/odisha-reporter/media/media_files/2025/11/05/actor-2025-11-05-17-47-40.jpg)
ଯାତ୍ରା କଳାକାର ଦେବୀ ପ୍ରସାଦ ରଥ
ଯାତ୍ରା କଳାକାର ଦେବୀ ପ୍ରସାଦ ରଥଙ୍କର ଆଜି ଭୋରରେ ପାରାଦୀପଗଡ଼ ସ୍ଥିତ ବାସଭବନରେ ପରଲୋକ ହୋଇଯାଇଛି। ମୃତ୍ୟୁ ବେଳକୁ ତାଙ୍କୁ ୭୧ ବର୍ଷ ହୋଇଥିଲା। ହୃଦଘାତରେ ତାଙ୍କର ମୃତ୍ୟୁ ହୋଇଛି। ତେବେ କାର୍ତ୍ତିକ ପୂର୍ଣ୍ଣିମା ଶୋଭାଯାତ୍ରା ବେଳେ ଡିଜେର ବିକଟାଳ ଶବ୍ଦ ଯୋଗୁ ତାଙ୍କର ହୃଦଘାତ ହୋଇ ମୃତ୍ୟୁ ଘଟିଥିବା ଅଭିଯୋଗ କରିଛନ୍ତି ତାଙ୍କ ପୁଅ ସମ୍ବିତ ରଥ।
ସେ କହିଛନ୍ତି, ବାପାଙ୍କର ଶ୍ୱାସରୋଗରେ ପୀଡ଼ିତ ଥିଲେ। ଗତ ଦେଢ଼ ମାସ ହେଲାଣି ତାହା ବହୁତ ବଢ଼ିଯାଇଥିଲା। ଭୁବନେଶ୍ୱର ନେଇ ତାଙ୍କର ଚିକିତ୍ସା କରାଯାଇଥିଲା। ତାଙ୍କର ହାର୍ଟବିଟ୍ ଦୁର୍ବଳ ହୋଇଯାଇଥିଲା। କାଲି ତାଙ୍କୁ ଅଧିକ ଖରାପ ଲାଗିଥିଲା। ତେଣୁ ଡାକ୍ତରଙ୍କ ପରାମର୍ଶକ୍ରମେ ଚିକିତ୍ସା କରାଯାଇଥିଲା। କିନ୍ତୁ ମୁଁ ଭାବୁଛି, ଗତକାଲି ଆମ ଛକ ଉପରେ ତିନିଟି ଡିଜେ ବାଜିଥିଲା। ତା’ ଶବ୍ଦରେ ଆମ ଝରକା ବି ହଲିଯାଇଥିଲା। ତେଣୁ ଜଣେ ବ୍ୟକ୍ତି ଯାହାଙ୍କ ହାର୍ଟ ଦୁର୍ବଳ ଅଛି, ସେ କେତେ ସମୟ ବଞ୍ଚିପାରିବ। ଆମେ ଭାବୁଛୁ ସେହି ଡିଜେ ଶବ୍ଦ ଯୋଗୁ ବାପାଙ୍କର ହୃଦ୍ଘାତ ହୋଇଗଲା। ତିନିଟି ଡିଜେ ଏକସଙ୍ଗରେ ବାଜୁଥିଲା। ସମସ୍ତଙ୍କୁ କହିଲି। କେହି ଶୁଣିଲେନି।
ସମ୍ବିତ କହିଛନ୍ତି, ଗତକାଲି ରାତି ସାଢ଼େ ୨ଟା ପର୍ଯ୍ୟନ୍ତ ସେ ଠିକ୍ ଥିଲେ। ଯଦିଓ ଧଇଁସଇଁ ହେଉଥିଲେ ଓ ଇନ୍ହେଲର ନେଉଥିଲେ, ତଥାପି ମୋଟାମୋଟି ଠିକ୍ ଥିଲେ। କିନ୍ତୁ ତା’ପରେ ଏହି ଡିଜେ ବାଜିବା ପରେ ସେ ସେହି ଶବ୍ଦକୁ ସମ୍ଭାଳି ପାରିନଥିଲେ ବୋଲି ଆମେ ଭାବୁଛୁ।
ଅନ୍ୟପକ୍ଷରେ ଦେବୀ ରଥଙ୍କ ଘର ପାଖରେ ଡିଜେ ବାଜିନି ବୋଲି କହିଛନ୍ତି ଡିଜେ ସଂଘ ସଭାପତି ଶିଶିର ଦାସ। ସେ କହିଛନ୍ତି, କାର୍ତ୍ତିକ ପୂର୍ଣ୍ଣିମା ଶୋଭାଯାତ୍ରା ବେଳେ ବାଜାକୁ ନେଇ ପ୍ରତିଦ୍ୱନ୍ଦ୍ୱିତା ହୋଇଥିବା ଜାଣିଛି। ଡିଜେ ଉପରେ ଅଙ୍କୁଶ ଲାଗିଛି। ମାତ୍ର ବାଜାକୁ ନେଇ କୌଣସି କଟକଣା ନାହିଁ। ସେଥିପାଇଁ ଏକ ଅମୂଲ୍ୟ ଜୀବନ ଚାଲିଗଲା। ସେଥିପାଇଁ ଆମେ ଦୁଃଖିତ। କେନ୍ଦ୍ରାପଡ଼ାରୁ ବାଜା ଦଳ ଆସିଥିଲେ। ସେମାନଙ୍କୁ ଦଣ୍ଡିତ କରାଯାଉ।
ଦେବୀ ରଥ ନିଜର ନିଆରା ଅଭିନୟ ପାଇଁ ଯାତ୍ରା ଜଗତରେ ବେଶ୍ ପରିଚିତ ଥିଲେ । ବିଶେଷକରି ସମ୍ଭ୍ରାନ୍ତ ବାପା, ଜମିଦାର ଭଳି ଭୂମିକାରେ ଯିଏ ଦେବୀଙ୍କୁ ଥରେ ଦେଖିଛି, ସେ ସବୁଦିନ ପାଇଁ ତାଙ୍କୁ ମନେ ରଖିଛନ୍ତି। ୪୦ ବର୍ଷର କ୍ୟାରିୟର ଭିତରେ ଶହେରୁ ଅଧିକ ନାଟକରେ ଅଭିନୟ କରିଛନ୍ତି ଦେବୀ ରଥ । ଜେଲ ଟାଇଗର ନାଟକ ପାଇଁ ସାରା ଓଡ଼ିଶାରେ ଚହଳ ପକାଇଥିଲେ ଦେବୀ । ରାଜ୍ୟର ଅନେକ ନାମୀଦାମୀ ଯାତ୍ରା ଅନୁଷ୍ଠାନର ଲିଡ୍ ଆର୍ଟିଷ୍ଟ ଥିଲେ ସେ । ୨୦୧୭ ପରେ ଅସୁସ୍ଥ କାରଣ ପାଇଁ ଦେବୀ ଆଉ ଯାତ୍ରାରେ ଅଭିନୟ କରୁନଥିଲେ। ଶ୍ୱାସରୋଗ ପାଇଁ ତାଙ୍କର ନିୟମିତ ଚିକିତ୍ସା ଚାଲିଥିଲା ।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
