ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଭୁବନେଶ୍ୱର ଏକାମ୍ର ଉଦ୍ୟାନ ପରିସରରୁ ଗୋଟିଏ ବି ଗଛ କଟାଯିବାକୁ ଦିଆଯିବନି। ଗଛ କଟାଗଲେ ନବୀନ ନିବାସ ଆଗରେ ସତ୍ୟାଗ୍ରହ ହେବ। ଏକାମ୍ର ଉଦ୍ୟାନ ପରିସରରେ ଥିବା ଜମି ସାଧାରଣ ପ୍ରଶାସନ ବିଭାଗକୁ ହସ୍ତାନ୍ତର ନିଷ୍ପତ୍ତିକୁ ବିରୋଧ କରି ବିଜେପି ପକ୍ଷରୁ ଫାର୍ମ ସମ୍ମୁଖରେ ବିକ୍ଷୋଭ ଜାରି ରହିଛି। ଗୋଟିଏ ଗଛ କଟିଲେ ନବୀନ ନିବାସ ସମ୍ମୁଖରେ ସତ୍ୟାଗ୍ରହ କରିବାକୁ ଚେତାବନୀ ଦେଇଛନ୍ତି ବିଜେପି ମୁଖପାତ୍ର ଦିଲୀପ ମହାନ୍ତି। ସଂପୃକ୍ତ ଅଧିକାରୀଙ୍କ ବିରୋଧରେ କାଯର୍ୟାନୁଷ୍ଠାନ ଦାବି କରିଛି ବିଜେପି ।
ଅପରପକ୍ଷେ, ଭୁବନେଶ୍ୱର ଏକାମ୍ରକାନନ ଫାର୍ମ ଜମିକୁ ସାଧାରଣ ପ୍ରଶାସନ ବିଭାଗ ଫେରାଇ ନେଇଥିବା ଖବର ତଥ୍ୟ ଭିତ୍ତିକ ନୁହେଁ ବୋଲି ଗତକାଲି ସୂଚନା ଦେଇଥିଲେ ମୁଖ୍ୟ ଶାସନ ସଚିବ ଅସିତ୍ ତ୍ରିପାଠୀ । ରାଜ୍ୟ ସୂଚନା ଓ ଲୋକ ସଂପର୍କ ବିଭାଗ ଏକ ରିଲିଜ୍ ଜାରି କରି ଏହି ସୂଚନା ଦେଇଛି ।
ଏକାମ୍ରକାନନ ଭୁବନେଶ୍ୱରର ଏକ ପରିଚିତି ସ୍ଥାନ। ଏହାର ଉତ୍ତମ ରକ୍ଷଣାବେକ୍ଷଣ ଏବଂ ବିକାଶ ପାଇଁ ସରକାର ପ୍ରତିଶ୍ରୁତିବଦ୍ଧ । ଏହି କାନନରେ ଥିବା ରିଜିଓନାଲ ପ୍ଲାଣ୍ଟ ରିସୋର୍ସ କେନ୍ଦ୍ର ଗବେଷଣାତ୍ମକ କାର୍ଯ୍ୟ ଉଦ୍ୟାନ ଚାଷ ପାଇଁ ବେଶ ଗୁରୁତ୍ୱ ବହନ କରେ । ତେବେ ଜୟଦେବ ବିହାର ଓ ପାଇକ ନଗର ମଉଜାରେ ଉଦ୍ୟାନ ବିଭାଗ ଅଧୀନରେ ଥିବା କିଛି ଅବ୍ୟବହୃତ ଖାଲି ଜମି ଉକ୍ତ ବିଭାଗ ସାଧାରଣ ପ୍ରଶାସନ ବିଭାଗକୁ ଅଧିକ ଫଳପ୍ରଦ ବ୍ୟବହାର ପାଇଁ ଫେରାଇ ଦେଉଥିବା ସରକାରଙ୍କ ପକ୍ଷରୁ କୁହାଯାଇଛି । ତେବେ ଏହି ଜମିର ଏକାମ୍ରକାନନ ସହିତ କିଛି ସଂପର୍କ ନାହିଁ ବୋଲି ସୂଚନା ଲୋକ ସଂପର୍କ ବିଭାଗ ଜଣାଇଛି ।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।