ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଶରୀର ପୂରା ହଳଦି ଗଣ୍ଠି ଭଳି। ଭାବିଥିଲେ ବିଷଧର ନାଗ। ହେଲେ ଦେଖିଲା ବେଳକୁ ଧଣ୍ଡ। ଜଗତସିଂହପୁର ଜିଲ୍ଲା ବିରିଡ଼ି ଅନ୍ତର୍ଗତ କୁଳକଇଜଙ୍ଗା ଗ୍ରାମରୁ ମିଳିଛି ଏଭଳି ଏକ ବିରଳ ଧଣ୍ଡ ସାପ।
ସୂଚନା ମୁତାବକ, କୁଳକଇଜଙ୍ଗାର ଖୋକନ ସେଠୀ ବନସୀରେ ଥୋପ ଗୁନ୍ଥି ଦିନକ ତଳେ ପୋଖରୀ ହୁଡ଼ାରେ ପୋତି ଦେଇ ଆସିଥିଲେ। ଆଶା ଥିଲା ରାତିରେ ଶେଉଳ ମାଛ ଟିଏ ପଡ଼ିବ। ହେଲେ ସକାଳୁ ବନସୀ ଖଡାରେ କୋଉ ମାଛ ପଡ଼ିଛି ଦେଖିବାକୁ ଯାଇ ଖୋକନ ଦେଖନ୍ତି ତ ଏକ ହଳଦିଆ ରଙ୍ଗର ସାପ ବନସୀ କଣ୍ଟା ଗିଳି ଦେଇଛି। କଣ୍ଟା ଗିଳିଥିବା ଅବସ୍ଥାରେ ସାପ ଟିକୁ ଉପରକୁ ଆଣି କୌଶଳ କ୍ରମେ ସ୍ଥାନୀୟ ଜଣେ ଲୋକ କଣ୍ଟାକୁ ସାପ ପାଟିରୁ ବାହାର କରିଦେଲେ। ହେଲେ ହଳଦିଆ ରଙ୍ଗର ସେଇ ସାପଟିକୁ କେହି ବି ଚିହ୍ନି ପାରିନଥିଲେ। ଏହା ଏକ ବିଷଧର ବୋଲି ଭାବିଥିଲେ।
ହେଲେ ନିରୁପାୟ ହୋଇ ଖୋକନ ସ୍ନେକ ହେଲ୍ପ ଲାଇନ ର ସାଧାରଣ ସମ୍ପାଦକ ଶୁଭେନ୍ଦୁ ମଲ୍ଲିକଙ୍କୁ କିଛି ଫୋଟୋ ପଠେଇ, ସାପଟିକୁ ଚିହ୍ନିବା ପାଇଁ ଅନୁରୋଧ କରିଥିଲେ । ଶୁଭେନ୍ଦୁ ସେଇ ସାପ ଟିକୁ ଧଣ୍ଡ ସାପ ହୋଇ ପାରେ, କିନ୍ତୁ କେଉଁ ରଙ୍ଗର ମ୍ୟୁଟେସନ ତାହା ଜାଣିବା ପାଇଁ ସାପ ଟିକୁ ଟିକେ ଭଲ ଭାବରେ ଦେଖିବାକୁ ହେବ ବୋଲି କହିଥିଲେ। ପରେ ସାପଟିକୁ ରଖିବା ପାଇଁ ଅନୁରୋଧ କରିଥିଲେ।
ଗତକାଲି ସ୍ନେକ ହେଲ୍ପ ଲାଇନ ସଦସ୍ୟ ଆଶିଷ ବେହେରା ଏବଂ କୁନ୍ଦନ ପାଶ୍ୱାନଙ୍କ ସହିତ ଶୁଭେନ୍ଦୁ ଜଗତସିଂହପୁର ବିରିଡି ଯାଇ ସେଇ ସାପଟିକୁ ପରୀକ୍ଷା କରିଥିଲେ। ସାପଟି ପ୍ରକୃତରେ ଏକ ଧଣ୍ଡ ସାପ ହିଁ ଥିଲା। ଇଂରାଜୀରେ ଏହାକୁ Checkered Keel Back Snake କୁହାଯାଏ । ତେବେ, ସାଧାରଣ ଧଣ୍ଡ ସାପର ଶରୀରରେ କଳା - ଧଳା / ମାଟିଆ / ହଳଦିଆ ଆଦି ରଙ୍ଗର ଚେକ୍ ଚେକ୍ ପ୍ୟାଟର୍ନ ହୋଇଥିବା ବେଳେ, ଏଇ ବିରଳ ଧଣ୍ଡ ସାପଟିର ଦେହରେ ଚେକ୍ ପ୍ୟାଟର୍ନ ଆଦୌ ନଥିଲା । ସାଧାରଣ ଧଣ୍ଡ ସାପ ମାନଙ୍କର ଶରୀର ଉପରୁ ଦେଖିଲେ ଗ୍ଲସି ଅଲିଭ ସବୁଜ, ଅଲିଭ ମାଟିଆ, ହଳଦିଆ, ମାଟିଆ, ଧୂସର / କଳା ଆଦି ରଙ୍ଗର ଦେଖାଯାଇଥାଏ । ମାତ୍ର, ଜଗତସିଂହପୁର ରୁ ଉଦ୍ଧାର ହୋଇଥିବା ବିରଳ ଧଣ୍ଡ ସାପ ଦେହରେ କୌଣସି ଗାଢ଼ କଳା/ମାଟିଆ/ସବୁଜ ଆଦି ରଙ୍ଗର ଚିହ୍ନ ବର୍ଣ୍ଣ ନଥିଲା।
ଶୁଭେନ୍ଦୁଙ୍କ କହିବା କଥା, ଧଣ୍ଡ ସାପଙ୍କୁ ଚିହ୍ନିବା ପାଇଁ ସବୁଠାରୁ ଗୁରୁତ୍ତ୍ଵପୂର୍ଣ୍ଣ ହୋଇଥାଏ ସାପ ଆଖି ପାଖରେ ଦୁଇଟି ସ୍ପଷ୍ଟ କଳା ଗାର ପଡ଼ିଥାଏ। ଗୋଟିଏ କଳା ଗାର ଆଖିତଳକୁ ପଡ଼ିଥିବା ବେଳେ, ଅନ୍ୟ ଏକ କଳା ଗାର ଆଖି ପଛରୁ ଆରମ୍ଭ ହୋଇ ପାଟି କୋଣ ଆଡ଼କୁ ଲମ୍ବିଥାଏ। ସବୁ ଧଣ୍ଡ (Checkered Keel Back) ସାପଙ୍କୁ ଚିହ୍ନିବା ପାଇଁ ଏଇ କଳା ଗାର ଦୁଇଟି ସହାୟକ ହୋଇଥାଏ । ତେବେ ଜଗତସିଂହପୁରରେ ଠାବ ହୋଇଥିବା ବିରଳ ଧଣ୍ଡ ସାପ ଶରୀରରେ ସେଇ ସ୍ପଷ୍ଟ କଳା ଗାର ଦୁଇଟି ବଦଳରେ ଦୁଇଟି ଅସ୍ପଷ୍ଟ କଳା ବା ମାଟିଆ ରଙ୍ଗର ଗାର ପଡ଼ିଥିଲା।
ତେବେ, ଧଣ୍ଡ ସାପ ଶରୀରରେ କାତି ଗୁଡ଼ିକ ଖଦଡିଆ ହୋଇଥାଏ, ଏବଂ ହାତରେ ଛୁଇଁଲେ କଠିନ ପୃଷ୍ଠ ଭଳି ଅନୁଭବ ହୋଇଥାଏ । ଖାସ କରି ପିଠି ରେ ଥିବା କାତି ଗୁଡ଼ିକୁ ଛୁଇଁଲେ ଏଇ ଖଦଡିଆ କଠିନ ପୃଷ୍ଟ ଅଧିକ ମାତ୍ରାରେ ଜଣା ପଡ଼ିଥାଏ । ଖାସ ସେଥିପାଇଁ ସବୁ ଧଣ୍ଡ ସାପ ମାନଙ୍କ ଇଂରାଜୀ ନାମରେ Keel Back ଶବ୍ଦ ଯୋଡା ହୋଇଥାଏ।
ସାପଟିର ଶରୀର ହଳଦିଆ ରଙ୍ଗର ହେବା ଦୁଇଟି କାରଣ ଯୋଗୁଁ ହୋଇଥାଏ। ଗୋଟିଏ ହେଲା ଆଲବିନିଜିମ (Albinism) ଏବଂ ଅନ୍ୟଟି ଲିୟୁସିଜିମ (Leucism)। ଶରୀର ରେ ମେଲାନିନ କଣିକାର ଅଭାବ ହେତୁ ସାଧାରଣ ରଙ୍ଗରେ ପରିବର୍ତ୍ତନ ହୋଇ ପ୍ରାଣୀ ଆଲବିନୋ କିମ୍ବା ଲିୟୁସିଷ୍ଟିକ ହୋଇଥାନ୍ତି । ତେବେ ଆଲବିନୋ ସାପ ହୋଇଥିଲେ ଏହି ବିରଳ ସାପଟିର ଆଖି ମଧ୍ୟ ଗୋଲାପୀ ରଙ୍ଗର ହୋଇଥାନ୍ତା । କିନ୍ତୁ, ସାଧାରଣ ରଙ୍ଗର ଆଖି ହୋଇଥିବାରୁ ଜଗତସିଂହପୁର ଜିଲ୍ଲାରେ ବନସୀ କଣ୍ଟାରେ ପଡ଼ିଥିବା ଏହି ବିରଳ ହଳଦିଆ ରଙ୍ଗର ସାପଟି ଏକ ଲିୟୁସିଷ୍ଟିକ ଧଣ୍ଡ ବା Leucistic Checkered Keel Back ସାପ ବୋଲି ସ୍ନେକ ହେଲ୍ପ ଲାଇନ ର ସାଧାରଣ ସମ୍ପାଦକ ଶୁଭେନ୍ଦୁ ମଲ୍ଲିକ କହିଛନ୍ତି । ନିଜର ଗବେଷଣା ଡକ୍ୟୁମେଣ୍ଟ ପାଇଁ କିଛି ଫୋଟୋ ଉଠେଇ ସେଇ ବିରଳ ଲିୟୁସିଷ୍ଟିକ୍ ଧଣ୍ଡ ସାପଟିକୁ ଏକ ପାଣି ଥିବା ଅଞ୍ଚଳରେ ଶୁଭେନ୍ଦୁ ଛାଡି ଦେଇଥିଲେ ।
ତେବେ, ଏକ ସାଧାରଣ ଧଣ୍ଡ ସାପଟିଏ ଯେଉଁ ଭଳି ବ୍ୟବହାର ଦେଖେଇ ଥାଏ, ଏଇ ଲିୟୁସିଷ୍ଟିକ୍ ଧଣ୍ଡ ସାପଟି ମଧ୍ୟ ଅନୁରୂପ ବ୍ୟବହାର ଦେଖାଇ ଥିଲା । ଧଣ୍ଡ ସାପ ପରି କାମୁଡିବାକୁ ଗୋଡେଇବା ହେଉ ବା ରାଗିଲେ ବେକ ଫୁଲେଇ ମୁଣ୍ଡକୁ ଉଠେଇ ଚାଲି ଚାଲି ଯିବା ଆଦି ସାଧାରଣ ଧଣ୍ଡଙ୍କ ବ୍ୟବହାର ସହିତ ଏଇ ହଳଦିଆ ଲିୟୁସିଷ୍ଟିକ୍ ଧଣ୍ଡ ସାପଟି ସମ୍ପୂର୍ଣ ଖାପ ଖାଉଥିଲା ।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।