କାହିଁକି ଯୋରନ୍ଦା ମହିମା ପୀଠରେ ବୁଲିଲା ବୁଲଡୋଜର? ପଢନ୍ତୁ ପୂରା ରିପୋର୍ଟ

ଢେଙ୍କାନାଳ (ରାଜଶ୍ରୀ ଶତପଥୀ): ଯୋରନ୍ଦା ଗାଦିରେ ବୁଲିଲା ବୁଲଡୋଜର। ମାଟିରେ ମିଶିଲା ଅଖଣ୍ଡ ବତୀ ମନ୍ଦିର ଓ ଧୂନି ଘର। ବିଶ୍ୱ ପ୍ରସିଦ୍ଧ ଢେଙ୍କାନାଳ ଜିଲ୍ଲାର ଯୋରନ୍ଦା ଆଶ୍ରମରେ ଆଜି ଏପରି ଢ଼ଙ୍ଗରେ ପ୍ରଶାସନ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। ତେବେ ଏଠି ମନରେ ପ୍ରଶ୍ନ ଉଠୁଛି, ମହିମା ଅଲେଖ ଧର୍ମାବଲମ୍ୱୀଙ୍କ ଆସ୍ଥା ଓ ବିଶ୍ୱାସ ଉପରେ କ’ଣ ପାଇଁ  ପ୍ରଶାସନ ବୁଲ୍‌ଡ଼ୋଜର ବୁଲାଇଲା? ଯଦି କିଛି ସମସ୍ୟା ଥିଲା, ତାହାହେଲେ ସମାଧାନ କାହିଁକି ହୋଇପାରିଲା ନାହିଁ? ଏପରି […]

Mahima Shrine

  • Published: Tuesday, 22 November 2022
  • , Updated: 22 November 2022, 09:04 PM IST

ଢେଙ୍କାନାଳ (ରାଜଶ୍ରୀ ଶତପଥୀ): ଯୋରନ୍ଦା ଗାଦିରେ ବୁଲିଲା ବୁଲଡୋଜର। ମାଟିରେ ମିଶିଲା ଅଖଣ୍ଡ ବତୀ ମନ୍ଦିର ଓ ଧୂନି ଘର। ବିଶ୍ୱ ପ୍ରସିଦ୍ଧ ଢେଙ୍କାନାଳ ଜିଲ୍ଲାର ଯୋରନ୍ଦା ଆଶ୍ରମରେ ଆଜି ଏପରି ଢ଼ଙ୍ଗରେ ପ୍ରଶାସନ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। ତେବେ ଏଠି ମନରେ ପ୍ରଶ୍ନ ଉଠୁଛି, ମହିମା ଅଲେଖ ଧର୍ମାବଲମ୍ୱୀଙ୍କ ଆସ୍ଥା ଓ ବିଶ୍ୱାସ ଉପରେ କ’ଣ ପାଇଁ  ପ୍ରଶାସନ ବୁଲ୍‌ଡ଼ୋଜର ବୁଲାଇଲା? ଯଦି କିଛି ସମସ୍ୟା ଥିଲା, ତାହାହେଲେ ସମାଧାନ କାହିଁକି ହୋଇପାରିଲା ନାହିଁ? ଏପରି ମାଳମାଳ ପ୍ରଶ୍ନ ଭିତରେ ଆସନ୍ତୁ ଖୋଜିବା ଉତ୍ତର ଓ ନଜର ପକାଇବା ପୂରା ଘଟଣା ଉପରେ।

ବିଶ୍ୱ ପ୍ରସିଦ୍ଧ ଢେଙ୍କାନାଳ ଜିଲ୍ଲାର ଯୋରନ୍ଦା ଅଲେଖ ମହିମା ପୀଠ ପରିସରରେ ମୁଖ୍ୟ ଆରାଧନା ସ୍ଥଳୀ ହେଉଛି ଗାଦୀ ମନ୍ଦିର ତଥା ଶୂନ୍ୟ ମନ୍ଦିର। ଏହି ମନ୍ଦିର ବେଢାକୁ ଲାଗି ୨୮ ଡିସିମିଲ୍‌ ଜାଗାରେ କୌପୀନଧାରୀ ମହିମା ସମାଜ ପକ୍ଷରୁ ୧୯୩୯ ମସିହାରେ ତିଆରି କରାଯାଇଥିଲା ଧୂନି ମନ୍ଦିର, ଅଖଣ୍ଡ ବତୀ ମନ୍ଦିର, ଅହ୍ମଣିଆ ମଣ୍ଡପ ଓ ଛୋଟ ଛୋଟ ମହିମା ଟୁଙ୍ଗି। ଯାହାକୁ ବିରୋଧ କରି ୧୯୪୫ ମସିହାରେ ବକଳଧାରୀ ମହିମା ସମାଜ ପକ୍ଷରୁ ମହିମା ସନ୍ନ୍ୟାସୀମାନେ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। ଅନେକ ବାଦ ବିବାଦ ଭିତରେ ସ୍ଥାନୀୟ ବୁଦ୍ଧିଜୀବୀ ଓ ପ୍ରଶାସନ ପକ୍ଷରୁ ଆପୋଷ ବୁଝାମଣା ପାଇଁ ବାରମ୍ବାର ଚେଷ୍ଟା କରାଯାଇଥିଲା। ହେଲେ ସମସ୍ତ ଚେଷ୍ଟା ବିଫଳ ହୋଇଥିଲା। ପରବର୍ତ୍ତୀ ସମୟରେ ଏହି ଜାଗା ଉପରେ ଉଭୟଙ୍କ ଦାବି ରହିଥିବାରୁ ବିବାଦୀୟ ୨୮ ଡିସିମିଲ୍‌ ସ୍ଥାନକୁ ସମ୍ପୂର୍ଣ୍ଣ ଖାଲି କରିବା ପାଇଁ ହାଇକୋର୍ଟଙ୍କ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଥିଲା।

ହାଇକୋର୍ଟଙ୍କ ନିର୍ଦ୍ଦେଶ ପାଳନ କରିବାକୁ ଯାଇ ଜାଗା ଖାଲି କରିବା ପାଇଁ ପ୍ରଶାସନ ଉଦ୍ୟମ କରିଥିଲା। ହେଲେ କୌପୀନଧାରୀ ମହିମା ସମାଜ ପକ୍ଷରୁ ଏହା ଉପରେ ରହିତାଦେଶ ପାଇଁ ଆବେଦନ କରାଯାଇଥିଲା। କୋର୍ଟଙ୍କ ନିର୍ଦ୍ଦେଶ ଅନୁସାରେ ଏଠାରେ ରହିତାଦେଶ ଜାରି କରାଯାଇଥିଲା। ପରେ ପୁନର୍ବାର କୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ ବକଳଧାରୀ ମହିମା ସମାଜ। ପରିଶେଷରେ ସମଗ୍ର ଅଞ୍ଚଳକୁ ଖାଲି କରିବାକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଥିଲେ। ଏହା ପରେ ପ୍ରଶାସନ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। ସେହି କ୍ରମରେ ଆଜି ସେଠାରେ ୧୪୪ ଧାରା ଜାରି କରାଯାଇଥିଲା। ତା’ ସହ ସାଧାରଣ ଲୋକଙ୍କୁ ପୀଠ ଭିତରକୁ ପ୍ରବେଶ ଉପରେ ବାରଣ କରାଯାଇଥିଲା। ସୁରକ୍ଷା ଦୃଷ୍ଟିରୁ ପୀଠରେ ପାଞ୍ଚ ପ୍ଲାଟୁନ ପୁଲିସ ଫୋର୍ସ ମୁତୟନ କରାଯାଇଥିଲା। ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ଉଚ୍ଛେଦ କାର୍ଯ୍ୟକ୍ରମ କରାଯାଇଥିଲା।

ଅପର ପକ୍ଷରେ ସେହି ଜାଗାରେ ଦୀର୍ଘ ଦିନ ଧରି ଦଖଲରେ ଥିବା କୌପୀନଧାରୀ ମହିମା ସନ୍ନ୍ୟାସୀମାନଙ୍କୁ ସେହି ପରିସର ମଧ୍ୟରେ ଅନ୍ୟତ୍ର ଥଇଥାନ କରି ଏହାକୁ ଉଚ୍ଛେଦ କରିବା ପାଇଁ ହାଇକୋର୍ଟଙ୍କ ନିର୍ଦ୍ଦେଶ ଥିବା ବେଳେ ତାହାକୁ କାର୍ଯ୍ୟକାରୀ କରାଯାଇ ନାହିଁ ବୋଲି ଅଭିଯୋଗ କରିଛନ୍ତି କୌପୀନଧାରୀ ମହିମା ସମାଜ ପକ୍ଷର ଓକିଲ। ଏହା ବିରୋଧରେ ସେମାନେ ପୁନର୍ବାର କୋର୍ଟଙ୍କ ଦ୍ୱାରସ୍ଥ ହେବେ ବୋଲି କହିଛନ୍ତି।

Related story