମିକାଙ୍କ ବନ୍ଧୁ ବାଧକ ସାଜିଥିଲେ ବୋଲି ଅଭିଯୋଗ ହୋଇଛି। ଗତକାଲି ସନ୍ଧ୍ୟାରେ ଘରକୁ ଫେରିବା ପରେ ଅସୁସ୍ଥ ଅନୁଭବ କରୁଥିବା କହି ନିଜ ରୁମ୍‌କୁ ଚାଲି ଯାଇଥିଲେ ଡିଜେ ଆଜେକ୍ସ ଙ୍କ। ରାତି ୧୦ଟା ପରେ ତାଙ୍କ ରୁମ୍‌ରୁ ତାଙ୍କୁ ଝୁଲନ୍ତା ଅବସ୍ଥାରେ ଉଦ୍ଧାର କରାଯାଇଥିଲା। ଏକ ଘରୋଇ ଡାକ୍ତରଖାନାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos