ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଭୁବନେଶ୍ୱର ନଅ ତାଲାରେ ଥିବା ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶାଳୟ ସାମନାରେ ପିଇଟି ଆଶାୟୀ ଛାତ୍ରଛାତ୍ରୀ -ପୁଲିସ ମଧ୍ୟରେ ଧସ୍ତାଧସ୍ତି ପରିସ୍ଥିତି ଦେଖିବାକୁ ମିଳିଛି। କିଛି ସମୟ ସେଠାରେ ପ୍ରବଳ ଉତ୍ତେଜନା ଦେଖା ଦେଇଥିଲା। ଯାହା ପରେ ଧାରଣା ଦେଇଥିବା ପିଲାଙ୍କୁ ପୁଲିସ୍ ବଳପୂର୍ବକ ଉଠାଇ ନେଇଛି।
ପିଇଟି ପଦବୀର ଯୋଗ୍ୟତାରେ ସଂଶୋଧନ ଦାବି କରି ଧାରଣା ଦେଇଥିଲେ ବ୍ୟାଚଲର ଅଫ୍ ଫିଜିକାଲ ଏଜୁକେସନ BPEDର ଛାତ୍ରଛାତ୍ରୀ। କିଛି ଦିନ ତଳେ ବାହାରିଥିବା ବିଜ୍ଞପ୍ତି ଅନୁସାରେ ପିଇଟି ପଦବୀ ପାଇଁ +2ରେ ସାଧାରଣ ବର୍ଗ ପିଲାଙ୍କ ୫୦% ମାର୍କ, ଅନ୍ୟ ବର୍ଗ ପିଲାଙ୍କ ଲାଗି ୪୫% ମାର୍କ ସହ BPED ଆବଶ୍ୟକ ଶିକ୍ଷାଗତ ଯୋଗ୍ୟତା ରଖାଯାଇଛି।
ଏହା ଦ୍ୱାରା +୨ରେ କମ୍ ମାର୍କ ରଖିଥିବା ବହୁ ଛାତ୍ରଛାତ୍ରୀ BPED କୋର୍ସ କରିଥିଲେ ମଧ୍ୟ ପିଇଟି ପଦବୀ ପାଇଁ ଆବେଦନ କରିପାରିବେ ନାହିଁ। ବିଭାଗୀୟ ମନ୍ତ୍ରୀ ଓ ନିର୍ଦ୍ଦେଶକଙ୍କୁ ଜଣାଇବା ପରେ କିଛି ପଦକ୍ଷେପ ନିଆନଯିବାରୁ ଶେଷରେ ପିଲାମାନେ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶାଳୟ ଅଫିସ ଘେରାଉ କରିଥିଲେ।