Advertisment

Bribe: ଦୁର୍ନୀତି ନିବାରଣ ସଚେତନତା ସପ୍ତାହରେ ଦୁର୍ନୀତି; ଲାଞ୍ଚ ନେଇ ଧରାପଡ଼ିଲେ ସିଟି-ଜିଏସ୍‌ଟି ଅଧିକାରୀ

ଭିଜିଲାନ୍ସ ପକ୍ଷରୁ କୁହାଯାଇଛି ଯେ ତିନିଟି ଆର୍ଥିକ ବର୍ଷର ପ୍ରଫେସନାଲ ଟ୍ୟାକ୍ସ ଦେଇନଥିବାରୁ ଜଣେ ବ୍ୟବସାୟୀଙ୍କ ଉପରେ ୭,୫୦୦ ଟଙ୍କା ଜରିମାନା ପଡ଼ିଥିଲା। ପ୍ରତି ଆର୍ଥିକ ବର୍ଷ ପାଇଁ ୨୫୦୦ ଟଙ୍କା ଲେଖାଏ ଜରିମାନା ପଡ଼ିଥିଲା।

author-image
Jitendra Garnayak
Vigilance

ଲାଞ୍ଚ ନେଇ ଧରାପଡ଼ିଥିବା ଅଧିକାରୀ

ଅକ୍ଟୋବର ୨୭ ତାରିଖରୁ ପାଳନ କରାଯାଉଛି ଦୁର୍ନୀତି ନିବାରଣ ସଚେତନତା ସପ୍ତାହ। ଏହା ଆସନ୍ତା ନଭେମ୍ବର ୨ ତାରିଖ ପର୍ଯ୍ୟନ୍ତ ଚାଲିବ। ଏଥିପାଇଁ ବିଭିନ୍ନ ସରକାରୀ କାର୍ଯ୍ୟାଳୟରେ କର୍ମଚାରୀମାନେ ଦୁର୍ନୀତି ନ କରିବାକୁ ଶପଥ ନେଉଛନ୍ତି। ଗତକାଲି ଭୁବନେଶ୍ୱରରେ ‘ରାଜ୍ୟସ୍ତରୀୟ ଦୁର୍ନୀତି ନିବାରଣ ସଚେତନତା ସପ୍ତାହ ୨୦୨୫’ ମଧ୍ୟ ପାଳିତ ହୋଇଯାଇଛି। ଏଥିରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଥିଲେ ଯେ କେହି ଦୁର୍ନୀତି କରି କୌଣସି ପରିସ୍ଥିତିରେ ଖସିପାରିବେ ନାହିଁ। ଏହା ସହିତ ରାଜ୍ୟରେ କିପରି ଦୁର୍ନୀତିରେ ଜଡ଼ିତ ଚତୁର୍ଥ ଶ୍ରେଣୀ କର୍ମଚାରୀଙ୍କଠାରୁ ଆରମ୍ଭ କରି ଭାରତୀୟ ପ୍ରଶାସନିକ ସେବା ଅଧିକାରୀଙ୍କୁ ଛଡ଼ାଯାଇନାହିଁ, ତା’ର ଉଦାହରଣ ଦେଇଥିଲେ ମୁଖ୍ୟମନ୍ତ୍ରୀ। କିନ୍ତୁ ଏହାର ପ୍ରଭାବ ବଲାଙ୍ଗିର ଜିଲ୍ଲା ଟିଟିଲାଗଡ଼ର ସହକାରୀ ବାଣିଜ୍ୟକର ଏବଂ ଦ୍ରବ୍ୟ ଓ ସେବାକର ଅଧିକାରୀ (ଆସିଷ୍ଟାଣ୍ଟ ସିଟି ଆଣ୍ଡ ଜିଏସ୍‌ଟି ଅଫିସର) ଉମାକାନ୍ତ ମହାକୁଡ଼ଙ୍କ ଉପରେ ଆଦୌ ପଡ଼ିନାହିଁ। ଆଜି ଲାଞ୍ଚ ନେଇ ସେ ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି।

Advertisment

ଭିଜିଲାନ୍ସ ପକ୍ଷରୁ କୁହାଯାଇଛି ଯେ ତିନିଟି ଆର୍ଥିକ ବର୍ଷର ପ୍ରଫେସନାଲ ଟ୍ୟାକ୍ସ ଦେଇନଥିବାରୁ ଜଣେ ବ୍ୟବସାୟୀଙ୍କ ଉପରେ ୭,୫୦୦ ଟଙ୍କା ଜରିମାନା ପଡ଼ିଥିଲା। ପ୍ରତି ଆର୍ଥିକ ବର୍ଷ ପାଇଁ ୨୫୦୦ ଟଙ୍କା ଲେଖାଏ ଜରିମାନା ପଡ଼ିଥିଲା। ଟିକସ ଦେଇ ନଥିବାରୁ ତାଙ୍କ ପାଖକୁ ଏକ ନୋଟିସ୍ ମଧ୍ୟ ପଠାଯାଇଥିଲା। ନୋଟିସ୍ ପଠାଇଥିଲେ ସହକାରୀ ବାଣିଜ୍ୟକର ଏବଂ ଦ୍ରବ୍ୟ ଓ ସେବାକର ଅଧିକାରୀ ଉମାକାନ୍ତ ମହାକୁଡ଼। ଏହି ନୋଟିସ୍‌ରେ ତାଙ୍କୁ ୨୩,୬୦୦ ଟଙ୍କା ପଇଠ କରିବାକୁ ନିର୍ଦ୍ଦେଶ ଦିଆଯାଇଥିଲା। ତା’ମଧ୍ୟରେ ଟିକସ ଅର୍ଥ ସହିତ ଜରିମାନା ଓ ସୁଧ ଅର୍ଥକୁ ସାମିଲ କରାଯାଇଥିଲା। 

ନୋଟିସ୍ ପାଇବା ପରେ ବ୍ୟବସାୟୀ ଜଣଙ୍କ ସହକାରୀ ବାଣିଜ୍ୟକର ଏବଂ ଦ୍ରବ୍ୟ ଓ ସେବାକର ଅଧିକାରୀ ଶ୍ରୀ ମହାକୁଡ଼ଙ୍କୁ ଭେଟି କେବଳ ଟିକସ ଅର୍ଥ ନେବାକୁ ଅନୁରୋଧ କରିଥିଲେ। କିନ୍ତୁ ଶ୍ରୀ ମହାକୁଡ଼ କେବଳ ଟିକସ ଅର୍ଥ ନେବାକୁ ମନା କରି ଦେଇଥିଲେ। ଜରିମାନା ଓ ସୁଧ ଅର୍ଥକୁ କାଟି ଦେବା ପାଇଁ ସେ ୧୨ ହଜାର ଟଙ୍କା ଲାଞ୍ଚ ମାଗିଥିଲେ। ଏହା ପରେ ବ୍ୟବସାୟୀ ଜଣଙ୍କ ଭିଜିଲାନ୍ସର ଦ୍ୱାରସ୍ଥ ହୋଇଥିଲେ। 

Advertisment

ଯୋଜନା ପ୍ରକାରେ ବ୍ୟବସାୟୀ ଜଣଙ୍କ ଆଜି ଶ୍ରୀ ମହାକୁଡ଼ଙ୍କୁ ଭେଟି ୧୨ ହଜାର ଟଙ୍କା ଦେଇଥିଲେ। ସେ ଲାଞ୍ଚ ଅର୍ଥ ଗ୍ରହଣ କରିବା ପରେ ଭିଜିଲାନ୍ସ ଅଧିକାରୀମାନେ ଚଢ଼ାଉ କରି ତାଙ୍କୁ ଧରିଥିଲେ। ଶ୍ରୀ ମହାକୁଡ଼ଙ୍କଠାରୁ ସମସ୍ତ ଲାଞ୍ଚ ଅର୍ଥ ଜବତ କରାଯାଇଛି। ଏହା ପରେ ତାଙ୍କ ସହିତ ଜଡ଼ିତ ଏକାଧିକ ଠିକଣାରେ ଚଢ଼ାଉ କରିଛି ଭିଜିଲାନ୍ସ। ସେ ଆୟ ବହିର୍ଭୂତ ସଂପତ୍ତି ଠୁଳ କରିଥିବା ଅଭିଯୋଗରେ ଏହି ଚଢ଼ାଉ କରାଯାଇଛି।