କୋବି ଗୋଟାକୁ ଟଙ୍କେ, ନ ବିକି ଟ୍ରାକ୍ଟର ଚଢ଼ାଇ ଦେଲେ ଚାଷୀ

ବରଗଡ଼(ଦୀପକ ଶର୍ମା): ଏକର ଏକର ଜମିରେ ହୋଇଥିଲା ବନ୍ଧା କୋବି। ହେଲେ ତା’ଉପରେ ଟ୍ରାକ୍ଟର ଚଢ଼ାଇ ଦେଲେ ଚାଷୀ। ଆଜି ବରଗଡ଼ ଜିଲ୍ଲା ସଦର ବ୍ଲକ ଗଂଝିଆଟିକ୍ରା ଗାଁରୁ ଆସିଛି ଏଭଳି ଅଭାବନୀୟ ଦୃଶ୍ୟ। ଅଭାବୀ ବିକ୍ରି ତଥା ଚାଷର ଉପଯୁକ୍ତ ମୂଲ୍ୟ ନ ମିଳିବାରୁ ୩ ଚାଷୀ ଏଭଳି ପଦକ୍ଷେପ ନେଇଛନ୍ତି। ସେମାନେ ପ୍ରାୟ ୩ ଏକର ଜମିରେ ଚାଷ କରିଥିବା କୋବି ଫସଲ ନଷ୍ଟ କରିଛନ୍ତି। ଏହି ଗାଁରେ ପ୍ରାୟ ୧୫ ଏକର ଜମିରେ […]

kobi

  • Published: Monday, 19 December 2022
  • , Updated: 19 December 2022, 08:44 PM IST

ବରଗଡ଼(ଦୀପକ ଶର୍ମା): ଏକର ଏକର ଜମିରେ ହୋଇଥିଲା ବନ୍ଧା କୋବି। ହେଲେ ତା'ଉପରେ ଟ୍ରାକ୍ଟର ଚଢ଼ାଇ ଦେଲେ ଚାଷୀ। ଆଜି ବରଗଡ଼ ଜିଲ୍ଲା ସଦର ବ୍ଲକ ଗଂଝିଆଟିକ୍ରା ଗାଁରୁ ଆସିଛି ଏଭଳି ଅଭାବନୀୟ ଦୃଶ୍ୟ। ଅଭାବୀ ବିକ୍ରି ତଥା ଚାଷର ଉପଯୁକ୍ତ ମୂଲ୍ୟ ନ ମିଳିବାରୁ ୩ ଚାଷୀ ଏଭଳି ପଦକ୍ଷେପ ନେଇଛନ୍ତି। ସେମାନେ ପ୍ରାୟ ୩ ଏକର ଜମିରେ ଚାଷ କରିଥିବା କୋବି ଫସଲ ନଷ୍ଟ କରିଛନ୍ତି। ଏହି ଗାଁରେ ପ୍ରାୟ ୧୫ ଏକର ଜମିରେ କୋବି ଫସଲ ହୋଇଛି। ଉପଯୁକ୍ତ ଦର ନ ମିଳିଲେ ଏଠାର ଚାଷୀମାନେ ଏଭଳି ନିଷ୍ପତ୍ତି ନେବେ ବୋଲି ମଧ୍ୟ ସୂଚନା ମିଳିଛି।

ଚାଷୀ ଗୋପାଳ ପ୍ରଧାନ କହିଛନ୍ତି, କୋବି ରଖିବାକୁ ଶୀତଳ ଭଣ୍ଡାର ନାହିଁ। କୋବିର ଉପଯୁକ୍ତ ଦର ବି ମିଳୁନି। ବ୍ୟବସାୟୀମାନେ କୋବି ଗୋଟା ପ୍ରତି ୧ରୁ ୨ ଟଙ୍କାରେ ମୂଲ୍ୟରେ ଦେବାକୁ କହୁଛନ୍ତି। ବାହାର ରାଜ୍ୟରୁ ପ୍ରଚୁର ପରିମାଣରେ କୋବି ଟ୍ରକ୍‌ରେ ବରଗଡ଼ ଓ ବଲାଙ୍ଗିରକୁ ଆସୁଛି। ବ୍ୟବସାୟୀମାନେ ଏହା ଦର୍ଶାଇ ଏକପ୍ରକାର ସ୍ଥାନୀୟ ଚାଷୀଙ୍କ ଠାରୁ କମ୍‌ ମୂଲ୍ୟରେ ଫସଲ କିଣିବାକୁ ବାଧ୍ୟ କରୁଛନ୍ତି। ସରକାର ଚୁପ୍‌ ବସିଥିବାରୁ ଏଭଳି ପରିସ୍ଥିତି ସୃଷ୍ଟି ହୋଇଛି। ପନିପରିବାର ଏମ୍‌ଏସ୍‌ପି ଦାମ ସରକାର ସ୍ଥିର କରୁନାହାନ୍ତି। ତେଣୁ ଚାଷୀ ରାଗରେ କୋବି ଫସଲରେ ଟ୍ରାକ୍ଟର ଚଢ଼ାଇ ଦେଇଛନ୍ତି। ବହୁ କଷ୍ଟରେ ପାଣି ମଡ଼ାଇ ଖତ ସାର ଦେଇ ଚାଷ କରିଥିଲେ ବି ଅଣଧାନ ଫସଲରୁ ଚାଷୀଙ୍କର ମୂଳଧନ ଉଠୁନି। ଶେଷରେ ଏମିତି ଭୟଙ୍କର ଅଭାବୀ ବିକ୍ରି କାରଣରୁ ଚାଷୀ ଚରମ ନିଷ୍ପତ୍ତି ନେଇଛି।

ଚାଷୀ ପ୍ରଶାନ୍ତ କୁମାର ସାହୁ କହିଛନ୍ତି, ଦୀର୍ଘ ଦିନ ଧରି ବରଗଡ଼ରେ ଏକ ଶୀତଳ ଭଣ୍ଡାର ନିର୍ମାଣ ପାଇଁ ଚାଷୀମାନେ ଦାବି କରି ଆସୁଥିଲେ ବି ଆଜି ପର୍ଯ୍ୟନ୍ତ ତାହା ପୂରଣ ହୋଇ ପାରୁନି। ଖାଲି ସେତିକି ନୁହେଁ, ଧାନର ଯେମିତି ସର୍ବନିମ୍ନ ସହାୟକ ମୂଲ୍ୟ ଅଛି, ସେମିତି ପନିପରିବାର ମଧ୍ୟ ସର୍ବନିମ୍ନ ସହାୟକ ମୂଲ୍ୟ ଧାର୍ଯ୍ୟ କରାଯାଉ। ନଚେତ୍ ଚାଷୀ ଆଉ ଫସଲ କରିବେନି।

ଜିଲ୍ଲା କୃଷି ଅଧିକାରୀ ଅଶୋକ କୁମାର ଅମାତ କହିଛନ୍ତି, ଚଳିତ ବର୍ଷ ପାଗ ଭଲ ଥିବାରୁ ଧାନ ଓ ଅଣଧାନ ପ୍ରଚୁର ପରିମାଣରେ ଅମଳ ହୋଇଛି। ଶୀତଳ ଭଣ୍ଡାର ଅଭାବ ଯୋଗୁଁ ପନିପରିବାର ଉଚିତ୍ ମୂଲ୍ୟ ଚାଷୀ ପାଉ ନାହାନ୍ତି। ମୁଖ୍ୟମନ୍ତ୍ରୀ କୃଷି ଉଦ୍ୟଗୋ ଯୋଜନାରେ ଚାଷୀମାନେ ଶୀତଳ ଭଣ୍ଡାର କରିପାରିବେ। ତେବେ ଏହା ଖର୍ଚ୍ଚ ବହୁଳ ହୋଇଥିବାରୁ ଚାଷୀ ପଛ ଘୁଞ୍ଚା ଦିଅନ୍ତି। ତଥାପି କିଛି ହିତାଧିକାରୀଙ୍କୁ ଏକାଠି କରି ଶୀତଳଭଣ୍ଡାର କରିବାକୁ ପ୍ରୟାସ କରାଯିବ। ଏହାଛଡ଼ା ଆଧୁନିକ ଜ୍ଞାନକୌଶଳ ବ୍ୟବହାର କରି ଚାଷୀମାନେ ଅନ୍ୟ ଋତୁରେ ପନିପରିବା ଅମଳ କରିବାକୁ ଆଗ୍ରହ ଦେଖାଇଲେ ମଧ୍ୟ ଲାଭବାନ ହୋଇପାରିବେ।

ଗଂଝିଆଟିକ୍ରା ଗାଁରୁ ଆଜି ଆସିଥିବା ଦୃଶ୍ୟ ସରକାରଙ୍କ ବ୍ୟବସ୍ଥାକୁ ତାତ୍ସଲ୍ୟ କରିଛି। ସତେ ଯେମିତି ଚାଷୀ କୋବି କ୍ଷେତରେ ଟ୍ରାକ୍ଟର ଚଢ଼ାଉନି, ବରଂ ସରକାରୀ ବ୍ୟବସ୍ଥା ଉପରେ ଟ୍ରାକ୍ଟର ଚଢ଼ାଉଛି।

 

Related story