ପରିକ୍ରମା ପ୍ରକଳ୍ପ ନିର୍ମାଣକୁ ଗଜପତିଙ୍କ ସମର୍ଥନ, କହିଲେ ଶ୍ରୀମନ୍ଦିର ସୁରକ୍ଷିତ ଅଛି

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଆମସାର୍ ଆକ୍ଟ-୧୯୫୮କୁ ଉଲ୍ଲଘଂନ କରି ମହାପ୍ରଭୁ ଶ୍ରୀଜଗନ୍ନାଥ ମନ୍ଦିରର ୧୦୦ମିଟର ନିଷେଧାଂଚଳ ଭିତରେ ଚାଲିଥିବା ନିର୍ମାଣକୁ ନେଇ ବିଧାନସଭାରୁ ସଂସଦ ପର୍ଯ୍ୟନ୍ତ ଉଦବେଗ, ହାଇକୋର୍ଟରେ ମାମଲା ଓ ବିଭିନ୍ନ ମହଲରେ ତୀବ୍ର ବିରୋଧ ପରେ ପୁରୀ ଗଜପତି ମହାରାଜା ଦିବ୍ୟସିଂହ ଦେଓ ଆଜି ମୁହଁ ଖୋଲିଛନ୍ତି । ହାଇକୋର୍ଟରେ ମାମଲା ବିଚାରାଧୀନ ଥିବାବେଳେ ଗଜପତି ମହାରାଜା ସିଧାସଳଖ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ନିର୍ମାଣ କାର୍ଯ୍ୟକୁ ସମର୍ଥନ କରିବା ସହ ଶ୍ରୀମନ୍ଦିର ସୁରକ୍ଷିତ ରହିଛି ବୋଲି […]

Dibyasingha Deba

Ordigital Desk
  • Published: Monday, 25 April 2022
  • , Updated: 26 April 2022, 12:06 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଆମସାର୍ ଆକ୍ଟ-୧୯୫୮କୁ ଉଲ୍ଲଘଂନ କରି ମହାପ୍ରଭୁ ଶ୍ରୀଜଗନ୍ନାଥ ମନ୍ଦିରର ୧୦୦ମିଟର ନିଷେଧାଂଚଳ ଭିତରେ ଚାଲିଥିବା ନିର୍ମାଣକୁ ନେଇ ବିଧାନସଭାରୁ ସଂସଦ ପର୍ଯ୍ୟନ୍ତ ଉଦବେଗ, ହାଇକୋର୍ଟରେ ମାମଲା ଓ ବିଭିନ୍ନ ମହଲରେ ତୀବ୍ର ବିରୋଧ ପରେ ପୁରୀ ଗଜପତି ମହାରାଜା ଦିବ୍ୟସିଂହ ଦେଓ ଆଜି ମୁହଁ ଖୋଲିଛନ୍ତି । ହାଇକୋର୍ଟରେ ମାମଲା ବିଚାରାଧୀନ ଥିବାବେଳେ ଗଜପତି ମହାରାଜା ସିଧାସଳଖ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ନିର୍ମାଣ କାର୍ଯ୍ୟକୁ ସମର୍ଥନ କରିବା ସହ ଶ୍ରୀମନ୍ଦିର ସୁରକ୍ଷିତ ରହିଛି ବୋଲି ଗଣମାଧ୍ୟମକୁ ବୟାନ ଦେବାକୁ ବିଶେଷ ଗୁରୁତ୍ୱ ଦିଆଯାଉଛି । ଅବଶ୍ୟ ବିଶ୍ୱ ହିନ୍ଦୁ ପରିଷଦର ପୂର୍ବତନ ଅଧ୍ୟକ୍ଷ ପ୍ରବୀଣ ତୋଗାଡ଼ିଆ ପୁରୀରେ ବିକାଶ ନାଁରେ ପୁରାତନ କୀର୍ତ୍ତିରାଜି ଭଙ୍ଗାଯିବା ଦୁର୍ଭାଗ୍ୟଜନକ ବୋଲି କହିଛନ୍ତି ।

ଆଜି ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକ ପରେ ଗଜପତି ମହାରାଜା ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ନିର୍ମାଣ କାର୍ଯ୍ୟ ପାଇଁ ଦ୍ୱାଦଶ ଶତାବ୍ଦୀର ଶ୍ରୀଜଗନ୍ନାଥ ମନ୍ଦିରକୁ କୌଣସି ବିପଦ ନାହିଁ ବୋଲି ସ୍ପଷ୍ଟ କରିଛନ୍ତି । ସେ କହିଛନ୍ତି ଯେ, ଏହି ପରିକ୍ରମା ପ୍ରକଳ୍ପ ଯୋଜନା ପ୍ରସ୍ତୁତ ସମୟରେ ଶ୍ରୀମନ୍ଦିର ପରିଚାଳନା କମିଟିକୁ ସମାିଲ କରାଯାଇଥିଲା ଓ ଏହି ପ୍ରକଳ୍ପର ଆର୍କିଟେକ୍ ଡିଜାଇନ୍ ମଧ୍ୟ ପରିଚାଳନା କମିଟିର ଅନୁମୋଦନ ଲାଭ କରିଛି । ଏହି କାର୍ଯ୍ୟ ଏବେ ଆରମ୍ଭ ହୋଇଛି । ତେଣୁ ଉଭୟ ରାଜ୍ୟ ଓ କେନ୍ଦ୍ର ସରକାର ମିଳିତ ଭାବେ ଏ ଦିଗରେ କାର୍ଯ୍ୟ କରିବା ଉଚିତ୍ । ଏହି ପ୍ରକଳ୍ପ କାର୍ଯ୍ୟକୁ ଆଗେଇ ନେବା ପାଇଁ ସେ ସମସ୍ତଙ୍କ ସହଯୋଗ ଲୋଡ଼ି କହିଛନ୍ତି ଯେ, ମହାପ୍ରଭୁଙ୍କ କାର୍ଯ୍ୟ ହେଉଛି ସମସ୍ତଙ୍କ କାର୍ଯ୍ୟ । ଏଥିରେ କେହି ବିରୋଧ କିମ୍ବା ବାଧା ଦେବା ଉଚିତ୍ ନୁହେଁ । ଯଦି କିଛି ଦ୍ୱନ୍ଦ୍ୱ ଅଛି ତା’ହେଲେ ଏହାକୁ ମିଳିତ ଭାବେ ସମଧାନ କରାଯିବା ଉଚିତ୍ । ପ୍ରକଳ୍ପ ନିର୍ମାଣ କାର୍ଯ୍ୟକୁ ନେଇ କେହି ପ୍ରତିବାଦ ନକରିବାକୁ ଗଜପତି ଆହ୍ୱାନ ଦେବା ସହ ଏହି ପ୍ରକଳ୍ପ ନିର୍ମାଣର ଉଦ୍ଦେଶ୍ୟ ହେଉଛି ପୁରୀ ସହରକୁ ଆର୍ନ୍ତଜାତିକ ଐତିହ୍ୟ ସହରରେ ବିକଶିତ କରାଯିବା ତଥା ଶ୍ରଦ୍ଧାଳୁଙ୍କ ସୁବିଧା ଓ ଶ୍ରୀମନ୍ଦିରର ସୁରକ୍ଷାକୁ ସୁନିଶ୍ଚିତ କରାଯିବା । ଏହି ପରିକ୍ରମା ପ୍ରକଳ୍ପ ବିଶ୍ୱସ୍ତରରେ ପ୍ରଭାବ ପକାଇବ ବୋଲି ଗଜପତି ମହାରାଜା ଗଣମାଧ୍ୟମକୁ କହିଛନ୍ତି ।

ଏପଟେ ପୁରୀ ଗସ୍ତରେ ଥିବା ବିଶ୍ୱ ହିନ୍ଦୁ ପରିଷଦର ପୂର୍ବତନ ଅଧ୍ୟକ୍ଷ ପ୍ରବୀଣ ତୋଗାଡ଼ିଆ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ କହିଛନ୍ତି ଯେ, ବିକାଶ ହେଉ, କିନ୍ତୁ ବିକାଶ ନାଁରେ ବିନାଶ କାର୍ଯ୍ୟ କରାନଯାଉ । ମଠ, ମନ୍ଦିର ଭାଙ୍ଗି ବିକାଶ କରାଯିବା ପ୍ରକୃତରେ ବିକାଶ ନୁହେଁ, ବିନାଶ । ପୁରାତନ ମଡ଼, ମନ୍ଦିର ଭଙ୍ଗା ନଯାଇ ମଧ୍ୟ ବିକାଶ କାର୍ଯ୍ୟ ହୋଇପାରିଥାନ୍ତା । ବିକାଶ ନାଁରେ ବହୁ ପୁରାତନ ମଠ,ମନ୍ଦିର ଭଙ୍ଗାଯିବା ଦୁର୍ଭାଗ୍ୟଜନକ ।

ସୂଚନାଯୋଗ୍ୟ, ପୁରୀ ଶ୍ରୀମନ୍ଦିରର ୧୦୦ମିଟର ନିଷେଧାଞ୍ଚଳ ଭିତରେ ଆମସାର ଆକ୍ଟ-୧୯୫୮କୁ ଉଲ୍ଲଘଂନ କରି ରାଜ୍ୟ ସରକାର ସେଠାରେ ଖନନ ଓ ନିର୍ମାଣ କାର୍ଯ୍ୟ କରୁଛନ୍ତି । ହାଇକୋର୍ଟରେ ଏନେଇ ମାମଲା ସତ୍ତ୍ୱେ ଉଭୟ ଏଏସଆଇ ଓ ରାଜ୍ୟ ସରକାର ସେମାନଙ୍କର ସତ୍ୟପାଠ ଦାଖଲ କରିବାକୁ ସମୟ ଗଡ଼ାଇ ଚାଲିଛନ୍ତି । ଆଉ ଶ୍ରୀମନ୍ଦିରର ନିଷେଧାଞ୍ଚଳ ଭିତରେ ନିର୍ମାଣ କାର୍ଯ୍ୟକୁ ଜୋରସୋର କରୁଥିବାର ଦେଖିବାକୁ ମିଳୁଛି । ଏଏସଆଇ କର୍ତ୍ତୃପକ୍ଷଙ୍କ ବିନା ଅନୁମତିରେ ଶ୍ରୀମନ୍ଦିର ଚାରିପଟେ ଖନନ ଓ ନିର୍ମାଣ କାର୍ଯ୍ୟ କରାଯିବାକୁ ଉଭୟ ବିଧାନସଭା ଓ ସଂସଦରେ ବିରୋଧ ହୋଇଥିଲେ ମଧ୍ୟ ସରକାର ଏଥିପ୍ରତି ଯତ୍ନଶୀଳ ନହୋଇ ନିର୍ମାଣ କାର୍ଯ୍ୟକୁ ଜୋରଦାର କରିଥିବା ଜଣାପଡ଼ିଛି ।

Related story