ରାଜ୍ୟର ନାଁ କରିଥିବା ତଥା ସରକାରଙ୍କ ଦ୍ୱାରା ପରିଚାଳିତ ଉତ୍କଳ ବିଶ୍ୱବିଦ୍ୟାଳୟ ନାକ୍ ଗ୍ରେଡିଂରେ କାହିଁକି ତଳକୁ ଖସିଲା। ଏହାକୁ ନେଇ ଅଲୋଚନା ସମାଲୋଚନା ବଢ଼ିବାରେ ଲାଗିଛି। ଏଥିପାଇଁ ରାଜ୍ୟ ସରକାର ଓ ବ୍ୟୁରୋକ୍ରାଟଙ୍କୁ ଦାୟୀ କରିଛନ୍ତି ଉତ୍କଳ ବିଶ୍ୱବିଦ୍ୟାଳୟର ପୂର୍ବତନ କୁଳପତି ବିନାୟକ ରଥ।
ସେ ଅଭିଯୋଗ କରିଛନ୍ତି, ଉତ୍କଳ ବିଶ୍ୱବିଦ୍ୟାଳୟରେ ବ୍ୟୁରୋକ୍ରାଟଙ୍କ ଅହେତୁକ ହସ୍ତକ୍ଷେପ ସହ ଏକାଡେମୀରେ ବ୍ୟୁରୋକ୍ରାଟ ନିଯୁକ୍ତ ହେବା ପରେ ପାଠପଢା ବାତାବରଣ ନଷ୍ଟ ହୋଇଛି। ଯଦି ବ୍ୟୁରୋକ୍ରାଟଙ୍କ ହସ୍ତକ୍ଷେପ ନ ହଟେ ଉତ୍କଳ ବିଶ୍ୱବିଦ୍ୟାଳୟର ଗ୍ରେଡିଂ ଆହୁରି ତଳକୁ ଯିବ। ଦିନ ଆସିବ ସରକାର କୁଳପତି ପଦବୀରେ ପ୍ରଶାସକଙ୍କୁ ବସାଇବେ। ନାକ୍ ମାନ୍ୟତା ପାଇବାକୁ ହେଲେ ତଦାରଖ କରିବାକୁ ଆସିଥିବା କମିଟିକୁ ଉନ୍ନତ ଭିତିଭୂମି ସହ ବିଶ୍ୱବିଦ୍ୟାଳୟର ନୂଆ ଗବେଷଣା ଓ ନୂଆ ବହି କ’ଣ ତିଆରି ହୋଇଛି ଦେଖାଇବାକୁ ପଡ଼ିଥାଏ। ରିସର୍ଚ୍ଚ ଓ ପବ୍ଲିକେସନ ଛଡ଼ା ଛାତ୍ରଛାତ୍ରୀଙ୍କ ସାମାଜିକ ଯୋଗଦାନ, ପଦବୀ ପୂରଣ ପ୍ରଭୃତିଙ୍କୁ ଟିମ୍ ଦେଖିଥାଏ। ଯେହେତୁ ୨୦୧୬ ପରଠାରୁ ଉତ୍କଳ ବିଶ୍ୱବିଦ୍ୟାଳୟ ବିଧିବ୍ୟବସ୍ଥା ବଦଳାଇ ଦିଆଯାଇଛି, ତେଣୁ ଗ୍ରେଡିଂ ଖସିଛି ବୋଲି ବୋଲି ଶ୍ରୀ ରଥ କହିଛନ୍ତି।
ଅନ୍ୟପଟେ ଛାତ୍ରଛାତ୍ରୀମାନେ ଅଭିଯୋଗ କରିଛନ୍ତି, ବିଶ୍ୱବିଦ୍ୟାଳୟ କ୍ରୀଡ଼ା କ୍ଷେତ୍ରରେ କୌଣସି ଯୋଗଦାନ ଦେଉନି। କ୍ୟାମ୍ପସରେ ଥିବା ବିଶାଳ ଷ୍ଟାଡିୟମରେ ତାଲା ପଡ଼ିଛି। ସେହିପରି ସେଣ୍ଟ୍ରାଲ କ୍ୟାଣ୍ଟିନ୍, ଜିମ୍ରେ ବି ତାଲା ପଡ଼ିଛି। ଆବଶ୍ୟକ ସଂଖ୍ୟକ ଅଧ୍ୟାପକ ନାହାନ୍ତି। ସେପଟେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଭିତରେ କଳି ନାକ୍ ଗ୍ରେଡିଂ ତଳକୁ ଖସିବାର କାରଣ ହୋଇଛି। ତେଣୁ ସରକାର ଭିତ୍ତିଭୂମିକୁ ସଜାଡ଼ନ୍ତୁ ଓ ପୁନଃ ନାକ୍ ଟିମ୍ ତଦାରଖ କରୁ।
ସେପଟେ ଗତ ବିଧାନସଭା ପ୍ରଶ୍ନ-ଉତ୍ତର ତଥ୍ୟରୁ ଜଣାପଡ଼ିଛି, ଉକ୍ତ ବିଶ୍ୱବିଦ୍ୟାଳୟରେ ମୋଟ ମଞ୍ଜୁରୀ ପ୍ରାପ୍ତ ୨୫୭ ଟିଚିଂ କର୍ମଚାରୀ ପଦବୀରୁ ୧୨୯ ଖାଲି ପଡ଼ିଥିବା ଓ ୯୮୦ ନନ୍ ଟିଚିଂ କର୍ମଚାରୀ ପଦବୀରୁ ୬୬୭ ପଦବୀ ଖାଲି ପଡ଼ିଛି। ସେହିପରି ୧୩୪ ଆସିଷ୍ଟାଣ୍ଟ ପ୍ରଫେସର ପଦବୀରୁ ୪୭ ଓ ୭୬ ଆସୋସିଏଟ ପ୍ରଫେସର ପଦବୀରୁ ୪୫ ଖାଲି ପଡ଼ିଛି। ସେପଟେ ୪୭ ପ୍ରଫେସର ପଦବୀରୁ ୩୭ ପଦବୀ ଖାଲି ପଡ଼ିଛି।
ଉତ୍କଳ ବିଶ୍ୱବିଦ୍ୟାଳୟକୁ ବାଦ୍ ଦେଲେ ରାଜ୍ୟର ଅନ୍ୟ ନାମ କରା ରେଭେନ୍ସ ବିଶ୍ୱବିଦ୍ୟାଳୟ, ସମ୍ବଲପୁର ବିଶ୍ୱବିଦ୍ୟାଳୟ, ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ, ଶ୍ରୀଜଗନ୍ନାଥ ସଂସ୍କୃତ ବିଶ୍ୱବିଦ୍ୟାଳୟ, ଗଙ୍ଗାଧର ମେହେର ବିଶ୍ୱବିଦ୍ୟାଳୟ, ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟ, ଫକିର ମୋହନ ବିଶ୍ୱବିଦ୍ୟାଳୟ, ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜ ଦେଓ ବିଶ୍ୱବିଦ୍ୟାଳୟ, ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟ, କଳାହାଣ୍ଡି ବିଶ୍ୱବିଦ୍ୟାଳୟ, ମଧୁସୂଦନ ଆଇନ ବିଶ୍ୱବିଦ୍ୟାଳୟରେ ପୁଳାପୁଳା ପଦବୀ ଖାଲି ପଡ଼ିଛି।
ରାଜ୍ୟ ସରକାରଙ୍କ ଦ୍ୱାରା ପରିଚାଳିତ ଏହି ୧୨ ବିଶ୍ୱବିଦ୍ୟାଳୟରେ ମୋଟ ମଞ୍ଜୁରୀ ପ୍ରାପ୍ତ ଟିଚିଂ କର୍ମଚାରୀ ପଦବୀ ୧୭୨୦ ଥିବା ବେଳେ ୧୦୦୫ ପଦବୀ ଓ ମୋଟ ନନ୍ଟିଚିଂ କର୍ମଚାରୀ ପଦବୀ ୨୬୩୯ ଭିତରୁ ୧୫୩୪ ପଦବୀ ଖାଲି ପଡ଼ିଛି।
ଆସିଷ୍ଟାଣ୍ଟ ଓ ଆସୋସିଏଟ ପ୍ରଫେସର ମଞ୍ଜୁର ପଦବୀ ମଧ୍ୟରୁ ରେଭେନ୍ସ ବିଶ୍ୱବିଦ୍ୟାଳୟରେ ୧୫୩, ସମ୍ବଲପୁର ବିଶ୍ୱବିଦ୍ୟାଳୟରେ ୬୨, ବ୍ରହ୍ମପୁର ବିଶ୍ୱବିଦ୍ୟାଳୟରେ ୮୦, ଶ୍ରୀଜଗନ୍ନାଥ ସଂସ୍କୃତ ବିଶ୍ୱବିଦ୍ୟାଳୟରେ ୧୯, ଗଙ୍ଗାଧର ମେହେର ବିଶ୍ୱବିଦ୍ୟାଳୟରେ ୭୦, ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟରେ ୭୯, ଫକିର ମୋହନ ବିଶ୍ୱବିଦ୍ୟାଳୟରେ ୪୩, ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜ ଦେଓ ବିଶ୍ୱବିଦ୍ୟାଳୟରେ ୭୬, ମଧୁସୂଦନ ଆଇନ ବିଶ୍ୱବିଦ୍ୟାଳୟରେ ୫୦ ପଦବୀ ଖାଲି ପଡ଼ିଛି।
ବିଧାନସଭା ଚାଲିଥିବା ବେଳେ ଚଳିତ ବର୍ଷ ମାର୍ଚ୍ଚ ୧୫ ତାରିଖରେ ବିଧାୟିକା କୁସୁମ ଟେଟେଙ୍କ ପ୍ରଶ୍ନର ଉତ୍ତରରେ ଏହି ତଥ୍ୟ ଦେଇଥିଲେ ଉଚ୍ଚଶିକ୍ଷା ମନ୍ତ୍ରୀ ରୋହିତ ପୂଜାରୀ। ରାଜ୍ୟରେ ଏବେ ୧୮ଟି ସରକାରୀ ବିଶ୍ୱବିଦ୍ୟାଳୟ ରହିଥିବା ବେଳେ ୬ ବେସରକାରୀ ବିଶ୍ୱବିଦ୍ୟାଳୟ ରହିଛି। ତେବେ ସରକାରୀ ବିଶ୍ୱବିଦ୍ୟାଳୟଗୁଡ଼ିକର ଭିତ୍ତିଭୂମି ସାଙ୍ଗକୁ ପାଠପଢ଼ାଇବା ନିମନ୍ତେ କର୍ମଚାରୀ ଅଭାବ ଶିକ୍ଷାର ମାନକୁ ନିମ୍ନମୁଖୀ କରିଥିବା ଏହି ତଥ୍ୟରୁ ସ୍ପଷ୍ଟ ବାରି ହୋଇପଡ଼ୁଛି।
ସୂଚନା ଥାଉକି, ନାକ୍(NAAC-National Assessment and Accreditation Council) ଗ୍ରେଡରେ ତଳକୁ ଖସିଛି ଉତ୍କଳ ବିଶ୍ୱବିଦ୍ୟାଳୟ। ୩ .୧୬ ପଏଣ୍ଟ ସ୍କୋର ସହ ରାଜ୍ୟର ଏହି ସର୍ବପୁରାତନ ବିଶ୍ୱବିଦ୍ୟାଳୟ ଏ ପ୍ଲସରୁ ଏ ମାନ୍ୟତାକୁ ଖସିଛି। ୨୦୧୬ରେ ଉତ୍କଳ ବିଶ୍ୱ ବିଦ୍ୟାଳୟ A+ ମାନ୍ୟତା ପାଇଥିଲା। ଗ୍ରେଡ୍ କମ୍ ମିଳିଥିବାରୁ ସରକାରଙ୍କ ପକ୍ଷରୁ ମିଳୁଥିବା ବିଭିନ୍ନ ପ୍ରକାର ଅନୁଦାନ ମଧ୍ୟ କମ୍ ମିଳିବ। ଏଥିସହ ସର୍ବଭାରତୀୟ ସ୍ତରରେ ଏହାର ମାନ କମ୍ ବୋଲି ଧରାଯିବ।
ଉଚ୍ଚଶିକ୍ଷା କ୍ଷେତ୍ରରେ ଦେଶରେ ବିଭିନ୍ନ ବିଦ୍ୟାଳୟ, ବିଶ୍ୱବିଦ୍ୟାଳୟ ଓ ମାନ୍ୟତାପ୍ରାପ୍ତ ଶିକ୍ଷାନୁଷ୍ଠାନର ମାନ ନିର୍ଦ୍ଧାରଣ କରିଥାଏ ନ୍ୟାସନାଲ ଆସେସମେଣ୍ଟ ଆଣ୍ଡ ଆକ୍ରିଡିଟେସନ୍ କାଉନସିଲ ବା ନାକ।