ଇକୋ-ରିଟ୍ରିଟ୍ ବୁକିଂ ବାତିଲ: ମୁଖ୍ୟମନ୍ତ୍ରୀଙ୍କ ଜିଲ୍ଲାରେ ଫେଲ୍‌, ପର୍ଯ୍ୟଟକ ନିରାଶ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟ ରାଜକୋଷରୁ କୋଟିକୋଟି ଟଙ୍କା ବ୍ୟୟ କରି ପର୍ଯ୍ୟଟନ ବିଭାଗ ଆୟୋଜନ କରିଥିବା ‘ଇକୋ-ରିଟ୍ରିଟ୍ ’ ଚଳିତବର୍ଷ ପର୍ଯଟକମାନଙ୍କୁ ନିରାଶ କରିଛି । ଡିସେମ୍ବର ୧୫ତାରିଖରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ‘ଇକୋ-ରିଟ୍ରିଟ’କୁ ଶୁଭାରମ୍ଭ କରିଥିଲେ ମଧ୍ୟ ୨ଦିନ ନପୁରୁଣୁ ପର୍ଯ୍ୟଟକମାନଙ୍କ ବୁକିଂକୁ ବାତିଲ କରିବାକୁ ପର୍ଯ୍ୟଟନ ବିଭାଗ ବାଧ୍ୟ ହେଉଛି । ମୁଖ୍ୟମନ୍ତ୍ରୀଙ୍କ ନିଜସ୍ୱ ଜିଲ୍ଲା ଗଞ୍ଜାମର ପାତି ସୋନପୁରଠାରେ ଇକୋ-ରିଟ୍ରିଟ୍ ପାଇଁ ହୋଇଥିବା ବୁକିଂକୁ ବାତିଲ ହେଉଥିବାରୁ ପର୍ଯ୍ୟଟନ ବିଭାଗର ଅପାରଗତା […]

Eco-Retreat

Eco-Retreat

Ordigital Desk
  • Published: Friday, 17 December 2021
  • Updated: 17 December 2021, 10:49 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟ ରାଜକୋଷରୁ କୋଟିକୋଟି ଟଙ୍କା ବ୍ୟୟ କରି ପର୍ଯ୍ୟଟନ ବିଭାଗ ଆୟୋଜନ କରିଥିବା ‘ଇକୋ-ରିଟ୍ରିଟ୍ ’ ଚଳିତବର୍ଷ ପର୍ଯଟକମାନଙ୍କୁ ନିରାଶ କରିଛି । ଡିସେମ୍ବର ୧୫ତାରିଖରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ‘ଇକୋ-ରିଟ୍ରିଟ’କୁ ଶୁଭାରମ୍ଭ କରିଥିଲେ ମଧ୍ୟ ୨ଦିନ ନପୁରୁଣୁ ପର୍ଯ୍ୟଟକମାନଙ୍କ ବୁକିଂକୁ ବାତିଲ କରିବାକୁ ପର୍ଯ୍ୟଟନ ବିଭାଗ ବାଧ୍ୟ ହେଉଛି । ମୁଖ୍ୟମନ୍ତ୍ରୀଙ୍କ ନିଜସ୍ୱ ଜିଲ୍ଲା ଗଞ୍ଜାମର ପାତି ସୋନପୁରଠାରେ ଇକୋ-ରିଟ୍ରିଟ୍ ପାଇଁ ହୋଇଥିବା ବୁକିଂକୁ ବାତିଲ ହେଉଥିବାରୁ ପର୍ଯ୍ୟଟନ ବିଭାଗର ଅପାରଗତା ପଦାରେ ପଡ଼ିଛି । ଏପରିକି ମାଳମାଳ ପ୍ରଫେସନାଲ(ପିଏମୟୁ) ଓ ପରାମର୍ଶଦାତାଙ୍କ ପାଇଁ ମାସିକ ଲକ୍ଷଲକ୍ଷ ଟଙ୍କା ବ୍ୟୟ କରୁଥିବା ସତ୍ତ୍ୱେ ପର୍ଯ୍ୟଟନ ବିଭାଗ ନିଜର ଏହି ଇକୋ ରିଟ୍ରିଟ କାର୍ଯ୍ୟକ୍ରମକୁ ଠିକ୍ ଭାବେ ପରିଚାଳନାରେ କରିବାରେ ସକ୍ଷମ ହୋଇପାରିନି ।

ମିଳିଥିବା ସୂଚନା ଅନୁସାରେ, ଡିସେମ୍ବର ୧୫ତାରିଖରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭର୍ଚୁଆଲ ମୋଡରେ ଚଳିତବର୍ଷର ଇକୋ ରିଟ୍ରିଟ୍ କାର୍ଯ୍ୟକ୍ରମକୁ ଶୁଭାରମ୍ଭ କରିଥିଲେ । ରାଜ୍ୟର ପ୍ରମୁଖ ପର୍ଯ୍ୟଟନସ୍ଥଳୀ ଓ ପ୍ରାକୃତିକ ସୌନ୍ଦର୍ଯ୍ୟ ପ୍ରତି ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିବା ପାଇଁ ଏହି ଇକୋ ରିଟ୍ରଟ୍ ଅଧିକ ସହାୟକ ହେବ ବୋଲି କହିଥିଲେ । ଚଳିତବର୍ଷ କୋଣାର୍କ, ଭିତରକନିକା, ସାତକୋଶିଆ, ହୀରାକୁଦ, ଦାରିଙ୍ଗିବାଡ଼ି ସମେତ ପାତି ସୋନପୁର ଓ କୋରାପୁଟରେ ଇକୋ ରିଟ୍ରିଟ୍ ଆୟୋଜନ କରାଯାଉଥିବାରୁ ଅଧିକ ସଂଖ୍ୟକ ପର୍ଯ୍ୟଟକ ଏହାର ଆନନ୍ଦ ନେବେ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ । ତେବେ ମାତ୍ର ମୁଖ୍ୟମନ୍ତ୍ରୀଙ୍କ ଏହି ଆଶା ଏବେ ଆଶାରେ ରହିଯାଇଛି । ପର୍ଯ୍ୟଟକ ସନ୍ତୁଷ୍ଟ ହେବା ତ ଦୂରର କଥା ନିଜ ବୁକିଂ ଅର୍ଥ କିଭଳି ଫେରିପାଇବେ ତାକୁ ନେଇ ଶଙ୍କାରେ ରହିଛନ୍ତି ।

ବିଭାଗ ସୂତ୍ରରୁ ଜଣାପଡ଼ିଛି ଯେ, ଏବେ ପାତି ସୋନପୁର ଓ କୋରାପୁଟର ଇକୋ-ରିଟ୍ରିଟ୍ ପାଇଁ ଆବଶ୍ୟକ ପ୍ରସ୍ତୁତି ଶେଷ ହୋଇନଥିବାରୁ ସେଠାରେ ପର୍ଯ୍ୟଟକ ରହିବା ସମ୍ଭବପର ନୁହେଁ । ତେଣୁ ଏହି ବୁକିଂକୁ ବାତିଲ କରାଯାଉଛି । ଇକୋ-ରିଟ୍ରିଟ୍ ପାଇଁ ସ୍ଥାନ ଚୟନ କରିବାଠୁ ଆରମ୍ଭ କରି ଏହାର ସମସ୍ତ ପ୍ରସ୍ତୁତି ଉଚ୍ଚସ୍ତରୀୟ କମିଟି ଦ୍ୱାରା ଅନୁଧ୍ୟାନ କରାଯାଇଥାଏ । ଉଚ୍ଚସ୍ତରୀୟ କମିଟି ଏସବୁ ସ୍ଥାନକୁ ଗସ୍ତ କରି ଇକୋ-ରିଟ୍ରିଟ୍ କରାଯିବା ନିମନ୍ତେ ଉକ୍ତ ସ୍ଥାନ ପ୍ରଯୁଜ୍ୟ କି ନାହିଁ ତାହା ତଦାରଖ କରନ୍ତି । ଏସବୁ ଆୟୋଜନ ପାଇଁ ଘରୋଇ ସଂସ୍ଥାକୁ ଦାୟିତ୍ୱ ଦିଆଯାଇଥାଏ । ଏସମସ୍ତ କାର୍ଯ୍ୟକୁ ବରିଷ୍ଠ ଅଧିକାରୀମାନେ ତଦାରଖ କରିଥାନ୍ତି । ମୁଖ୍ୟ ସଚିବଙ୍କ ଅଧ୍ୟକ୍ଷତାରେ ଏହାର ପ୍ରସ୍ତୁତିର ସମୀକ୍ଷାଠୁ ଆରମ୍ଭ କରି ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରେ ଥିବା ଅଧିକାରୀମାନେ ବି ତଦାରଖ କରନ୍ତି । ଯେହେତୁ ଉଚ୍ଚସ୍ତରରେ ଏହାର ପ୍ରସ୍ତୁତି ଓ ସମୀକ୍ଷା ହୁଏ, ତେଣୁ ତ୍ରୁଟି କେଉଁଠି ରହିଛି ତାହା ବିଭାଗୀୟ ଅଧିକାରୀଙ୍କୁ ପଚାରିଲେ କେମିତି କହିବେ ବୋଲି ପର୍ଯ୍ୟଟନ ବିଭାଗର ଜଣେ ଅଧିକାରୀ ନିଜ ନାମ ଗୁପ୍ତ ରଖିବା ସର୍ତ୍ତରେ କହିଛନ୍ତି । ତା’ଛଡ଼ା ମୁଖ୍ୟମନ୍ତ୍ରୀଙ୍କ ପ୍ରମୁଖ ପରାମର୍ଶଦାତା ଭାବେ ପୂର୍ବତନ ମୁଖ୍ୟ ସଚିବ ଅସିତ୍ ତ୍ରିପାଠୀ କାର୍ଯ୍ୟ କରୁଛନ୍ତି ।

ସେ ତ ଏବେ ପର୍ଯ୍ୟଟନ ବିଭାଗର ପରାମର୍ଶଦାତା ଅଛନ୍ତି । ତାଙ୍କର ପରାମର୍ଶରେ ବିଭାଗର କାର୍ଯ୍ୟ ଚାଲିଥିବାରୁ ତାଙ୍କୁ ପଚାରିଲେ ସଠିକ୍ ଉତ୍ତର ମିଳିବ । ମୁଖ୍ୟମନ୍ତ୍ରୀ ଉଦଘାଟନ କରୁଛନ୍ତି ଅଥଚ ତାଙ୍କ ଜିଲ୍ଲାରେ ଏହି କାର୍ଯ୍ୟକ୍ରମ ଫେଲ୍ । କେବଳ କିଛି ନିର୍ଦ୍ଦିଷ୍ଟ ପଦାଧିକାରୀଙ୍କ ପାଇଁ ପର୍ଯ୍ୟଟନ ବିଭାଗକୁ ଏବେ ଲଜ୍ଜାଜନକ ପରିସ୍ଥିତିର ସମ୍ମୁଖୀନ ହେବାକୁ ପଡ଼ିଛି ବୋଲି ଏହି ଅଧିକାରୀଜଣକ କ୍ଷୋଭର ସହ କହିଛନ୍ତି । ତେବେ ପାତି ସୋନପୁରରେ ଇକୋ ରିଟ୍ରିଟ୍ ଆୟୋଜନ ନିମନ୍ତେ ୨.୫୮କୋଟି ଟଙ୍କାର ବ୍ୟୟବରାଦ ହୋଇଥିଲା। ଏଥର ପ୍ରାୟ ୩୦ କୋଟି ଟଙ୍କା ଇକୋ-ରିଟ୍ରିଟ୍ ବାବଦରେ ଖର୍ଚ୍ଚ କରିବାକୁ ଲକ୍ଷ୍ୟ ରଖାଯାଇଛି। ସମ୍ପୃକ୍ତ ସଂସ୍ଥାକୁ ୭୨ ଘଣ୍ଟାର ସମୟ ଦିଆଯାଇଛି। ଯଦି ଏହି ଅବଧି ମଧ୍ୟରେ ସେଠାରେ ଆବଶ୍ୟକ ଭିତ୍ତିଭୂମି ଠିକ୍‌ ନହୁଏ, ତାହାହେଲେ ଆଇନ୍‌ଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସେ ସୂଚନା ଦେଇଛନ୍ତି।

ଉଲ୍ଲେଖଯୋଗ୍ୟ, ଗତ ୩ବର୍ଷ ଧରି ରାଜ୍ୟରେ ଇକୋ ରିଟ୍ରିଟ୍ କାର୍ଯ୍ୟକ୍ରମ ଆୟୋଜନ କରାଯାଉଛି। ଇକୋ ରିଟ୍ରିଟ୍ ପାଇଁ ରାଜକୋଷକୁ କ୍ଷତି ହେଉଥିଲେ ମଧ୍ୟ ପର୍ଯ୍ୟଟକଙ୍କୁ ଆକୃଷ୍ଟ ନାଁରେ ପ୍ରଥମ ବର୍ଷ ୮କୋଟି, ଦ୍ୱିତୀୟ ବର୍ଷ ୨୪କୋଟି ଟଙ୍କା ସରକାରଙ୍କୁ ରାଜକୋଷରୁ ବ୍ୟୟ କରିବାକୁ ପଡ଼ିଥିଲା । ଖର୍ଚ୍ଚ ତୁଳନାରେ ଆୟ ନାମକୁ ମାତ୍ର ଥିଲା । ସରକାର ଏହି ଅର୍ଥ କେବଳ ପର୍ଯ୍ୟଟନର ପ୍ରମୋସନ ପାଇଁ ଖର୍ଚ୍ଚ ହେଉଛି ବୋଲି କହି ସବୁ ସମାଲୋଚନାକୁ ଏଡ଼ାଇ ଯାଇଥିଲେ ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos