ବାଲେଶ୍ୱର(ଓଡ଼ିଶା ରିପୋର୍ଟର): ଗ୍ରୀନରେ ଚିଟଫଣ୍ଡ ଠକେଇ ମାମଲାରେ ଅଭିଯୁକ୍ତଙ୍କୁ ଧରିବାକୁ ବାଲେଶ୍ୱର ଜିଲ୍ଲା ଜଳେଶ୍ୱର ଶାସନବାଡ଼ ଅଞ୍ଚଳରେ ଡେରା ପକାଇଛି ଛତିଶଗଡ଼ ପୁଲିସ୍ । ୨ ଦିନ ଧରି ବିଭିନ୍ନ ସ୍ଥାନରେ ରେଡ୍ କରିଥିଲେ ମଧ୍ୟ କାହାରିକୁ ଧରିନାହିଁ ଛତିଶଗଡ଼ ପୁଲିସ୍। ଏହି ଅଂଚଳର ଶତାଧିକ ଲୋକ ଗ୍ରୀନରେ ଚିଟଫଣ୍ଡ ଠକାମୀର ଶିକାର ହୋଇଛନ୍ତି ।
୨୦୧୩ରେ ଗ୍ରୀନରେ ଉପରେ ପ୍ରଥମଥର ଲାଗି ଚଢ଼ାଉ କରି କାର୍ଯ୍ୟାଳୟକୁ ସିଲ୍ କରିବା ସହ ଅନେକ ଲୋକଙ୍କୁ ଗିରଫ କରିଥିଲା ସିବିଆଇ । କୋଲକାତା ଏୟାରପୋର୍ଟରୁ ଗ୍ରୀନରେ ମୁଖ୍ୟ ସହିରୁଦ୍ଦିନକୁ ୨୦୧୭ରେ ଗିରଫ କରିଥିଲା ସିବିଆଇ । ଅନ୍ୟ ସହଯୋଗୀ ଆୟୁବ ସାହା ଛତିଶଗଡ଼ରୁ ଧରା ପଡିଥିଲା।
ଏହି ସଂସ୍ଥା ସାରା ଦେଶରେ ୨ ହଜାର କୋଟିରୁ ଅଧିକ ଟଙ୍କା ଲୁଟି ଥିବାବେଲେ ଓଡିଶାରୁ ୫ଶହ କୋଟିରୁ ଅଧିକ ଟଙ୍କା ଲୁଟି ଥିବା ଅଭିଯୋଗ ହୋଇଥିଲା । ତେବେ କେବେ ମିଳିବ ଟଙ୍କା ଏହାକୁ ନେଇ ଚିନ୍ତିତ ରହିଛନ୍ତି ଜମାକାରୀ ।
ଏନେଇ ଜଣେ ମହିଳା ଜମାକାରୀ କହିଛନ୍ତି, ଟଙ୍କା ଦିଅ, ଭଲ ଲାଭ ମିଳିବ ବୋଲି ପ୍ରଲୋଭିତ କରି ଆମଠୁ ଟଙ୍କା ନେଇଗଲେ। ହେଲେ ଟଙ୍କା ମାଗିବାରୁ ଏବେ ଧମକଚମକ ଦେଉଛନ୍ତି। ଅଭିଯୁକ୍ତଙ୍କୁ ତୁରନ୍ତ ଖୋଜି ବାହାର କରିବାକୁ ଆମେ ଦାବି କରୁଛୁ।