ଚାଟାର୍ଡ ଆକାଉଣ୍ଟାଣ୍ଟଙ୍କୁ ମିକ୍ସଚର୍ ବ୍ୟବସାୟୀ କରିଦେଇଛି କରୋନା

ବାଲେଶ୍ୱର(ରଶ୍ମୀରଞ୍ଜନ ଦାସ): ଚାଟାର୍ଡ ଆକାଉଣ୍ଟାନ୍ସି ଭଳି ମୋଟା ରୋଜଗାର ଛାଡ଼ି ଏବେ ସେଓ ଗାଣ୍ଠିଆ ତିଆରି କରୁଛନ୍ତି ଉଚ୍ଚ ଶିକ୍ଷିତ ଯୁବକ। ତେବେ ନିଜ ଇଚ୍ଛାରେ ନୁହେଁ କରୋନା ଜନିତ ପରିସ୍ଥିତିର ଚାପରେ ପଡ଼ି ବଦଳି ଯାଇଛି ଜୀବିକା। କିନ୍ତୁ ରୋଜଗାର କରିବାର ମାଧ୍ୟମକୁ ନେଇ ତାଙ୍କର ଆଦୌ ମନଉଣା ନାହିଁ। ବରଂ ବଞ୍ଚିବାର ଏହି ନୂଆ ରାହାକୁ ସଫଳତାର ସହ ତୁଲାଇ ପାରୁଥିବାରୁ ତାଙ୍କୁ ନେଇ ଏବେ ଗାଁରୁ ସହର ସବୁଠି ଚର୍ଚ୍ଚା। କେବଳ ସେ […]

balasore

Manoranjan Sial
  • Published: Saturday, 12 September 2020
  • , Updated: 12 September 2020, 07:16 PM IST

ବାଲେଶ୍ୱର(ରଶ୍ମୀରଞ୍ଜନ ଦାସ): ଚାଟାର୍ଡ ଆକାଉଣ୍ଟାନ୍ସି ଭଳି ମୋଟା ରୋଜଗାର ଛାଡ଼ି ଏବେ ସେଓ ଗାଣ୍ଠିଆ ତିଆରି କରୁଛନ୍ତି ଉଚ୍ଚ ଶିକ୍ଷିତ ଯୁବକ। ତେବେ ନିଜ ଇଚ୍ଛାରେ ନୁହେଁ କରୋନା ଜନିତ ପରିସ୍ଥିତିର ଚାପରେ ପଡ଼ି ବଦଳି ଯାଇଛି ଜୀବିକା। କିନ୍ତୁ ରୋଜଗାର କରିବାର ମାଧ୍ୟମକୁ ନେଇ ତାଙ୍କର ଆଦୌ ମନଉଣା ନାହିଁ। ବରଂ ବଞ୍ଚିବାର ଏହି ନୂଆ ରାହାକୁ ସଫଳତାର ସହ ତୁଲାଇ ପାରୁଥିବାରୁ ତାଙ୍କୁ ନେଇ ଏବେ ଗାଁରୁ ସହର ସବୁଠି ଚର୍ଚ୍ଚା। କେବଳ ସେ ନୁହନ୍ତି ତାଙ୍କ ଉଚ୍ଚଶିକ୍ଷିତ ଭାଇ ତାଙ୍କ ହାତରେ ହାତ ମିଳାଇ ଏହାକୁ ଏବେ ସଫଳ ଉଦ୍ୟୋଗରେ ପରିଣତ କରିଛନ୍ତି।

ବାଲେଶ୍ୱର ସହରର ଗାନ୍ଧିନଗରରେ ସପରିବାର ରହୁଛନ୍ତି ଉଚ୍ଚ ଶିକ୍ଷିତ ସୌମ୍ୟ ଦାସ। ସେ ଓ ତାଙ୍କ ପତ୍ନୀ ରଶ୍ମୀ ଦାସ ବାଲେଶ୍ୱର ସହରରେ କିଛି ବର୍ଷ ହେଲା କମ୍ପ୍ୟୁଟର ଇଷ୍ଟିଚ୍ୟୁଟ୍‌ କରି ପିଲାଙ୍କୁ ଶିକ୍ଷା ଦେଉଥିଲେ। ଏଥିରୁ ଭଲ ରୋଜଗାର ବି ହେଉଥିଲା। ଠିକ୍ ସେହିପରି ସୌମ୍ୟଙ୍କ ସାନ ଭାଇ ରୌମ୍ୟ ଦାସ ପେସାରେ ଜଣେ ଚାଟାର୍ଡ ଆକାଉଣ୍ଟାଣ୍ଟ। କୋଲକାତାରେ ସେ ନିଜସ୍ୱ ଫାର୍ମ କରିଥିଲେ। ବାପା ଆଶିଷ ବରୁନ ଦାସ ଏୟାର ଫୋର୍ସରୁ ଅବସର ପରେ ପତ୍ନୀଙ୍କ ସହ ସାନ ପୁଅ ପାଖରେ ରହୁଥିଲେ। ଫାର୍ମରୁ ରୌମ୍ୟ ଭଲ ରୋଜଗାର ମଧ୍ୟ କରୁଥିଲେ। ପରିବାର ଠିକ୍‌ଠାକ୍‌ ଚାଲିଥିଲା। କିନ୍ତୁ ମହାମାରୀ କରୋନା ସବୁକିଛି ଓଲଟ ପାଲଟ ଦେଲା।

କରୋନା ପାଇଁ କୋଲକାତାରେ ବାରମ୍ବାର ଲକ୍‌ଡାଉନ୍‌ ଓ ଶଟ୍‌ଡାଉନ ଯୋଗୁ ରୌମ୍ୟଙ୍କ ଫାର୍ମରେ ମାନ୍ଦାବସ୍ଥା ଦେଖାଦେଇଥିଲା। ଏପରିକି ସେଠାରେ ରହିବା ରୌମ୍ୟଙ୍କ ପାଇଁ କଷ୍ଟକର ହେଲା। ଶେଷରେ କର୍ମମାଟି ଛାଡ଼ି ଜନ୍ମମାଟି ବାଲେଶ୍ୱର ଫେରି ଆସିଲେ ରୌମ୍ୟ। ଏଣେ କରୋନା କଟକଣା ପାଇଁ ବଡ ଭାଇ ସୌମ୍ୟଙ୍କ କମ୍ପ୍ୟୁଟର ସଂସ୍ଥା ବି ବନ୍ଦ ହୋଇଯାଇଥିଲା। ସାନ ଭଉଣୀ ମଧ୍ୟ ଚାକିରି ହରାଇଥିଲେ। ଘରକୁ ଫେରିବା ପରେ ବାପା-ମାଆ, ଦୁଇ ଭାଇ ଓ ଭଉଣୀ ଚିନ୍ତାରେ ପଡ଼ିଗଲେ। କିନ୍ତୁ ମହାମାରୀ କରୋନାଜନିତ ସ୍ଥିତି ଆଗରେ ହାର ମାନିଲେ ନାହିଁ। ଶେଷରେ ସେଓ ଗାଣ୍ଠିଆ ଓ ମିକ୍ସଚର୍ ତିଆରି କରିବାକୁ ନିଷ୍ପତ୍ତି ନେଇ କାମ ଆରମ୍ଭ କଲେ। ବାଲେଶ୍ୱରରେ ଏହି ଉଦ୍ୟୋଗ ମାତ୍ର ୨୦ ହଜାର ଟଙ୍କାରେ ଆରମ୍ଭ ହେଲା। ଏବେ କରୋନା କଟକଣା ହଟିନାହିଁ, ହେଲେ ସୌମ୍ୟ ଓ ରୌମ୍ୟଙ୍କ ବ୍ୟବସାୟ ଲକ୍ଷେ ଟଙ୍କାରେ ପହଞ୍ଚିଲାଣି।

କେନ୍ଦ୍ର ସରକାରଙ୍କ ଏମ୍‌ଏସ୍‌ଏମ୍‌ଇ ପାଇଁ ବୁଝା ସୁଝା ବି କରିଥିଲେ। ହେଲେ ସେ ଟଙ୍କା ପାଇବାକୁ ଅଧିକ ସମୟ ଲାଗିବ ଜାଣିବା ପରେ ନିଜେ ନିଜ ଟଙ୍କାରେ ମେ ଶେଷରେ ଆରମ୍ଭ କରିଥିଲେ ବ୍ୟବସାୟ। ଏହି ବ୍ୟବସାୟରେ ନିଜ ପରିବାର ସହ ଆହୁରି ୩ ଜଣ ଲୋକଙ୍କୁ କର୍ମ ନିଯୁକ୍ତି ଦେଇଛନ୍ତି। ଏବେ ଏହିଠାରୁ ସେଓ ଗାଣ୍ଠିଆ ତିଆରି କରି ରାଜ୍ୟର ବିଭିନ୍ନ ବଜାରରେ ବିକ୍ରିର ବ୍ୟବସ୍ଥା କରିଛନ୍ତି।

Related story