ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ପ୍ରବାଦପୁରୁଷ ବିଜୁ ପଟ୍ଟନାୟକଙ୍କ ୧୦୪ତମ ଜନ୍ମ ଜୟନ୍ତୀ ଓ ନବୀନ ପଟ୍ଟନାୟକ ନେତୃତ୍ୱାଧୀନ ସରକାରର ୨୦ବର୍ଷ ପୂର୍ତ୍ତ ଉଦ୍ଦେଶ୍ୟରେ ମାର୍ଚ୍ଚ ୫ତାରିଖରୁ ସପ୍ତାହବ୍ୟାପୀ ସମାରୋହ ପାଳନ କରିବାକୁ ଯୋଜନା କରିଥିବା ବିଜେଡି ସବୁ ବ୍ଲକରେ ମହିଳା ସମାବେଶ କରିବ। ଏହାସହିତ ମାର୍ଚ୍ଚ ୫ତାରିଖରେ କଟକସ୍ଥିତ ବାଲିଯାତ୍ରା ପଡ଼ିଆରେ ବଡ଼ଧରଣର କର୍ମୀ ସମାବେଶ କରି ଦଳ ନିଜର ମୁଖିଆ ତଥା ସଭାପତି ନବୀନ ପଟ୍ଟନାୟକଙ୍କ ପ୍ରତି ରହିଥିବା ଲୋକପ୍ରିୟତାର ସନ୍ଦେଶ ଦେବାକୁ ପ୍ରୟାସ କରିବ ବୋଲି ସୂଚନା ମିଳିଛି।
ବିଜେଡି ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ, ଆଜି ଦଳର ରାଜ୍ୟ କାର୍ଯ୍ୟାଳୟରେ ବିଜେଡି ମହିଳା ସଂଗଠନର ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ପ୍ରଥମ ପର୍ଯ୍ୟାୟରେ ଦଳର ବ୍ଲକ, ଜିଲ୍ଲା ଓ ରାଜ୍ୟସ୍ତରୀୟ ନେତ୍ରୀମାନେ ନିଜ ନିଜର ମତାମତ ରଖିବାପରେ ରୁଦ୍ଧଦ୍ୱାର ବୈଠକ ବସି ଦଳର ସାଧାରଣ ସମ୍ପାଦକ(ମୁଖ୍ୟାଳୟ) ସଞ୍ଜୟ ଦାସବର୍ମା ଓ ସଂଗଠନ ସମ୍ପାଦକ ପ୍ରଣବପ୍ରକାଶ ଦାସ ଓ ରାଜ୍ୟସ୍ତରୀୟ ନେତ୍ରୀମାନେ ଭବିଷ୍ୟତ କାର୍ଯ୍ୟପନ୍ଥାକୁ ଚୂଡ଼ାନ୍ତ କରିଥିଲେ। ଆନ୍ତର୍ଜାତିକ ମହିଳା ଦିବସ ଅର୍ଥାତ ମାର୍ଚ୍ଚ ୮ରୁ ୫ଦିନ ବ୍ୟାପୀ ରାଜ୍ୟର ସମସ୍ତ ୩୧୪ ବ୍ଲକରେ ମହିଳା ସମାବେଶ କରାଯିବା ସହ ରାଜ୍ୟ ସରକାରଙ୍କ ସଫଳତାର ବାର୍ତ୍ତାକୁ ମହିଳା କର୍ମୀମାନଙ୍କ ମାଧ୍ୟମରେ ସାଧାରଣ ଲୋକଙ୍କ ନିକଟରେ ପହଂଚାଇବାକୁ ଲକ୍ଷ୍ୟ ରଖାଯାଇଛି।
ବିଜେଡି ସରକାରର ୨୦ତମ ବର୍ଷ ପୂର୍ତ୍ତିକୁ ଅତ୍ୟନ୍ତ ଭବ୍ୟ କରିବା ପାଇଁ ଦଳ ପକ୍ଷରୁ ଜୋରଦାର ପ୍ରସ୍ତୁତି ଆରମ୍ଭ ହୋଇଛି। ଏପରିକି ବିଜେଡି ଗଠନରେ ପ୍ରମୁଖ ଭୂମିକା ଗ୍ରହଣ କରିଥିବା କିଛି ନେତାଙ୍କୁ ମଧ୍ୟ ସମ୍ବର୍ଦ୍ଧିତ କରାଯାଇପାରେ ବୋଲି ସୂଚନା ମିଳିଛି।