ନିଜ କାର୍ଯ୍ୟକାଳ ଅବଧି ବଢ଼ିବା ବି ଜାଣିନଥିଲେ ମୁଖ୍ୟ ସଚିବ!

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଚଳିତବର୍ଷ ଫେବୃୟାରୀ ୨୮ତାରିଖରେ ସରକାରୀ ଚାକିରିରୁ ଅବସର ନେବାକୁ ଥିବା ମୁଖ୍ୟ ସଚିବ ସୁରେଶ କୁମାର ମହାପାତ୍ରଙ୍କ କାର୍ଯ୍ୟକାଳ ଇତିମଧ୍ୟରେ ଆଉ ୬ମାସ ବୃଦ୍ଧି ହୋଇଛି । ତେବେ ତାଙ୍କର ଚାକିରି ଅବଧି ବୃଦ୍ଧି ନିଷ୍ପତ୍ତି ସମ୍ପର୍କରେ ରାଜ୍ୟ ପ୍ରଶାସନର ବରିଷ୍ଠ ଅଧିକାରୀମାନେ, ଏପରିକି ଖୋଦ୍ ମୁଖ୍ୟ ସଚିବ ଶ୍ରୀ ମହାପାତ୍ର ବି ଶେଷ ପର୍ଯ୍ୟନ୍ତ ଟେର ପାଇନଥିଲେ ବୋଲି ପାୱାର କରିଡରରେ ଚର୍ଚ୍ଚା । ପାୱାର କରିଡରରେ ଚାଲିଥିବା ଚର୍ଚ୍ଚା ଅନୁସାରେ, ମୁଖ୍ୟ […]

suresh mahaptra

suresh mahaptra

Ordigital Desk
  • Published: Thursday, 20 January 2022
  • Updated: 20 January 2022, 10:14 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଚଳିତବର୍ଷ ଫେବୃୟାରୀ ୨୮ତାରିଖରେ ସରକାରୀ ଚାକିରିରୁ ଅବସର ନେବାକୁ ଥିବା ମୁଖ୍ୟ ସଚିବ ସୁରେଶ କୁମାର ମହାପାତ୍ରଙ୍କ କାର୍ଯ୍ୟକାଳ ଇତିମଧ୍ୟରେ ଆଉ ୬ମାସ ବୃଦ୍ଧି ହୋଇଛି । ତେବେ ତାଙ୍କର ଚାକିରି ଅବଧି ବୃଦ୍ଧି ନିଷ୍ପତ୍ତି ସମ୍ପର୍କରେ ରାଜ୍ୟ ପ୍ରଶାସନର ବରିଷ୍ଠ ଅଧିକାରୀମାନେ, ଏପରିକି ଖୋଦ୍ ମୁଖ୍ୟ ସଚିବ ଶ୍ରୀ ମହାପାତ୍ର ବି ଶେଷ ପର୍ଯ୍ୟନ୍ତ ଟେର ପାଇନଥିଲେ ବୋଲି ପାୱାର କରିଡରରେ ଚର୍ଚ୍ଚା ।

ପାୱାର କରିଡରରେ ଚାଲିଥିବା ଚର୍ଚ୍ଚା ଅନୁସାରେ, ମୁଖ୍ୟ ସଚିବ ଶ୍ରୀ ମହାପାତ୍ରଙ୍କ ଚାକିରି ଅବଧି ଆଉ ୬ମାସ ବୃଦ୍ଧି ନିମନ୍ତେ ୨୦୨୧ ଡିସେମ୍ବର ୩୧ତାରିଖରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କେନ୍ଦ୍ର ସରକାରଙ୍କୁ ଲିଖିତ ଅନୁରୋଧ କରିଥିଲେ । ଏ ସଂକ୍ରାନ୍ତ ଫାଇଲ୍ ଅବା ଚିଠି ବିଷୟରେ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ କିମ୍ବା ସାଧାରଣ ପ୍ରଶାସନ ବିଭାଗର କୌଣସି ବରିଷ୍ଠ ଅଧିକାରୀ କିଛି ବି ଆଭାସ ପାଇନଥିଲେ । ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକଙ୍କ ଦ୍ୱାରା ଲେଖାଯାଇଥିବା ଚିଠି ଆଧାରରେ ହିଁ ମାତ୍ର ୧୩ଦିନ ମଧ୍ୟରେ କେନ୍ଦ୍ର ସରକାର ଶ୍ରୀ ମହାପାତ୍ରଙ୍କ କାର୍ଯ୍ୟକାଳ ଆଉ ୬ମାସ ବୃଦ୍ଧି ନିମନ୍ତେ ଚଳିତ ଜାନୁୟାରୀ ୧୩ତାରିଖରେ ଅନୁମତି ଦେଇଥିଲେ । ଆଉ କେନ୍ଦ୍ର ସରକାରଙ୍କ ଅନୁମତି ମିଳିବା ପରେ ହିଁ ମୁଖ୍ୟ ସଚିବ ଶ୍ରୀ ମହାପାତ୍ର ଏ ସମ୍ପର୍କରେ ସୂଚନା ଦିଆଯାଇଥିଲା ।

ତେବେ ମୁଖ୍ୟ ସଚିବଙ୍କ ଅଗୋଚରରେ କିଭଳି ତାଙ୍କର କାର୍ଯ୍ୟକାଳ ଅବଧି ବଢ଼ିଲା ତାକୁ ନେଇ ପ୍ରଶ୍ନ ଉଠିବା ସ୍ୱାଭାବିକ ହୋଇଥିବାବେଳେ ସେ ଓଡ଼ିଶା ବିଦ୍ୟୁତ ନିୟାମକ ଆୟୋଗ(ଓଇଆରସି) ଅଧ୍ୟକ୍ଷ ପଦବୀ ନିମନ୍ତେ କରିଥିବା ଆବେଦନର ତାରିଖ ହିଁ ଏହି ଚର୍ଚ୍ଚାକୁ ଅଧିକ ବଳ ଯୋଗାଇଛି ।

ସୂଚନା ଅନୁସାରେ, ମୁଖ୍ୟ ସଚିବ ଶ୍ରୀ ମହାପାତ୍ର ଜାନୁୟାରୀ ୧୩ତାରିଖ ପୂର୍ବାହ୍ନରେ ଓଇଆରସି ଅଧ୍ୟକ୍ଷ ପଦବୀ ନିମନ୍ତେ ଆନୁଷ୍ଠାନିକ ଆବେଦନ କରିଥିଲେ । ଶ୍ରୀ ମହାପାତ୍ରଙ୍କୁ ଏହି ପଦବୀରେ ବସାଇବା ପାଇଁ ରାଜ୍ୟ ସରକାର ପୂର୍ବରୁ ଓଇଆରସି ଅଧ୍ୟକ୍ଷ ଚୟନ ପାଇଁ ଉଦ୍ଦିଷ୍ଟ ୩ଜଣିଆ କମିଟିରେ ଆବଶ୍ୟକ ସଂଶୋଧନ କରି ସେଥିରୁ ମୁଖ୍ୟ ସଚିବଙ୍କୁ ବାଦ୍ ମଧ୍ୟ ଦେଇଥିଲେ । ଶ୍ରୀ ମହାପାତ୍ର ଓଇଆରସି ଅଧ୍ୟକ୍ଷ ହେବା ପ୍ରାୟତଃ ନିଶ୍ଚିତ ଥିବାରୁ ଅଧିକ ସଂଖ୍ୟକ ଆବେଦନ ମଧ୍ୟ ଏହି ପଦ ପାଇଁ ଆସୁନଥିଲା । ଏପରିକି ୧୩ତାରିଖ ପର୍ଯ୍ୟନ୍ତ ମାତ୍ର ଦୁଇଜଣ ବରିଷ୍ଠ ଓଡ଼ିଆ ଆଇଏଏସ୍‌(ଅନ୍ୟ କ୍ୟାଡ଼ରର) ଅଫିସର ହିଁ ଓଇଆରସି ଅଧ୍ୟକ୍ଷ ପଦବୀ ନିମନ୍ତେ ଆବେଦନ କରିଥିଲେ ।

୧୯୮୬ ବ୍ୟାଚ୍ ଆଇଏଏସ୍ ମନୋଜ କୁମାର ପରିଡ଼ା(ୟୁଟି କ୍ୟାଡ଼ର) ଓ ପିକେ ଦାସ(ମଧ୍ୟପ୍ରଦେଶ କ୍ୟାଡ଼ର) ସେହି ପଦବୀ ପାଇଁ ଆବେଦନ କରିଥିବାବେଳେ କମ୍ ସଂଖ୍ୟକ ଆବେଦନକୁ ଦୃଷ୍ଟିରେ ରଖି ଶକ୍ତି ବିଭାଗ ଏହି ଆବେଦନର ଶେଷ ତାରିଖକୁ ଆଉ ଏକ ସପ୍ତାହକୁ ବୃଦ୍ଧି କରିଥିଲେ । ଯାହାର ଶେଷ ତାରିଖ ଜାନୁୟାରୀ ୨୧ତାରିଖ ରହିଛି । ତେବେ ଇତିମଧ୍ୟରେ ମୁଖ୍ୟ ସଚିବ ଶ୍ରୀ ମହାପାତ୍ର ଓଇଆରସି ଅଧ୍ୟକ୍ଷ ପଦବୀ ନିମନ୍ତେ ନିଜର ଆବେଦନକୁ ପ୍ରତ୍ୟାହାର କରିଥିବା ଜଣାପଡ଼ିଛି । ଯେଉଁଥିପାଇଁ ମୁଖ୍ୟ ସଚିବ ନିଜର କାର୍ଯ୍ୟକାଳ ଅବଧି ବୃଦ୍ଧି ସମ୍ପର୍କରେ ବି ଟେର ପାଇନଥିବା ସ୍ପଷ୍ଟ ହୋଇଛି । ଯଦି ଶ୍ରୀ ମହାପାତ୍ର ନିଜେ ନିଜର କାର୍ଯ୍ୟକାଳ ବୃଦ୍ଧି ହେଉଥିବା ଜାଣିଥାନ୍ତେ ତା’ହେଲେ ହୁଏତ ଜାନୁୟାରୀ ୧୩ତାରିଖ( ଅବଧି ବୃଦ୍ଧି ପାଇଁ କେନ୍ଦ୍ର ସରକାର ଉକ୍ତଦିନ ଅନୁମତି ଦେଇଥିଲେ)ରେ ଏହି ପଦବୀ ନିମନ୍ତେ ଆବେଦନ କରିନଥାନ୍ତେ । କିମ୍ବା ପୁଣିଥରେ ତାକୁ ପ୍ରତ୍ୟାହାର କରିନଥାନ୍ତେ ବୋଲି ପାୱାର କରିଡରରେ ଚର୍ଚ୍ଚା ହେଉଛି ।

ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ସୂତ୍ର ଅନୁସାରେ, ରାଜ୍ୟ ସରକାର ଗୋଟିଏ ଗୁଳିରେ ଦୁଇଟି ଶିକାର କରିଛନ୍ତି । ଶ୍ରୀ ମହାପାତ୍ରଙ୍କ ୬ମାସ କାର୍ଯ୍ୟକାଳ ଅବଧି ବୃଦ୍ଧି କରି ବର୍ତ୍ତମାନର ଉନ୍ନୟନ କମିଶନର ପ୍ରଦୀପ କୁମାର ଜେନାଙ୍କୁ ମୁଖ୍ୟ ସଚିବ ପଦରେ ବସାଇବାର ମାର୍ଗ ପ୍ରଶସ୍ତ କରିଛନ୍ତି । ୧୯୮୮ ବ୍ୟାଚର ଆଇଏଏସ୍ ପରାଗ ଗୁପ୍ତା ଚଳିତମାସରେ ଅବସର ନେଉଥିବାବେଳେ ୧୯୮୬ ବ୍ୟାଚର ଜିଭିଭି ଶର୍ମା ଅକ୍ଟୋବର ମାସରେ ଅବସର ନେବେ । ଅଗଷ୍ଟ ଶେଷରେ ଶ୍ରୀ ମହାପାତ୍ର ମୁଖ୍ୟ ସଚିବ ପଦରୁ ଅବସର ନେବାବେଳକୁ ରାଜ୍ୟରେ ପଂଚାୟତ ଓ ପୌର ନିର୍ବାଚନ ଶେଷ ହୋଇସାରିଥିବ ତଥା ଶ୍ରୀ ଜେନାଙ୍କ ଉପରେ ବରିଷ୍ଠତା ଭିତ୍ତିରେ ରାଜ୍ୟରେ କେବଳ ଜିଭିଭି ଶର୍ମା, ଏସପି ଠାକୁର, ଆରକେ ଶର୍ମା, ସିଜେ ବେଣୁଗୋପାଳ ଓ ପ୍ରଦୀପ୍ତ କୁମାର ମହାପାତ୍ର ରହିଥିବେ ।

୧୯୮୬ ବ୍ୟାଚର ଜିଭିଭି ଶର୍ମାଙ୍କ କାର୍ଯ୍ୟକାଳ ଆଉ ୨ମାସ ବାକି ଥିବାରୁ ସେତେବେଳେ ତାଙ୍କୁ ମୁଖ୍ୟ ସଚିବ ପଦ ମିଳିବା ସମ୍ଭାବନା କ୍ଷୀଣ । ସେହିପରି ଏସପି ଠାକୁର, ସିଜେ ବେଣୁଗୋପାଳ ଓ ପ୍ରଦୀପ୍ତ କୁମାର ମହାପାତ୍ର ବିଭିନ୍ନ କାରଣରୁ ସରକାରଙ୍କ ଗୁଡବୁକରେ ନାହାନ୍ତି ଓ ସେମାନଙ୍କୁ ସଚିବାଳୟରୁ ଦୂରେଇ ରଖାଯାଇଛି । ତା’ଛଡ଼ା ନିକଟ ଭବିଷ୍ୟତରେ ମୁଖ୍ୟ ସଚିବ ପାହ୍ୟାର କୌଣସି ଅଫିସର ଏବେ ଡେପୁଟେସନରୁ ଓଡ଼ିଶା ଫେରିବାର ସମ୍ଭାବନା ମଧ୍ୟ ନାହିଁ । ଏକମାତ୍ର ଅଫିସର ଆରକେ ଶର୍ମା ଏବେ ପୁଣିଥରେ ସରକାରଙ୍କ ଆସ୍ଥାଭାଜନ ହୋଇ ସ୍ୱାସ୍ଥ୍ୟ ସଚିବ ଭାବେ କାର୍ଯ୍ୟ କରୁଛନ୍ତି । ତେଣୁ ତାଙ୍କୁ କୌଣସି ଏକ ସ୍ଥାନରେ ଆଡଜଷ୍ଟ କରି ଶ୍ରୀ ଜେନାଙ୍କୁ ମୁଖ୍ୟ ସଚିବ ପଦରେ ବସାଇବା ସରକାରଙ୍କ ପାଇଁ ସହଜ ହେବ ବୋଲି ପାୱାର କରିଡରରେ ଚର୍ଚ୍ଚା ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos