ବିଜେପି ଜିତିବ ବୋଲି ଆମର ଆଶା ଥିଲା: ନବୀନ

ଭଦ୍ରକ/ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଧାମନଗରରେ ବିଜେଡିର ପରାଜୟ ନେଇ ପ୍ରତିକ୍ରିୟା ରଖିଛନ୍ତି ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ସେ କହିଛନ୍ତି, ଧାମନଗରରେ ବିଜେପି ଜିତିବ ବୋଲି ଆଶା କରିଥିଲୁ। କିଛି ଦିନ ତଳେ ଧାମନଗର ବିଧାୟକଙ୍କ ଦେହାନ୍ତ ହୋଇଥିଲା। ଦିବଂଗତ ବିଧାୟକ ବହୁତ ଲୋକପ୍ରିୟ ଥିଲେ। ବିଜେପି ଦିବଂଗତ ନେତାଙ୍କ ପୁଅଙ୍କୁ ଟିକେଟ ଦେଇଥିଲା। ତାଙ୍କ ପୁଅଙ୍କର ଜିତିବାର ସମ୍ଭାବନା ଥିଲା। ତେଣୁ ସେ ଜିତିଲେ। ତେବେ ଆମେ ବହୁତ କମ୍ ଉପନିର୍ବାଚନରେ ହାରିଛୁ ବୋଲି […]

dham--

dham--

Niranjan Mishra
  • Published: Sunday, 06 November 2022
  • Updated: 06 November 2022, 08:55 PM IST

Sports

Latest News

ଭଦ୍ରକ/ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଧାମନଗରରେ ବିଜେଡିର ପରାଜୟ ନେଇ ପ୍ରତିକ୍ରିୟା ରଖିଛନ୍ତି ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ସେ କହିଛନ୍ତି, ଧାମନଗରରେ ବିଜେପି ଜିତିବ ବୋଲି ଆଶା କରିଥିଲୁ। କିଛି ଦିନ ତଳେ ଧାମନଗର ବିଧାୟକଙ୍କ ଦେହାନ୍ତ ହୋଇଥିଲା। ଦିବଂଗତ ବିଧାୟକ ବହୁତ ଲୋକପ୍ରିୟ ଥିଲେ। ବିଜେପି ଦିବଂଗତ ନେତାଙ୍କ ପୁଅଙ୍କୁ ଟିକେଟ ଦେଇଥିଲା। ତାଙ୍କ ପୁଅଙ୍କର ଜିତିବାର ସମ୍ଭାବନା ଥିଲା। ତେଣୁ ସେ ଜିତିଲେ। ତେବେ ଆମେ ବହୁତ କମ୍ ଉପନିର୍ବାଚନରେ ହାରିଛୁ ବୋଲି କହିଛନ୍ତି ନବୀନ। ନିକଟରେ ୩୦ଟି ଜିଲ୍ଲା ପରିଷଦ ନିର୍ବାଚନରେ ବିଜୟୀ ହୋଇଥିଲୁ ଓ ଆମେ ମିଳିଥିବା ଜନମତକୁ ସମ୍ମାନ ଦେଉଛୁ ବୋଲି ମଧ୍ୟ ସେ କହିଛନ୍ତି।

ତାଙ୍କର ଏହି ମତରୁ ବିଜେଡ଼ିର ପରାଜୟ ଏଠାରେ ନିଶ୍ଚିନ୍ତ ଥିଲା ଓ ସେ ପରାଜୟକୁ ନେଇ ନିରାଶ ହୋଇଥିବା ପ୍ରତିୟମାନ ହୋଇଛି।

କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି, ଏହି ବିଜୟ ଧର୍ମର ଜୟ। ଧାମନଗରବାସୀଙ୍କ ବିଜୟ। ସ୍ୱର୍ଗତ ବିଷ୍ଣୁ ସେଠୀଙ୍କ ପ୍ରତି ଧାମନଗରବାସୀଙ୍କ ସ୍ନେହ ଓ ଶ୍ରଦ୍ଧାର ବିଜୟ ହୋଇଛି। ଏହି ବିଜୟ ଗଣତନ୍ତ୍ରର ବିଜୟ ଓ ଓଡ଼ିଆ ସ୍ୱାଭିମାନର ବିଜୟକୁ ପ୍ରତିପାଦିତ କରିଛି। ଯେଉଁ ଭୂମିରେ ବାବା ଆଖଣ୍ଡଳମଣି ଅଛନ୍ତି, ସେଠି ବହୁତ ଦିନ ଅନ୍ଧାର ରୁହେନି। ଏହା ପ୍ରଧାନମନ୍ତ୍ରୀ ମୋଦିଙ୍କ ପ୍ରତି ଓଡ଼ିଶାବାସୀଙ୍କ ବିଶ୍ୱାସର ପ୍ରତିଫଳନ ବୋଲି ସେ କହିଛନ୍ତି।

ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା କହିଛନ୍ତି, ଏହି ଐତିହାସିକ ବିଜୟ ପାଇଁ ଆମର କାର୍ଯ୍ୟକର୍ତ୍ତାଙ୍କୁ ବଧାଇ ଜଣାଉଛି। ଓଡ଼ିଶାବାସୀ ମୋଦିଙ୍କ ଭିଜନକୁ ଗ୍ରହଣ କରୁଥିବା ପ୍ରମାଣିତ ହୋଇଛି। ବିଜୟୀ ସୂର୍ଯ୍ୟବଂଶୀ ସୂରଜଙ୍କୁ ଶୁଭେଚ୍ଛା ଜଣାଉଛି ବୋଲି ସେ କହିଛନ୍ତି।

ବିଜୟ ପରେ ସୂର୍ଯ୍ୟବଂଶୀ ସୂରଜ କହିଛନ୍ତି,  ଏହା ଧାମନଗରବାସୀଙ୍କ ବିଜୟ। ମୁଁ ନିମିତ୍ତ ମାତ୍ର। ସମସ୍ତଙ୍କ ସହଯୋଗ ଓ ସଦିଚ୍ଛା ଯୋଗୁଁ ଏହି ବିଜୟ ସମ୍ଭବ ହୋଇଛି। ସମସ୍ତ ଦଳୀୟ କର୍ମକର୍ତ୍ତାଙ୍କୁ ବିଜୟର ଶ୍ରେୟ ଯାଉଛି ବୋଲି ସେ କହିଛନ୍ତି।

ଧାମନଗର ବିଜୟରରେ ଥ୍ରୀ-M ଫର୍ମୁଲା ଆମ ପାଇଁ କାମ କରିଲା ବୋଲି କହିଛନ୍ତି ବିଜେପି ବରିଷ୍ଠ ନେତା ମନମୋହନ ସାମଲ। ସେ ପ୍ରତିକ୍ରିୟା ଦେଇଛନ୍ତି କହିଛନ୍ତି ମନି, ମାଇନରିଟି, ମହିଳାଙ୍କୁ ମ୍ୟାନେଜ କରି ନିର୍ବାଚନ ଜିତିଲୁ। ସେମାନେ ଟଙ୍କାକୁ ନେଇ ଗର୍ବ ଅହଂକାର କରୁଥିଲେ। ମାଇନରିଟିଙ୍କୁ ବିଜେଡି ମିସ୍‌ଗାଇଡ କରିବାକୁ ମଧ୍ୟ ଚେଷ୍ଟା କରିଥିଲା। ମାତ୍ର ସେମାନେ ବୁଝିଲେ, ଆଉ ଆମ ସହ ରହିଲେ। ଶତ୍ରୁକୁ ଆମେ କମଜୋର ଭାବି ନ ଥିଲୁ, ନିଜକୁ ଓଭରଏଷ୍ଟିମେଟ କରି ନ ଥିଲୁ।

ସେପଟେ ବିଜୟ ପରେ ବିଜେପି କ୍ୟାମ୍ପରେ ଦେଖିବାକୁ ମିଳିଛି ସେଲିବ୍ରେସନ। ବିଜେପି ନେତା ଓ କର୍ମୀଙ୍କ ହାତରେ ଫରଫର ଉଡୁଛି ପଦ୍ମ ପତାକା। ବାଣ ଫୁଟୁଛି, ବାଜା ବାଜୁଛି, ନାଚଗୀତ ଭିତରେ ମିଠା ବଣ୍ଟା ଚାଲିିଛି। ପ୍ରଥମ ଥର ପାଇଁ ନିର୍ବାଚନ ଲଢ଼ି ୨୨ବର୍ଷର ଶାସନରେ ଥିବା ବିଜେଡିକୁ ପାଣି ପିଆଇ ଦେଇଛନ୍ତି ସ୍ୱର୍ଗତ ବିଷ୍ଣୁ ସେଠୀଙ୍କ ସୂର୍ଯ୍ୟବଂଶୀ ସୂରଜ।

ତାଙ୍କ ବିଜୟ ନେଇ ପୂର୍ବାନୁମାନ ଗଣତି ଦିନକ ପୂର୍ବରୁ ହିଁ ନଜର ଆସୁଥିଲା। ଆଜି ସକାଳୁ ବିଜେପି ସପକ୍ଷରେ ଗୋଟିଏ ପରେ ଗୋଟିଏ ରାଉଣ୍ଡ ଗଣତିର ଫଳ ଆସୁଥିଲା। ଆଉ ବିଜେପି ଶିବିରରେ ଖେଳିଯାଉଥିଲା ଉତ୍ସାହ। କେଉଁ ରାଉଣ୍ଡରେ ୪ ଶହ ତ କେଉଁଠି ୭ ଶହ, ଆଗରେ ରହୁଥିଲେ ବିଜେପି ପ୍ରାର୍ଥୀ। ବଢିଚାଲିଥିଲା ଭୋଟ୍ ବ୍ୟବଧାନ। ଆଉ କର୍ମୀଙ୍କ ମଧ୍ୟରେ ଚଢିଯାଇଥିଲା ବିଜୟ ଉତ୍ସାହର ସୀମା। କର୍ମୀଙ୍କ ମୁହଁରେ ଗୋଟିଏ କଥା ଥିଲା, ଇଏ ଧାମନଗର ନୁହେଁ ଧର୍ମନଗର। ଏଠାରେ ଟଙ୍କା ପାଇଁ ବିକ୍ରି ହୁଏନି ଭୋଟ୍। ଧାମନଗରରୁ ରାଜଧାନୀ ଭୁବନେଶ୍ୱର, ଉତ୍ସାହ କାହିଁରେ କଣ। କମ୍ପିଥିଲା ବିଜେପି ପାର୍ଟି ଅଫିସ। ବାଜା, ବାଣ ସାଙ୍ଗକୁ ଜମିଥିଲା ନାଚ ଗୀତର ଆସର। ପରସ୍ପରକୁ ମିଠା ଖୁଆଇ ଶୁଭେଚ୍ଛା ଜଣାଇଥିଲେ ନେତା ଓ କର୍ମୀ। କୌଣସି ବଡ ପର୍ବ ଓ ଉତ୍ସବରୁ କମ୍ ନଥିଲା ଧାମନଗର ଉପନିର୍ବାଚନ ବିଜୟର ଉଲ୍ଲାସ।

ସେପଟେ ପରାଜୟକୁ ନେଇ ବିଜେଡି କ୍ୟାମ୍ପରେ ନିରାଶା। ଖାଁ ଖାଁ ଦଳୀୟ ଶିବିର। ମାତ୍ର ୪ରୁ ୫ ରାଉଣ୍ଡ ଗଣତି ପରେ ଭୋଟ ଗଣତି କେନ୍ଦ୍ର ନିକଟରେ ତିଆରି ହୋଇଥିଲା ବିଜେଡି କ୍ୟାମ୍ପର ଚିତ୍ର ହଠାତ୍ ବଦଳି ଯାଇଥିଲା। ନେତା, କର୍ମୀ କ୍ୟାମ୍ପରୁ ଉଭାନ ହୋଇଯାଇଥିଲେ। ଚୌକି ଉଠାଇ ଚାଲିଯାଇଥିଲେ କର୍ମୀ। ଶୂନଶାନ ପଡିଯାଇଥିଲା ପୂରା ପରିବେଶ। ସଂଖ୍ୟା ଗଣିତରେ ଆଉ ଫେରିବା ମୁସ୍କିଲ ବୋଲି ଜାଣିସାରିଥିଲେ ସମସ୍ତେ।

ଫଳତଃ ଧାମନଗର ବାଇ-ଇଲେକ୍ସନ ବିଜୟ ବିଜେପିରେ ଉତ୍ସାହ ଭରିଦେଇଥିବା ବେଳେ ବ୍ୟାକଫୁଟରେ ବିଜେଡି। ସେପଟେ ଗଣତି ପୂର୍ବରୁ ୨୦ ହଜାର ଭୋଟ ପାଇବାକୁ ଆଶା ରଖିଥିବା କଂଗ୍ରେସକୁ ପ୍ରତ୍ୟାଖ୍ୟାନ କରିଛନ୍ତି ଧାମନଗର ବାସୀ। ବିଜେଡି ଛାଡି ସ୍ୱାଧୀନ ପ୍ରାର୍ଥୀ ସାଜିଥିବା ରାଜେନ୍ଦ୍ର ଦାସ ବି ବଡ କରିସ୍ମା ଦେଖାଇବାରେ ବିଫଳ ହୋଇଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos