୩୬ ଶିଶୁଙ୍କୁ ୧୦ ଲକ୍ଷ ଟଙ୍କା ଲେଖାଁଏ କ୍ଷତିପୂରଣ କାହିଁକି ନ ଦେବ ? ସରକାରଙ୍କୁ ପ୍ରଶ୍ନ କଲେ ମାନବାଧିକାର କମିଶନ

କେନ୍ଦ୍ରାପଡା(ଓଡ଼ିଶା ରିପୋର୍ଟର):କେନ୍ଦ୍ରାପଡ଼ା ଜିଲ୍ଲାରେ ଏକ୍ସପାରି କୃମି ଔଷଧ ଖାଇ ୩୬ ଜଣ ଶିଶୁ ଅସୁସ୍ଥ ହେବା ଘଟଣାରେ ସ୍ୱାସ୍ଥ୍ୟ ବିଭାଗର ଅହେତୁକ ଅବହେଳା ସାମ୍ନାକୁ ଆସିଛି। ଡାକ୍ତର ଓ ସ୍ୱାସ୍ଥ୍ୟ ବିଶେଷଜ୍ଞମାନଙ୍କର ଦାୟିତ୍ୱହୀନତାରୁ ଶିଶୁମାନେ ଅସୁସ୍ଥ ହୋଇଥିବା ଜଣାପଡିବା ପରେ ରାଜ୍ୟ ସରକାରଙ୍କୁ  ଜାତୀୟ ମାନବାଧିକାର କମିଶନ ନୋଟିସ ଜାରି କରିଛନ୍ତି । ୩୬ ଜଣ ଶିଶୁଙ୍କୁ ୧୦ ଲକ୍ଷ ଟଙ୍କା ଲେଖାଁଏ କ୍ଷତିପୂରଣ କାହିଁକି ଦିଆ ନ ଯିବ, ସେ ନେଇ ରାଜ୍ୟ ମୁଖ୍ୟ ଶାସନ […]

5790-1

Tapas Behera
  • Published: Thursday, 17 October 2019
  • , Updated: 17 October 2019, 02:42 PM IST

କେନ୍ଦ୍ରାପଡା(ଓଡ଼ିଶା ରିପୋର୍ଟର):କେନ୍ଦ୍ରାପଡ଼ା ଜିଲ୍ଲାରେ ଏକ୍ସପାରି କୃମି ଔଷଧ ଖାଇ ୩୬ ଜଣ ଶିଶୁ ଅସୁସ୍ଥ ହେବା ଘଟଣାରେ ସ୍ୱାସ୍ଥ୍ୟ ବିଭାଗର ଅହେତୁକ ଅବହେଳା ସାମ୍ନାକୁ ଆସିଛି। ଡାକ୍ତର ଓ ସ୍ୱାସ୍ଥ୍ୟ ବିଶେଷଜ୍ଞମାନଙ୍କର ଦାୟିତ୍ୱହୀନତାରୁ ଶିଶୁମାନେ ଅସୁସ୍ଥ ହୋଇଥିବା ଜଣାପଡିବା ପରେ ରାଜ୍ୟ ସରକାରଙ୍କୁ  ଜାତୀୟ ମାନବାଧିକାର କମିଶନ ନୋଟିସ ଜାରି କରିଛନ୍ତି । ୩୬ ଜଣ ଶିଶୁଙ୍କୁ ୧୦ ଲକ୍ଷ ଟଙ୍କା ଲେଖାଁଏ କ୍ଷତିପୂରଣ କାହିଁକି ଦିଆ ନ ଯିବ, ସେ ନେଇ ରାଜ୍ୟ ମୁଖ୍ୟ ଶାସନ ସଚିବଙ୍କୁ କାରଣ ଦର୍ଶାଅ ନୋଟିସ୍ ଜାରି କରାଯାଇଛି । ଅର୍ଥାତ୍ ରାଜ୍ୟ ସରକାରଙ୍କୁ ମୋଟ ୩ କୋଟି ୬୦ ଲକ୍ଷ ଟଙ୍କା କ୍ଷତିପୂରଣ ଦେବାକୁ ପଡ଼ିବ । ଏଥିସହିତ ଏହି ଘଟଣାରେ ଦୋଷୀ ଡାକ୍ତର ଓ କର୍ମଚାରୀଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ପାଇଁ କମିଶନ ନିର୍ଦ୍ଦେଶ ଦେଇଛନ୍ତି । ୨୦୧୪ ମସିହା ନଭେମ୍ବର ୫ ତାରିଖରେ ଗରଦପୁର ବ୍ଲକର ଟିକନପୁର ସ୍କୁଲରେ ଆଶା କର୍ମୀ ଓ ଏଏନ୍ଏମ୍ ମାନେ ପିଲାମାନଙ୍କୁ କୃମି ନାଶକ ସିରପ ଦେଇଥିଲେ ।

ଏହାକୁ ଖାଇବା ପରେ ବେହୁଲା ଗାଁର ୧ ବର୍ଷ ବୟସରୁ ୧୦ ବର୍ଷ ବୟସର ୩୬ ଜଣ ପିଲା ଅସୁସ୍ଥ ହୋଇ ପଡ଼ିଥିଲେ । ସେମାନଙ୍କର ବାନ୍ତି ହେବା ସହ ମୁଣ୍ଡବିନ୍ଧା, ପେଟରେ ଯନ୍ତ୍ରଣା ଓ ଜ୍ୱର ଆଦି ଲକ୍ଷଣ ଦେଖା ଦେଇଥିଲା । ପରେ ଜଣାପଡିଲା ଶିଶୁମାନଙ୍କୁ ଦିଆଯାଇଥିବା କୃମିନାଶକ ସିରପର ବୈଧ ତାରିଖ ସମାପ୍ତ ହୋଇସାରିଛି । ବିଭାଗୀୟ କର୍ମଚାରୀଙ୍କ ମନୋଭାବ ଯୋଗୁଁ ଏଭଳି ଘଟିଥିବା ଦର୍ଶାଇ ମାନବାଧିକାର କର୍ମୀ ଶ୍ରୀ ଅଖଣ୍ଡ ଜାତୀୟ ମାନବାଧିକାର କମିଶନଙ୍କ ନିକଟରେ ପିଟିସନ୍ ଦାୟର କରିଥିଲେ । ଦୋଷୀ ସ୍ୱାସ୍ଥ୍ୟ କର୍ମଚାରୀମାନଙ୍କ ବିରୋଧରେ କାର୍ଯାନୁଷ୍ଠାନ ନେବା ସହ ଶିଶୁମାନଙ୍କୁ କ୍ଷତିପୂରଣ ରାଶି ଦେବାକୁ କମିଶନଙ୍କ ନିକଟରେ ପ୍ରାର୍ଥନା କରିଥିଲେ । କମିଶନ ଏହାର ବିଚାର କରି ସ୍ୱାସ୍ଥ୍ୟ ବିଭାଗ ସଚିବଙ୍କୁ ନୋଟିସ୍ ଜାରି କରିବା ସହ ଏହି ଘଟଣାରେ ବିଭାଗ କି ପଦକ୍ଷେପ ତାହା ଜଣାଇବାକୁ ନିର୍ଦ୍ଦଶେ ଦେଇଥିଲେ । ନିକଟରେ ସରକାର ଦେଇଥିବା ରିପୋର୍ଟରେ କୁହାଯାଇଥିଲା ଯେ ଏଏନଏମ୍ ଓ ଆଶାକର୍ମୀଙ୍କ ଦାୟିତ୍ୱହୀନତା ଯୋଗୁଁ ଏହା ହୋଇଥାଇପାରେ । କିନ୍ତୁ ଏହାକୁ କମିଶନ ଅଗ୍ରାହ୍ୟ କରି କହିଛନ୍ତି ଯେ ପିଲାମାନଙ୍କୁ କେଉଁ ଔଷଧ ଦିଆଯିବା, ସେ ନିଷ୍ପତି ନେବା ଡାକ୍ତର ଓ ମେଡିକାଲ ଅଫିସରଙ୍କର । ତେଣୁ ଔଷଧର ବୈଧ ତାରିଖ ରହିଛି କି ନାହିଁ, ତାହା ମଧ୍ୟ ଯାଂଚ୍ କରିବା ସେମାନଙ୍କ ଦାୟିତ୍ୱ । ତେଣୁ ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହେବା ଆବଶ୍ୟକ ।

କମିଶନ ତାଙ୍କ ଶୁଣାଣିରେ କହିଛନ୍ତି ଯେ, ସରକାରୀ ଅବେହଳା ଯୋଗୁଁ ଶିଶୁମାନଙ୍କ ମାନବିକ ଅଧିକାର କ୍ଷୁର୍ଣ୍ଣ ହୋଇଛି ଓ ସେମାନେ କ୍ଷତିପୂରଣ ପାଇବାକୁ ହକଦାର । ତେଣୁ ସରକାର ୩୬ ଜଣ ଶିଶୁଙ୍କୁ ପ୍ରତ୍ୟେକ ୧୦ ଲକ୍ଷ ଟଙ୍କା ଲେଖାଁଏ ଅର୍ଥାତ୍ ମୋଟ୍ ୩ କୋଟି ୬୦ ଲକ୍ଷ ଟଙ୍କା କ୍ଷତିପୂରଣ କାହିଁକି ନଦେବେ, ସେ ନେଇ କାରଣ ଦର୍ଶାଅ ନୋଟିସ୍ ଜାରି କରିଛନ୍ତି । ୬ ସପ୍ତାହ ମଧ୍ୟରେ ଏହାର ଜବାବ ରଖିବାକୁ କମିଶନ ନିର୍ଦ୍ଦେଶ ଦେଇଛନ୍ତି ।

Related story