ଓଡ଼ିଶାରେ ଚାଇନା ଶାସନ ପ୍ରତିଷ୍ଠା କରିବ କି ବିଜେଡି?

ଭୁବନେଶ୍ୱର (ଅମରେଶ ବିଶ୍ୱାଳ): ହିନ୍ଦିରେ ସୁନ୍ଦର ଗୀତଟିଏ ଅଛି। ତାହା ହେଲା- ‘ହୋ ତୁମ୍‌କୋ ଯୋ ପସନ୍ଦ, ୱହି ବାତ୍ ହମ୍ କରେଙ୍ଗେ, ତୁମ୍‌ ଦିନ୍‌ କୋ ଅଗର ରାତ୍ କହୋ, ତୋ ହମ୍ ରାତ୍ କହେଙ୍ଗେ।’ ଅର୍ଥାତ ତମକୁ ଯାହା ପସନ୍ଦ ମୁଁ ସେଇଆ ହିଁ କରିବି। ତମେ ଦିନକୁ ରାତି କହିଲେ ବି, ମୁଁ ରାତି କହିବି। ଓଡ଼ିଶା ରାଜନୀତି ପରିପ୍ରେ‍କ୍ଷୀରେ ଏବେ ଏହି ପଦକ ଗୀତ ଖୁବ୍ ଖାପୁଛି। ପୂରା ପ୍ରବନ୍ଧଟି ପଢ଼ିଲେ […]

bjd

bjd

Ordigital Desk
  • Published: Wednesday, 21 March 2018
  • Updated: 21 March 2018, 08:58 PM IST

ଭୁବନେଶ୍ୱର (ଅମରେଶ ବିଶ୍ୱାଳ): ହିନ୍ଦିରେ ସୁନ୍ଦର ଗୀତଟିଏ ଅଛି। ତାହା ହେଲା- ‘ହୋ ତୁମ୍‌କୋ ଯୋ ପସନ୍ଦ, ୱହି ବାତ୍ ହମ୍ କରେଙ୍ଗେ, ତୁମ୍‌ ଦିନ୍‌ କୋ ଅଗର ରାତ୍ କହୋ, ତୋ ହମ୍ ରାତ୍ କହେଙ୍ଗେ।’ ଅର୍ଥାତ ତମକୁ ଯାହା ପସନ୍ଦ ମୁଁ ସେଇଆ ହିଁ କରିବି। ତମେ ଦିନକୁ ରାତି କହିଲେ ବି, ମୁଁ ରାତି କହିବି। ଓଡ଼ିଶା ରାଜନୀତି ପରିପ୍ରେ‍କ୍ଷୀରେ ଏବେ ଏହି ପଦକ ଗୀତ ଖୁବ୍ ଖାପୁଛି। ପୂରା ପ୍ରବନ୍ଧଟି ପଢ଼ିଲେ ଆପଣ ବି ଏଇ ଗୀତଟି ନିଶ୍ଚୟ ଥରେ ଗାଇବେ।

ଯେତେବେଳେ କୌଣସି ରାଜନୈତିକ ଦଳ ଲଗାତାର ଭାବରେ କ୍ଷମତାକୁ ଆସେ ଏବଂ ଶାସନ ଗାଦିରେ ବସି ସରକାର ଚଳାଏ, ସେତେବେଳେ ସାଧାରଣତଃ ସେହି ଦଳ ଓ ସରକାରଠାରେ କିଛି ନିର୍ଦ୍ଦିଷ୍ଟ ଚାରିତ୍ରିକ ପରିବର୍ତ୍ତନ ଦେଖିବାକୁ ମିଳିଥାଏ। ରାଜନୈତିକ ବିଶ୍ଳେଷକ ଓ ପଣ୍ଡିତମାନେ ଏହା ତର୍ଜମା କରି ପ୍ରକାଶ କରିଛନ୍ତି। ତାହା ହେଲା- ପ୍ରଥମ ପାଳିରେ ସରକାର ସଚ୍ଚୋଟପଣିଆର ସହ ଶାସନ କରେ। ଦ୍ୱିତୀୟ ପାଳିରେ ସେହି ସରକାର ବା ଦଳ ବେଧଡ଼କ ଆଚରଣ ପ୍ରଦର୍ଶନ କରେ। ତୃତୀୟ ପାଳରେ ସ୍ୱେଚ୍ଛାଚାରୀ ପରି ଆଚରଣ କରେ। ଆଉ ଯଦି ଚତୁର୍ଥ ପାଳିରେ ଯଦି ସେହି ସମାନ ଦଳ କ୍ଷମତାକୁ ଆସେ, ତେବେ ତାହା ଆତଙ୍କିତ ଓ ଭୟାଳୁ ହୋଇଯାଏ। କାଳେ କେତେବେଳେ କିଏ ତା ହାତରୁ କ୍ଷମତା ଛଡ଼େଇ ନେବକି ବୋଲି ଅହରହ ଚିନ୍ତା କରି ତାହା ହିଂସ୍ର ହୋଇଯାଏ।

ଚତୁର୍ଥଥର ପାଇଁ କ୍ଷମତାକୁ ଆସି ଓଡ଼ିଶାବାସୀଙ୍କୁ ଶାସନ କରୁଥିବା ବିଜେଡି ସରକାରର ଏବେ ଏହିପରି ଅବସ୍ଥା। ଆଜି ଏକ ସାମ୍ବାଦିକ ସମ୍ମିଳନୀ କରି ଦଳର ୫ ଜଣ ମୁଖପାତ୍ର କହିଛନ୍ତି- ରାଜ୍ୟର ନମ୍ବର ୱାନ୍ ଟେଲିଭିଜନ ନ୍ୟୁଜ୍ ଚ୍ୟାନେଲ ‘ଓଟିଭି’ ନିରପପେକ୍ଷତା ଅବଲମ୍ବନ କରୁନି। ବିଶେଷକରି ସାଂସଦ ବୈଜୟନ୍ତ ପଣ୍ଡାଙ୍କୁ ବିଜେଡିରୁ ନିଲମ୍ବନ କରାଯିବା ପରେ, ଚ୍ୟାନେଲ୍ ଏହିପରି ଆଭିମୁଖ୍ୟ ଗ୍ରହଣ କରିଛି। ଏହି ଚ୍ୟାନେଲ୍ ତା’ର ଆଲୋଚନାଭିତ୍ତିକ ବିତର୍କ କାର୍ଯ୍ୟକ୍ରମ ଗୁଡ଼ିକରେ ବିଜେଡି ପ୍ରତିନିଧିଙ୍କୁ ଠିକ୍‌ରେ କହିବାର ସୁଯୋଗ ଦେଉନାହିଁ। ଖବର ଗୁଡ଼ିକ ସରକାର ବିରୋଧୀ ହୋଇଯାଉଛି। ତେଣୁ ବିଜେଡି ଏହି ଚ୍ୟାନେଲ୍‌କୁ ବର୍ଜନ କରିବ। ଆଉ ଏହାର କୌଣସି କାର୍ଯ୍ୟକ୍ରମରେ ଭାଗ ନେବନାହିଁ।

ଓଟିଭି ବିରୋଧରେ ବିଜେଡିର ଏହା ଦ୍ୱିତୀୟ ସାମ୍ବାଦିକ ସମ୍ମିଳନୀ। ତେଣୁ ସରକାରୀ ଦଳ ରାଜ୍ୟର ଏକନମ୍ବର ଗଣମାଧ୍ୟମ ଓଟିଭି ବିରୋଧରେ ଏକପ୍ରକାର ଯୁଦ୍ଧକୁ ଓହ୍ଲାଇ ଆସିଛି ବୋଲି କହିଲେ ଅତ୍ୟୁକ୍ତି ହେବନାହିଁ। ପ୍ରଶ୍ନ ଉଠୁଛି- ବିଜେଡି ଏତେ ଆତଙ୍କିତ ହୋଇପଡ଼ିଛି କାହିଁକି? ବିଜେଡି କ’ଣ କେବଳ ନିଜର ପ୍ରଶଂସା ଶୁଣିବାକୁ ଚାହୁଁଛି? ଗତ କିଛିଦିନ ଭିତରେ ବିଜେଡି ରାଜ୍ୟର ଗଣମାଧ୍ୟମ ଗୁଡ଼ିକୁ ଖୋଲାଖୋଲି ଭାବରେ ନିଜ କବ୍‌ଜାକୁ ନେବାକୁ ଚେଷ୍ଟା ଚଳାଇଛି ଓ ଏଥିରେ ଅଶୀ ପ୍ରତିଶତ ସଫଳ ବି ହୋଇଛି। ଏବେ ରାଜ୍ୟର କିଛି ପ୍ରମୁଖ ଖବରକାଗଜ ଓ ଟିଭି ଚ୍ୟାନେଲ୍ ବିଜେଡି ସରକାରର ପ୍ରଶଂସା କରୁଛନ୍ତି। ତଥାପି ସନ୍ତୁଷ୍ଟ ନୁହେଁ ନବୀନ ସରକାର କିମ୍ବା ତାଙ୍କ ଦଳ। ବିଜେଡି କ’ଣ ଧାଡ଼ିଏ ବି ନିନ୍ଦା ଶୁଣିବାକୁ ପ୍ରସ୍ତୁତ ନୁହେଁ? କୁହାଯାଏ, ସରକାରକୁ ସ୍ୱେଚ୍ଛାଚାରିତାକୁ ବଞ୍ଚେଇବାକୁ ଗଣମାଧ୍ୟମର ଭୂମିକା ଗୁରୁତ୍ୱପୂର୍ଣ୍ଣ। ବିଜୁବାବୁ, ଜାନକୀବାବୁ, ମହତାବ, ଗଣମାଧ୍ୟମର ଖବର ପରିବେଷଣକୁ ସ୍ୱାଗତ କରୁଥିଲେ, ତାହା ତାଙ୍କ ସରକାର ବିରୋଧରେ ହେଉଥିବା ସତ୍ୱେ। କିନ୍ତୁ ନବୀନ ସରକାର ଓ ତାଙ୍କ ଦଳ ଏତେ ଅସହିଷ୍ଣୁ କାହିଁକି ହୋଇପଡୁଛି?

ଆଉଏକ କଥା ହେଲା, ବିଜେଡି ଏବେ ନିରଙ୍କୁଶ ସଂଖ୍ୟା ଗରିଷ୍ଠତା ସହ ଓଡ଼ିଶାରେ ଶାସନ କରୁଛି। ବିଧାନସଭାରେ ଏହି ଦଳର ୧୧୯ ଜଣ ବିଧାୟକ ଅଛନ୍ତି। ତା ପରେ ବି ବିଜେଡି ଏତେ ଡରୁଛି କାହିଁକି? ବିଜେଡିକୁ ଓଡ଼ିଶାବାସୀ ପସନ୍ଦ କରୁଛନ୍ତି। ତେଣୁ ବିଜେଡି ବିରୋଧରେ ଖବର ପ୍ରସାରଣ କଲେ ସେହି ଲୋକମାନେ ଓଟିଭିକୁ ବୟକଟ୍‌ କରିବେ। ତେଣୁ ବିଜେଡି ଶାନ୍ତିରେ ବସିବା କଥା। ଡରୁଛି କାହିଁକି? ବାସ୍ତବରେ ଏହାର କାରଣ ହେଲା, ବିଜେଡି ଧୀରେ ଧୀରେ ସ୍ପଷ୍ଟ ହେଲାଣି ଯେ, ତା ପାଇଁ ଆଉ ସୁଖର ଦିନ ନାହିଁ। ବାଜି ତା ହାତରୁ ଖସିବାରେ ଲାଗିଲାଣି। ଡାକ୍ତରୀ ଭାଷାରେ ‘ସିଜୋଫେନିଆ’ ବୋଲି ରୋଗଟିଏ ଅଛି। ଏହି ରୋଗରେ ପୀଡ଼ିତ ବ୍ୟକ୍ତି ସବୁବେଳେ ଭାବେ, ଯିଏ ଯେଉଁଠି କଥା ହେଉଛି, ସେମାନେ ତା ବିରୋଧରେ ହିଁ ଷଡ଼ଯନ୍ତ୍ର କରୁଛନ୍ତି। ବିଜେଡି ଏବେ ସିଜୋଫେନିଆ ରୋଗରେ ପୀଡ଼ିତ। ତା ବିରୋଧରେ ସମସ୍ତେ ଷଡ଼ଯନ୍ତ୍ର କରୁଛନ୍ତି ବୋଲି ଦଳ ମନେକରୁଛି। ସେଥିପାଇଁ ଏତେ ଆତଙ୍କ।

ସେ ଯାହା ବି ହେଉ, ଓଡ଼ିଶା ରାଜନୈତିକ ଓ ଗଣମାଧ୍ୟମ ଇତିହାସରେ ବିଜେଡି ଏକ କଳଙ୍କିତ ଅଧ୍ୟାୟଟେ ଲେଖିଦେଲା। ଇଏ ଓଟିଭି କମ୍ବା ଗଣମାଧ୍ୟମକୁ ଭୟ ନୁହେଁ, ସତକୁ ସାମ୍ନା କରିବାର ଭୟ। ଶାସନରେ ଥିବା କୌଣସି ଦଳ, କୌଣସି ନିର୍ଦ୍ଦିଷ୍ଟ ଗଣମାଧ୍ୟମ ବିରୋଧରେ ଏମିତି ଖୋଲାଖୋଲି ଭାବେ ସାମ୍ବାଦିକ ସମ୍ମିଳନୀ କରି ନିନ୍ଦା କରିବା ଦେଶର ଇତିହାସରେ ପ୍ରଥମ ଘଟଣା। ଭାରତର ପଡ଼ୋଶୀ ଦେଶ ଚୀନ୍‌ରେ ସମସ୍ତ ଖବରକାଗଜ ଓ ଟିଭି ଚ୍ୟାନେଲ୍ ‘ରିପବ୍ଲିକ୍ ଅଫ୍ ଚାଇନା’ ବା ଚୀନ ସରକାରର ମାଲିକାନାରେ ଅଛି। ଘରୋଇ ଭାବେ କୌଣସି ମିଡିଆ ହାଉସ୍ ସେ ଦେଶରେ ନାହିଁ। ବିଜେଡି, ଏହାର ମୁଖିଆ ନବୀନ ବାବୁ ଏବଂ ନବୀନ ବାବୁଙ୍କ ବ୍ୟକ୍ତିଗତ ସଚିବ ଭି.କାର୍ତ୍ତିକେୟନ ପାଣ୍ଡିଆନ୍ କ’ଣ ଓଡ଼ିଶାରେ ଚୀନ ଶାସନ ପ୍ରବର୍ତ୍ତନ କରିବାକୁ ଚାହୁଁଛନ୍ତି? ବିଜେଡି ଭଲକରି ଜାଣିଛି ଯେ, ଯେଉଁ ଟିଭି ଚ୍ୟାନେଲ୍‌କୁ ରାଜ୍ୟ ସରକାର ନିଜ କବ୍‌ଜାକୁ ନେଇଛନ୍ତି, ସେମାନଙ୍କ ମିଳିତ ସାପ୍ତାହିକ ରେଟିଂ, ଓଟିଭିର ରେଟିଂର ତିନିଭାଗରୁ ଭାଗେ ବି ନୁହେଁ। ତେଣୁ ଓଟିଭି ଉପରେ ଏତେ ରାଗ ବୋଧେ। ନବୀନବାବୁ ଓ ପାଣ୍ଡିଆନ୍ ବାବୁ ଜାଣିବା ଦରକାର ଯେ, ଓଟିଭିକୁ ଓଡ଼ିଶାର ନମ୍ବର ୱାନ୍ ମାନ୍ୟତା ଦେଇଛନ୍ତି ଓଡ଼ିଶାବାସୀ, ବିଜେଡି ନୁହେଁ। ବିଜେଡି ନେତା ଆଲୋଚନାକୁ ନ ଆସିଲେ, ଓଟିଭି ବନ୍ଦ ହେବନି। ବିଜେଡିର ଯେ ଅବକ୍ଷୟ ଆରମ୍ଭ ହେଲା, ପ୍ରାଥମିକ ସୂଚନା ମିଳିଗଲାଣି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos