Advertisment

Politics: ଯାହା ବିଜେଡି କରୁଥିଲା, ତାହା ବିଜେପି କରୁଛି!

ରାଜ୍ୟରେ ନୂଆ ସରକାରକୁ ହେଲାଣି ୧୮ ମାସ। ହେଲେ ଏଯାବତ୍ ବଣ୍ଟା ହେଲାନି ବୋର୍ଡ କି ନିଗମ। ଆଉ ବର୍ଷେ ପରେ ପଞ୍ଚାୟତ ନିର୍ବାଚନ ଥିବା ବେଳେ କର୍ମୀଙ୍କ ମନ ହେଲାଣି ଅଥୟ। ନେତା ନଥିବାରୁ ବାବୁ ବୁଝୁଛନ୍ତି ସବୁ କଥା।

BBB
Advertisment

ରାଜ୍ୟରେ ନୂଆ ସରକାରକୁ ହେଲାଣି ୧୮ ମାସ। ହେଲେ ଏଯାବତ୍ ବଣ୍ଟା ହେଲାନି ବୋର୍ଡ କି ନିଗମ। ଆଉ ବର୍ଷେ ପରେ ପଞ୍ଚାୟତ ନିର୍ବାଚନ ଥିବା ବେଳେ କର୍ମୀଙ୍କ ମନ ହେଲାଣି ଅଥୟ। ନେତା ନଥିବାରୁ ବାବୁ ବୁଝୁଛନ୍ତି ସବୁ କଥା। ଯାହା ବିଜେଡି କରୁଥିଲା, ତାହା ଏବେ ବିଜେପି କରୁଛି ବୋଲି କୁହାଗଲାଣି। 

ଗତ ୫ ତାରିଖରେ ଆଇଏଏସ୍‌ ସ୍ତରରେ ଏକ ଅଦଳବଦଳ ହୋଇଥିଲା। ଏହି ଅଦଳବଦଳ ନିର୍ଦ୍ଦେଶନାମାରେ ଦକ୍ଷିଣାଞ୍ଚଳ ଆରଡିସି ଆଇଏଏସ ସଂଗ୍ରାମ କେଶରୀ ମହାପାତ୍ରଙ୍କୁ ଉତ୍ତରାଞ୍ଚଳ ରାଜସ୍ୱ ଡିଭିଜନ ସହିତ ପଶ୍ଚିମ ଓଡ଼ିଶା ବିକାଶ ପରିଷଦର ଅଧ୍ୟକ୍ଷ ଭାବେ ଅତିରିକ୍ତ ଦାୟିତ୍ୱ ତୁଲାଇବାକୁ କୁହାଯାଇଛି। ଅସିତ ତ୍ରିପାଠୀଙ୍କ ପରଠୁ ଆଉ କେହି ପଶ୍ଚିମ ଓଡ଼ିଶା ବିକାଶ ପରିଷଦର ଅଧ୍ୟକ୍ଷ ଭାବେ ନିଯୁକ୍ତି ପାଇନାହାନ୍ତି। ପଶ୍ଚିମ ଓଡ଼ିଶା ବିକାଶ ପରିଷଦରେ ଅଧ୍ୟକ୍ଷ ପଦ ଅଧିକାଂଶ ସମୟରେ ଜଣେ ନେତା ନ ହେଲେ ଅବସରପ୍ରାପ୍ତ ବ୍ୟୁରୋକ୍ରାଟଙ୍କୁ ମିଳିଥାଏ। ନୂଆ ସରକାର ଆସିବାର ୧୮ ମାସ ହେଲାଣି ଏ ଯାଏଁ ଏହି ପଦ ପୂରଣ ହୋଇପାରିଲାନି। ସେହିପରି ଜିଲ୍ଲା ଯୋଜନା ବୋର୍ଡଠୁ ଆରମ୍ଭ କରି ସ୍ୱତନ୍ତ୍ର ଉନ୍ନୟନ ପରିଷଦ ହେଉ ବା ବୋର୍ଡ କି ନିଗମ, ଏ ଯାଏ ଏଗୁଡ଼ିକର ଅଧ୍ୟକ୍ଷ ପଦ ବି ପୂରଣ ହୋଇ ପାରିଲାନି। ଯେତେବେଳେ ରାଜ୍ୟ ସଭାପତି ମନମୋହନ ସାମଲଙ୍କୁ ଏ ସମ୍ପର୍କରେ ଗଣମାଧ୍ୟମ ପ୍ରତିନିଧିମାନେ ପଚାରୁଛନ୍ତି ସେତେବେଳେ ସେ କହୁଛନ୍ତି ଖୁବ ଶୀଘ୍ର ହେବ।

Advertisment

ରାଜ୍ୟରେ ୩୭ଟି ବୋର୍ଡ ଓ ନିଗମ ସହ ୩୦ଟି ଜିଲ୍ଲାରେ ଯୋଜନା ବୋର୍ଡ ଏବଂ ୨୩ଟି ଜିଲ୍ଲାରେ ସ୍ୱତନ୍ତ୍ର ଉନ୍ନୟନ ପରିଷଦ ରହିଛି। ପୂର୍ବରୁ ପଶ୍ଚିମ ଓଡ଼ିଶା ବିକାଶ ପରିଷଦ ଥିବା ବେଳେ ନୂଆ ସରକାର ଦକ୍ଷିଣ ଓଡ଼ିଶା ଏବଂ ଉତ୍ତର ଓଡ଼ିଶା ବିକାଶ ପରିଷଦ ଗଠନ କରିବାକୁ ପ୍ରକ୍ରିୟା ଆରମ୍ଭ କରିଛନ୍ତି। ଯେଉଁଥିରେ ରାଜନୈତିକ ନିଯୁକ୍ତି କରିପାରିବେ ସରକାର।

ଜଣେ ଅଫିସର ଆଗରୁ ଭାରାକ୍ରାନ୍ତ ଥିବା ବେଳେ ତାଙ୍କୁ ଅତିରିକ୍ତ ଭାବେ ପଶ୍ଚିମ ଓଡ଼ିଶା ବିକାଶ ପରିଷଦର ଅଧ୍ୟକ୍ଷ ଦାୟିତ୍ୱ ତୁଲାଇବାକୁ କୁହାଯାଉଛି, କିନ୍ତୁ ଯେଉଁମାନେ ଏହି ପଦରେ ବସିବେ ବୋଲି ଆଶା ବାନ୍ଧି ବସିଛନ୍ତି, ସେମାନଙ୍କୁ ଆଉ କେତେ ଦିନ ଅପେକ୍ଷା କରିବାକୁ ପଡ଼ିବ, ତାହା ଜଣାନାହିଁ। ଅନ୍ୟପଟେ ଏଭଳି ସ୍ଥିତି ଦେଖି ରାଜନୀତି ସମୀକ୍ଷକ ପ୍ରସନ୍ନ ମହାନ୍ତି କହିଛନ୍ତି, ଗତ ସରକାରରେ ଯେମିତି ଅଫିସର ରାଜ୍‌ ଚାଲୁଥିଲା ଏହି ସରକାରରେ ମଧ୍ୟ ସେମିତି ଅଫିସର ରାଜ୍‌ ଚାଲୁଛି।

Advertisment

ଶ୍ରୀ ମହାନ୍ତି କହିଛନ୍ତି, ଅଫିସରଙ୍କ ଦ୍ୱାରା ଏସବୁ ପରିଚାଳିତ ହେଉଛି। ବିରୋଧୀ ଦଳରେ ବିଜେପି ଥିବା ବେଳେ ଯେଉଁ ବ୍ୟବସ୍ଥାକୁ ବିରୋଧ କରୁଥିଲା, ଏବେ ସେହି ବ୍ୟବସ୍ଥାଗୁଡ଼ିକୁ ନିଜେ ଉପଯୋଗ କରୁଛି। ଏହା ବିଡ଼ମ୍ବନାର ବିଷୟ। ଯେଉଁ ଅଫିସର ରାଜ୍ ବିରୋଧରେ ସେମାନେ କହୁଥିଲେ, ଆଜି ଯଦି ସେହି ଅଫିସର ରାଜ୍‌କୁ ସେମାନେ ପ୍ରଶୟ ଦେବେ, ତା’ହେଲେ ଲୋକେ ନିଶ୍ଚିତ ସମାଲୋଚନା କରିବେ। ସେହିଭଳି ଅଫିସରମାନେ ମଧ୍ୟ ଭାରାକ୍ରାନ୍ତ। ସେମାନଙ୍କୁ ଏକାଧିକ ବିଭାଗର ଦାୟିତ୍ୱ ଦିଆଯାଇଛି। ରାଜନୀତିକ ବ୍ୟକ୍ତିମାନେ ଯେଉଁ ନିଷ୍ପତ୍ତି ନେବା କଥା, ତାହା ଏବେ ସେମାନେ ନେଉଛନ୍ତି। ତେଣୁ ଲୋକେ ଏହାକୁ ପ୍ରତ୍ୟାଖ୍ୟାନ କରିବେ। କାହିଁକି ସେମାନେ ଏହି ପଦପଦବୀଗୁଡ଼ିକରେ ନିଯୁକ୍ତି ଦେଇପାରୁ ନାହାନ୍ତି, ତା’ର ଉତ୍ତର ସେମାନେ ମୁଖ୍ୟମନ୍ତ୍ରୀ ନହେଲେ ଦଳର ସଭାପତି ଦେଇପାରିବେ। ନିଗମଗୁଡ଼ିକରେ ସ୍ଥାଣୁତା ଆସିଗଲାଣି। 

ଗଡ଼ି ଗଡ଼ି ଯାଉଛି ଦିନ। କେବେ ରାଜ୍ୟ ସରକାର ବୋର୍ଡ, ନିଗମ, ବିକାଶ ପରିଷଦ ଓ ସ୍ୱତନ୍ତ୍ର ଉନ୍ନୟନ ପରିଷଦର ପଦପଦବୀଗୁଡ଼ିକୁ ପୂରଣ କରୁଛନ୍ତି ତାହା ଦେଖିବାର କଥା।

ଭୁବନେଶ୍ୱରରୁ ସ୍ୱାତୀ ଜେନାଙ୍କ ରିପୋର୍ଟ

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe