ଗୋବିନ୍ଦଙ୍କ ପାଇଁ ମେହେରବାନ ଥିଲେ ବିଜେଡି ସରକାର, ସବୁ ନୀତି ନିୟମକୁ ଫୁ’

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଶିକ୍ଷୟିତ୍ରୀ ମମିତା ମେହେର ହତ୍ୟା ମାମଲାରେ ମୁଖ୍ୟ ଅଭିଯୁକ୍ତ ଗୋବିନ୍ଦ ମେହେର ଗିରଫ ହେବା ପରେ ଗୃହ ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ବହିଷ୍କାର ଦାବି ଜୋର ଧରିଥିବାବେଳେ ଦୈନିକ ନୂଆ ନୂଆ ଚାଞ୍ଚଲ୍ୟକର ତଥ୍ୟ ପଦାକୁ ଆସିବାରେ ଲାଗିଛି। ଗୋବିନ୍ଦ ନିଜର ରାଜନୀତିକ ପତିଆରା ଓ ସରକାରୀ ଦଳ ସହ ସଲାସୁତୁରା ଯୋଗୁ ନିଜର ବ୍ୟକ୍ତିଗତ ଅବା ଘରୋଇ ଶିକ୍ଷାନୁଷ୍ଠାନ ପାଇଁ ମଧ୍ୟ ସରକାରୀ ଅନୁଦାନ ହାତେଇବାରେ ସକ୍ଷମ ହୋଇଥିଲା। ତେବେ ୨୦୧୧-୧୨ ମସିହାରେ […]

Govinda

Govinda

Ordigital Desk
  • Published: Saturday, 23 October 2021
  • Updated: 24 October 2021, 08:16 AM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଶିକ୍ଷୟିତ୍ରୀ ମମିତା ମେହେର ହତ୍ୟା ମାମଲାରେ ମୁଖ୍ୟ ଅଭିଯୁକ୍ତ ଗୋବିନ୍ଦ ମେହେର ଗିରଫ ହେବା ପରେ ଗୃହ ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ବହିଷ୍କାର ଦାବି ଜୋର ଧରିଥିବାବେଳେ ଦୈନିକ ନୂଆ ନୂଆ ଚାଞ୍ଚଲ୍ୟକର ତଥ୍ୟ ପଦାକୁ ଆସିବାରେ ଲାଗିଛି। ଗୋବିନ୍ଦ ନିଜର ରାଜନୀତିକ ପତିଆରା ଓ ସରକାରୀ ଦଳ ସହ ସଲାସୁତୁରା ଯୋଗୁ ନିଜର ବ୍ୟକ୍ତିଗତ ଅବା ଘରୋଇ ଶିକ୍ଷାନୁଷ୍ଠାନ ପାଇଁ ମଧ୍ୟ ସରକାରୀ ଅନୁଦାନ ହାତେଇବାରେ ସକ୍ଷମ ହୋଇଥିଲା। ତେବେ ୨୦୧୧-୧୨ ମସିହାରେ ସିଏଜି ଏହି ଅନୁଦାନ ବେଆଇନ ପ୍ରକଳ୍ପ ପାଇଁ ଆବଣ୍ଟନ ହୋଇଥିବା ଦର୍ଶାଇ ସରକାରଙ୍କୁ ତାଗିଦ୍ କରିଥିଲେ ମଧ୍ୟ ତାହା ଗୋବିନ୍ଦଙ୍କ ଅନୁଷ୍ଠାନ ନିମନ୍ତେ ପ୍ରଭାବହୀନ ଥିଲା। ଗୋବିନ୍ଦଙ୍କ କଲେଜକୁ ନିୟମିତ ଭାବେ ପଶ୍ଚିମ ଓଡ଼ିଶା ବିକାଶ ପରିଷଦ, ଏମଏଲଏ ଓ ଏମପି ଲ୍ୟାଡ୍ ପାଣ୍ଠି ସହ ଅନ୍ୟାନ୍ୟ ସରକାରୀ ଅନୁଦାନ ମିଳିବାରେ କୌଣସି ସମସ୍ୟା ହୋଇନଥିବା ଜଣାପଡ଼ିଛି ।

ମିଳିଥିବା ସୂଚନା ଅନୁସାରେ ସିଏଜି ୨୦୧୪ ମସିହାରେ ପ୍ରକାଶିତ ଅଡିଟ୍ ରିପୋର୍ଟରେ ଗୋବିନ୍ଦଙ୍କ ଦ୍ୱାରା ସ୍ଥାପିତ ଘରୋଇ ଶିକ୍ଷାନୁଷ୍ଠାନକୁ ଦିଆଯାଇଥିବା ପ୍ରକଳ୍ପ ସମ୍ପର୍କରେ ଆପତ୍ତି ଉଠାଇଥିଲେ। ୨୦୧୨-୧୩ ପଶ୍ଚିମ ଓଡ଼ିଶା ବିକାଶ ପରିଷଦ ପାଣ୍ଠିରୁ ୯ଲକ୍ଷ ଟଙ୍କାରେ ଗୋବିନ୍ଦଙ୍କ ଘରୋଇ କଲେଜ ପାଇଁ ଛାତ୍ରୀ ନିବାସର ଲନ୍‌, ସାଇଡ୍ ୱାଲ ଓ କରିଡର ଏବଂ ଯୁକ୍ତ ଦୁଇ କଲେଜର ଲନ୍ ନିର୍ମାଣ ପାଇଁ ଅର୍ଥ ମଞ୍ଜୁର ହୋଇଥିଲା। ସେହିପରି ପଂଚାୟତିରାଜ ବିଭାଗ ୨୦୧୧-୧୨ ମସିହାରେ ମଧ୍ୟ ଡିଭୋଲ୍ୟୁସନ ପାଣ୍ଠିରୁ ଘରୋଇ କଲେଜକୁ ୪ଲକ୍ଷ ଟଙ୍କାର ରାସ୍ତା ପ୍ରକଳ୍ପ ମଞ୍ଜୁର କରିଥିଲେ। ଏହି ୩ଟି ଯାକ ପ୍ରକଳ୍ପ ଉପରେ ସିଏଜି ଆପତ୍ତି ଉଠାଇ ଏହା କିଭଳି ସମ୍ଭବପର ବୋଲି ସରକାରଙ୍କୁ ପ୍ରଶ୍ନ କରିଥିଲେ। ମାତ୍ର ସିଏଜିଙ୍କ ଏହି ତାଗିଦ୍ ବିଶେଷ ଫଳପ୍ରଦ ହୋଇନଥିଲା।

ଗୋବିନ୍ଦ ସେବେଠୁ ପ୍ରତିବର୍ଷ ପ୍ରାୟ ବିଭିନ୍ନ ସରକାରୀ ଯୋଜନାରେ ନିଜର ଶିକ୍ଷାନୁଷ୍ଠାନ ପାଇଁ ବ୍ୟାପକ ଅର୍ଥ ନେଇଛନ୍ତି । ସିଏଜିଙ୍କ ଆପତ୍ତି ସତ୍ତ୍ୱେ ଗୋବିନ୍ଦଙ୍କ ଏହି କଲେଜର ଛାତ୍ରୀ ନିବାସକୁ ପାନୀୟ ଜଳ ଯୋଗାଣ ନିମନ୍ତେ ୨୦୧୯-୨୦ ମସିହାରେ ସୋଲାର ପମ୍ପ ପାଣି ପାଇପ୍ ଯୋଗାଣ ନିମନ୍ତେ ୫.୫୦ଲକ୍ଷ ଟଙ୍କା ମଞ୍ଜୁର ହୋଇଥିବାବେଳେ ୨୦୧୬-୧୭ ମସିହାରେ ଯୁକ୍ତ ଦୁଇ କଲେଜର ଅତିରିକ୍ତ କ୍ଲାସରୁମ୍ ନିର୍ମାଣ ପାଇଁ ୫ଲକ୍ଷ ଟଙ୍କାର ଅନୁଦାନ ଆବଣ୍ଟନ ହୋଇଥିଲା।

୨୦୨୧-୨୨ରେ ପଶ୍ଚିମ ଓଡ଼ିଶା ବିକାଶ ପରିଷଦରୁ ମଧ୍ୟ ୧୦ଲକ୍ଷ ଟଙ୍କାର ଅନୁଦାନ ଗୋବିନ୍ଦଙ୍କ ଶିକ୍ଷାନୁଷ୍ଠାନକୁ ଦିଆଯାଇଛି। ସିଏଜିଙ୍କ ଆପତ୍ତି ସତ୍ତ୍ୱେ ଏକ ଘରୋଇ କଲେଜର ଛାତ୍ରୀ ନିବାସକୁ କିଭଳି ଏତେ ପରିମାଣର ଅନୁଦାନ ଦିଆଯାଉଥିଲା ତାକୁ ନେଇ ପ୍ରଶ୍ନ ଉଠିଛି । ସବୁଠୁ ବଡ଼ କଥା ହେଲା ଗୋବିନ୍ଦ ଯେଉଁ ପ୍ରାୟ ୪୦ଏକର ଜମିରେ ସ୍କୁଲ ଓ କଲେଜ ସ୍ଥାପନ କରିଛନ୍ତି ସେଠାରେ ନିର୍ମାଣ ହୋଇଥିବା ଭିତ୍ତିଭୂମି(କୋଠା ଓ ଅନ୍ୟାନ୍ୟ) ସବୁ ସରକାରୀ ଅନୁଦାନ ଅର୍ଥରେ ହୋଇଛି।

ସ୍ଥାନୀୟ ବିଧାୟକ, ସାଂସଦ ଓ ମନ୍ତ୍ରୀମାନଙ୍କୁ ପ୍ରଭାବିତ କରି ଗୋବିନ୍ଦ ଏହି ଅର୍ଥ ନିଜ ସ୍କୁଲ ପାଇଁ ନେଇଥିବା ଜଣାପଡ଼ିଛି। ସ୍ଥାନୀୟ ବିଧାୟକଙ୍କ ବିନା ସୁପାରିସରେ ପଶ୍ଚିମ ଓଡ଼ିଶା ବିକାଶ ପରିଷଦରୁ ଅନୁଦାନ ମିଳିବା ସମ୍ଭାବନା କ୍ଷୀଣ । କେବଳ ଏହି ପଶ୍ଚିମ ଓଡ଼ିଶା ବିକାଶ ପରିଷଦ ପାଣ୍ଠି ନୁହେଁ, ସ୍ଥାନୀୟ ବିଧାୟକ ତଥା ଗୃହ ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର ନିଜର ଏମଏଲଏ ଲ୍ୟାଡରୁ ୨୦୧୪-୧୯ ମସିହା ମଧ୍ୟରେ ପ୍ରାୟ ୪୦ଲକ୍ଷ ଟଙ୍କା ମଞ୍ଜୁର କରିଥିବା ଜଣାପଡ଼ିଛି ।

ତେବେ ଆଶ୍ଚର୍ଯ୍ୟର କଥା ଯେ, ୨୦୧୩ ଯୁକ୍ତ ଦୁଇ ପରୀକ୍ଷାବେଳେ ଏହି କଲେଜରେ ପ୍ରଶ୍ନପତ୍ର ଲିକ୍ ଘଟଣାର ତଦନ୍ତଭାର କ୍ରାଇମବ୍ରାଂଚ ନେଇଥିଲା, କିନ୍ତୁ ଏପର୍ଯ୍ୟନ୍ତ ଏହି ତଦନ୍ତର ଫଳାଫଳ କ’ଣ ହେଲା ତାହା କେହି ଜାଣିଲେ ନାହିଁ ଓଲଟା ଏହି କଲେଜ ପାଇଁ ସରକାର ଅତ୍ୟନ୍ତ ମେହେରବାନ ହୋଇ ସେଠାରେ ସବୁ ପ୍ରକାରର ଆନୁସଙ୍ଗିକ ସୁବିଧା କରିଛନ୍ତି, ଯାହାକି କୌଣସି ସରକାରୀ କଲେଜରେ ବି କ୍ୱଚିତ୍ ଦେଖିବାକୁ ମିଳିଥାଏ । ଗୋବିନ୍ଦ ନିଜର ପ୍ରଭାବ ବିସ୍ତାର କରି ବେଆଇନ ଭାବେ ସରକାରୀ ଅନୁଦାନ ଅର୍ଥକୁ ନେଇ ଏହି ଘରୋଇ ଶିକ୍ଷାନୁଷ୍ଠାନର ଭିତ୍ତିଭୂମି ନିର୍ମାଣ କରିବାରେ ସକ୍ଷମ ହୋଇଛି।

ନବୀନ ପଟ୍ଟନାୟକ ସରକାରଙ୍କ ପାଖରେ ଏସବୁ ତଥ୍ୟ ରହିଥିବାବେଳେ ଆଉ ଗୋବିନ୍ଦଙ୍କ ସହ ମନ୍ତ୍ରୀ ଶ୍ରୀ ମିଶ୍ରଙ୍କର ଘନିଷ୍ଠତାର ଆଉ କ’ଣ ପ୍ରମାଣ ଆବଶ୍ୟକ ବୋଲି ସାଧାରଣରେ ଚର୍ଚ୍ଚା ହେଉଛି। ମନ୍ତ୍ରୀ ଶ୍ରୀ ମିଶ୍ରଙ୍କୁ ବରଖାସ୍ତ ଦାବିରେ ଉଭୟ ବିଜେପି ଓ କଂଗ୍ରେସ ଏବେ ଜୋରଦାର ଆନ୍ଦୋଳନ କରୁଥିବାବେଳେ ମୁଖ୍ୟମନ୍ତ୍ରୀଙ୍କ ନିରବତା ହିଁ ବିଜେଡିର ନେତାମାନଙ୍କ ମଧ୍ୟରେ ଏବେ ଅସନ୍ତୋଷର କାରଣ ହେବାରେ ଲାଗିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos