ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା, ଦିନରେ ଲଣ୍ଠନ ଦେଖାଇଲେ ନବୀନ !

ଭଦ୍ରକ/ ବ୍ରହ୍ମପୁର/ ଭୁବନେଶ୍ୱର : ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାକୁ ଝଟ୍‌କା। ସରକାରଙ୍କ ପାଖରୁ ବୀମା ବାବଦରେ ବକେୟା ପାଉଣା ନ ପାଇବାରୁ ଘରୋଇ ହସ୍ପିଟାଲଗୁଡ଼ିକ ଏହି ଯୋଜନାରେ ଆଉ ସେବା ଦେବେ ନାହିଁ ବୋଲି ନିଷ୍ପତ୍ତି ନେଇଛନ୍ତି। ଫଳରେ ରାଜ୍ୟର ୩ ଶହରୁ ଅଧିକ ଘରୋଇ ହସ୍ପିଟଲାରେ ଆଉ କାମ ଦେବନି ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ କାର୍ଡ। ଗୋଟିଏ ପଟେ ଆୟୁଷ୍ମାନ ଭାରତ ଯୋଜନାକୁ ପ୍ରତ୍ୟାଖାନ କରି ନିଜସ୍ୱ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣକୁ ନେଇ ନିର୍ବାଚନ […]

bb-5-1

Tapas Behera
  • Published: Wednesday, 16 October 2019
  • , Updated: 16 October 2019, 08:55 PM IST

ଭଦ୍ରକ/ ବ୍ରହ୍ମପୁର/ ଭୁବନେଶ୍ୱର : ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାକୁ ଝଟ୍‌କା। ସରକାରଙ୍କ ପାଖରୁ ବୀମା ବାବଦରେ ବକେୟା ପାଉଣା ନ ପାଇବାରୁ ଘରୋଇ ହସ୍ପିଟାଲଗୁଡ଼ିକ ଏହି ଯୋଜନାରେ ଆଉ ସେବା ଦେବେ ନାହିଁ ବୋଲି ନିଷ୍ପତ୍ତି ନେଇଛନ୍ତି। ଫଳରେ ରାଜ୍ୟର ୩ ଶହରୁ ଅଧିକ ଘରୋଇ ହସ୍ପିଟଲାରେ ଆଉ କାମ ଦେବନି ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ କାର୍ଡ। ଗୋଟିଏ ପଟେ ଆୟୁଷ୍ମାନ ଭାରତ ଯୋଜନାକୁ ପ୍ରତ୍ୟାଖାନ କରି ନିଜସ୍ୱ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣକୁ ନେଇ ନିର୍ବାଚନ ପୂର୍ବରୁ ଦମ୍ଭୋକ୍ତି କରୁଥିବା ସରକାର ଏବେ ଅକଳରେ।

ଆଖି ଅପରେସନ୍ ପାଇଁ ବିଜୁ ସ୍ୱାସ୍ଥ୍ୟ କାର୍ଡ ଧରି ଏକ ଘରୋଇ ହସ୍ପିଟାଲ୍‌ର ନାସ୍ତିବାଣୀ ପରେ ବାଲେଶ୍ୱର କୁପାରୀର କମଳା ସ୍ୱାଇଁ କୋହ। କମଳାଙ୍କୁ ଘରୋଇ ହସ୍ପିଟାଲ୍ କର୍ତ୍ତୃପକ୍ଷ ସିଧା କହିଦେଲେ ଆଉ ଏ କାର୍ଡରେ ସେବା ମିଳିବନି। ସେମିତି ମାଆଙ୍କ ଚିକିତ୍ସା ପାଇଁ ଅନ୍ୟ ଏକ ଘରୋଇ ହସ୍ପିଟାଲକୁ ଯାଇ ନିରାଶ ହେବାକୁ ପଡିଛି ଭଦ୍ରକର ମିର୍ଜା ଇର୍ସାଦ ବେଗଙ୍କୁ। ବ୍ରହ୍ମପୁରରେ ମଧ୍ୟ ଘରୋଇ ହସ୍ପିଟାଲକୁ ଯାଇ ହନ୍ତସନ୍ତ ହୋଇଛନ୍ତି ରୋଗୀ। ସରକାରଙ୍କ ସହ ଘରୋଇ ହସ୍ପିଟାଲର କଳିରେ ବଳି ପଡିଛି ରୋଗୀଙ୍କ ଭାଗ୍ୟ।

ଘରୋଇ ମେଡିକାଲ ଫୋରମର ସ୍ୱାସ୍ଥ୍ୟ ମନ୍ତ୍ରୀଙ୍କୁ ଚିଠି । ଏଥିରେ ଅଛି ସରକାରଙ୍କ ଅସହଯୋଗ ପାଇଁ ବୀମା ସଂପର୍କିତ ସ୍ୱାସ୍ଥ୍ୟ ସେବାରୁ ଓହରିଯିବା ଲାଗି ସ୍ୱାସ୍ଥ୍ୟମନ୍ତ୍ରୀଙ୍କୁ ଜଣାଇଛି ଫୋରମ୍।

ବଡ଼କଥା ହେଉଛି ବୀମା ବାବଦକୁ ସରକାରଙ୍କ ପାଖରୁ ଘରୋଇ ହସ୍ପିଟାଲ ଗୁଡିକ ପ୍ରାୟ ୨୫ରୁ ୩୦ କୋଟି ଟଙ୍କା ପାଇବାକୁ ଅଛି। ଏ ବାବଦରେ ବାରମ୍ବାର ଜଣାଇଲେ ବି ସରକାର ନିଦା ବିଷ୍ଣୁ ସାଜିଥିବା ଫୋରମ ଅଭିଯୋଗ କରିଛି। ବକେୟା ଟଙ୍କା ପଇଠ ସହ ଅନ୍ୟ ଦୁଇଟି ଦାବି ପୂରଣ ନ  କଲେ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣରେ ଆଉ ସେବା ଦେବେ ନାହିଁ ବୋଲି ନିଷ୍ପତ୍ତି ନେଇଛନ୍ତି ଘରୋଇ ହସ୍ପିଟାଲ ଫୋରମ୍। ତେବେ ଫୋରମର ଏ ଅଭିଯୋଗ ମନ୍ତ୍ରୀ କହିଛନ୍ତି ଖୁବ୍‌ଶୀଘ୍ର ସମସ୍ୟାର ସମାଧାନ ହେବ।

୨୦୧୮ ଅଗଷ୍ଟ ୧୫ରେ ସରକାର ଆରମ୍ଭ କରିଥିଲେ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା। ଏହା ପୂର୍ବରୁ ରାଜ୍ୟରେ ଚାଲିଥିବା ରାଷ୍ଟ୍ରୀୟ ସ୍ୱାସ୍ଥ୍ୟ ବୀମା ଯୋଜନା ଓ ବିଜୁ କୃଷକ କଲ୍ୟାଣ ଯୋଜନାର ହିତାଧିକାରୀଙ୍କୁ ବି ଏହି ନୂଆ ଯୋଜନାରେ ଯୋଡିଥିଲେ। ସରକାର ଖାଲି ଏତିକି ନୁହେଁ କେନ୍ଦ୍ରର ଆୟୁଷ୍ମାନ ଭାରତରେ ସାମିଲ ନ ହୋଇ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣକୁ ନିଜର ବଡ ସଫଳତା ବୋଲି କହି ନିର୍ବାଚନ ପୂର୍ବରୁ ବି ଢେର ପ୍ରଚାର କରିଥିଲେ ରାଜ୍ୟ ସରକାର।

Related story