ପୁରୀ(ଓଡ଼ିଶା ରିପୋର୍ଟର): ପୁଣି ଥରେ ଖୋଳା ଯାଉଛି ପୁରୀର ବହୁ ପୁରାତନ ତଥା ଧନୀ ମଠରୁ ଅନ୍ୟତମ ଏମାର ମଠ । ମାଟିତଳେ ଗୁପ୍ତଧନ ଥିବା ଅନୁମାନ କରାଯାଇ ପୁଣି ଥରେ ହଜାର ବର୍ଷ ତଳର ଏହି ମଠକୁ ଖୋଳାଯାଉଛି ।
ଗତ ସେପ୍ଟମ୍ବର ୧୬ତାରିଖରେ ଯାଞ୍ଚ କରାଯାଇ ତିନୋଟି ସ୍ଥାନ ଚିହ୍ନଟ କରାଯାଇଥିଲା । ସେତେବେଳେ ଯେଉଁ ମେଟାଲ୍ ଡିଟେକ୍ଟରରେ ପରୀକ୍ଷା ହୋଇଥିଲା, ତାହା ସେତେ ଶକ୍ତିଶାଳୀ ନ ଥିଲା । ଫଳରେ ଧାତୁର ଅବସ୍ଥିତି ନେଇ ସଠିକ୍ ଜଣାପଡି ନ ଥିଲା ତେଣୁ ଆଜି ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ଜିଲ୍ଲା ପ୍ରଶାସନ ଅଧିକାରୀ, ଶ୍ରୀମନ୍ଦିର ପ୍ରଶାସନ ଅଧିକାରୀ ଓ ଏଣ୍ଡାଉମେଣ୍ଟ ଅଧିକାରୀଙ୍କ ସହ ନୂତନ ଟ୍ରଷ୍ଟ ବୋର୍ଡଙ୍କ ଉପସ୍ଥିତିରେ ପୁନର୍ବାର ଯାଞ୍ଚ କରାଯାଉଛି ।
ଆଜି ପ୍ରବେଶ ପଥକୁ ଯାଞ୍ଚ କରାଯାଇ ତାହାକୁ ଖୋଳା ଯାଇଛି। ମଧ୍ୟାହ୍ନ ସୁଦ୍ଧା ଖୋଳାଖୋଳି ହେଉଥିବା ଅଞ୍ଚଳରୁ ଖଣ୍ଡେ ଲୁହା ମିଳିଥିବା ବେଳେ ଆଉ କିଛି ମିଳି ନ ଥିବା ଜଣାଯାଇଛି।
ଗତ ୨୦୧୧ମସିହାରେ ମଠରୁ ୫୨୨ଖଣ୍ଡ ରୂପାଇଟା ବାହାରିଥିବା ବେଳେ ତାହାକୁ ଜିଲ୍ଲା ଆରମୋରୀରେ ସୁରକ୍ଷା ବ୍ୟବସ୍ଥାରେ ରଖାଯାଇଛି। ସେବେଠାରୁ ରୂପା ଇଟାକୁ ନେଇ ମାମଲା କୋର୍ଟରେ ବିଚରାଧୀନ ରହିଛି ।
[caption id="attachment_711340" align="aligncenter" width="650"] ଏମାର ମଠ ଖୋଳାଖୋଳି ଚାଲିଛି।[/caption]
ଏହାପରେ ଏପ୍ରିଲ ୨୦୨୧ରେ ଏହି ବିତ୍ତଶାଳୀ ମଠକୁ ଖୋଳାଯାଇଥିବା ବେଳେ ସେଥିରୁ ୪୫ ଖଣ୍ଡ ରୂପାଇଟା ବାହାରିଥିଲା । ଉକ୍ତ ରୁପା ଇଟାଗୁଡ଼ିକ ଏବେ ଟ୍ରଷ୍ଟ ବୋର୍ଡ ଅଧୀନରେ ଥିବା ବେଳେ ତାହାକୁ ଜିଲ୍ଲା ଟ୍ରେଜରୀରେ ସୁରକ୍ଷିତ ଭାବେ ରଖାଯାଇଛି । ଏହା ସହ ଏକ ସିନ୍ଦୁକରୁ ବହୁ ମୂଲ୍ୟର ସମ୍ପତ୍ତି ରୂପା ତାରକଶି ସାମଗ୍ରୀ, ରୂପା ଗଛ, ରୁପା ଫୁଲଦାନୀ, ବ୍ରୋଞ୍ଜ ଗାଈ ବାଛୁରୀ ଓ ୧୬ଟି ଖଣ୍ଡା ଉଦ୍ଧାର କରାଯାଇଥିଲା । ତାହାକୁ ମଧ୍ୟ ସୁରକ୍ଷିତ ଭାବେ ରଖାଯାଇଛି ।
ପୂର୍ବରୁ ଏମାର ମଠ ଖୋଳାଯାଇ ବହୁ ମୂଲ୍ୟର ସମ୍ପତ୍ତି ଉଦ୍ଧାର କରାଯାଇଥିବା ବେଳେ ଏଥର ପ୍ରଶାସନ ହାତରେ କ’ଣ ଲାଗୁଛି ତାହା ସମୟ ହିଁ କହିବ ।
TAGS
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।