ସୂର୍ଯ୍ୟପରାଗରେ ଚିକେନ୍ ବିରିୟାନି ଖାଇବା ବିବାଦ: ହେତୁବାଦୀଙ୍କ ବିରୋଧରେ ମାମଲା ରୁଜୁ

କଟକ/ପୁରୀ(ଓଡ଼ିଶା ରିପୋର୍ଟର): ସୂର୍ଯ୍ୟପରାଗରେ ଚିକେନ୍ ବିରିୟାନି ଖାଇବାକୁ ନେଇ ବିବାଦ ବଢ଼ିବାରେ ଲାଗିଛି। ଗୋଟେପଟେ ଆଜି ହେତୁବାଦୀଙ୍କ ବିରୋଧରେ ଥାନାରେ ଏତଲା ଓ ମାମଲା ହୋଇଥିବା ବେଳେ ଅନ୍ୟପଟେ ହତ୍ୟା ଧମକ ଦିଆଯାଇଥିବା ପ୍ରତିପକ୍ଷ ଅଭିଯୋଗ କରିଛନ୍ତି। ୨ ହେତୁବାଦୀ ପ୍ରତାପ ରଥ ଓ ଦେବେନ୍ଦ୍ର ସୂତାରଙ୍କ ନାଁରେ ପୁରୀ ସିଂହଦ୍ୱାର ଥାନାରେ ମାମଲା ହୋଇଛି। ଓଡ଼ିଶା ବ୍ରାହ୍ମଣ ସମାଜ ପକ୍ଷରୁ ଏତଲା ଆଧାରରେ ଏହି ମାମଲା ରୁଜୁ ହୋଇଛି। ସେପଟେ ନିଖିଳ ଉତ୍କଳ ପ୍ରବକ୍ତା ପରିଷଦ […]

sun

  • Published: Friday, 28 October 2022
  • , Updated: 28 October 2022, 05:21 PM IST

କଟକ/ପୁରୀ(ଓଡ଼ିଶା ରିପୋର୍ଟର): ସୂର୍ଯ୍ୟପରାଗରେ ଚିକେନ୍ ବିରିୟାନି ଖାଇବାକୁ ନେଇ ବିବାଦ ବଢ଼ିବାରେ ଲାଗିଛି। ଗୋଟେପଟେ ଆଜି ହେତୁବାଦୀଙ୍କ ବିରୋଧରେ ଥାନାରେ ଏତଲା ଓ ମାମଲା ହୋଇଥିବା ବେଳେ ଅନ୍ୟପଟେ ହତ୍ୟା ଧମକ ଦିଆଯାଇଥିବା ପ୍ରତିପକ୍ଷ ଅଭିଯୋଗ କରିଛନ୍ତି।

୨ ହେତୁବାଦୀ ପ୍ରତାପ ରଥ ଓ ଦେବେନ୍ଦ୍ର ସୂତାରଙ୍କ ନାଁରେ ପୁରୀ ସିଂହଦ୍ୱାର ଥାନାରେ ମାମଲା ହୋଇଛି। ଓଡ଼ିଶା ବ୍ରାହ୍ମଣ ସମାଜ ପକ୍ଷରୁ ଏତଲା ଆଧାରରେ ଏହି ମାମଲା ରୁଜୁ ହୋଇଛି।

ସେପଟେ ନିଖିଳ ଉତ୍କଳ ପ୍ରବକ୍ତା ପରିଷଦ ପକ୍ଷରୁ କଟକ ସିଡିଏର ମର୍କତନଗର ଥାନାରେ ହେତୁବାଦୀ ସଂଗଠନ ବିରୋଧରେ ଏତଲା ଦିଆଯାଇଛି। ବ୍ରାହ୍ମଣ ସମାଜ ପ୍ରତି ଅଶାଳୀନ ମନ୍ତବ୍ୟ ଦେଇଥିବା ନେଇ ଏଥିରେ ଉଲ୍ଲେଖ କରାଯାଇଛି। ଜୟ ଜଗନ୍ନାଥ ଚାରଣ ସମିତି ଏହାକୁ ସମର୍ଥନ କରିଛି। ହେତୁବାଦୀ ସଂଗଠନର ସଦସ୍ୟ ଦେବେନ୍ଦ୍ର ସୂତାର ଓ ପ୍ରତାପ ରଥଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଦାବି କରାଯାଇଛି। ଏତଲାରେ ସାମାଜିକ ଶୃଙ୍ଖଳା ଭଙ୍ଗ ଓ ଧର୍ମୀୟ ଭାବନାକୁ ଆଘାତ ଅଭିଯୋଗ କରାଯାଇଛି।

ତେବେ ଏହାକୁ ଭିତ୍ତିହୀନ ବୋଲି କହିଛନ୍ତି ହେତୁବାଦୀ ଦେବେନ୍ଦ୍ର ସୂତାର। ତାଙ୍କୁ ହତ୍ୟା ଧମକ ଦିଆଯାଇଛି ବୋଲି ସେ ପାଲଟା ଅଭିଯୋଗ କରିଛନ୍ତି। ଏନେଇ ସେ ମର୍କତ ନଗର ଥାନାରେ ଅଭିଯୋଗ କରିଥିବା କହିଛନ୍ତି।

ସୂଚନା ଥାଉକି, ସୂର୍ଯ୍ୟପରାଗ ଦିନ ପାରମ୍ପରିକ ନୀତିକୁ ବିରୋଧ ପ୍ରଦର୍ଶନ କରି ହେତୁବାଦୀ ସଂଗଠନ ପକ୍ଷରୁ ଚିକେନ୍ ବିରିୟାନି ଖାଦ୍ୟ ପରିବେଷଣ କାର୍ଯ୍ୟକ୍ରମ ଆୟୋଜନ ହୋଇଥିଲା। ହିନ୍ଦୁ ପରମ୍ପରା ମୁତାବକ ସୂର୍ଯ୍ୟପରାଗ ସମୟରେ ଦେବନୀତି ନିଷିଦ୍ଧ ଓ ହାଣ୍ଡିଛାଡ୍ କରାଯାଇଥିଲା। ତେବେ ଏହାର ଆବଶ୍ୟକତା ନ ଥିବା ଦର୍ଶାଇ ହେତୁବାଦୀମାନେ ବିଭିନ୍ନ ମତ ଉପସ୍ଥାପନ କରିବା ସହ ଚିକେନ୍ ବିରିୟାନି ବାଣ୍ଟି ଥିଲେ। ଯାହା ଏବେ ବିବାଦର ରୂପ ନେଇଛି।

Related story