ମହିଳାଙ୍କ ପ୍ରତି ହିଂସା ପ୍ରତିବାଦରେ ବୁଧବାର କଂଗ୍ରେସର ରାଜ୍ୟବ୍ୟାପୀ ବିକ୍ଷୋଭ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟରେ ମହିଳାଙ୍କ ବିରୋଧରେ ହିଂସା ଦିନକୁ ଦିନ ବୃଦ୍ଧି ପାଇବା ସହ ଆଇନଶୃଙ୍ଖଳା ସମ୍ପୂର୍ଣ୍ଣ ବିପର୍ଯ୍ୟସ୍ତ ହୋଇପଡ଼ିଛି। କିନ୍ତୁ ରାଜ୍ୟର ବିଜେଡି ସରକାର ଏଥିପ୍ରତି ସାମାନ୍ୟତମ ଦୃଷ୍ଟି ନଦେଇ ଅତ୍ୟନ୍ତ ବେପରୁୱା ଆଚରଣ ପ୍ରଦର୍ଶନ କରୁଛି ବୋଲି କଂଗ୍ରେସ ଅଭିଯୋଗ କରିଛି। ଏହାର ପ୍ରତିବାଦରେ ଆସନ୍ତାକାଲି ବୁଧବାର ପୂର୍ବାହ୍ନ ୧୦ଟାରୁ ୧ଟା ପର୍ଯ୍ୟନ୍ତ କଂଗ୍ରେସ ରାଜ୍ୟବ୍ୟାପୀ ବିକ୍ଷୋଭ ପ୍ରଦର୍ଶନ କରିବ ବୋଲି ଘୋଷଣା କରିଛି। କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର ଆଜି […]

congress-to-stage-protests-against-attacks-on-women-across-the-state-on-wednesday

Manoranjan Sial
  • Published: Tuesday, 23 July 2019
  • , Updated: 23 July 2019, 09:45 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟରେ ମହିଳାଙ୍କ ବିରୋଧରେ ହିଂସା ଦିନକୁ ଦିନ ବୃଦ୍ଧି ପାଇବା ସହ ଆଇନଶୃଙ୍ଖଳା ସମ୍ପୂର୍ଣ୍ଣ ବିପର୍ଯ୍ୟସ୍ତ ହୋଇପଡ଼ିଛି। କିନ୍ତୁ ରାଜ୍ୟର ବିଜେଡି ସରକାର ଏଥିପ୍ରତି ସାମାନ୍ୟତମ ଦୃଷ୍ଟି ନଦେଇ ଅତ୍ୟନ୍ତ ବେପରୁୱା ଆଚରଣ ପ୍ରଦର୍ଶନ କରୁଛି ବୋଲି କଂଗ୍ରେସ ଅଭିଯୋଗ କରିଛି। ଏହାର ପ୍ରତିବାଦରେ ଆସନ୍ତାକାଲି ବୁଧବାର ପୂର୍ବାହ୍ନ ୧୦ଟାରୁ ୧ଟା ପର୍ଯ୍ୟନ୍ତ କଂଗ୍ରେସ ରାଜ୍ୟବ୍ୟାପୀ ବିକ୍ଷୋଭ ପ୍ରଦର୍ଶନ କରିବ ବୋଲି ଘୋଷଣା କରିଛି।

କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର ଆଜି ପିସିସି ଭବନରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଏ ସମ୍ପର୍କରେ ସୂଚନା ଦେଇ କହିଛନ୍ତି ଯେ, ରାଜ୍ୟରେ ଆଇନଶୃଙ୍ଖଳା ପରିସ୍ଥିତି ଭୁଶୁଡ଼ି ପଡିଛି। ବିଶେଷକରି ନାରୀ ଅପହରଣ ଓ ନାବାଳିକାଙ୍କୁ ଦୁଷ୍କର୍ମ ଘଟଣା ଆଶାତୀତ ବୃଦ୍ଧି ପାଇଛି। ନାବାଳିକା ଅପହରଣ ଏବଂ ଦୁଷ୍କର୍ମ ଘଟଣା ଉଦବେଗଜନକ ଭାବେ ରାଜ୍ୟରେ ବଢ଼ିବାରେ ଲାଗିଛି। ଅଥଚ ଏହାକୁ ନିୟନ୍ତ୍ରଣ କରିବାରେ ଏବଂ ଅଭିଯୁକ୍ତମାନଙ୍କୁ ଧରିବାରେ ପୁଲିସ ବିଭାଗ ସଂପୂର୍ଣ୍ଣ ଭାବରେ ବିଫଳ ହୋଇଛି। ସମଗ୍ର ରାଜ୍ୟରେ ଏବେ ମହିଳା ଓ ନାବାଳିକା ସୁରକ୍ଷା ଏକ ବଡ଼ ପ୍ରଶ୍ନବାଚୀ ହୋଇ ଠିଆ ହୋଇଛି।

ମହିଳା ଓ ଶିଶୁମାନଙ୍କ ଉପରେ କ୍ରମାଗତ ଭାବରେ ବଢି ଚାଲିଥିବା ହିଂସା ଓ ଅତ୍ୟାଚାର ସତ୍ତ୍ୱେ ରାଜ୍ୟରେ ବିପର୍ଯ୍ୟସ୍ତ ଆଇନ୍ ଶୃଙ୍ଖଳା ପ୍ରତି ବେଫିକର ରହିବା ସରକାରଙ୍କ ଅସଲ ଚେହେରା ପଦାରେ ପକାଇ ଦେଇଛି। ରାଜ୍ୟରେ ପ୍ରତିଦିନ ୭ଟି ଦୁଷ୍କର୍ମ ମାମଲା ପଞ୍ଜିକରଣ ହେଉଥିବାବେଳେ ବର୍ଷକୁ ମାତ୍ର ୬ ଜଣ ଦଣ୍ଡିତ ହେଉଛନ୍ତି। ଅନେକ ଦୁଷ୍କର୍ମ ଘଟଣାକୁ ପୁଲିସ ଜାଣିଶୁଣି ଚାପି ଦେଉଛି। ରାଜ୍ୟରେ ଆଇନର ଶାସନ ନାହିଁ, ଅପରାଧୀର ପୁଲିସ୍ ପ୍ରଶାସନ ପ୍ରତି ତିଳେମାତ୍ର ଭୟ ନାହିଁ। ବିଧାନସଭାରେ ବାରମ୍ବାର ଏ ବିଷୟ ଉଠାଇଲେ ବି ସରକାର ସାମାନ୍ୟତମ ଭୃକ୍ଷେପ କରୁନାହାନ୍ତି। ସମ୍ବିଧାନ ଓ ସାମ୍ବିଧାନିକ ଅନୁଷ୍ଠାନର ଗରିମାକୁ ଏ ସରକାର ସଂଖ୍ୟାଗରିଷ୍ଠତାର ଭେଳିକି ଦେଖାଇ ପାଦରେ ଦଳିଦେବାକୁ ବସିଛନ୍ତି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ତାଙ୍କ ମନ୍ତ୍ରୀମାନେ ଗୃହକୁ ବେଖାତିର କରୁଛନ୍ତି। ତେଣୁ ଏ ସମସ୍ତ ଘଟଣାକୁ ନେଇ ପ୍ରଦେଶ କଂଗ୍ରେସ ପକ୍ଷରୁ ଆସନ୍ତାକାଲି ଅର୍ଥାତ୍ ଜୁଲାଇ ୨୪ ତାରିଖ ପୂର୍ବାହ୍ନ ୧୦ଟାରୁ ୧ଟା ପର୍ଯ୍ୟନ୍ତ ସମସ୍ତ ୩୦ଟି ଜିଲ୍ଲା ମୁଖ୍ୟାଳୟରେ ବିକ୍ଷୋଭ ଓ ପ୍ରତିବାଦ କରାଯିବ ବୋଲି ସେ କହିଛନ୍ତି।

ଏହି ସାମ୍ବାଦିକ ସମ୍ମିଳନୀରେ ପିସିସି ମିଡିଆ ସେଲ ଅଧ୍ୟକ୍ଷ ସତ୍ୟ ପ୍ରକାଶ ନାୟକ, ମୁଖପାତ୍ର ମନୋଜ ମହାପାତ୍ର, ରଜନୀ କୁମାର ମହାନ୍ତି, ପଦ୍ମାକର ଗୁରୁ, ପ୍ରଶାନ୍ତ ଶତପଥି, ଭୁବନେଶ୍ୱର ଜିଲ୍ଲା କଂଗ୍ରେସ କାର୍ଯ୍ୟକାରୀ ସଭାପତି ରଶ୍ମି ମହାପାତ୍ର ଓ ଦୀପକ ମହାପାତ୍ର ଉପସ୍ଥିତ ଥିଲେ।

Related story