ମନ୍ତ୍ରୀ ଦେଖା ପାଉନାହାନ୍ତି, ଲୋକଙ୍କୁ ଘରେ ଭେଟିବେ ନବୀନ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): “କହିଲେ କୂଳ କୁଟୁମ୍ବକୁ ଲାଜ, ନକହିଲେ କୂଳ ଭାସି ଯାଉଛି।” ଏବେ ଏହି ଲୋକକଥା ‘ବିଜେଡି’ କ୍ଷେତ୍ରରେ ଶତପ୍ରତିଶତ ପ୍ରଯୁଜ୍ୟ ହେବାକୁ ଯାଉଛି। ଅତ୍ୟାଧୁନିକ ଟେକ୍ନୋଲୋଜି ମାଧ୍ୟମରେ ୪ଟି ଜିଲ୍ଲାର ପ୍ରତ୍ୟେକ ଘରେ ବିଜେଡି ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ପହଞ୍ଚାଇବାର ଅଭିଯାନ ବିଜେଡି ଆରମ୍ଭ କରିଛି। ତେବେ ନିଜର କ୍ୟାବିନେଟ ସହଯୋଗୀ ଓ ଦଳର ବରିଷ୍ଠ ନେତାମାନେ ଚାହିଁଲେ ବି ଏପର୍ଯ୍ୟନ୍ତ ସିଧାସଳଖ ନବୀନଙ୍କୁ ଭେଟିବା ସମ୍ଭବପର ହେଉନଥିବାବେଳେ ବିଜେଡି ସଂଗଠନ […]

bjd

Manoranjan Sial
  • Published: Wednesday, 23 January 2019
  • , Updated: 23 January 2019, 07:15 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): “କହିଲେ କୂଳ କୁଟୁମ୍ବକୁ ଲାଜ, ନକହିଲେ କୂଳ ଭାସି ଯାଉଛି।” ଏବେ ଏହି ଲୋକକଥା ‘ବିଜେଡି’ କ୍ଷେତ୍ରରେ ଶତପ୍ରତିଶତ ପ୍ରଯୁଜ୍ୟ ହେବାକୁ ଯାଉଛି। ଅତ୍ୟାଧୁନିକ ଟେକ୍ନୋଲୋଜି ମାଧ୍ୟମରେ ୪ଟି ଜିଲ୍ଲାର ପ୍ରତ୍ୟେକ ଘରେ ବିଜେଡି ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ପହଞ୍ଚାଇବାର ଅଭିଯାନ ବିଜେଡି ଆରମ୍ଭ କରିଛି। ତେବେ ନିଜର କ୍ୟାବିନେଟ ସହଯୋଗୀ ଓ ଦଳର ବରିଷ୍ଠ ନେତାମାନେ ଚାହିଁଲେ ବି ଏପର୍ଯ୍ୟନ୍ତ ସିଧାସଳଖ ନବୀନଙ୍କୁ ଭେଟିବା ସମ୍ଭବପର ହେଉନଥିବାବେଳେ ବିଜେଡି ସଂଗଠନ ଦୁର୍ବଳ ଥିବା ୪ ଜିଲ୍ଲାର ଲୋକଙ୍କ ସହ ଟେକ୍ନୋଲୋଜି ମାଧ୍ୟମରେ ସିଧାସଳଖ କଥା ହେବା ଓ ଫଟୋ ଉଠାର ଏକ ଭେଳିକି ଦଳ ପକ୍ଷରୁ ଆରମ୍ଭ ହେବାକୁ ନେଇ ଏବେ ବିଜେଡି ମହଲରେ ଚର୍ଚ୍ଚା।

ବିଜେଡି ଆଇଟି ୱିଙ୍ଗ ମୁଖ୍ୟ ଅମର ପଟ୍ଟନାୟକ ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ଦଳ ପକ୍ଷରୁ ଦୁଇଟି ନୂଆ କାର୍ଯ୍ୟକ୍ରମ “ମୋ’ ନବୀନ, ମୋ’ ଘରେ” ଏବଂ ‘ସେଲ୍ଫି ୱିଥ୍ ସିଏମ୍'ର ଶୁଭାରମ୍ଭ ହୋଇଥିବା ସୂଚନା ଦେଇଛନ୍ତି। 'ମୋ ନବୀନ ମୋ ଘରେ' କାର୍ଯ୍ୟକ୍ରମ ଏବେ ବଲାଙ୍ଗିର,ମୟୂରଭଞ୍ଜ, କଳାହାଣ୍ଡି ଓ ସୁନ୍ଦରଗଡ଼ ଜିଲ୍ଲାର ପ୍ରତ୍ୟେକ ଘରେ କରାଯିବ ତଥା ଲୋକମାନେ ମୁଖ୍ୟମନ୍ତ୍ରୀଙ୍କ ସହ ଅତ୍ୟାଧୁନିକ ଜ୍ଞାନକୌଶଳ ମାଧ୍ୟମରେ ଫଟୋ ଉଠାଇପାରିବେ। ସେହି ଫଟୋକୁ ସଙ୍ଗେସଙ୍ଗେ ସମ୍ପୃକ୍ତ ବ୍ୟକ୍ତିଙ୍କୁ ପ୍ରିଣ୍ଟ କରି ଦିଆଯିବ। ଥ୍ରୀ ଡି ଲାଇଭ୍ ଚିତ୍ର ସହ ଲୋକମାନେ ମଧ୍ୟ ମୁଖ୍ୟମନ୍ତ୍ରୀଙ୍କ ସହ କଥା ହୋଇପାରିବେ। ଏସବୁ ଅତ୍ୟାଧୁନିକ ଜ୍ଞାନକୌଶଳ ମାଧ୍ୟମରେ ଲୋକଙ୍କ ପାଖରେ ପହଞ୍ଚିବାର କାର୍ଯ୍ୟ ଏକ ସଂସ୍ଥାକୁ ଦିଆଯାଇଛି ଓ ସେମାନେ ଏବେ ଏସବୁ ଆରମ୍ଭ କରିଛନ୍ତି ବୋଲି ଶ୍ରୀ ପଟ୍ଟନାୟକ କହିଛନ୍ତି। ଏହାଛଡ଼ା ‘ସେଲ୍ଫ ୱିଥ୍ ସିଏମ୍ ’ କାର୍ଯ୍ୟକ୍ରମ ମାଧ୍ୟମରେ ଦଳୀୟ ଅଫିସ୍ ଓ ରାଜ୍ୟର ବିଭିନ୍ନ ସ୍ଥାନରେ ଲୋକମାନେ ଚାହିଁଲେ ମୁଖ୍ୟମନ୍ତ୍ରୀଙ୍କ ସହ ସେଲଫି ଉଠାଇପାରିବେ।

ତେବେ ପ୍ରଶ୍ନ ଉଠୁଛି, ଏପର୍ଯ୍ୟନ୍ତ ମୁଖ୍ୟମନ୍ତ୍ରୀଙ୍କୁ ସିଧାସଳଖ ଭେଟିବା କୌଣସି ଜଣେ ସାଧାରଣ ଲୋକଙ୍କ ପକ୍ଷରେ ସମ୍ଭବପର ହେଉନଥିବାବେଳେ ବିଜେଡି ପକ୍ଷରୁ ଅତ୍ୟାଧୁନିକ ଜ୍ଞାନକୌଶଳ ମାଧ୍ୟମରେ ଯେଉଁ ଭାବମୂର୍ତ୍ତି ସଜାଡ଼ିବା କାର୍ଯ୍ୟକ୍ରମ ହେଉଛି ତାହା ସଫଳ ହେବ ତ? ନବୀନଙ୍କ ସହ ଫଟୋ ଉଠା ନାଁରେ ବିଜେଡି କ’ଣ ସତରେ ଏହି ୪ଟି ଜିଲ୍ଲାରେ ନିଜର ସଂଗଠନକୁ ସୁଦୃଢ଼ କରିପାରିବ?

ରାଜନୀତିକ ବିଶ୍ଲେଷକଙ୍କ ମତରେ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିଜର କ୍ୟାବିନେଟ ସହଯୋଗୀ(ମନ୍ତ୍ରୀମାନେ) ଓ ଦଳର ବରିଷ୍ଠ ନେତାମାନଙ୍କୁ ବି ସାକ୍ଷାତ ଦିଅନ୍ତି ନାହିଁ। ଏହା ପ୍ରାୟତଃ ବିଜେଡିର ଶତପ୍ରତିଶତ ନେତା ସ୍ୱୀକାର କରିବେ। ନିଜ ଅଞ୍ଚଳର ସମସ୍ୟା ହେଉ ଅବା ଦଳୀୟ ସମସ୍ୟା ସମ୍ପର୍କରେ ମୁଖ୍ୟମନ୍ତ୍ରୀଙ୍କୁ ଅବଗତ କରିବା ମଧ୍ୟ ଦଳୀୟ ବିଧାୟକମାନଙ୍କ ପାଇଁ ସମ୍ଭବପର ହୁଏନି। ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରେ ଥିବା କିଛି ଅଫିସରଙ୍କୁ ଭେଟିବା ପାଇଁ ବି ଦଳୀୟ ନେତା ଓ ମନ୍ତ୍ରୀମାନଙ୍କୁ ଘଣ୍ଟା ଘଣ୍ଟା ଧରି ଅପେକ୍ଷା କରିବାକୁ ପଡ଼ୁଛି। ତେଣୁ ନିର୍ବାଚନ ମୁଣ୍ଡ ଉପରେ ଥିବା ଏହି ୪ଟି ଜିଲ୍ଲାରେ ଦଳୀୟ ସଂଗଠନକୁ ସୁଦୃଢ଼ କରିବା ପାଇଁ ସାଧାରଣ ଲୋକଙ୍କୁ ମୁଖ୍ୟମନ୍ତ୍ରୀଙ୍କୁ ଭେଟଘାଟ କରାଇବା ହୁଏତ ଦଳର ନିର୍ବାଚନୀ ରଣନୀତି ହୋଇଥାଇପାରେ, ମାତ୍ର ସାଧାରଣ ଲୋକଙ୍କୁ ଭେଟିବାର ମୁଖ୍ୟମନ୍ତ୍ରୀ ଓ ତାଙ୍କ କାର୍ଯ୍ୟାଳୟର ଅଫିସରମାନଙ୍କ ଏଭଳି ଚରିତ୍ର ପ୍ରତି ରାଜ୍ୟବାସୀ ଅଳ୍ପବହୁତେ ଅବଗତ ଅଛନ୍ତି।

ମୁଖ୍ୟମନ୍ତ୍ରୀଙ୍କୁ ଦଳୀୟ ନେତା କିମ୍ବା ମନ୍ତ୍ରୀ ନିଜ ମର୍ଜିରେ ଭେଟିବା ସମ୍ଭବପର ନୁହେଁ ବୋଲି ବିଜେଡିରେ ଥିବା ନେତାମାନେ ଭଲଭାବେ ଜାଣନ୍ତି। ତା’ଛଡ଼ା ଦିଲ୍ଲୀରେ ଚାଷୀ ସମାବେଶ ସ୍ଥଳରେ ନିଜର ନେତା ନବୀନ ପଟ୍ଟନାୟକଙ୍କୁ ଜଣେ ଦଳୀୟ କର୍ମୀ ଗୋଲାପ ଫୁଲ ଉପହାର ଦେବାକୁ ଯାଇ ଯେଉଁ ହଟହଟା ହୋଇଛନ୍ତି ତାହା ସିଧାସଳଖ ପ୍ରସାରଣ ମାଧ୍ୟମରେ ସମଗ୍ର ଦେଶ ଦେଖିଛି। ସୁରକ୍ଷାକର୍ମୀଙ୍କ ଅତ୍ୟନ୍ତ କଦର୍ଯ୍ୟ ବ୍ୟବହାର ଓ ଠେଲାପେଲା ପରେ ସମ୍ପୃକ୍ତ କର୍ମୀଙ୍କ ମନରେ ନିଜର ନେତା ପ୍ରତି ଆଦର କେତେ ବଢ଼ିଥିବ ସେହି ଦୃଶ୍ୟକୁ ଦେଖିଥିବା ଲୋକ ସହଜରେ ଅନୁମାନ କରିପାରିବେ। ମୁଖ୍ୟମନ୍ତ୍ରୀଙ୍କୁ ଘେରି ରହୁଥିବା ସୁରକ୍ଷାକର୍ମୀ ଓ ଅଫିସରଙ୍କର ସାଧାରଣ ଲୋକ ଓ କର୍ମୀଙ୍କ ପ୍ରତି ଘୃଣ୍ୟ ମାନସିକତା ଯେପର୍ଯ୍ୟନ୍ତ ଦୂର ନହୋଇଛି ତଥା ସେମାନଙ୍କ ମଧ୍ୟରେ ଲୋକଙ୍କୁ ଭେଟିବାର ଆନ୍ତରିକତା ସୃଷ୍ଟି ନହୋଇଛି ସେପର୍ଯ୍ୟନ୍ତ ଏସବୁ କାର୍ଯ୍ୟକ୍ରମ ଫଳପ୍ରଦ ହୋଇପାରିବନି।

ତେଣୁ ନବୀନଙ୍କୁ ଏକ ଶୋ’ କେସ୍ ଭିତରେ ରଖି ଥ୍ରୀ-ଡି ଲାଇଭ୍ ମାଧ୍ୟମରେ ଲୋକଙ୍କୁ ଭେଟିବାର ଯେଉଁ ଜ୍ଞାନକୌଶଳ ଦଳ ଆପଣାଇଛି ତାହା କେବଳ ଗାଁ ଗହଳିର ଲୋକଙ୍କୁ ବୋକା ବନାଇବା ଛଡ଼ା ଅନ୍ୟ କିଛି ନୁହେଁ ବୋଲି ରାଜନୀତିକ ମହଲରେ ଚର୍ଚ୍ଚା ହେଉଛି।

Related story