ବିଜେଡିକୁ ମିଳୁନାହାନ୍ତି ଦକ୍ଷ-ସ୍ୱଚ୍ଛ ଯୁବ ଓ ଛାତ୍ର ମୁଖିଆ, କସରତ ଜାରି

ଭୁବନେଶ୍ୱର(ପ୍ରକାଶ ସେଠୀ): କ୍ରମାଗତ ପଞ୍ଚମଥର ରାଜ୍ୟରେ କ୍ଷମତାସୀନ ନବୀନ ପଟ୍ଟନାୟକଙ୍କ ନେତୃତ୍ୱାଧୀନ ବିଜେଡିରେ ଏବେ ଦକ୍ଷ ଓ ସ୍ୱଚ୍ଛ ନେତାଙ୍କ ସଙ୍କଟ ଦେଖାଦେଇଛି। ଦଳର ଛାମୁଆ ସଂଗଠନର ମୁଖିଆ ଚୟନବେଳେ ବିଜେଡି ରଣନୀତିକାରଙ୍କୁ ଏଭଳି ସମସ୍ୟାର ସମ୍ମୁଖୀନ ହେବାକୁ ପଡ଼ିଛି। ନିଜର ନିର୍ମଳ ଭାବମୂର୍ତ୍ତିକୁ ପୁଞ୍ଜି କରି ଓଡ଼ିଶାବାସୀଙ୍କ ଆସ୍ଥା ଜିଣିଥିବା ନବୀନଙ୍କ ପାଇଁ ଆଗାମୀ ବର୍ଷଗୁଡ଼ିକ ଅତ୍ୟନ୍ତ ଚ୍ୟାଲେଞ୍ଜପୂର୍ଣ୍ଣ ହେବାକୁ ଯାଉଥିବାବେଳେ ତାଙ୍କ ଦଳର ଛାମୁଆ ସଂଗଠନଗୁଡ଼ିକରେ ଦାଗୀଙ୍କ ପରିବର୍ତ୍ତେ ସ୍ୱଚ୍ଛ ଓ ଦକ୍ଷ ନେତାଙ୍କୁ […]

odisha-bjd

odisha-bjd

Manoranjan Sial
  • Published: Thursday, 09 July 2020
  • Updated: 09 July 2020, 08:09 PM IST

Sports

Latest News

ଭୁବନେଶ୍ୱର(ପ୍ରକାଶ ସେଠୀ): କ୍ରମାଗତ ପଞ୍ଚମଥର ରାଜ୍ୟରେ କ୍ଷମତାସୀନ ନବୀନ ପଟ୍ଟନାୟକଙ୍କ ନେତୃତ୍ୱାଧୀନ ବିଜେଡିରେ ଏବେ ଦକ୍ଷ ଓ ସ୍ୱଚ୍ଛ ନେତାଙ୍କ ସଙ୍କଟ ଦେଖାଦେଇଛି। ଦଳର ଛାମୁଆ ସଂଗଠନର ମୁଖିଆ ଚୟନବେଳେ ବିଜେଡି ରଣନୀତିକାରଙ୍କୁ ଏଭଳି ସମସ୍ୟାର ସମ୍ମୁଖୀନ ହେବାକୁ ପଡ଼ିଛି। ନିଜର ନିର୍ମଳ ଭାବମୂର୍ତ୍ତିକୁ ପୁଞ୍ଜି କରି ଓଡ଼ିଶାବାସୀଙ୍କ ଆସ୍ଥା ଜିଣିଥିବା ନବୀନଙ୍କ ପାଇଁ ଆଗାମୀ ବର୍ଷଗୁଡ଼ିକ ଅତ୍ୟନ୍ତ ଚ୍ୟାଲେଞ୍ଜପୂର୍ଣ୍ଣ ହେବାକୁ ଯାଉଥିବାବେଳେ ତାଙ୍କ ଦଳର ଛାମୁଆ ସଂଗଠନଗୁଡ଼ିକରେ ଦାଗୀଙ୍କ ପରିବର୍ତ୍ତେ ସ୍ୱଚ୍ଛ ଓ ଦକ୍ଷ ନେତାଙ୍କୁ ନିଯୁକ୍ତି ଦେବାକୁ କସରତ ଆରମ୍ଭ ହୋଇଥିବା ଜଣାପଡ଼ିଛି।

ବିଜେଡି ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ, କରୋନା ଯୋଗୁ ଦଳର ସାଂଗଠନିକ କର୍ମକର୍ତ୍ତା ନିଯୁକ୍ତି ପ୍ରକ୍ରିୟା ବିଳମ୍ବ ହୋଇଥିଲେ ମଧ୍ୟ ଚଳିତମାସ ଶେଷସୁଦ୍ଧା ଏହା ଶେଷ ହେବ। ତେବେ ଦଳର ଛାତ୍ର, ଯୁବ, ମହିଳା ଓ କୃଷକ ୱିଙ୍ଗର ମୁଖିଆ ଚୟନ କରିବା ପ୍ରକ୍ରିୟା ସାମାନ୍ୟ ବିଳମ୍ବ ହୋଇପାରେ। ବିଶେଷକରି ଦଳର ଛାତ୍ର ଓ ଯୁବ ୱିଙ୍ଗ୍ ମୁଖିଆ ପାଇଁ ଲବି ଜୋରଦାର ହେଉଥିବାବେଳେ ଚର୍ଚ୍ଚାର ଆଗଧାଡ଼ିରେ ରହିଥିବା ନେତାମାନଙ୍କ ମଧ୍ୟରେ ଅଧିକାଂଶ ବିବାଦୀୟ। ରାଜ୍ୟ ବିଜେପି ଜଣେ ଉଚ୍ଚଶିକ୍ଷିତ ଯୁବନେତାଙ୍କୁ ନିଜର ଯୁବମୋର୍ଚ୍ଚାର ସଭାପତି ଭାବେ ଅବସ୍ଥାପିତ କରି ଯୁବ ସଂଗଠନକୁ ସୁଦୃଢ଼ କରିଥିବାବେଳେ ପ୍ରଦେଶ କଂଗ୍ରେସ ମଧ୍ୟ ଜଣେ ଉଚ୍ଚଶିକ୍ଷିତ ନେତାଙ୍କୁ ନିଜର ଯୁବ ମୁଖିଆ କରିଛି। ବିଜେପି ଓ କଂଗ୍ରେସର ଯୁବମୁଖିଆ ସ୍ୱଚ୍ଛ ତଥା ଉଚ୍ଚଶିକ୍ଷିତ ହୋଇଥିବାବେଳେ ସେମାନଙ୍କର ଦକ୍ଷତା ଉପରେ ଉଭୟ ଦଳ ଆସ୍ଥାପୋଷଣ କରିଛନ୍ତି। ତେଣୁ ଏଭଳି ସ୍ଥିତିରେ ଶାସକ ବିଜେଡି ପାଇଁ ନିଜର ଯୁବ ଓ ଛାତ୍ର ସଂଗଠନର ନେତୃତ୍ୱ ଦକ୍ଷ ଓ ସ୍ୱଚ୍ଛ ଭାବମୂର୍ତ୍ତି ସମ୍ପନ୍ନ ନେତାଙ୍କ ହାତରେ ନ୍ୟସ୍ତ କରିବାର ଚାପ ରହିଛି। ତେବେ ବିଜେଡିରେ ଏକଛାତ୍ରବାଦ ନିଷ୍ପତ୍ତି ହିଁ ଦକ୍ଷ ନେତୃତ୍ୱ ଚୟନରେ ଅନ୍ତରାୟ ପାଲଟିଥିବା ଜଣାପଡ଼ିଛି।

ଯୁବ ବିଜେଡି ସଭାପତି ପଦ ପାଇଁ ଚର୍ଚ୍ଚାରେ ରହିଥିବା ନେତାଙ୍କ ମଧ୍ୟରେ ୪ ବିଧାୟକ-ବ୍ୟୋମକେଶ ରାୟ, ପ୍ରଣବ ବଳବନ୍ତରାୟ, ଚନ୍ଦ୍ରସାରଥୀ ବେହେରା ଓ ସୁଶାନ୍ତ ରାଉତ ପ୍ରମୁଖ ରହିଛନ୍ତି । ତେବେ ଡି-ବ୍ରଦର୍ସ ଓ ମୋତିଲାଲ ଗୌଡ଼ ମାମଲାରେ ବିବାଦୀୟ ଥିବା ବ୍ୟୋମକେଶ ରାୟଙ୍କ ପାଖରେ ଯୁବ ସଂଗଠନର ନେତୃତ୍ୱ ନେବାର ଦକ୍ଷତାର ଅଭାବ ରହିଛି। ସେହିପରି ଚିଟଫଣ୍ଡ ଓ ଡଙ୍କାରୀ ପାହାଡ଼ ଖନନ ବିବାଦରେ ପ୍ରଣବ ବଳବନ୍ତରାୟ ବିବାଦରେ ଅଛନ୍ତି । ଚନ୍ଦ୍ରସାରଥୀଙ୍କ ସାଂଗଠନିକ ଦକ୍ଷତା ବିଲକୁଲ ନାହିଁ କହିଲେ ଚଳେ, କ୍ରୀଡ଼ା ଓ ଯୁବବ୍ୟାପାର ମନ୍ତ୍ରୀ ଥିବାବେଳେ ତାହା ପ୍ରତିଫଳିତ ହୋଇଛି। ତେବେ ସୁଶାନ୍ତଙ୍କର ଦଳର ସବୁଗୋଷ୍ଠୀ ସହ ସୁସମ୍ପର୍କ ଥିଲେ ମଧ୍ୟ ତାଙ୍କର ଠିକାଦାରୀ ବ୍ୟବସାୟ ହିଁ ତାଙ୍କ ପାଇଁ ପ୍ରତିବନ୍ଧକ ସାଜିଛି। ବର୍ତ୍ତମାନର ଯୁବ ସଭାପତି ଅମ୍ରେଶ ପତ୍ରୀଙ୍କ କାର୍ଯ୍ୟକାଳ ଦଳ ଅଦ୍ୟାବଧିର ସବୁଠୁ ବିପର୍ଯ୍ୟୟର ଅବଧି ବୋଲି ଚର୍ଚ୍ଚା ହେଉଛି।

ସେହିପରି ଛାତ୍ର ବିଜେଡି ସଭାପତି ପାଇଁ ଦୁଇ ବିଧାୟକ ଦେବୀରଞ୍ଜନ ତ୍ରିପାଠୀ ଓ ସୌଭିକ ବିଶ୍ୱାଳଙ୍କ ନାଁ ସର୍ବାଧିକ ଚର୍ଚ୍ଚାରେ ଥିବାବେଳେ ହରିଶଙ୍କର ରାଉତ, ପାର୍ଥସାରଥୀ ମୁଦୁଲି ଓ ବର୍ତ୍ତମାନର ଛାତ୍ର ସଭାପତି ରାଣାପ୍ରତାପ ପାତ୍ର ମଧ୍ୟ ଦୌଡ଼ରେ ରହିଥିବା ଜଣାପଡ଼ିଛି। ତେବେ ଚିଟଫଣ୍ଡ ଦୁର୍ନୀତିରେ ସିବିଆଇ ତଦନ୍ତ ରୂପକ ଡୋମୋକ୍ଲିସ୍ ଖଡଗ ଏବେ ବି ଶ୍ରୀ ତ୍ରିପାଠୀ ଓ ଶ୍ରୀ ବିଶ୍ୱାଳଙ୍କ ପରିବାର ଉପରେ ଝୁଲୁଛି। ଆଗକୁ ପୌର ଓ ପଂଚାୟତ ନିର୍ବାଚନ ଥିବାରୁ ବିଜେପି ଏହି ଦୁଇ ବିଧାୟକଙ୍କ ପରିବାର(ପ୍ରଭାତ ତ୍ରିପାଠୀ ଓ ପ୍ରଭାତ ବିଶ୍ୱାଳ)କୁ ସଫ୍ଟ ଟାର୍ଗେଟ୍ କରିବାର ଆଶଙ୍କାକୁ ଏଡ଼ାଇ ଦିଆଯାଇନପାରେ। ତେଣୁ ଏଭଳି ସ୍ଥିତିରେ ବିଜେଡି କଦାପି ଚାହିଁବ ନାହିଁ ଯେ ନିଜର ଛାତ୍ର ସଂଗଠନର ମୁଖିଆ ଏଭଳି ନେତା ହୁଅନ୍ତି, ଯାହାଙ୍କୁ ନେଇ ଆଗାମୀ ଦିନରେ ଦଳକୁ ଅଡ଼ୁଆରେ ପଡ଼ିବାର ଆଶଙ୍କା ରହିବ। ଅବଶ୍ୟ ଦେବୀରଞ୍ଜନଙ୍କ ପାଇଁ ଦଳର କିଛି ପ୍ରଭାବଶାଳୀ ନେତା ଲବି କରୁଥିବା ଜଣାପଡ଼ିଛି। ସେହିପରି ଏବେ ଛାତ୍ର ବିଜେଡି ସଭାପତି ଥିବା ଶ୍ରୀ ପାତ୍ର ୨୦୧୯ ସାଧାରଣ ନିର୍ବାଚନରେ ଟିକେଟ ଆଶାୟୀ ହୋଇ ବିଫଳ ହେବାପରେ ଦଳ ଛାଡ଼ିବେ ବୋଲି ଚର୍ଚ୍ଚା ହୋଇଥିଲା। ନିଜର ମହତ୍ୱାକାଂକ୍ଷା ପାଇଁ ସେ ବିଜେଡିର ବିଭିନ୍ନ କ୍ୟାମ୍ପକୁ ଡ଼ିଆଁ ମାରିବାକୁ ପଛାଇ ନଥିଲେ। ତେବେ ତାଙ୍କ ନେତୃତ୍ୱରେ ଗତ ୪ବର୍ଷ ମଧ୍ୟରେ ଛାତ୍ର ବିଜେଡି ଦଳର ଭୋଟବ୍ୟାଙ୍କ ବୃଦ୍ଧି କିମ୍ବା ପ୍ରଚାରପ୍ରସାରରେ ସହାୟକ ହୋଇପାରିନଥିବା ସୂଚନା ମିଳିଛି।ଅନ୍ୟପକ୍ଷରେ ରେଭେନ୍ସା ବିଶ୍ୱବିଦ୍ୟାଳୟର ପୂର୍ବତନ ଛାତ୍ର ସଂସଦ ସଭାପତି ହରିଶଙ୍କର ରାଉତ ଓ ଭଦ୍ରକର ପାର୍ଥସାରଥୀ ମୁଦୁଲି ଉଭୟ ଦକ୍ଷ ଓ ସ୍ୱଚ୍ଛ ଛାତ୍ରନେତା ଭାବେ ପରିଚିତ। ଏହି ଦୁଇଜଣଙ୍କ ମଧ୍ୟରୁ ଦଳ କାହାରି ଉପରେ ଭରସା କରିବାର ଯଥେଷ୍ଟ ସମ୍ଭାବନା ରହିଛି।

ସେହିପରି ଯୁବ ବିଜେଡି ମୁଖିଆ ପଦବୀ ପାଇଁ ପୂର୍ବତନ ବିଧାୟକ ଅନୁଭବ ପଟ୍ଟନାୟକ ଓ ରାଜ୍ୟସଭା ସାଂସଦ ସସ୍ମିତ ପାତ୍ରଙ୍କ ନାଁ ଶୁଣିବାକୁ ମିଳୁଛି। ଉଭୟ ଉଚ୍ଚଶିକ୍ଷିତ ଓ ସ୍ୱଚ୍ଛ ଭାବମୂର୍ତ୍ତି ସମ୍ପନ୍ନ। ଶ୍ରୀ ପଟ୍ଟନାୟକ ଏଥର ଦଳୀୟ ଟିକେଟରୁ ବଂଚିତ ହୋଇଥିବାବେଳେ ୪୧ବର୍ଷୀୟ ଶ୍ରୀ ପାତ୍ରଙ୍କ ରାଜ୍ୟସଭା କାର୍ଯ୍ୟକାଳ ୨୦୨୨ ଜୁଲାଇରେ ସରିବ। ଶ୍ରୀ ପାତ୍ର ଏବେ ତୃତୀୟ ମହଲାର ଗୁଡ଼ବୁକରେ ମଧ୍ୟ ଅଛନ୍ତି। ତେବେ ଦଳର ସୁପ୍ରିମୋ ନବୀନ ପଟ୍ଟନାୟକ ବାସ୍ତବରେ ଦକ୍ଷ ଓ ସ୍ୱଚ୍ଛ ନେତାଙ୍କ ହାତରେ ସଂଗଠନକୁ ଟେକି ଦେଉଛନ୍ତି ନା ପ୍ରଭାବଶାଳୀ ନେତାମାନଙ୍କ ଚାପରେ ପଡ଼ି ଦାଗୀ ନେତାମାନଙ୍କୁ ମୁଖିଆ ଭାବେ ନିଯୁକ୍ତି ଦେବେ ତାହା ଉପରେ ସମସ୍ତଙ୍କ ନଜର।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos