କଟକ (ଓଡ଼ିଶା ରିପୋର୍ଟର): ବିଶିଷ୍ଟ ସାରସ୍ୱତ ସାଧକ ତଥା ଓଡ଼ିଆ ଅଧ୍ୟାପକ ଡ. ରତ୍ନାକର ଚଇନିଙ୍କ ପରଲୋକ ହୋଇଛି। କଟକ ସ୍ଥିତ ତାଙ୍କ ବାସ ଭବନ ଶ୍ରୀ ନିକେତନରେ ସେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି। ମୃତ୍ୟୁ ବେଳକୁ ତାଙ୍କୁ ୭୫ ବର୍ଷ ବୟସ ହୋଇଥିଲା। ସେ ଏକାଧାରାରେ ଥିଲେ ଜଣେ ବିଶିଷ୍ଟ ସାହିତ୍ୟିକ, ନାଟ୍ୟକାର, ଗାଳ୍ପିକ, ଔପନ୍ୟାସିକ ଓ ସମାଲୋଚକ। ତାଙ୍କ ବିୟୋଗରେ ଓଡ଼ିଆ ସାହିତ୍ୟ ଜଗତରେ ଅପୂରଣୀୟ କ୍ଷତି ଘଟିଛି।
‘କଳଙ୍କିତ ସୂର୍ଯ୍ୟ’ ନାଟକ ପାଇଁ ୧୯୭୫ରେ ଡ. ରତ୍ନାକର ଚଇନିଙ୍କୁ ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାରରେ ସମ୍ମାନିତ କରାଯାଇଥିଲା। ୧୯୭୨ରେ ‘ରାଜହଂସ’ ନାଟକ ପାଇଁ ଅହମଦାବାଦରେ ଶ୍ରେଷ୍ଟ ନାଟ୍ୟାକାର ସମ୍ମାନ, ୧୯୯୭ରେ ନାଟ୍ୟଶ୍ରୀ ସମ୍ମାନ, ୧୯୯୯ ଗଣକବି ବୈଷ୍ଣବପାଣୀ ସମ୍ମାନ, ୨୦୦୩ରେ ନାଟ୍ୟ ଭୂଷଣ, ୨୦୧୬ରେ ତାଙ୍କୁ ସାହିତ୍ୟ ଭାରତୀ ସମ୍ମାନ ଆଦି ୩୦ରୁ ଅଧିକ ସମ୍ମାନରେ ସେ ସମ୍ମାନିତ ହୋଇଛନ୍ତି।
ତାଙ୍କ ଦ୍ୱାରା ରଚିତ କ୍ଷୁଦ୍ର ଗଳ୍ପଗୁଡ଼ିକ ହେଲା- ଗପ, ମୁଠାଏ ଶୂନ୍ୟତା, ଋତୁର ନାମ ପିପାସା, ନିଷିଦ୍ଧ ଶୃଙ୍ଗାର, ସ୍ନାୟୁ ସନ୍ନ୍ୟାସୀ ଓ ଅନ୍ୟମାନେ ଆଦି ଅନେକ। ସେହିଭଳି ତାଙ୍କ ଦ୍ୱାରା ରଚିତ କିଛି ନାଟକ ହେଲା- ଶେଷ ଅଶ୍ରୁ, ଅଥଚ ଚାଣକ୍ୟ, ଅସ୍ତରାଗର ଚନ୍ଦ୍ର, ମଞ୍ଚ ନାୟିକା, ପୁନଶ୍ଚ ପୃଥିବୀ, କଳିଙ୍କିତ ସୂର୍ଯ୍ୟ (୧୯୭୪ ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର ପ୍ରାପ୍ତ), ନାଗପେଣୀର ଋତୁ ଆଦି।
ଉପନ୍ୟାସ ହେଲା- ରାତ୍ରିର ରଜନୀ ଗନ୍ଧା, ଅବ୍ୟକ୍ତ ଗୋଧୂଳି, ଲୁହ ଲହରୀ, ବିଷ ବଳୟ ଓ ଫୁଲର ଫଗୁଣ ଆଦି ଉପନ୍ୟାସ ରଚନା କରିଛନ୍ତି ରତ୍ନାକର।