ହାତୀକୁ ଧରି ଦିନ ସାରା ବୁଲିଲା ବନ ବିଭାଗ, ଏବେ ଚନ୍ଦକା ଭରସା

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଭୁନେଶ୍ୱରରୁ କାବୁ ହୋଇଥିବା ହାତୀକୁ ଧରି ଦିନସାରା ବୁଲିବା ପରେ ନିରାଶ ହୋଇଛି ବନ ବିଭାଗ। ଶେଷରେ କୌଣସି ଉପାୟ ନ ପାଇ ହାତୀକୁ ଚନ୍ଦକା ଅଣାଯାଇଛି। ସମ୍ଭବତଃ ହାତୀକୁ ଚନ୍ଦକା ଜଙ୍ଗଲରେ ହିଁ ଛାଡ଼ିବାକୁ ବନ ବିଭାଗ ଯୋଜନା କରିଛି। ଭୁବନେଶ୍ୱରରୁ ହାତୀକୁ କାବୁ କରିବା ପରେ ପ୍ରଥମେ ନୟାଗଡ଼ର ରଣପୁର ନିଆଯାଇଥିଲା। ସେଠାରେ ବିରୋଧ ହେବାରୁ ହାତୀକୁ ଧରି ବନ ବିଭାଗ ଖୋର୍ଦ୍ଧା ଓ ପରେ କେତକୀଝରକୁ ଫେରିଥିଲା। ଏହାପରେ ସନ୍ଧ୍ୟା […]

elephant

  • Published: Wednesday, 02 November 2022
  • , Updated: 02 November 2022, 07:53 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଭୁନେଶ୍ୱରରୁ କାବୁ ହୋଇଥିବା ହାତୀକୁ ଧରି ଦିନସାରା ବୁଲିବା ପରେ ନିରାଶ ହୋଇଛି ବନ ବିଭାଗ। ଶେଷରେ କୌଣସି ଉପାୟ ନ ପାଇ ହାତୀକୁ ଚନ୍ଦକା ଅଣାଯାଇଛି। ସମ୍ଭବତଃ ହାତୀକୁ ଚନ୍ଦକା ଜଙ୍ଗଲରେ ହିଁ ଛାଡ଼ିବାକୁ ବନ ବିଭାଗ ଯୋଜନା କରିଛି।

ଭୁବନେଶ୍ୱରରୁ ହାତୀକୁ କାବୁ କରିବା ପରେ ପ୍ରଥମେ ନୟାଗଡ଼ର ରଣପୁର ନିଆଯାଇଥିଲା। ସେଠାରେ ବିରୋଧ ହେବାରୁ ହାତୀକୁ ଧରି ବନ ବିଭାଗ ଖୋର୍ଦ୍ଧା ଓ ପରେ କେତକୀଝରକୁ ଫେରିଥିଲା। ଏହାପରେ ସନ୍ଧ୍ୟା ସମୟରେ ହାତୀକୁ ପୁଣି ଭୁବନେଶ୍ୱର ଉପକଣ୍ଠ ଚନ୍ଦକାକୁ ଅଣାଯାଇଛି।

ମଙ୍ଗଳବାର ବିଳମ୍ବିତ ରାତିରେ କଂକ୍ରିଟ୍ ଜଙ୍ଗଲ ଭିତରକୁ ଭୁଲରେ ପଶି ଆସି ଆକ୍ତାମାକ୍ତା ହୋଇଯାଇଥିଲା ହାତୀ। ଏହି ଦନ୍ତାକୁ କେଉଁଠି ଛଡ଼ା ଯିବ, ସେଥିପାଇଁ ୨୪ ଘଣ୍ଟା ଧରି ନାକେଦମ୍ ହୋଇଛି ବନ ବିଭାଗ ଓ ପୁଲିସ୍। ସକାଳୁ ସଂଧ୍ୟା ଯାଏ ଟ୍ରାଙ୍କୁଲାଇଜ୍ ଅବସ୍ଥାରେ ହାତୀକୁ ଧରି ବନ ବିଭାଗ ବୁଲିଥିଲେ ମଧ୍ୟ କେଉଁଠି ଏହାକୁ ଛଡ଼ାଯିବ, ସେକଥା ସ୍ଥିର କରିପାରି ନାହିଁ।

ଗତକାଲି ପିପିଲି ଅଞ୍ଚଳରୁ ପ୍ରଥମେ ଠାବ ହୋଇଥିବା ଗୋଟିଏ ଦନ୍ତା ହାତୀ ରାତିରେ ରାଜଧାନୀକୁ ପଶି ଆସିଥିଲା। ପରେ ତାକୁ ନେଇ ହଇଚଇ ସୃଷ୍ଟି ହୋଇଥିଲା। ହାତୀ ପାଇଁ ଲୋକେ ଯେତିକି ଆତଙ୍କିତ ହୋଇଥିଲେ, ତା’ଠୁ ଅଧିକ ନୟାନ୍ତ ହୋଇଥିଲା ବନ ବିଭାଗ ଓ ପୁଲିସ। ରାତି ପ୍ରାୟ ଗୋଟାଏ ବେଳେ ହାତୀଟି ପିପିଲିରୁ ଧଉଳି, ଗ୍ୟାରେଛ୍ ଛକ ଦେଇ ଲିଙ୍ଗରାଜ ମନ୍ଦିର, ପୋଖରୀପୁଟ, ଯଦୁପୁର ବାଟ ଦେଇ ପରେ ପାତ୍ରପଡ଼ା ଆଇଗିଣିଆ ଅଞ୍ଚଳକୁ ଚାଲିଯାଇଥିଲା।

ଆଜି ଭୋର ପ୍ରାୟ ୫ଟା ସମୟରେ ବନ ବିଭାଗ ଟିମ୍ ହାତୀଟିକୁ ଆଇଗିଣିଆ ଶନିମନ୍ଦିର ନିକଟ ଜଙ୍ଗଲରୁ ଠାବ କରିଥିଲା। ହାତୀଟି କିଛି ଅଘଟଣ ଘଟାଇବା ପୂର୍ବୁରୁ ଏହାକୁ ଟ୍ରାଙ୍କୁଲାଇଜ୍ କରାଯାଇଥିଲା। ଏଠାରୁ ତାକୁ ଅତି ସୁରକ୍ଷିତ ଭାବେ ମେସିନ୍ ସହାୟତାରେ ଟେକି ଏକ ହାଇଓ୍ୱାରେ ଲୋଡ୍ କରିବା ପରେ ନୟାଗଡ଼ ରଣପୁର ଜଙ୍ଗଲରେ ଛାଡ଼ିବାକୁ ନେଇଥିଲା ବନ ବିଭାଗ।

ଟ୍ରାଙ୍କୁଲାଇଜ୍ ହାତୀକୁ ଟ୍ରକରେ ଧରି ନୟାଗଡ଼ ରଣପୁର ଜଙ୍ଗଲ ଅଭିମୁଖେ ନିଆଯାଉଥିବା ବେଳେ ସେଠାରେ ବନ ବିଭାଗକୁ ଲାଗିଥିଲ ଝଟକା। ସ୍ଥାନୀୟ ଅର୍ଜୁନପୁର ବାସିନ୍ଦା କାଠଗଡ଼ ପକାଇ ରାସ୍ତା ଅବରୋଧ କରିଥିଲେ। ଏ ଅଞ୍ଚଳରେ ହାତୀକୁ ଛାଡ଼ିଲେ କାଳେ କୌଣସି ଅଘଟଣ ଘଟାଇବ, ସେ ଆଶଙ୍କାରେ ଲୋକେ ହାତୀକୁ ଆଗକୁ ଛାଡ଼ିନଥିଲେ। ଖୋର୍ଦ୍ଧା ଡିଏଫଓ ଓ ବନ ଅଧିକାରୀମାନେ ଲୋକଙ୍କୁ ଯେତେ ବୁଝାସୁଝା କରିଥିଲେ ସେମାନେ ଆଦୌ ହାତୀକୁ ଆଗକୁ ଛାଡ଼ି ନଥିଲେ। ତେଣୁ ବନ ବିଭାଗ ହାତୀକୁ ଫେରାଇ ଆଣିବାକୁ ବାଧ୍ୟ ହୋଇଥିଲା।

ସେଠାରୁ ହାତୀକୁ ସାଙ୍ଗରେ ଖୋର୍ଦ୍ଧା କମାଗୁରୁ ଜଙ୍ଗଲକୁ ଅଭିମୁଖେ ପୂରା ଟିମ ବାହାରିଥିଲା। କିନ୍ତୁ ସେଠାରୁ ବି ଦେଖିବାକୁ ମିଳିଥିଲା ବିରୋଧର ସ୍ୱର। ଆଉ କୌଣସି ଉପାୟ ନପାଇ ଖୋର୍ଦ୍ଧା କେତକୀଝର ନର୍ସରୀକୁ ହାତୀକୁ ଅଣାଯାଇଥିଲା। ଏହାପୂର୍ବରୁ କମାଗୁରୁ ନିକଟରେ ହାତୀକୁ ଆଉ ଥରେ ଟ୍ରାଙ୍କୁଲାଇଜ୍ କରାଯାଇଥିବା ସୂଚନା ମିଳିଛି। ସନ୍ଧ୍ୟା ଯାଏ ନର୍ସରୀରେ ରହିବା ପରେ ହାତୀକୁ ଚନ୍ଦକା ଅଣାଯାଇଛି। ଏଠାରେ ତା’କୁ ଛାଡ଼ିବାକୁ ବନ ବିଭାଗ ଯୋଜନା କରିଛି।

ଅନ୍ୟପକ୍ଷରେ ଆଜି ଭୋରରୁ ହାତୀଟି ଟ୍ରାଙ୍କୁଲାଇଜ୍ ପରେ ସେହିଭଳି ଗୋଡ଼ରେ ଶିକୁଳି ପଡ଼ିଥିବା ଅବସ୍ଥାରେ ଟ୍ରକ୍ ଉପରେ ବୁଲୁଥିବାରୁ ଏହାର ସ୍ୱାସ୍ଥ୍ୟବସ୍ଥା ଉପରେ ପ୍ରଭାବ ପଡ଼ିବା ଆଶଙ୍କା କରାଯାଉଛି। ଏଥିପାଇଁ ବନ ବିଭାଗ ହାତୀ ମୁହଁରେ କପଡ଼ା ଢାଙ୍କି ତା’ ଦେହରେ ବାରମ୍ବାର ଜଳ ସ୍ପ୍ରେ କରିଛି। ଏବେ ହାତୀକୁ ନେଇ ବନ ବିଭାଗର ଆଭିମୁଖ୍ୟ କ’ଣ ରହୁଛି, ତା’ ଉପରେ ସମସ୍ତଙ୍କ ନଜର।

Related story