ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଦକ୍ଷିଣ ପୂର୍ବ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ଏବେ ଡିପ୍ରେସନରୁ ଡିପ୍ ଡିପ୍ରେସନର ରୂପ ନେଇଛି। ଏହା ଚେନ୍ନାଇଠାରୁ ୭୩୦ କିଲୋମିଟର ଦୂରରେ ରହିଥିବା ବେଳେ ମଛଲିପଟ୍ଟନମଠାରୁ ୯୩୦ କି.ମି. ଦୂରରେ ରହିଛି। ଏହା ପୂର୍ବ ଓ ଦକ୍ଷିଣ-ପୂର୍ବରେ କେନ୍ଦ୍ରୀଭୂତ ହୋଇଛି।
ଆସନ୍ତା ୧୨ ଘଣ୍ଟାରେ ଏହା ଘୂର୍ଣ୍ଣିଝଡ଼ ରୂପ ନେବାର ସମ୍ଭାବନା ଥିବାରୁ ରାଜ୍ୟର ସମସ୍ତ ବନ୍ଦରରେ ୧ ନମ୍ବର ବିପଦ ସଂକେତ ଜାରି ହୋଇଛି।
ଏହାର ପ୍ରଭାବରେ ଓଡ଼ିଶାରେ ବର୍ଷା ସମ୍ଭାବନା ରହିଛି। ଆସନ୍ତା ୧୬ ଏବଂ ୧୭ ତାରିଖରେ ଦକ୍ଷିଣ ଓ ଆଭ୍ୟନ୍ତରୀଣ ଓଡ଼ିଶାରେ ବର୍ଷା ହୋଇପାରେ। ଆସନ୍ତାକାଲିଠାରୁ ସାରା ରାଜ୍ୟରେ ବର୍ଷା ହେବା ସହ କୋହଲା ପାଗ ଲାଗି ରହିବ ବୋଲି ପୂର୍ବାନୁମାନ କରିଛି ପାଣିପାଗ ବିଭାଗ।
ଏହାସହ ଅମଳ ହୋଇ ବିଲରେ ପଡ଼ିଥିବା ଫସଲକୁ ସୁରକ୍ଷା ଦେବାକୁ ପଦକ୍ଷେପ ନେବା ପାଇଁ ଜିଲ୍ଲାପାଳମାନଙ୍କୁ ନିର୍ଦ୍ଦେଶ ଦିଆଯାଇଥିବା ଜଏଣ୍ଟ ରିଲିଫ୍ କମିଶନର ପ୍ରଭାତ ରଞ୍ଜନ ମହାପାତ୍ର ସୂଚନା ଦେଇଛନ୍ତି।
ସେ କହିଛନ୍ତି, “ସମ୍ଭାବ୍ୟ ବାତ୍ୟାକୁ ଦୃଷ୍ଟିରେ ରଖି ଓୟୁଏଟି ଓ କୃଷି ବିଭାଗ ପକ୍ଷରୁ ଆଡଭାଇଜରୀ ଜାରି କରାଯାଇଛି।”