ମଞ୍ଚରେ ଭୋଟରଙ୍କୁ କୋଟିଏ ଟଙ୍କାର ଲାଞ୍ଚ ଅଫ୍‌ର ଦେଲେ ବିଜେଡି ନେତା

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଧାମନଗର ଉପନିର୍ବାଚନରେ ଭୋଟରଙ୍କୁ ପ୍ରଲୋଭିତ କରିବାକୁ ବିଜେଡି ଉଦ୍ୟମ କରୁଥିବା ଅଭିଯୋଗ ହୋଇଛି। ଭୋଟରଙ୍କୁ ଖୁଲମଖୁଲା ଟଙ୍କା ଲୋଭ ଦେଖାଇଛନ୍ତି ବିଜେଡି କର୍ମୀ। କହିଛନ୍ତି- ଯେଉଁ ପଞ୍ଚାୟତ ବିଜେଡିକୁ ଅଧିକ ଭୋଟ ଦେବ, ସେହି ପଞ୍ଚାୟତକୁ ମୁଖ୍ୟମନ୍ତ୍ରୀ କୋଟିଏ ଟଙ୍କା ଦେବେ। ଧାମନଗର ଅନ୍ତର୍ଗତ ରାଧାବଲ୍ଲଭପୁରରେ ଏକ ନିର୍ବାଚନୀ ସଭାରେ ବିଜେଡି ପ୍ରାର୍ଥୀ ଅବନ୍ତୀ ଦାସ, ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀ ମନ୍ତ୍ରୀ ପ୍ରୀତିରଞ୍ଜନ ଘଡ଼େଇ, ରାଜ୍ୟସଭା ସାଂସଦ ସୁଲତା ଦେଓ, ଖଦି-ଗ୍ରାମ୍ୟ ବୋର୍ଡର ଅଧ୍ୟକ୍ଷା […]

bjd

  • Published: Monday, 24 October 2022
  • , Updated: 24 October 2022, 07:46 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଧାମନଗର ଉପନିର୍ବାଚନରେ ଭୋଟରଙ୍କୁ ପ୍ରଲୋଭିତ କରିବାକୁ ବିଜେଡି ଉଦ୍ୟମ କରୁଥିବା ଅଭିଯୋଗ ହୋଇଛି। ଭୋଟରଙ୍କୁ ଖୁଲମଖୁଲା ଟଙ୍କା ଲୋଭ ଦେଖାଇଛନ୍ତି ବିଜେଡି କର୍ମୀ। କହିଛନ୍ତି- ଯେଉଁ ପଞ୍ଚାୟତ ବିଜେଡିକୁ ଅଧିକ ଭୋଟ ଦେବ, ସେହି ପଞ୍ଚାୟତକୁ ମୁଖ୍ୟମନ୍ତ୍ରୀ କୋଟିଏ ଟଙ୍କା ଦେବେ।

ଧାମନଗର ଅନ୍ତର୍ଗତ ରାଧାବଲ୍ଲଭପୁରରେ ଏକ ନିର୍ବାଚନୀ ସଭାରେ ବିଜେଡି ପ୍ରାର୍ଥୀ ଅବନ୍ତୀ ଦାସ, ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀ ମନ୍ତ୍ରୀ ପ୍ରୀତିରଞ୍ଜନ ଘଡ଼େଇ, ରାଜ୍ୟସଭା ସାଂସଦ ସୁଲତା ଦେଓ, ଖଦି-ଗ୍ରାମ୍ୟ ବୋର୍ଡର ଅଧ୍ୟକ୍ଷା ସଂଗ୍ରାମ ପାଇକରାୟ ଓ ସ୍ଥାନୀୟ ସରପଞ୍ଚଙ୍କ ଉପସ୍ଥିତିରେ ବିଜେଡି କର୍ମୀ ଜୟନ୍ତ ଭୋଇ ଲୋକଙ୍କୁ ସମ୍ବୋଧିତ କରୁଥିବା ବେଳେ ଏଭଳି ଅଫର ଦେଇଥିଲେ। ବିଜେଡି କର୍ମୀଙ୍କ ଏଭଳି ପ୍ରଲୋଭିତ ଭାଷଣ ଏବେ ସୋଶାଲ ମିଡିଆରେ ଭାଇରାଲ ହୋଇଛି। ଭିଡିଓରେ ଦେଖିବାକୁ ମିଳିଛି ଉକ୍ତ ନେତାଙ୍କ ଏହି ଭାଷଣ ଶୁଣି ଉପସ୍ଥିତ ଅନ୍ୟ ନେତାମାନେ ତାଳି ବଜାଇ ନିଜର ସମର୍ଥନ ଜଣାଇଛନ୍ତି।

ଏହାକୁ ନେଇ ଏବେ ରାଜନୈତିକ ମହଲରେ ତମ୍ବିତୋଫାନ ଦେଖାଦେଇଛି। ଯେନତେନ ପ୍ରକାରେ ନିର୍ବାଚନ ଜିତିବାକୁ ଶାସକ ଦଳ କଳ, ବଳ, କୌଶଳ ସାଙ୍ଗକୁ ପ୍ରଚୁର ଟଙ୍କା ବାଣ୍ଟିବାର ଆଶଙ୍କା ରହିଥିବା ବିରୋଧୀ ବିଜେପି ଓ କଂଗ୍ରେସ ଅଭିଯୋଗ କରିଛନ୍ତି।

ବିଜେପି ରାଜ୍ୟ ସାଧାରଣ ସମ୍ପାଦକ ପୃଥ୍ୱୀରାଜ ହରିଚନ୍ଦନ କହିଛନ୍ତି, ଏଭଳି ଚିରାଚରିତ ଲାଞ୍ଚ ଯାଚିବା କାମ ଓ ନିର୍ବାଚନ ପ୍ରକ୍ରିୟାକୁ ହରଣଚାଲ କରିବାର କାମ ବିଜେଡି ସବୁ ନିର୍ବାଚନ ବେଳେ କରେ। ଏଭଳି ଭିଡିଓ ସାମ୍ନାକୁ ଆସିବା ପରେ ଧାମନଗର ଉପନିର୍ବାଚନରେ ଶାସକ ଦଳ ବ୍ୟାପକ ଟଙ୍କା କାରବାର କରିବା ଆଶଙ୍କା ଦେଖାଦେଇଛି। ଏହାକୁ ପ୍ରତିହତ କରିବା ନିମନ୍ତେ ବିଜେପି କାର୍ଯ୍ୟକର୍ତ୍ତାଙ୍କୁ ସଜାଗ ରହି ଟଙ୍କା ବାଣ୍ଟୁଥିବା ନେତାଙ୍କୁ ବିରୋଧ କରିବାକୁ କୁହାଯାଇଛି।

କଂଗ୍ରେସ ବିଧାୟକ ସୁରେଶ କୁମାର ରାଉତରାୟ କହିଛନ୍ତି, ବିଜେଡି ହାରିଯିବ ଭୟରେ ଭୋଟରଙ୍କୁ ଏଭଳି ପ୍ରଲୋଭନ ଦେଇ ନିର୍ବାଚନ ଜିତିବାକୁ ଚେଷ୍ଟା କରୁଛି। ସ୍ୱଚ୍ଛ ଓ ଅବାଧ ନିର୍ବାଚନ ହେଲେ ବିଜେଡିକୁ କେହି ଭୋଟ ଦେବେନି। ବିଜେଡି ପ୍ରାର୍ଥୀ ଯଦି ଏତେ ଲୋକପ୍ରିୟ, ତେବେ ଭୋଟରଙ୍କୁ ଟଙ୍କା ଲାଞ୍ଚ ଦେବାକୁ ଦଳ କାହିଁକି ଚାହୁଁଛି? ତା'ର ଜବାବ ବିଜେଡି ରଖୁ।

ବିଜେଡି ଉପସଭାପତି ଦେବୀ ପ୍ରସାଦ ମିଶ୍ର କହିଛନ୍ତି, ଏଭଳି ଦୋଷାରୋପ କରାଯିବା ଅବାନ୍ତର କଥା। ଏଭଳି ଅଭିଯୋଗ ଭିତ୍ତିହୀନ ବୋଲି ସ୍ଥାନୀୟ ସାଂସଦ ସୂଚନା ଦେଇଛନ୍ତି। ବିଜେଡି ଟଙ୍କା ଦେବାରେ ବିଶ୍ୱାସ କରେନି। ଯାହାର ଲୋକବଳ ଅଛି, ତାହାର ଟଙ୍କା ଯାଚିବାର ଆବଶ୍ୟକତା ନାହିଁ।

ତେବେ ଏହା ଉପରେ ସ୍ପଷ୍ଟୀକରଣ ଦେଇ ଜୟନ୍ତ କହିଛନ୍ତି କିଛି ମନ୍ଦ ଉଦ୍ଦେଶ୍ୟ ନୁହେଁ, ଗାଁର ବିକାଶ ପାଇଁ ଏମିତି କହିଥିଲେ।

ସୂଚନା ଥାଉକି, ଗତକାଲି ଜନୈକ ଏସ୍‌ଏଚ୍‌ଜି ସଦସ୍ୟା ନିର୍ବାଚନ ଜିତିବାକୁ ଭୋଟରଙ୍କୁ ଟଙ୍କା ବାଣ୍ଟୁଥିବା ଭିଡ଼ିଓ ଭାଇରାଲ ହୋଇଥିବା ବେଳେ ଆଜି ଖୋଦ୍ ବିଜେଡି ପ୍ରାର୍ଥୀଙ୍କ ଉପସ୍ଥିତିରେ ଜନୈକ ଦଳୀୟ କର୍ମୀ କୋଟିଏ ଟଙ୍କାର ଲାଞ୍ଚ ପ୍ରଲୋଭନ ଭୋଟରକୁ ଦେଉଥିବାର ଭିଡିଓ ଭାଇରାଲ ହୋଇଛି। ଯାହାକୁ ନେଇ ରାଜନୈତିକ ପାଣିପାଗ ଉଷ୍ମ ହୋଇଛି। ବିରୋଧୀ ଦଳ ଏଭଳି ପ୍ରସଙ୍ଗକୁ ନିର୍ବାଚନ କର୍ତ୍ତୃପକ୍ଷଙ୍କ ଦୃଷ୍ଟିକୁ ଆଣିଥିଲେ ହେଁ କୌଣସି ଠୋସ୍ ପଦକ୍ଷେପ ନିଆଯାଇନି।

https://www.youtube.com/watch?v=i0iz7O9GSMU

Related story