ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଆପଣ ସାଇକେଲ୍, ବାଇକ୍ କିମ୍ବା କାର୍ ଚୋରି କଥା ଶୁଣିଥିବେ। ହେଲେ ବସ୍ଷ୍ଟାଣ୍ଡରେ ଛିଡ଼ା ହୋଇଥିବା ଏକ ବଡ଼ ବସ୍କୁ ଚୋରି କରି ନେବା ଘଟଣା କେବେ ଶୁଣିଛନ୍ତି କି ? ଖୋଦ୍ ଭୁବନେଶ୍ୱରର ବରମୁଣ୍ଡା ବସ୍ଷ୍ଟାଣ୍ଡରେ ଘଟିଛି ଚମକାଇ ଦେଲା ଭଳି ବସ୍ ଚୋରିର ଏକ ବିରଳ କାହାଣୀ । ଯାହାର ମୁଖ୍ୟ କାର୍ପଟଦାର ହେଉଛନ୍ତି, କାନକୁ ଶୁଭୁନଥିବା ଏବଂ କଥା କହିପାରୁନଥିବା ଜଣେ ଅଭ୍ୟାସଗତ ଅପରାଧୀ। ସେ ଏବେ ପୁଲିସ ହେପାଜତରେ । ତେବେ କେମିତି ସେ ଲୁଟ୍ କରୁଥିଲା, କେମିତି ପୁଣି ଧରାପଡ଼ିଲା ? ଜାଣନ୍ତୁ।
ଶୁକ୍ରବାର ସମୟ ରାତି ପ୍ରାୟ ସାଢ଼େ ୮ଟା। ବରମୁଣ୍ଡା ବସ୍ ଷ୍ଟାଣ୍ଡରେ ବସ୍କୁ ଛାଡ଼ି ହେଲ୍ପର ଯାଇଥିଲେ ଖାଇବାକୁ। ଅବଶ୍ୟ ବସ୍ରେ ଯାତ୍ରୀ ନଥିଲେ । ଆର୍ଯ୍ୟନ୍ ନାମକ ଏହି ଘରୋଇ ବସ୍କୁ ଅପହରଣ କରି ହାଇେଓ୍ବରେ କଟକ ଅଭିମୁଖେ ଛୁଟାଇ ଚାଲୁଥିଲା ଜଣେ ଲୁଟେରା। ଖବର ପାଇ ପିସିଆର୍ ବି ଗୋଡ଼ାଇଲା। ହେଲେ ପାରିଲାନି। ତାହାରି ଭିତରେ କଟକ ପହଞ୍ଚିଯାଇଥିଲା ବସ୍ । ଆଉ ଶେଷରେ ଓଏମ୍ପି ଛକରେ ଟ୍ରକ ଗୁଡ଼ିକୁ ଛିଡ଼ା କରାଇ ଟ୍ରାଫିକ୍ ଜାମ୍ କରାଇଥିଲା ପୁଲିସ। ତାପରେ ଲୁଟେରା ଭାରସାମ୍ୟ ହରାଇ ବସ୍ଟିକୁ ଟ୍ରକ୍ରେ ପିଟିଦେଲା। ଆଉ ପୁଲିସ ମାଡ଼ିବସି ଧରିଲା ଲୁଟେରାକୁ । ଧରାପଡ଼ିଥିବା ଅଭିଯୁକ୍ତଙ୍କ ଘର ଜଗତସିଂହପୁର ତିର୍ତ୍ତୋଲର ମୁଳିସିଂହରେ।
୨୦୧୮ ଜୁଲାଇ ୯ରେ ବାଲେଶ୍ୱର ବସଷ୍ଟାଣ୍ଡରେ ରଖାଯାଇଥିବା ଏକ ଯାତ୍ରୀବାହୀ ବସ୍ରେ ହୋଇଥିଲା ଚୋରି। ଏପ୍ରିଲ ୦୨, ୨୦୧୯ରେ ପୁରୀ ବସ୍ଷ୍ଟାଣ୍ଡରୁ ଚୋରି ହୋଇଥିଲା ଏକ ଟୁରିଷ୍ଟ ବସ୍ । କେବଳ ଏତିକି ନୁହେଁ, କଟକ ବାଦାମ୍ବାଡ଼ି ବସ୍ଷ୍ଟାଣ୍ଡରୁ ବି ୨ଟି ବସ୍ ଚୋରିର ଅଭିଯୋଗ ହୋଇଥିଲା । ଏଭଳି ବିଗତ ଦିନରେ ଏକାଧିକ ବସ୍ ଚୋରି ମାମଲା ସାମ୍ନାକୁ ଆସିଥିବାବେଳେ କିଛି ଘଟଣାରେ ଏହି ଅଭିଯୁକ୍ତର ସଂପୃକ୍ତି ଥିବା ଆଶଙ୍କା କରୁଛି ପୁଲିସ ।