ଆଦିବାସୀ ନାବାଳିକା ଦୁଷ୍କର୍ମ: ସମସ୍ତ ଅପରାଧୀଙ୍କ ଗିରଫ ଦାବି କଲା ବିଜେପି

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ବୀରମିତ୍ରପୁର ଆଦିବାସୀ ନାବାଳିକା ଦୁଷ୍କର୍ମ ମାମଲାରେ ସମସ୍ତ ଅପରାଧୀଙ୍କୁ ତୁରନ୍ତ ଗିରଫ କରି ପୋକସୋ ଆକ୍ଟରେ ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ବିଜେପି ଦାବି କରିଛି। ବିଜେପି ପ୍ରତିନିଧି ଦଳ ଘଟଣାସ୍ଥଳକୁ ଯାଇ ସରଜମିନ୍ ତଦନ୍ତ କରି ଫେରିବା ପରେ ଆଜି ସାମ୍ବାଦିକ ସମ୍ମିଳନୀରେ ଓଡ଼ିଶାର ବିପର୍ଯ୍ୟସ୍ତ ଆଇନଶୃଙ୍ଖଳା ପାଇଁ ରାଜ୍ୟ ସରକାରଙ୍କ ଉପରେ ବର୍ଷିଛି। ଦଳର ରାଜ୍ୟ ସାଧାରଣ ସମ୍ପାଦିକା ଲେଖାଶ୍ରୀ ସାମନ୍ତସିଂହାର କହିଛନ୍ତି ଯେ,ବୀରମିତ୍ରପୁର ଘଟଣା କେବଳ ଗୋଟିଏ ଅଘଟଣ ନୁହେଁ […]

bjp

bjp

Manoranjan Sial
  • Published: Friday, 03 July 2020
  • Updated: 03 July 2020, 06:34 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ବୀରମିତ୍ରପୁର ଆଦିବାସୀ ନାବାଳିକା ଦୁଷ୍କର୍ମ ମାମଲାରେ ସମସ୍ତ ଅପରାଧୀଙ୍କୁ ତୁରନ୍ତ ଗିରଫ କରି ପୋକସୋ ଆକ୍ଟରେ ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ବିଜେପି ଦାବି କରିଛି।

ବିଜେପି ପ୍ରତିନିଧି ଦଳ ଘଟଣାସ୍ଥଳକୁ ଯାଇ ସରଜମିନ୍ ତଦନ୍ତ କରି ଫେରିବା ପରେ ଆଜି ସାମ୍ବାଦିକ ସମ୍ମିଳନୀରେ ଓଡ଼ିଶାର ବିପର୍ଯ୍ୟସ୍ତ ଆଇନଶୃଙ୍ଖଳା ପାଇଁ ରାଜ୍ୟ ସରକାରଙ୍କ ଉପରେ ବର୍ଷିଛି। ଦଳର ରାଜ୍ୟ ସାଧାରଣ ସମ୍ପାଦିକା ଲେଖାଶ୍ରୀ ସାମନ୍ତସିଂହାର କହିଛନ୍ତି ଯେ,ବୀରମିତ୍ରପୁର ଘଟଣା କେବଳ ଗୋଟିଏ ଅଘଟଣ ନୁହେଁ ବରଂ ଦୀର୍ଘ ୩ ମାସ କାଳ ଝିଅଟିକୁ ଥାନାର ଉପର ମହଲାରେ ଆଣି ବଡ଼ବାବୁ ଆନନ୍ଦ ଚନ୍ଦ୍ର ମାଝି, ସେହି ଥାନାର ଆଉ ଜଣେ ପୁଲିସ ଅଧିକାରୀ ଏବଂ ତାଙ୍କର ୪ଜଣ ବନ୍ଧୁ ନିୟମିତ ଦୁଷ୍କର୍ମ କରୁଥିବାବେଳେ ଏସଡିପିଓ ଏବଂ ଏସପିଙ୍କ ନଜରରେ ତାହା ନପଡ଼ିବା ଆଶ୍ଚର୍ଯ୍ୟର କଥା। ଏସପିଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ବୀରମିତ୍ରପୁର ଥାନା ରହିଛି ଓ ସେଠାରେ ସିସିଟିଭି କ୍ୟାମେରା ଲାଗିଥିଲେ ବି ଏଭଳି ଅପରାଧିକ କାର୍ଯ୍ୟ କଳାପ ଉପରେ ଏସପି କାହିଁକି କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିନଥିଲେ। ଜିଲ୍ଲା ଏସପିଙ୍କ ଭୂମିକା ମଧ୍ୟ ସନ୍ଦେହଜନକ ବୋଲି ସେ କହିଛନ୍ତି।

୧୩ ବର୍ଷର ଆଦିବାସୀ ନାବାଳିକାକୁ ଦୀର୍ଘ ୩ମାସ ଧରି ଥାନାର ଉପର ମହଲାରେ ଶୋଷଣ କରିବା , ସରକାରୀ ଡାକ୍ତରଙ୍କ ଦ୍ୱାରା ତା’ର ବେଆଇନ ଗର୍ଭପାତ କରାଇବା ଏବଂ ଘଟଣାର ୩ ମାସ ପରେ ଏତଲା ଦେବା ପଛରେ ବଡ଼ ଷଡ଼ଯନ୍ତ୍ର ଓ ର‌୍ୟାକେଟ୍ କାମ କରୁଛି ବୋଲି ସ୍ପଷ୍ଟ ଜଣାପଡୁଛି । ଏଥିରେ ସଂପୃକ୍ତ ସମସ୍ତ ଲୋକଙ୍କୁ ତଦନ୍ତ ପରିସରଭୁକ୍ତ କରି ଅପରାଧୀ ଆନନ୍ଦ ମାଝୀ ଏବଂ ଅନ୍ୟ ଦୁଷ୍କର୍ମକାରୀ ମାନଙ୍କୁ ପୋକସୋ, ଏସସି ଏସଟି ଏଟ୍ରୋସିଟି ଆକ୍ଟ ଏବଂ ବେଆଇନ ଗର୍ଭପାତ କରାଇବା ନେଇ ଏମଟିପି ଆକ୍ଟରେ ୩୦ ଦିନ ଭିତରେ ଚାର୍ଜସିଟି ଦାଖଲ କରି କଠୋରୁ କଠୋର ଦଣ୍ଡ ଦିଆଯାଉ ବୋଲି ବିଜେପି ଦାବି କରୁଛି । ପୀଡ଼ିତାକୁ ଏସସି ଏସଟି ଏଟ୍ରୋସିଟି ଆକ୍ଟ ଆଇନ ଅନୁଯାୟୀ ତୁରନ୍ତ ୮.୨୫ ଲକ୍ଷ ଟଙ୍କା ଅନୁକଂପା ରାଶି ପ୍ରଦାନ କରାଯାଉ। ନାବାଳିକା ପୀଡ଼ିତାର ସ୍ୱାଭାବିକ, ସୁରକ୍ଷିତ ଓ ସମ୍ମାନଜନକ ଜୀବନଯାପନ ପାଇଁ ରାଜ୍ୟ ସରକାର ଏକ ବିସ୍ତୁତ ଯୋଜନା ପ୍ରସ୍ତୁତ କରନ୍ତୁ ଯାହାଫଳରେ ସେ ସମାଜର ମୁଖ୍ୟ ସ୍ରୋତରେ ସାମିଲ ହୋଇପାରିବ ବୋଲି ଡ.ସାମନ୍ତସିଂହାର କହିଛନ୍ତିା

ଏହି ଘଟଣାରେ ରାଜ୍ୟ ବିଜେପିର ଏକ ଉଚ୍ଚସ୍ତରୀୟ ପ୍ରତିନିଧିମଣ୍ଡଳୀ ଡିଜିଙ୍କୁ ଭେଟି ଆଲୋଚନା କରିବା ପରେ ଡିଜି କ୍ରାଇମବ୍ରାଂଚର ଆଦେଶ ଦେଇଥିଲେ ଏବଂ ମୁଖ୍ୟ ଅଭିଯୁକ୍ତ ଆନନ୍ଦ ମାଝୀ ଗିରଫ ହେଲେ। ତା’ପରେ ଡିଜି ପୀଡ଼ିତାଠୁ କ୍ଷମା ପ୍ରାର୍ଥନା କରିଛନ୍ତି। ଡିଜିଙ୍କର କ୍ଷମା ପ୍ରାର୍ଥନା କରିବା ମାନବିକତା ଦୃଷ୍ଟିରୁ ସ୍ୱାଗତଯୋଗ୍ୟ, ହେଲେ ଏହା ଡିଜିଙ୍କର ମୂଳ କାମ ନୁହେଁ। ତାଙ୍କର ମୂଳ ଦାୟିତ୍ୱ ହେଉଛି ଅପରାଧକୁ ରୋକିବା , ଆଇନ ଶୃଙ୍ଖଳା ନିୟନ୍ତ୍ରଣ କରିବା ଏବଂ ମହିଳାମାନଙ୍କୁ ସୁରକ୍ଷା ଯୋଗାଇବ।। ଏଥିରେ ବିଫଳ ହୋଇ କ୍ଷମା ପ୍ରାର୍ଥନା କରିବା ଡିଜିଙ୍କର ଅସହାୟତାକୁ ଦର୍ଶାଉଛି। ଦୀର୍ଘ ୨୦ ବର୍ଷର ଶାସନରେ ଆଇନ ଶୃଙ୍ଖଳା ପରିସ୍ଥିତି ସଂପୂର୍ଣ୍ଣ ବିପର୍ଯ୍ୟସ୍ତ ହୋଇଛି, କ୍ଷମତାର ଅହଂକାରରେ ପୁଲିସ ବିଭାଗରେ ବିଶୃଙ୍ଖଳା ଦେଖିବାକୁ ମିଳୁଛି ଏବଂ ଅପରାଧୀଙ୍କ ମନରୁ ଦଣ୍ଡିତ ହେବାର ଭୟ ନାହିଁ ବୋଲି ଡ.ସାମନ୍ତସିଂହାର କହିଛନ୍ତି।

ଶ୍ରୀମତୀ ସାମନ୍ତସିଂହାରଙ୍କ ନେତୃତ୍ୱରେ ସରଜମିନ୍ ତଦନ୍ତ ପାଇଁ ଯାଇଥିବା ପ୍ରତିନିଧିମଣ୍ଡଳୀରେ ରାଜ୍ୟ ଉପସଭାନେତ୍ରୀ ସୁକେଶୀ ଓରାମ, ବୀରମିତ୍ରପୁର ବିଧାୟକ ଶଙ୍କର ଓରାମ, ସୁନ୍ଦରଗଡ଼ ବିଧାୟିକା କୁସୁମ ଟେଟେ, ଟଙ୍କଧର ତ୍ରିପାଠୀ ଓ ଧୀରେନ ସେନାପତି ପ୍ରମୁଖ ସାମିଲ ଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos