ମୁଖ୍ୟମନ୍ତ୍ରୀଙ୍କ ପ୍ରତି ଡିଜିପିଙ୍କ ଅତ୍ୟଧିକ ଆନୁଗତ୍ୟ କାହିଁକି : କଂଗ୍ରେସ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପଶ୍ଚିମ ଓଡ଼ିଶାରେ ନିର୍ବାଚନ ଲଢ଼ିବା ପାଇଁ ଗୁଇନ୍ଦା ବିଭାଗ କରିଥିବା ସୁପାରିସ ସଂକ୍ରାନ୍ତ ଚିଠିକୁ ରାଜ୍ୟ ବିଜେପି ଆଜି ସାର୍ବଜନୀନ କରିବା ପରେ କଂଗ୍ରେସ ମଧ୍ୟ ଏହି ଘଟଣାରେ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ହସ୍ତକ୍ଷେପ ଲୋଡ଼ିଛି। ଜଣେ ବିଦାୟୀ ମୁଖ୍ୟମନ୍ତ୍ରୀଙ୍କ ପ୍ରତି ପୁଲିସ ଡିଜିଙ୍କ ଅତ୍ୟଧିକ ଆନୁଗତ୍ୟକୁ ନେଇ ମଧ୍ୟ କଂଗ୍ରେସ ପ୍ରଶ୍ନ କରିଛି। କଂଗ୍ରେସ ଭବନରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ପିସିସି ମିଡିଆ ସେଲର ମୁଖ୍ୟ ସତ୍ୟପ୍ରକାଶ […]

congress-questions-dgps-tweet-in-defence-of-chief-minister-and-dismissing-a-intel-report-as-fake

Manoranjan Sial
  • Published: Monday, 18 March 2019
  • , Updated: 18 March 2019, 09:54 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପଶ୍ଚିମ ଓଡ଼ିଶାରେ ନିର୍ବାଚନ ଲଢ଼ିବା ପାଇଁ ଗୁଇନ୍ଦା ବିଭାଗ କରିଥିବା ସୁପାରିସ ସଂକ୍ରାନ୍ତ ଚିଠିକୁ ରାଜ୍ୟ ବିଜେପି ଆଜି ସାର୍ବଜନୀନ କରିବା ପରେ କଂଗ୍ରେସ ମଧ୍ୟ ଏହି ଘଟଣାରେ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ହସ୍ତକ୍ଷେପ ଲୋଡ଼ିଛି। ଜଣେ ବିଦାୟୀ ମୁଖ୍ୟମନ୍ତ୍ରୀଙ୍କ ପ୍ରତି ପୁଲିସ ଡିଜିଙ୍କ ଅତ୍ୟଧିକ ଆନୁଗତ୍ୟକୁ ନେଇ ମଧ୍ୟ କଂଗ୍ରେସ ପ୍ରଶ୍ନ କରିଛି।

କଂଗ୍ରେସ ଭବନରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ପିସିସି ମିଡିଆ ସେଲର ମୁଖ୍ୟ ସତ୍ୟପ୍ରକାଶ ନାୟକ କହିଛନ୍ତି ଯେ, ମୁଖ୍ୟମନ୍ତ୍ରୀଙ୍କ ନିର୍ବାଚନ ଲଢ଼ିବାକୁ ନେଇ ଗୁଇନ୍ଦା ବିଭାଗର ଏକ ଚିଠି ସାର୍ବଜନୀନ ହୋଇଛି। ଚିଠିରେ ଥିବା ବିଷୟବସ୍ତୁ ଯେତିକି ଗୁରୁତ୍ୱପୂର୍ଣ୍ଣ ନୁହେଁ, ସେନେଇ ପୁଲିସ ଡିଜିଙ୍କ ତତ୍କାଳ ପ୍ରତିକ୍ରିୟା ସମସ୍ତ ଘଟଣାକୁ ସନ୍ଦେହଘେରକୁ ନେଇ ଆସିଛି। ଚିଠିକୁ ଏକ ରାଜନୀତିକ ଦଳ ଦ୍ୱାରା ସାର୍ବଜନୀନ କରାଯିବାର କିଛି ସମୟ ନ ପୂରୁଣୁ ପୁଲିସ ଡିଜି କାହିଁକି ଟ୍ୱିଟ୍ ମାଧ୍ୟମରେ ପ୍ରତିକ୍ରିୟା ଦେଲେ ଓ କେଉଁ ଆଧାରରେ ସେ ଏଭଳି କ୍ଲିନଚିଟ୍ ଦେଲେ ତାକୁ ନେଇ କଂଗ୍ରେସ ପ୍ରଶ୍ନ କରିଛି।

ସାର୍ବଜନୀନ ହୋଇଥିବା ଏହି ଦସ୍ତାବିଜରେ ଥିବା ଦସ୍ତଖତ ଗୁଇନ୍ଦା ନିର୍ଦ୍ଦେଶକଙ୍କର କି ନୁହେଁ ତା’ର ଫରେନ୍ସିକ ଯାଞ୍ଚ ହୋଇଛି କି ନାହିଁ? ଯେଉଁ ଚିଠି ନମ୍ବର ପଡ଼ିଛି ସେଥିରେ ଏଭଳି କିଛି ଦସ୍ତାବିଜ ଥିଲା ନା ନାହିଁ ? ଏତେ କମ ସମୟ ମଧ୍ୟରେ ପୁଲିସ ଡିଜି କାହିଁକି ଜଣେ ବିଦାୟୀ ମୁଖ୍ୟମନ୍ତ୍ରୀ ଅବା ଏକ ରାଜନୀତିକ ଦଳର ମୁଖ୍ୟଙ୍କୁ କ୍ଲିନଚିଟ୍ ଦେବାକୁ ଆଗେଇ ଆସିଲେ,ତାହା କ’ଣ ନିର୍ବାଚନ ଆଚରଣ ବିଧିର ଉଲ୍ଲଘଂନ କରୁନି କି ବୋଲି ସେ ପ୍ରଶ୍ନ କରିଛନ୍ତି। ପୁଲିସ ଏହି ମାମଲାରେ ଏଫଆଇଆର୍ ରୁଜୁ କରିବାର ଭୟ ଦେଖାଇ ଦସ୍ତାବିଜକୁ ଚପାଇ ଦେବାକୁ ଉଦ୍ୟମ କରୁଛି ବୋଲି କଂଗ୍ରେସ ଅଭିଯୋଗ କରିଛି।

ନିର୍ବାଚନ ଆଚରଣ ବିଧି ବଳବତ୍ତର ଥିବାବେଳେ ମୁଖ୍ୟ ନିର୍ବାଚନ ଅଧିକାରୀ ତୁରନ୍ତ ଏହି ଘଟଣାରେ ତଦନ୍ତ ପାଇଁ ନିର୍ଦ୍ଦେଶ ଦେବାକୁ କଂଗ୍ରେସ ଦାବି କରିଛି।

ସୂଚନାଯୋଗ୍ୟ, ରାଜ୍ୟ ବିଜେପି ଆଜି ଏକ ସାମ୍ବାଦିକ ସମ୍ମିଳନୀ କରି ଏହି ଦସ୍ତାବିଜକୁ ସାର୍ବଜନୀନ କରିଛି।

Related story