ପଦ୍ମପୁର ଉପନିର୍ବାଚନ: ବିଜେଡି ଅଡ଼ୁଆରେ, ଏଠି ବି ଧାମନଗର ସ୍ଥିତି

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ପଦ୍ମପୁର ବିଧାନସଭା ଆସନରେ ଉପନିର୍ବାଚନ ପାଇଁ ନାମାଙ୍କନ ପତ୍ର ଦାଖଲ ପ୍ରକ୍ରିୟା ଆରମ୍ଭ ହେବାକୁ ଆଉ ମାତ୍ର ୨ଦିନ ଥିଲାବେଳେ ଦଳୀୟ ଟିକେଟକୁ ନେଇ ଶାସକ ବିଜେଡିରେ ତୀବ୍ର ଗୋଷ୍ଠୀକନ୍ଦଳ ଓ ଛକାପଞ୍ଝା ଜୋର୍ ଧରିଲାଣି । ଧାମନଗର ନିର୍ବାଚନ ଫଳାଫଳକୁ ନେଇ ଉତ୍ସାହିତ ବିଜେପି ନିଜର ପ୍ରାର୍ଥୀ ଭାବେ ରାଜ୍ୟ କୃଷକ ମୋର୍ଚ୍ଚା ସଭାପତି ତଥା ପୂର୍ବତନ ବିଧାୟକ ପ୍ରଦୀପ ପୁରୋହିତଙ୍କୁ  ମଇଦାନକୁ ଓହ୍ଲାଇବା ପ୍ରାୟତଃ ନିଶ୍ଚିତ ହୋଇଥିଲେ ବି ବିଜେଡିରେ ପ୍ରାର୍ଥୀତ୍ୱକୁ […]

padmapur

Ordigital Desk
  • Published: Monday, 07 November 2022
  • , Updated: 07 November 2022, 07:31 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ପଦ୍ମପୁର ବିଧାନସଭା ଆସନରେ ଉପନିର୍ବାଚନ ପାଇଁ ନାମାଙ୍କନ ପତ୍ର ଦାଖଲ ପ୍ରକ୍ରିୟା ଆରମ୍ଭ ହେବାକୁ ଆଉ ମାତ୍ର ୨ଦିନ ଥିଲାବେଳେ ଦଳୀୟ ଟିକେଟକୁ ନେଇ ଶାସକ ବିଜେଡିରେ ତୀବ୍ର ଗୋଷ୍ଠୀକନ୍ଦଳ ଓ ଛକାପଞ୍ଝା ଜୋର୍ ଧରିଲାଣି । ଧାମନଗର ନିର୍ବାଚନ ଫଳାଫଳକୁ ନେଇ ଉତ୍ସାହିତ ବିଜେପି ନିଜର ପ୍ରାର୍ଥୀ ଭାବେ ରାଜ୍ୟ କୃଷକ ମୋର୍ଚ୍ଚା ସଭାପତି ତଥା ପୂର୍ବତନ ବିଧାୟକ ପ୍ରଦୀପ ପୁରୋହିତଙ୍କୁ  ମଇଦାନକୁ ଓହ୍ଲାଇବା ପ୍ରାୟତଃ ନିଶ୍ଚିତ ହୋଇଥିଲେ ବି ବିଜେଡିରେ ପ୍ରାର୍ଥୀତ୍ୱକୁ ନେଇ ଅଙ୍କ ଛିଣ୍ଡି ପାରୁନଥିବା ଜଣାପଡ଼ିଛି । ବିଶେଷକରି ବିଜେଡି ସଂଗଠନ ସମ୍ପାଦକ ପ୍ରଣବ ପ୍ରକାଶ ଦାସଙ୍କ ଖାସ୍ ଅନୁଗତ ଭଟଲି ବିଧାୟକ ସୁଶାନ୍ତ ସିଂ ପଦ୍ମପୁରରେ ଦିବଂଗତ ବିଧାୟକ ବିଜୟ ରଞ୍ଜନ ବରିହାଙ୍କ ପତ୍ନୀଙ୍କୁ ଟିକେଟ୍ ଦେବାକୁ ଜିଦ୍ ଧରି ଚାପ ପକାଉଥିବାବେଳେ ଦଳ ପକ୍ଷରୁ ନିଯୁକ୍ତି ପାଇଥିବା ବରିଷ୍ଠ ନେତାମାନେ (ପର୍ଯ୍ୟବେକ୍ଷକ) ସ୍ଥାନୀୟ ସାମାଜିକ ଓ ରାଜନୀତିକ ସମୀରକରଣକୁ ଦୃଷ୍ଟିରେ ରଖି ଦିବଂଗତ ବିଧାୟକ ବରିହାଙ୍କ ପରିବାର ପରିବର୍ତ୍ତେ ବିଜୟ ସମ୍ଭାବନା ଥିବା ନୂଆ ପ୍ରାର୍ଥୀଙ୍କୁ ଟିକେଟ୍ ଦେବା ନିମନ୍ତେ ପ୍ରସ୍ତାବ ଦେଇଛନ୍ତି । ମାତ୍ର ଧାମନଗରର ବିଫଳତା ସତ୍ତ୍ୱେ ବିଜେଡି ସଂଗଠନରେ ନିଜର ପ୍ରଭାବ ଓ ପତିଆରାକୁ ପ୍ରମାଣିତ କରାଇବା ପାଇଁ ନିଜ ଅନୁଗତ ସୁଶାନ୍ତ ସିଂଙ୍କ ଜିଦକୁ ପୂରଣ କରିବାକୁ  ପ୍ରଣବ ସମ୍ମତି ଦେଇଥିବାରୁ ପଦ୍ମପୁରରେ ବିଜେଡି ପାଇଁ ଅଡ଼ୁଆ ଦେଖାଦେଇଥିବା ଜଣାପଡ଼ିଛି।

ମିଳିଥିବା ସୂଚନା ଅନୁସାରେ, ଧାମନଗର ଉପନିର୍ବାଚନରେ ଶକ୍ତ ପରାଜୟ ପରେ ପଦ୍ମପୁର ଆସନକୁ ଯେନତେନ ପ୍ରକାରେ ନିଜ ପାଖରେ ରଖି ବିଜେଡି ନିଜର ସମ୍ମାନ ବଂଚାଇବାକୁ ଚାହୁଁଛି । କିନ୍ତୁ ପଦ୍ମପୁର ଆସନ ପାଇଁ ଦଳୀୟ ପ୍ରାର୍ଥୀ ଚୟନକୁ ନେଇ ବିଜେଡିରେ ଛକାପଞ୍ଝା ଜୋର୍ ଧରିଥିବା ଓ ବିଶେଷକରି ଦିବଂଗତ ବିଧାୟକ ବରିହାଙ୍କ ପତ୍ନୀ ଓ ପୁଅ ଗଣମାଧ୍ୟମରେ ଆଗକୁ ଆସି ଦଳୀୟ ଟିକେଟ୍ ପାଇଁ ଦାବି କରିବା ପରେ ଦଳରେ ଅଡ଼ୁଆ ପରିସ୍ଥିତି ସୃଷ୍ଟି ହୋଇଛି । ବିଜେଡି ପକ୍ଷରୁ ନିଯୁକ୍ତ ପର୍ଯ୍ୟବେକ୍ଷକ ଭାବେ ପଦ୍ମପୁର ବ୍ଲକ- ମନ୍ତ୍ରୀ ନିରଞ୍ଜନ ପୂଜାରୀ, ପାଇକମାଳ ବ୍ଲକ- ନବକିଶୋର ଦାସ ଓ ଝାରବନ୍ଧ ବ୍ଲକ- ମନ୍ତ୍ରୀ ରାଜେନ୍ଦ୍ର ଠୋଲକିଆଙ୍କୁ ଦାୟିତ୍ୱ ଦିଆଯାଇଥିବାବେଳେ ସେମାନଙ୍କୁ ସହଯୋଗ କରିବାକୁ ବରିଷ୍ଠ ନେତା ପୁଷ୍ପେନ୍ଦ୍ର ସିଂହଦେଓ, ଦିବ୍ୟଶଙ୍କର ମିଶ୍ର,ସରୋଜ ମେହେର, ଦେବେଶ ଆଚାର୍ଯ୍ୟ, ସ୍ନେହାଙ୍ଗିନୀ ଛୁରିଆ ପ୍ରମୁଖ ରହିଛନ୍ତି । ଏହି ପର୍ଯ୍ୟବେକ୍ଷକମାନେ ନିର୍ବାଚନମଣ୍ଡଳୀ ଗସ୍ତ କରି କର୍ମୀ ଓ ସାଧାରଣ ଲୋକଙ୍କ ମତାମତ ଆଧାରରେ ପଦ୍ମପୁରରେ ଦଳ ଜଣେ ନୂଆ ପ୍ରାର୍ଥୀ ଦେବା ଉଚିତ୍ ବୋଲି ବିଜେଡି ସୁପ୍ରିମୋ ଡାକିଥିବା ବୈଠକରେ ପ୍ରସ୍ତାବ ଦେଇସାରିଥିବା ଜଣାପଡ଼ିଛି ।

ଏହି ନେତାମାନେ ଯୁକ୍ତି ବାଢ଼ିଛନ୍ତି ଯେ, ବରିହାଙ୍କ ପତ୍ନୀଙ୍କୁ ପ୍ରାର୍ଥୀ କରାଗଲେ ଦଳକୁ ବିପର୍ଯ୍ୟୟର ସମ୍ମୁଖୀନ ହେବାକୁ ପଡ଼ିପାରେ ବୋଲି ସତର୍କ କରାଇ ଦେଇଛନ୍ତି । କାରଣ ପଦ୍ମପୁରରେ ସର୍ବାଧିକ ଭୋଟର ‘କୁଲତା’ ସମୁଦାୟର ହୋଇଥିବାବେଳେ ଦିବଂଗତ ବିଧାୟକ ଶ୍ରୀ ବରିହା ହେଉଛନ୍ତି ‘ବିଞ୍ଝାର’ ସମୁଦାୟର । ଆଉ ତାଙ୍କ ପତ୍ନୀ ତିଳୋତ୍ତା ‘ଶବର’ ସମୁଦାୟର । ୯୦ ଦଶକରେ ଦିଂବଗତ ବିଧାୟକ ଶ୍ରୀ ବରିହାଙ୍କ ବିବାହବେଳେ ଏହି ଦୁଇ ସମୁଦାୟ ମଧ୍ୟରେ ମୁହାଁମୁହିଁ ପରିସ୍ଥିତି ହୋଇଥିଲା ଓ ବିଜୁ ପଟ୍ଟନାୟକଙ୍କ ହସ୍ତକ୍ଷେପ ପରେ ମାମଲା ଶାନ୍ତ ପଡ଼ିଥିଲା । ତେବେ ଉଭୟ ସମୁଦାୟ ମଧ୍ୟରେ  ମଝିରେ ମଝିରେ ଏହି ପ୍ରସଙ୍ଗକୁ ନେଇ ଛକାପଞ୍ଝା ଲାଗି ରହିଥାଏ । ମାତ୍ର ନିକଟ ଅତୀତରେ ଶ୍ରୀ ବରିହାଙ୍କ ଝିଅ ଅନ୍ୟ ଜାତିରେ ତଥା ପୂର୍ବ ଓଡ଼ିଶାର ଜଣେ ବିଜେପି ନେତା(ବିଜେଡିର ପୂର୍ବତନ ବିଧାୟକ)ଙ୍କ ଘରେ ବିବାହ କରିବାକୁ ନେଇ ‘ବିଞ୍ଝାର’ ସମୁଦାୟ ଖପ୍ପା ହୋଇଥିଲା ।

ଏପରିକି ଶ୍ରୀ ବରିହାଙ୍କ ଅନ୍ତେଷ୍ଟି ଭୋଜିରେ ‘ବିଞ୍ଝାର’ ସମୁଦାୟର କିଛି ନେତୃସ୍ଥାନୀୟ ଲୋକ ମଧ୍ୟ ଅନୁପସ୍ଥିତ ରହିଥିଲେ । ଏହାବ୍ୟତୀତ ପଦ୍ମପୁରରେ ସର୍ବାଧିକ ଭୋଟର ‘କୁଲତା’ ସମୁଦାୟର ହୋଇଥିବାରୁ ସେମାନେ ନିଜର ଜଣେ ପ୍ରତିନିଧିଙ୍କୁ ପ୍ରାର୍ଥୀ କରିବାକୁ ଏବେ ଏକଜୁଟ ହୋଇଯାଇଛନ୍ତି । ଆଉ ଦିବଂଗତ ବରିହାଙ୍କ ପତ୍ନୀ ତିଳୋତ୍ତମାଙ୍କୁ ପ୍ରାର୍ଥୀ କଲେ ଉଭୟ ‘କୁଲତା’ ଓ ‘ବିଞ୍ଝାର’ ସମୁଦାୟର ରୋଷର ଶିକାର ବିଜେଡିକୁ ହେବାକୁ ପଡ଼ିବ । ଦିବଂଗତ ବରିହାଙ୍କ ପୁଅଙ୍କ ବୟସ ବି ନିର୍ବାଚନ ଲଢ଼ିବାକୁ ଏପର୍ଯ୍ୟନ୍ତ ହୋଇନି । ତେଣୁ ବରିହାଙ୍କ ପତ୍ନୀ ପରିବର୍ତ୍ତେ କୁଲତା ସମୁଦାୟର କାହାରିକୁ ପ୍ରାର୍ଥୀ କରିବା ସପକ୍ଷରେ ଏହି ନେତାମାନେ ମତ ରଖିଥିଲେ ମଧ୍ୟ ସୁଶାନ୍ତ ସିଂ ନିଜ ଜିଦରେ ଅଟଳ ରହି ଚାପ ସୃଷ୍ଟି କରିବାରେ ଲାଗିଛନ୍ତି।

ସୂଚନା ଅନୁସାରେ, କୁଲତା ସମୁଦାୟ ନିଜର ପ୍ରତିନିଧି ଭାବେ ଓଡ଼ିଶା ପ୍ରଶାସନିକ ସେବାର ଜଣେ ଅଫିସର ମହେନ୍ଦ୍ର ବଢ଼େଇଙ୍କୁ ଆଗକୁ ଆଣିଛି । ତେବେ ଶ୍ରୀ ବଢ଼େଇଙ୍କର ତୃତୀୟ ମହଲା ସହ ଭଲ ସମ୍ପର୍କ ଓ ସଂଗଠନ ଥିବାରୁ ତାଙ୍କୁ ପ୍ରାର୍ଥୀ କରିବାକୁ ବିଜେଡିର ଗୋଟିଏ ଗୋଷ୍ଠୀ ଯୁକ୍ତି ବାଢ଼ିଛି । ଅନ୍ୟପକ୍ଷରେ ବରିହାଙ୍କ ପରିବାରରୁ କାହାରିକୁ ପ୍ରାର୍ଥୀ କରିବାକୁ ସୁଶାନ୍ତ ସିଂ ଜିଦ୍ ଧରିଛନ୍ତି । ତେଣୁ ଏଭଳି ସ୍ଥିତିରେ ନିଜ ପସନ୍ଦର ପ୍ରାର୍ଥୀ ନହେଲେ ଯେକୌଣସି ଗୋଷ୍ଠୀ(ବିଜେଡି) ଅର୍ନ୍ତଘାତୀ କାର୍ଯ୍ୟ କରିବାର ଆଶଙ୍କା ରହିଛି । ଆଉ ପୂର୍ବରୁ ସୁଦୃଢ଼ ସ୍ଥିତିରେ ଥିବା ବିଜେପି ପାଇଁ ବିଜୟ ସହଜ ହୋଇଯିବ । ତେଣୁ ଏସବୁକୁ ଦୃଷ୍ଟିରେ ରଖି ବିଜେଡି ସୁପ୍ରିମୋ ଓ ତାଙ୍କ ପରାମର୍ଶଦାତା ଏବେ ଧାମନଗର ଭଳି ତ୍ରୁଟିର ପୁନରାବୃତ୍ତି କରିବାକୁ ଚାହୁଁନଥିବା ତଥା ପ୍ରଣବଙ୍କୁ ପୂର୍ଣ୍ଣ ସ୍ୱାଧୀନତା ଦେଇ ବିଜେଡି ପାଇଁ ପୁଣିଥରେ ବିପର୍ଯ୍ୟୟ ଆଣିବାକୁ ଚାହୁଁନଥିବା ଜଣାପଡ଼ିଛି।

ସୂଚନାଯୋଗ୍ୟ, ପଦ୍ମପୁରରେ ମୋଟ ୨.୫୬ଲକ୍ଷ ଭୋଟର ଥିବାବେଳେ ସେଥିରୁ ଏନଏସି ଭୋଟର ମାତ୍ର ୧୪ହଜାର । ବାକି ଗ୍ରାମାଂଚଳ ଭୋଟର ଓ ଚାଷ ଉପରେ ଅଧିକାଂଶ ନିର୍ଭରଶୀଳ । କୁଲତା ସମୁଦାୟର ଅଧିକ ଭୋଟ୍ ଥିବାରୁ ସେମାନଙ୍କ ପ୍ରଭାବ ବି ବେଶୀ । ୨୦୧୪ ବିଧାନସଭା ନିର୍ବାଚନରେ ଦିବଂଗତ ବରିହାଙ୍କୁ ୪୫୧୩ଟି ଭୋଟରେ ହରାଇଥିବା ବିଜେପିର ପ୍ରଦୀପ ପୁରୋହିତ ୨୦୧୯ରେ ତାଙ୍କଠୁ ୫୭୩୪ଖଣ୍ଡ ଭୋଟରେ ପରାଜିତ ହୋଇଥିଲେ।

Related story