Advertisment

ବିଏସ୍‌କେୱାଇ କାର୍ଡ ଘୋଟାଲା: ସିଲ୍‌ ହେଲା ଜେ.ଏମ୍‌ କେୟାର ନର୍ସିଂହୋମ

ଆବଶ୍ୟକୀୟ କାଗଜପତ୍ର ଦେଖାଇ ନପାରିବାରୁ ନର୍ସିଂହୋମକୁ ସିଲ୍‌ କରିଛି ସିଏମ୍‌ସି ସ୍ୱାସ୍ଥ୍ୟ ବିଭାଗ ଟିମ୍‌ । ଆସନ୍ତା ୩ ଦିନ ମଧ୍ୟରେ ସମସ୍ତ କାଗଜପତ୍ର ଦାଖଲ କରିବାକୁ ନିର୍ଦ୍ଦେଶ ଦିଆଯାଇଛି ।

ଅଦ୍ୟତନ ହୋଇଛି
Sealed

Sealed

Advertisment

ବିଏସ୍‌କେୱାଇ କାର୍ଡ ଜରିଆରେ ସରକାରୀ ଟଙ୍କା ଜାଲିଆତି କରୁଥିବା ଅଭିଯୋଗରେ ସିଲ୍‌ ହେଲା ଜେ.ଏମ୍‌ କେୟାର ନର୍ସିଂହୋମ ।  ଆବଶ୍ୟକୀୟ କାଗଜପତ୍ର ଦେଖାଇ ନପାରିବାରୁ ନର୍ସିଂହୋମକୁ ସିଲ୍‌ କରିଛି ସିଏମ୍‌ସି ସ୍ୱାସ୍ଥ୍ୟ ବିଭାଗ ଟିମ୍‌ । ଏହାବାଦ ଆସନ୍ତା ୩ ଦିନ ମଧ୍ୟରେ ସମସ୍ତ କାଗଜପତ୍ର ଦାଖଲ କରିବାକୁ ନର୍ସିଂହୋମ କର୍ତ୍ତୃପକ୍ଷଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ନଚେତ କଡ଼ା କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଚେତାବନୀ ଦିଆଯାଇଛି।

Advertisment

କଟକ ସହରର ଜେ.ଏମ୍‌ କେୟାର ନର୍ସିଂହୋମରେ ଭର୍ତ୍ତି ହୋଇଥିବା ଭୁବନେଶ୍ୱରର ଜଣେ ମହିଳାଙ୍କ ମୃତ୍ୟୁ ପରେ ତାଙ୍କ ସ୍ୱାମୀଙ୍କ ଅଭିଯୋଗକୁ ଆଧାର କରି ପୁଲିସ୍‌ ଘଟଣାର ତଦନ୍ତ ଆରମ୍ଭ କରିଥିଲା। ଏହାପରେ ବିଏସ୍‌କେୱାଇରେ ଚାଲିଥିବା ଘୋଟାଲା ପଦାକୁ ଆସିଥିଲା। ଏପରିକି ସମ୍ପୃକ୍ତ ମହିଳା ଗୋଟିଏ ନର୍ସିଂହୋମରେ ଚିକିତ୍ସିତ ହୋଇଥିବା ବେଳେ ଅନ୍ୟ ଏକ ନର୍ସିଂହୋମ ନାଁରେ ଟଙ୍କା ଉଠା ଯାଇଥିବା ତଦନ୍ତ ବେଳେ ଜଣା ପଡ଼ିଥିଲା।

ଗତ ମାର୍ଚ୍ଚ ୭ ତାରିଖରେ ଭୁବନେଶ୍ୱରର ବଡଗଡ ଅଞ୍ଚଳର ପ୍ରସନ୍ନ କୁମାର ପାତ୍ର ପତ୍ନୀ କୁନି ପାତ୍ରଙ୍କୁ କିଡ୍‌ନୀ ଷ୍ଟୋନ୍ ଅପରେସନ ନିମନ୍ତେ ଡାକ୍ତର ଚିନ୍ମୟ ସାହୁଙ୍କ ପରାମର୍ଶ ମୁତାବକ କଟକର ନୂଆପଡାସ୍ଥିତ ଜେଏମ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ଏସ୍‌ସିବିର ଆସିଷ୍ଟାଣ୍ଟ ଡାକ୍ତର ଅମୀୟ କୁମାର ପାଲ ଏହି ଅପରେସନ କରିଥିଲେ। ଅପରେସନର ୪ ଦିନ ପରେ କୁନି ହସ୍ପିଟାଲରୁ ଡିସଚାର୍ଜ ହୋଇଥିଲେ। ମାତ୍ର କିଛି ଦିନ ପରେ ତାଙ୍କ ମୃତ୍ୟୁ ଘଟିଥିଲା। ଚିକିତ୍ସା ଅବହେଳା ତଥା ଭୁଲ ଅପରେଶନ ଯୋଗୁଁ ପତ୍ନୀଙ୍କ ମୃତ୍ୟୁ ହୋଇଥିବା ନେଇ ମଧୁପାଟଣା ଥାନାରେ ଅଭିଯୋଗ କରିଥିଲେ ପ୍ରସନ୍ନ। ମଧୁପାଟଣା ପୁଲିସ ଏ ଘଟଣାର ତଦନ୍ତ କରୁ କରୁ ବିଏସକେୱାଇ ଘୋଟଲା ବାବଦରେ ଜାଣିବାକୁ ପାଇଥିଲା

Advertisment

ତଦନ୍ତ ରିପୋର୍ଟ ଅନୁଯାୟୀ, କୁନିଙ୍କ ସମସ୍ତ ଅପରେସନ ଓ ଚିକିତ୍ସା ଜେଏମ ହସପିଟାଲରେ ହୋଇଥିଲା। ମାତ୍ର ବିଜୁ ସ୍ୱାସ୍ଥ୍ୟ କାର୍ଡରେ ତାଙ୍କ ଚିକିତ୍ସା ସାଲେପୁରସ୍ଥିତ ଶୋଭା ନର୍ସିଂ ହୋମରେ ହୋଇଥିବା ଦର୍ଶାଯାଇଥିଲା। ଏଭଳି ଜାଲିଆତି କରି ବିଜୁ ସ୍ୱାସ୍ଥ୍ୟ କାର୍ଡରେ ଟଙ୍କା ଠକେଇ କରାଯାଇଛି।
ଏହି ଘଟଣାରେ ମଧୁପାଟଣା ପୁଲିସ ସାଲେପୁରର ଶୋଭା ନର୍ସିଂହୋମ ମାଲିକ ଅଶୋକ ପତି ଓ ମ୍ୟାନେଜର ଶାନ୍ତନୁ କୁମାର ପତିଙ୍କୁ ଗିରଫ କରିଛି । ମାତ୍ର ଏହି ଘୋଟାଲାର ମୁଖ୍ୟ କୁହାଯାଉଥିବା ଜେଏମ୍‌ କେୟାର ହସ୍ପିଟାଲ ମାଲିକ ଡାକ୍ତର ଚିନ୍ମୟ ସାହୁ ଓ ତାଙ୍କ ସହଯୋଗୀ ସବିତା ସ୍ୱାଇଁ ଫେରାର ଅଛନ୍ତି ।

ତଦନ୍ତ ବେଳେ ଜଣାପଡ଼ିଥିଲା ଯେ, ଜେଏମ ହସ୍ପିଟାଲରେ ବିଏସ୍‌କେୱାଇ କାର୍ଡରେ ଚିକିତ୍ସା ହୁଏନି। ଶୋଭା ନର୍ସିଂ ହୋମ ବିଜୁ ସ୍ୱାସ୍ଥ୍ୟ କାର୍ଡରେ ଚିକିତ୍ସା ନିମନ୍ତେ ଅନୁବନ୍ଧିତ। ଡାକ୍ତର ସାହୁ ରୋଗୀଙ୍କ ବିଏସ୍‌କେୱାଇ କାର୍ଡରୁ ଟଙ୍କା ଠକେଇ କରିବାକୁ ଶୋଭା ନର୍ସିଂ ହୋମର ମାଲିକ ଅଶୋକ ପତି ଓ ମ୍ୟାନେଜର ଶାନ୍ତନୁ କୁମାର ପତିଙ୍କ ସହ ଷଡ଼ଯନ୍ତ୍ର କରିଥିଲେ। ରୋଗୀ ଜେଏମ୍‌ କେୟାରରେ ଅପରେସନ ସହ ଅନ୍ୟାନ୍ୟ ଚିକିତ୍ସା ସୁବିଧା ପାଇଥିଲେ ବି କାଗଜପତ୍ରରେ ରୋଗୀ ଶୋଭା ନର୍ସିଂ ହୋମରେ ଅପରେସନ ଓ ଚିକିତ୍ସା ହୋଇଥିବା ଦର୍ଶାଯାଇଥିଲା ।

ପୁଲିସ ଖୋଳତାଡ଼ ସମୟରେ ଏହିଭଳି ୨୫ଟି ମାମଲା ସାମ୍ନାକୁ ଆସିଥିଲା। ଅର୍ଥାତ୍ ଏହି ସବୁ ରୋଗୀଙ୍କୁ ଜେଏମ ହସ୍ପିଟାଲରେ ଚିକିତ୍ସା କରାଯାଇଥିବା ବେଳେ ମିଛରେ ସାଲେପୁରର ଶୋଭା ନର୍ସିଂ ହୋମ୍‌ରେ ଆଡମିଶନ କରାଯାଇଥିବା ଦର୍ଶାଇ ବିଜୁ ସ୍ୱାସ୍ଥ୍ୟ କାର୍ଡରେ ଟଙ୍କା ହଡ଼ପ କରାଯାଇଥିବା ଜଣାପଡ଼ିଛି। ଚଳିତ ବର୍ଷ ଜାନୁଆରୀରୁ ମାର୍ଚ୍ଚ ଭିତରେ ଏହିସବୁ ଜାଲିଆତି ହୋଇଥିବା କଟକ ଏଡିସିପି କହିଛନ୍ତି। 

Medical Negligence Patients Death Hospital
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe