ଭବାନୀପାଟଣା(ରାଜକୁମାର ସିଂଦେଓ): କଳାହାଣ୍ଡି ଜିଲ୍ଲା କରଳା ପାଟ ଅଭୟାରଣ୍ୟ ରାସ୍ତାରେ ଆଜି ଏକ ଗଜରାଜ ବୁଲୁଥିବା ଦେଖି ଲୋକେ ଆତଙ୍କିତ ହୋଇପଡ଼ିଲେ। ଉକ୍ତ ସମୟରେ ରାଜପଥରେ ଯାଉଥିବା ସରକାରୀ ବସ୍ ଦୁଇ ଘଣ୍ଟା ଅଟକି ରହିଲା ।
ସକାଳେ ଥୁଆମୂଳ ରାମପୁରରୁ ଏକ ସରକାରୀ ବସ୍ ଭାଵନୀପାଟଣା ଅଭିମୁଖେ ଯାଉଥିଲା। ଉକ୍ତ ବସ୍ରେ ୪୦ରୁ ଉର୍ଦ୍ଧ୍ୱ ଯାତ୍ରୀ ଥିଲେ। ମାତ୍ର ରାଜପଥରେ ହାତୀ ବୁଲୁଥିବା ଦେଖି ଡ୍ରାଇଭର ଆଗକୁ ଗାଡ଼ି ଗଡ଼ାଇବାକୁ ସାହସ କରିପାରି ନ ଥିଲେ। ଫଳରେ ବସ୍ଟି ଦୁଇ ଘଣ୍ଟାରୁ ଅଧିକ ସମୟ ରାଜପଥରେ ଅଟକି ଯାଇଥିଲା।
ସ୍ଥାନୀୟ ଲୋକଙ୍କ କହିବାନୁଯାୟୀ, ପ୍ରତି ଦିନ ସନ୍ଧ୍ୟାରେ ଉକ୍ତ ରାସ୍ତାରେ ହାତୀ ଚଳପ୍ରଚଳ କରିବା ସେମାନେ ଦେଖିଥାନ୍ତି । କିନ୍ତୁ ଦିନ ବେଳେ ହାତୀର ଅବାଧ ବିଚରଣ ଦେଖି ଯାତ୍ରୀଙ୍କ ମନରେ ଆତଙ୍କ ସୃଷ୍ଟି ହୋଇଥିଲା। ଦୀର୍ଘ ସମୟ ପରେ ହାତୀଟି ଆପେ ଆପେ ଜଙ୍ଗଲକୁ ଚାଲିଯିବା ପରେ ବସ୍ଟି ଆଗକୁ ଗଡ଼ିଲା ।