ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଆଜି ଲୋକସଭାରେ ଉପସ୍ଥାପିତ ହୋଇଛି କେନ୍ଦ୍ର ବଜେଟ୍। ଏଥିରେ ଶିକ୍ଷା, ଦକ୍ଷତା ବିକାଶକୁ ଅଧିକ ଗୁରୁତ୍ୱ ଦିଆଯାଇଛି। ପ୍ରଥମ ଥର ପାଇଁ ଶିକ୍ଷା ଓ ଦକ୍ଷତା ବିକାଶ ବିଭାଗକୁ ୧ ଲକ୍ଷ ହଜାର ୨୭୭ କୋଟିରୁ ଅଧିକ ଟଙ୍କା ବ୍ୟୟବରାଦ କରାଯାଇଛି। ଏହି ବଜେଟ୍ ଉତ୍ସାହ ଜନକ, ଅଭିବୃଦ୍ଧି ଭିତ୍ତିକ ଓ ଲୋକାଭିମୁଖୀ ବୋଲି କହିଛନ୍ତି କେନ୍ଦ୍ର ଶିକ୍ଷା ଓ ଦକ୍ଷତା ବିକାଶ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ସମାଜର ସବୁ ବର୍ଗଙ୍କୁ ଗୁରୁତ୍ୱ ଦେଉଥିବାରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କୁ ଆନ୍ତରିକ କୃତଜ୍ଞତା ଜଣାଇଛନ୍ତି ଶ୍ରୀ ପ୍ରଧାନ।
ଶ୍ରୀ ପ୍ରଧାନ କହିଛନ୍ତି, “ବଜେଟରେ ଚିଙ୍ଗୁଡ଼ି ଚାଷକୁ ପ୍ରୋତ୍ସାହନ, ଅଙ୍ଗନବାଡ଼ିର ବିକାଶ, ପଛୁଆ ଆକାଂକ୍ଷୀ ଜିଲ୍ଲାକୁ ପ୍ରାଧାନ୍ୟ ସ୍ୱାଗତଯୋଗ୍ୟ ପଦକ୍ଷେପ। ଏହା ଦ୍ୱାରା ଓଡ଼ିଶା ଭଳି ରାଜ୍ୟ ଅଧିକ ଲାଭବାନ ହେବ। ଏହି ବଜେଟରେ ଡିଜିଟାଲ୍ ବିଶ୍ୱବିଦ୍ୟାଳୟ, ଇ-ବିଦ୍ୟା ଅନ୍ତର୍ଗତ ୨୦୦ ଟିଭି ଚ୍ୟାନେଲ, ସ୍କିଲିଂ ପାଇଁ ଡିଜିଟାଲ୍ ଇକୋସିଷ୍ଟମ, କିଷାନ ଡ୍ରୋନ, ଡିଜିଟାଲ୍ ମୁଦ୍ରା ଭଳି ଅନେକ ପଦକ୍ଷେପ ଅମୃତ କାଳରେ ଭାରତୀୟ ଅର୍ଥନୀତିର ମୂଳଦୂଆ ନିର୍ମାଣ ଓ ବ୍ଲୁ ପ୍ରିଂଟ୍ ସ୍ଥାପନ କରିବ। ବଜେଟ୍ ଗୁଣାତ୍ମକ ଶିକ୍ଷା, ଦକ୍ଷତା ବିକାଶ, ଟେକ୍ନୋଲୋଜି ଆଧାରିତ ବିକାଶକୁ ପ୍ରୋତ୍ସାହନ ଦେବା ସହ ଆୟ ଓ ପୁଞ୍ଜିନିବେଶରେ ବୃଦ୍ଧି ଘଟାଇବ। ରୋଜଗାରକୁ ଗତି ଦେବ। ଇଜ୍ ଅଫ୍ ଲିଭିଂକୁ ପ୍ରାଥମିକତା ଭିତିରେ ନାଗରିକଙ୍କୁ ସଶକ୍ତ ସହ ଜନକଲ୍ୟାଣକୁ ସୁନିଶ୍ଚିତ କରିବ।”
ସେ ଆହୁରି କହିଛନ୍ତି, “୫ଜି ମୋବାଇଲ ସେବା, ଶତପ୍ରତିଶତ ପୋଷ୍ଟ ଅଫିସକୁ ଅତ୍ୟାଧୁନିକ କରିବା ଦ୍ୱାରା ଦେଶର ନାଗରିକଙ୍କ ଜୀବନଶୈଳୀ ଅଧିକ ସୁଗମ କରିବ। ୬୦ ହଜାର କୋଟି ବ୍ୟୟରେ ହର୍ ଘର୍ ନଲ୍ ସେ ଜଲ୍ରେ ୩.୮ କୋଟି ପରିବାରକୁ ପାଇପ୍ ଯୋଗେ ବିଶୁଦ୍ଧ ପାଣି ଓ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ୪୮ ହଜାର କୋଟି ବ୍ୟୟରେ ୮୦ ଲକ୍ଷ ହିତାଧିକାରୀଙ୍କ ପାଇଁ ପକ୍କା ଘର ନିର୍ମାଣ କରାଯିବ। ଏହା ଦ୍ୱାରା ଓଡ଼ିଶା ଲାଭ ପାଇବ।”
ଶ୍ରୀ ପ୍ରଧାନ ଆହୁରି କହିଛନ୍ତି, “କିଷାନ ଡ୍ରୋନର ବ୍ୟବହାର, ଜୈବିକ ଚାଷକୁ ପ୍ରୋତ୍ସାହନ, କ୍ଷୁଦ୍ରଚାଷୀଙ୍କୁ ପ୍ରାଧାନ୍ୟ, ଗହମ ଓ ଧାନ ଚାଷୀଙ୍କୁ ଏମଏସପି ବାବଦରେ ୨.୩୭ ଲକ୍ଷ କୋଟି ଟଙ୍କା ପ୍ରଦାନ କରାଯିବା ଭଳି ବଜେଟରେ ଥିବା ପଦକ୍ଷେପ ଚାଷ ଉତ୍ପାଦନକୁ ତ୍ୱରାନ୍ୱିତ କରିବ। ଚାଷୀ ଭାଇଙ୍କୁ ସମୃଦ୍ଧ କରିବ। ଏହାବ୍ୟତୀତ ୨୦୨୨-୨୩ ଆର୍ଥିକ ବର୍ଷ ପାଇଁ ପୁଞ୍ଜି ବିନିଯୋଗକୁ ୩୫.୪ ପ୍ରତିଶତକୁ ବୃଦ୍ଧି କରି ୭.୫ ଲକ୍ଷ କୋଟି ଟଙ୍କା କରାଯାଇଛି। ଏହି ପଦକ୍ଷେପ ଦ୍ୱାରା ମୋଦି ସରକାର ଅର୍ଥନୀତିର ଅଭିବୃଦ୍ଧି, ଚାହିଦା ଓ ନିଯୁକ୍ତି ସୃଷ୍ଟିକୁ ତ୍ୱରାନ୍ୱିତ କରିବା ଦିଗରେ ବଜେଟରେ ଗୁରୁତ୍ୱ ମିଳିଛି।”
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।