ଜଳେଶ୍ୱର(ଅଜିତ କୁମାର ଦାସ): ୨.୬ କିଲୋମିଟର ରାସ୍ତା ନିର୍ମାଣ ପାଇଁ ୧୯ ବର୍ଷ ତଳେ ଶୁଭ ପଡ଼ିଥିଲା। ଶୁଭ ଦେଇଥିଲେ ତତ୍କାଳିନ ମତ୍ସ୍ୟ ଓ ପ୍ରାଣୀ ଧନ ବିକାଶ ମନ୍ତ୍ରୀ ତଥା ବର୍ତ୍ତମାନର ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ହେଲେ ଏ ପର୍ଯ୍ୟନ୍ତ ସରିପାରୁନି ଏହି ରାସ୍ତା କାମ। ଏହି ପ୍ରକଳ୍ପକୁ ଅନେକ ଥର ସମୀକ୍ଷା କରାଯାଇଛି, ମନ୍ତ୍ରୀ ଓ ପ୍ରଶାସନିକ ଅଧିକାରୀ ଘଟଣାସ୍ଥଳକୁ ଆସି ସ୍ଥିତି ପରଖି ଛନ୍ତି। ହେଲେ ପ୍ରକଳ୍ପ ଭାଗ୍ୟ ବଦଳୁନି। ବାଲେଶ୍ୱର ଜିଲ୍ଲା ଭୋଗରାଇ ବ୍ଲକ ଅନ୍ତର୍ଗତ ଉଦୟପୁର ଠାରୁ ତାଳସାରୀ ୨.୬କି.ମି ସମୁଦ୍ର ତଟ ରାସ୍ତା ଉନ୍ନତି କରଣରେ ଏଭଳି ବିଡ଼ମ୍ବନା ଦେଖାଦେଇଛି।
ଆଜି ବାଲେଶ୍ୱର ଜିଲ୍ଲାପାଳ ଦତାତ୍ରେୟ ଭାଉ ସାହେବ ସିନେ ଭୋଗରାଇ ଗସ୍ତରେ ଆସି ଉଦୟପୁର ଓ ତାଳସାରୀ ବେଳାଭୂମିର ଉନ୍ନୟନ କାର୍ଯ୍ୟ ଅନୁଧ୍ୟାନ କରିଥିଲେ। କାର୍ଯ୍ୟର ମନ୍ଥରତାକୁ ନେଇ ଜଳସମ୍ପଦ ବିଭାଗ ଯନ୍ତ୍ରୀମାନଙ୍କ ଉପରେ ଜିଲ୍ଲାପାଳ ଅସନ୍ତୋଷ ପ୍ରକଟ କରିଥିଲେ। ଏନେଇ ଜଳସମ୍ପଦ ବିଭାଗର ସଚିବ ମୋନା ଶର୍ମା ଏବଂ ପର୍ଯ୍ୟଟନ ସଚିବଙ୍କୁ ଲିଖତ ଅବଗତ କରାଯିବ ବୋଲି କହିଥିଲେ। ଏହାଛଡା ଜଳସମ୍ପଦ ବିଭାଗ ଅଧୀନରେ ଜିଲ୍ଲାର ସମସ୍ତ କାର୍ଯ୍ୟକୁ ବ୍ୟାନ କରାଯିବ ବୋଲି ସେ କଡା ଚେତାବନୀ ଦେଇଥିଲେ। ଏହି ସ୍ଥିତି ପରିଦର୍ଶନ ବେଳେ ଜିଲ୍ଲାପାଳଙ୍କ ସହ ଜିଲ୍ଲା ପର୍ଯ୍ୟଟନ କାର୍ଯ୍ୟାଳୟ ସହକାରୀ ନିର୍ଦ୍ଦେଶକ ଗଗନ କୁମାର ସାହୁ, ଭୋଗରାଇ ବିଡିଓ ଶଙ୍କର ପଟ୍ଟନାୟକ, ତହସିଲଦାର କମଳାକାନ୍ତ ପଣ୍ଡା, ଜଳ ସମ୍ପଦ ବିଭାଗ ଅଧୀକ୍ଷଣ ଯନ୍ତ୍ରୀ ପ୍ରଭାସ ପ୍ରଧାନ ପ୍ରମୁଖ ଉପସ୍ଥିତ ଥିଲେ। ଏନେଇ ସେ ଗଣମାଧ୍ୟମକୁ କହିଛନ୍ତି, ପ୍ରକଳ୍ପ ସାରିବା ନିମନ୍ତେ ଅଧିକ ଠିକାସଂସ୍ଥାଙ୍କୁ ନିୟୋଜିତ କରାଯିବ।
ସୂଚନା ମୁତାବକ, ଉଦୟପୁର ଠାରୁ ତାଳସାରୀ ୨.୬କି.ମି ସମୁଦ୍ର ତଟର ଉନ୍ନତି କରଣ ଲାଗି ପାଖାପାଖି ୩୦କୋଟି ଟଙ୍କା ମଞ୍ଜୁର ହୋଇଛି। ଜଳସମ୍ପଦ ବିଭାଗ ଏହାର ଉନ୍ନତିକରଣ କାର୍ଯ୍ୟଭାର ନେଇଛି। ବାରମ୍ବାର ପ୍ରକଳ୍ପ କାର୍ଯ୍ୟ ସାରିବା ଅବିଧିକୁ ଘୁଞ୍ଚାଇ ଦିଆଯାଉଛି। ନୂଆ ଅବଧି ମୁତାବକ ଚଳିତ ବର୍ଷ ଅଗଷ୍ଟ ୩୧ ସୁଦ୍ଧା କାର୍ଯ୍ୟ ଶେଷ କରିବାର ଥିଲା। ନିର୍ଦ୍ଧାରିତ ସମୟରେ ପ୍ରକଳ୍ପ କାମ ସାରିବାରେ ପୁନଶ୍ଚ ଠିକାସଂସ୍ଥା ଓ ଜଳସମ୍ପଦ ବିଭାଗ ଫେଲ ମାରିଛି।
ଏହି ପ୍ରକଳ୍ପର ନିର୍ମାଣାଧୀନ ପ୍ରାଚୀର କାର୍ଯ୍ୟ ମାତ୍ର ୧୮୦୦ମିଟର ହୋଇପାରିଛି। ବାକି କାମ କେବେ ହେବ ତାହାକୁ ନେଇ ପ୍ରଶ୍ନବାଚୀ ଉଠିଛି। ଏହାଛଡା ୪ଟି ଭିଉଡେକ, ୯ଟି ଲ୍ୟାମ୍ପ କାର୍ଯ୍ୟ ହୋଇନାହିଁ। ପଥର ମିଳୁନାହିଁ ବୋଲି ଆଳ ଦେଖାଇ ସମୟ ଗଡାଇ ଚାଲିଛନ୍ତି ଠିକାସଂସ୍ଥା ଓ ସରକାରୀ ବିଭାଗ।
ଜଳସମ୍ପଦ ବିଭାଗ ଏହି ପ୍ରକଳ୍ପ କାମ ସରିବାରେ ବିଳମ୍ବ କରୁଥିବା ଯୋଗୁ ୨୯କୋଟି ଟଙ୍କା ବିନିଯୋଗରେ ହେବାକୁ ଥିବା ବେଳାଭୂମୀ ସୌନ୍ଦର୍ଯ୍ୟକରଣ କାର୍ଯ୍ୟ ଅଟକି ରହିଛି। ସୌନ୍ଦର୍ଯ୍ୟକରଣ କାମକୁ ଏନବିସିସି ଠିକା କମ୍ପାନୀ ସେପ୍ଟେମ୍ବର ୧ତାରିଖରୁ ଆରମ୍ଭ କରିଥିଲେ ହେଁ ମାତ୍ର ୨୩୦ମିଟର ଅଞ୍ଚଳରେ କାମ ଶେଷ କରି ଚୁପ ହୋଇ ବସିଛି। ଆସନ୍ତା ମାର୍ଚ୍ଚ ୩୧ତାରିଖ ସୁନ୍ଧା ଏହି କାର୍ଯ୍ୟ ଶେଷ ହେବ ବୋଲି କମ୍ପାନୀର ଜିଏମ ବିଭୁଦତ ମିଶ୍ର ପ୍ରକାଶ କରିଥିଲେ।
ଅନ୍ୟପକ୍ଷରେ ୨.୬ କିମି ସମୁଦ୍ର ତଟର ଉନ୍ନତିକରଣ ପାଇଁ କୋଟି କୋଟି ଟଙ୍କର ଅନୁଦାନ ଆସୁଥିଲେ ହେଁ ନିମ୍ନମାନର କାମ ଯୋଗୁ ପ୍ରକଳ୍ପ ସାମାନ୍ୟ ପ୍ରାକୃତିକ ବିପର୍ଯ୍ୟୟରେ କ୍ଷତିଗ୍ରସ୍ତ ହେଉଥିବା ସମାଜିକ କର୍ମୀ ସଂଜୀବ ସାହୁ ଅଭିଯୋଗ କରିଛନ୍ତି। ସେ କହିଛନ୍ତି, ୨୬ ଏପ୍ରିଲ ୨୦୧୩ରେ ତତ୍କାଳିନ ମନ୍ତ୍ରୀ ଥିବା ଦ୍ରୌପଦୀ ମୁର୍ମୁ ତାଳସାରୀ ବେଳାଭୂମି ଉନ୍ନତିକରଣ ନିମନ୍ତେ ଭିତ୍ତିପ୍ରସ୍ତର ଦେଇ ଯାଇଥିଲେ। ସେ ଏବେ ରାଷ୍ଟ୍ରପତି। ଏହା ଭିତରେ ୨୦ ବର୍ଷ ବିତିବାକୁ ବସିଛି। ମାତ୍ର ଉନ୍ନତିକରଣ କାମ ସରିପାରୁନି। ଏହି ସମୟ ଭିତରେ ପ୍ରକଳ୍ପ କାମ ଦେଖିବାକୁ ମୁଖ୍ୟମନ୍ତ୍ରୀଙ୍କ ସମେତ ୫ଟି ସଚିବ, ପର୍ଯ୍ୟଟନ ମନ୍ତ୍ରୀ ମଧ୍ୟ ଅନେକ ଥର ଆସିଛନ୍ତି। ହେଲେ ପ୍ରକଳ୍ପ ଭାଗ୍ୟ ବଦଳୁନି। ପ୍ରକଳ୍ପ କାମ ନିମନ୍ତେ ବ୍ୟୟ ଖର୍ଚ୍ଚ ବଢ଼ି ଚାଲିଛି, ଠିକାଦାର ମାଲେମାଲ ହେଉଛି, ହେଲେ ଅସଲ ଉଦ୍ଦେଶ୍ୟ ପୂରଣ ହୋଇପାରୁନି।
[caption id="attachment_776799" align="aligncenter" width="650"]
ସ୍ଥାନୀୟ ବାସିନ୍ଦା ଅଭିଯୋଗ କରିଛନ୍ତି, ପ୍ରକଳ୍ପ ଶୁଭ ପଡ଼ିବା ଦିନ ଠାରୁ ଏ ପର୍ଯ୍ୟନ୍ତ ଅନେକ ବାତ୍ୟା ଆସିଛି। ପ୍ରକଳ୍ପ ସାରିବାରେ ବିଳମ୍ବ ଯୋଗୁ ସମୁଦ୍ର ମାଡ଼ି ଆସି ରାସ୍ତା ଓ ପଡ଼ିଥିବା ପଥର ଧୋଇ ନେଉଛି। ପ୍ରକଳ୍ପ ନିମନ୍ତେ ୨୦୧୮-୧୯ରେ ୧୭ କୋଟି, ୨୦୨୦ ପୁଣି ୬ କୋଟି ମଞ୍ଜୁର ହୋଇଛି। ତେବେ ନେତା, ଅଫିସର ଓ ଠିକାଦାରଙ୍କ ମଧୁଚନ୍ଦ୍ରିକା ଯୋଗୁ ପ୍ରକଳ୍ପ ପୂର୍ଣ୍ଣତା ପାଇପାରୁନି।