ଦେବଗଡ଼(ସିଦ୍ଧାର୍ଥ ଗୁରୁ): ଦୁର୍ବ୍ୟବହାରରେ ଶିକାର ହୋଇଛନ୍ତି ସମ୍ୱଲପୁର ସାଂସଦ ନିତେଶ ଗଙ୍ଗଦେବଙ୍କ ପତ୍ନୀ ତଥା ଦେବଗଡ଼ ରାଣୀ ଅରୁନ୍ଧତୀ କୁମାରୀ। ଆଉ ତାଙ୍କୁ ଦୁର୍ବ୍ୟବହାର କରିଛନ୍ତି ଦେବଗଡ଼ ବିଜେପି ବିଧାୟକଙ୍କ ସମ୍ପର୍କୀୟ ଭାଇ। ଏ ସମ୍ପର୍କରେ ରାଣୀ ଖୋଦ୍ ଦେବଗଡ଼ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ଅନ୍ୟପକ୍ଷରେ ରାଣୀଙ୍କ ବିରୋଧରେ ମଧ୍ୟ ଥାନାରେ ଅଭିଯୋଗ ହୋଇଛି।
ହକି ବିଶ୍ୱକପ ଟ୍ରଫି ଦେବଗଡ଼ ସହର ରାଜା ସାର ବାସୁଦେବ ସୁଢଳଦେବଙ୍କ ପ୍ରତିମୂର୍ତ୍ତି ଆଗରେ ହୋଇଥିବା ଷ୍ଟାଣ୍ଡରେ ରହିବାର ଥିଲା। ଟ୍ରଫିକୁ ସ୍ୱାଗତ କରିବା ପାଇଁ ମହାରାଣୀ ଅରୁନ୍ଧତୀ କୁମାରୀ ଦେବୀ ଓ ତାଙ୍କ ସାଥୀଙ୍କ ସହିତ ଅନେକ ଲୋକ ସେଠାରେ ଏକତ୍ର ହୋଇଥିଲେ। ନିର୍ଦ୍ଧାରିତ ସମୟରେ ଟ୍ରଫି ଆସିଥିଲା। ମାତ୍ର ଟ୍ରଫି ଥିବା ଗାଡ଼ି ଟିକେ ଆଗକୁ ପଳାଇ ଯାଇ ଅଟକି ଥିଲା। ରାଣୀ ଓ ତାଙ୍କ ସହିତ ଥିବା ଅନ୍ୟ ମହିଳାମାନେ ଟ୍ରଫି ପାଖକୁ ଯିବା ବେଳେ କେତେକ ଲୋକ ସେଠାରେ ଠେଲାଠେଲି ଗାଡି ଉପରକୁ ଚଢ଼ି ଯାଇଥିଲେ।
ତେଣୁ ମହିଳାମାନେ ଆଉ ଟ୍ରଫି ପାଖକୁ ଯାଇପାରିଲେ ନାହିଁ। ଯେତେବେଳେ ସେମାନେ ଟ୍ରଫି ଥିବା ଗାଡ଼ିରୁ ଓହ୍ଲାଇଲେ, ସେତେବେଳେ ଖରାପ ଭାଷାରେ ଗାଳି ଦେଉଥିଲେ। ରାଣୀଙ୍କ ସହିତ ଥିବା ଅନ୍ୟ ମହିଳାଙ୍କ ଜାତିକୁ ନେଇ ଆକ୍ଷେପ କରିବା ସହ ତାଙ୍କୁ ଦୁର୍ବ୍ୟବହାର କରିଥିବା ଅଭିଯୋଗ ହୋଇଥିଲା। ଦେବଗଡ଼ ବିଧାୟକ ସୁବାସ ଚନ୍ଦ୍ର ପାଣିଗ୍ରାହୀଙ୍କ ସମ୍ପର୍କୀୟ ଭାଇ ସତ୍ୟନାରାୟଣ ପାଣି ଦୁର୍ବ୍ୟବହାର କରିଥିବା ରାଣୀ ଅଭିଯୋଗ କରିଛନ୍ତି। ଗଣ୍ଡଗୋଳକୁ ପୁଲିସ୍ କଣ୍ଟ୍ରୋଲ୍ କରିବା ପରେ ପରିବେଶ ଶାନ୍ତ ପଡ଼ିଥିଲା। ପରେ ରାଣୀ ଏନେଇ ଥାନାରେ ଲିଖିତ ଅଭିଯୋଗ କରିଥିଲେ। ଅନ୍ୟପକ୍ଷରେ ଧର୍ମପତ୍ନୀଙ୍କ ସହ ଘଟିଥିବା ଏହି ଘଟଣା ସମ୍ପର୍କରେ ନିଜେ ସମ୍ୱଲପୁର ସାଂସଦ ନିତେଶ ଗଙ୍ଗଦେବ ମୁଖ୍ୟମନ୍ତ୍ରୀ, ୫-ଟି ସଚିବ ଓ ଦେବଗଡ ଏସ୍ପିଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ।
ରାଣୀ ଅରୁନ୍ଧତୀ କୁମାରୀ ଦେବୀ କହିଛନ୍ତି, “ନାରୀ ଶକ୍ତି ହେଉଛନ୍ତି ସବୁଠାରୁ ବଡ଼ ଶକ୍ତି। ଆମେ ନାରୀଙ୍କୁ ପୂଜା କରୁଛୁ। ଆମ ମାଆ ଓ ଭଉଣୀ ନାରୀ ଅଛନ୍ତି। ନାରୀମାନେ ଯେତେବେଳେ ଏତେ ଆଗକୁ ଯାଇସାରିଛନ୍ତି, ସେତେବେଳେ ଦୁର୍ବଳ ଭାବି କାହିଁକି ଆମକୁ ଦୁର୍ବ୍ୟବହାର କରୁଛନ୍ତି।”
ସେପଟେ ରାଣୀ ଅରୁନ୍ଧତୀଙ୍କ ବିରୋଧରେ ପାଲଟା ଅଭିଯୋଗ କରିଛନ୍ତି ସତ୍ୟନାରାୟଣ ପାଣି। ଜିଲ୍ଲା ପ୍ରଶାସନର ପରାମର୍ଶ କ୍ରମେ ଘରୋଇ ବସ୍ ମାଲିକ ସଙ୍ଘ ପକ୍ଷରୁ ଟ୍ରଫିକୁ ସ୍ୱାଗତ ପାଇଁ ଡେକୋରେସନ କରାଯାଇଥିଲା। ମାତ୍ର ରାଣୀ ଏହାକୁ ଭାଙ୍ଗିବାକୁ କହିଥିବା ବେଳେ ପାର୍ଶ୍ୱରେ ଥିବା ରାଜା ସାର ବାସୁଦେବ ସୁଢଳଦେବଙ୍କ ପ୍ରତିମୂର୍ତ୍ତି ନିକଟରେ ସ୍ୱାଗତ କରିବାକୁ କହିଥିଲେ। ମାତ୍ର ଘରୋଇ ବସ୍ ମାଲିକ ସଂଘ ଏଥିରେ ରାଜିନ ହୋଇ ପୂର୍ବରୁ ହୋଇଥିବା ଡେକୋରେସନ୍ ସ୍ଥାନରେ ଟ୍ରଫି ଅଟକିଥିଲା। ଏଥିରେ କ୍ଷୁବ୍ଧ ହୋଇ ରାଣୀ ଅରୁନ୍ଧତୀ ସର୍ବ ସମ୍ମୁଖରେ ଧମକ ଦେଇଥିବା ସତ୍ୟନାରାୟଣ ଅଭିଯୋଗ କରିଛନ୍ତି।
ଏନେଇ ସେ ଦେବଗଡ ଥାନାରେ ଲିଖିତ ଅଭିଯୋଗ କରିଥିଲେ। ପୁଲିସ ପ୍ରାଥମିକ ତଦନ୍ତ ପରେ ୨ଟି ଷ୍ଟେସନ ଡାଇରି କରିଥିବା ଆଇଆଇସି ସୁରେନ୍ଦ୍ର ନାୟକ ସୂଚନା ଦେଇଛନ୍ତି।