Advertisment

ବାହାନଗା ଟ୍ରେନ ଦୁର୍ଘଟଣା: ମୃତ୍ୟୁ ସଂଖ୍ୟା ୨୮୮ ନୁହେଁ, ୨୭୫

ରେଳବାଇ କର୍ତ୍ତୃପକ୍ଷ ଶନିବାର ମୃତ୍ୟୁ ସଂଖ୍ୟା ୨୮୮ ବୋଲି କହିଥିଲେ।

author-image
Jitendra Garnayak
Train Accident

Train Accident

ବାଲେଶ୍ୱର ଜିଲ୍ଲା ବାହାନଗାରେ ଶୁକ୍ରବାର ଘଟିଥିବା ଟ୍ରେନ ଦୁର୍ଘଟଣାରେ ୨୭୫ ଜଣଙ୍କ ମୃତ୍ୟୁ ଘଟିଛି। ମୁଖ୍ୟ ଶାସନ ସଚିବ ପ୍ରଦୀପ ଜେନା ରବିବାର ଏହି ସୂଚନା ଦେଇଛନ୍ତି।

Advertisment

ଶ୍ରୀ ଜେନା କହିଛନ୍ତି, ଆମେ ପ୍ରଥମେ ମୃତ୍ୟୁ ସଂଖ୍ୟା ୨୬୧ କହିଥିଲୁ। ଗତକାଲି ଶେଷ ବଗିଟିକୁ ଉଠାଇବା ପରେ ରେଳବାଇ ପକ୍ଷରୁ ମୃତ୍ୟୁ ସଂଖ୍ୟା ୨୮୮ ବୋଲି କୁହାଯାଇଥିଲା। ତାଙ୍କ ତଥ୍ୟ ଆଧାରରେ ଆମେ ମଧ୍ୟ ମୃତ୍ୟୁ ସଂଖ୍ୟା ୨୮୮ ବୋଲି କହିଥିଲୁ। କିନ୍ତୁ ଗତକାଲି ରାତି ସାରା ଭଲ ଭାବେ ଯାଞ୍ଚ କଲା ପରେ ଜଣାପଡ଼ିଛି ଯେ ଏହି ଦୁର୍ଘଟଣାରେ ମୋଟ ୨୭୫ ଜଣଙ୍କ ଜୀବନ ଯାଇଛି। ଏନେଇ ଜିଲ୍ଲାପାଳ ଫାଇନାଲ ରିପୋର୍ଟ ଦେଇଛନ୍ତି। କିଛି ମୃତଦେହକୁ ଦୁଇ ଥର ଗଣନା ଯାଇଥିବାରୁ ପ୍ରଥମେ ତ୍ରୁଟି ହୋଇଥିଲା। ଗତକାଲି ଭଲ ଭାବେ ଯାଞ୍ଚ ପରେ ଏହି ତ୍ରୁଟି ସାମ୍ନାକୁ ଆସିଥିଲା।

ସେ କହିଛନ୍ତି, ୨୭୫ଟି ମୃତଦେହ ମଧ୍ୟରୁ ୮୮ଟିକୁ ଚିହ୍ନଟ କରାଯାଇଛି। ସେହି ୮୮ଟି ମୃତଦେହ ମଧ୍ୟରୁ ୭୮ଟିକୁ ସଂପୃକ୍ତ ପରିବାରଗୁଡ଼ିକୁ ହସ୍ତାନ୍ତର କରାଯାଇଛି। ଆଉ ୧୦ଟି ମୃତଦେହକୁ ହସ୍ତାନ୍ତର କରିବା ପ୍ରକ୍ରିୟା ଜାରି ରହିଛି। ୧୮୭ଟି ମୃତଦେହ ଚିହ୍ନଟ ହୋଇପାରିନି। ସେହି ୧୮୭ଟି ମୃତଦେହ ମଧ୍ୟରୁ ୧୭୦ଟିକୁ ଭୁବନେଶ୍ୱର ଅଣାଯାଇଛି। ସେଗୁଡ଼ିକୁ ଏମ୍‌ସ ଓ ଅନ୍ୟ ହସ୍‌ପିଟାଲରେ ରଖାଯାଇଛି। ୮୫ଟି ଆମ୍ବୁଲାନ୍ସ ମୃତଦେହଗୁଡ଼ିକୁ ଭୁବନେଶ୍ୱର ଅଣାଯାଇଥିଲା। ପ୍ରତ୍ୟେକ ଆମ୍ବୁଲାନ୍ସରେ ଦୁଇଟି ଲେଖାଏଁ ମୃତଦେହ ଅଣାଯାଇଥିଲା। ବାକି ୧୭ଟିକୁ ଆଣିବାକୁ ବ୍ୟବସ୍ଥା କରାଯାଇଛି। ସେଗୁଡ଼ିକୁ ମଧ୍ୟ ଆମ୍ବୁଲାନ୍ସରେ ଅଣାଯିବ।

Advertisment

ମୁଖ୍ୟ ଶାସନ ସଚିବ କହିଛନ୍ତି ଯେ ବର୍ତ୍ତମାନ ଆମର ମୁଖ୍ୟ ସମସ୍ୟା ହେଉଛି ମୃତଦେହ ଗୁଡ଼ିକୁ ଚିହ୍ନଟ କରିବା। ଆମେ ସମସ୍ତ ମୃତକଙ୍କ ଫଟୋ ଉଠାଇ ସେଗୁଡ଼ିକୁ ତିନିଟି ୱେବସାଇଟ- https:// srcodisha.nic.in, https:// www.bmc.gov.in ଓ https:// www.osdma.org ରେ ସର୍ବସାଧାରଣଙ୍କ ଅବଗତି ନିମନ୍ତେ ଦେଇଛୁ। ସେହି ଫଟୋ ଦେଖି କେହି ଯଦି କୌଣସି ମୃତକଙ୍କୁ ଚିହ୍ନିବେ, ତା’ହେଲେ ଫୋନ ମାଧ୍ୟମରେ ଆମକୁ ଯୋଗାଯୋଗ କରିପାରିବେ। ସେଥିପାଇଁ ଟୋଲ୍‌ ଫ୍ରୀ ଫୋନ୍ ନମ୍ବର ମଧ୍ୟ ଦିଆଯାଇଛି। ସେଥିରୁ ଗୋଟିଏ ନମ୍ବର ହେଉଛି – 18003450061। ଦେଶର ଯେକୌଣସି ସ୍ଥାନରୁ ଏହି ନମ୍ବର ରେ ଲୋକେ ଫୋନ କରି ତଥ୍ୟ ସଂଗ୍ରହ କରିପାରିବେ। ସେହିପରି କେବଳ ଓଡ଼ିଶା ପାଇଁ ଏକ ଟୋଲ ଫ୍ରୀ ନମ୍ବର ଜାରି କରାଯାଇଛି। ତାହା ହେଉଛି 1929। ମୃତକଙ୍କ ଫଟୋ ଗୁଡ଼ିକ ବିଚଳିତ କଲା ଭଳି ହୋଇଛି। ତେଣୁ ଛୋଟ ପିଲାମାନଙ୍କୁ ସେଗୁଡ଼ିକୁ ନଦେଖାଇବା ପାଇଁ ପରାମର୍ଶ ଦିଆଯାଇଛି। ତା’ ସହିତ କୌଣସି ଗଣମାଧ୍ୟମ ବା ବ୍ୟକ୍ତି ବା ସଂସ୍ଥା ଏହାର ପ୍ରସାରଣ ଅଥବା ଅନ୍ୟ କୌଣସି ଉଦ୍ଦେଶ୍ୟରେ ବ୍ୟବହାର କରିପାରିବେ ନାହିଁ। ଏଥିପାଇଁ ସ୍ୱତନ୍ତ୍ର ରିଲିଫ କମିଶନର (ଏସ୍‌ଆରସି)ଙ୍କ ଠାରୁ ଲିଖିତ ଅନୁମତି ନେବାକୁ ହେବ। ଫଟୋଗୁଡ଼ିକୁ ୱେବସାଇଟରେ ଆମେ କେବଳ ଚିହ୍ନଟ ଉଦ୍ଦେଶ୍ୟରେ ଦେଇଛୁ। ଆବଶ୍ୟକ ସ୍ଥଳେ ମୃତଦେହ ଗୁଡ଼ିକର ଡିଏନ୍‌ଏ ସଂଗ୍ରହ କରାଯିବ ବୋଲି ମୁଖ୍ୟ ଶାସନ ସଚିବ ଶ୍ରୀ ଜେନା କହିଛନ୍ତି। 

Balasore Train Accident