ବଲାଙ୍ଗିର(ଘଟେଶ୍ୱର ମିଶ୍ର) : ସମାଜର ସବୁ ଝଡ଼ଝଞ୍ଜାରୁ ନିଜ ପିଲାଙ୍କୁ ରକ୍ଷା କରିବା ନିମନ୍ତେ ସବୁବେଳେ ପାଚେରି ପରି ଛିଡ଼ା ହୋଇଥାଏ ବାପା। ହେଲେ ବଲାଙ୍ଗିର ଜିଲ୍ଲା ବେଲପଡ଼ା ଥାନା ଡେବ୍ରିପାଲି ଗାଁରେ ଦେଖିବାକୁ ମିଳିଛି ଭିନ୍ନ ଦୃଶ୍ୟ। ବାପା ନାମରେ କଳଙ୍କ ଜଣେ ବ୍ୟକ୍ତି ନିଜ ଝିଅକୁ ପୋଡ଼ି ମାରିଦେବାକୁ ଉଦ୍ୟମ କରିଥିବା ଅଭିଯୋଗ ହୋଇଛି। ଗୁରୁତର ନାବାଳିକା ସୂର୍ଯ୍ୟକାନ୍ତୀ ନାଗ ଏବେ ମୃତ୍ୟୁ ସହ ସଂଗ୍ରାମ କରୁଥିବା ବେଳେ ଏହି ଘଟଣାରେ କାହାକୁ ଗିରଫ କରାଯାଇ ନ ଥିବା ଜଣାଯାଇଛି।
ସୂଚନାଯୋଗ୍ୟ, ଘର ଭିତରୁ ସୁର୍ଯ୍ୟକାନ୍ତୀଙ୍କ ଚିତ୍କାର ଶୁଣି ଡେବ୍ରିପାଲି ଗାଁ ଲୋକେ ଅର୍ଦ୍ଧଦଗ୍ଧ ଅବସ୍ଥାରେ ତାଙ୍କୁ ଉଦ୍ଧାର କରିଥିଲେ। ଏହାପରେ ଗୁରୁତର ଅବସ୍ଥାରେ ତାଙ୍କୁ ବଲାଙ୍ଗିର ଭୀମଭୋଇ ମେଡିକାଲ କଲେଜରେ ଭର୍ତ୍ତି କରାଯାଇଛି। ସୂର୍ଯ୍ୟକାନ୍ତୀଙ୍କ ବାପା ଅରକ୍ଷିତ ନାଗ ହିଁ କିରାସିନି ଢାଳି ଝିଅକୁ ପୋଡ଼ି ଦେଇଥିବା ତାଙ୍କ ମାମୁ ବେଲପଡ଼ା ଥାନାରେ ଅଭିଯୋଗ କରିଛନ୍ତି।
ପୀଡ଼ିତାଙ୍କ ମାମୁ ଥାନାରେ କରିଥିବା ଅଭିଯୋଗ ଅନୁଯାୟୀ, ଅରକ୍ଷିତ ଦୁଇ ଥର ବିବାହ କରିଥିଲେ। ସୂର୍ଯ୍ୟକାନ୍ତୀ ହେଉଛନ୍ତି ତାଙ୍କ ପ୍ରଥମ ସ୍ତ୍ରୀଙ୍କ ଝିଅ । ସେ ଛୋଟ ସମୟରୁ ମାମୁ ଘରେ ରହୁଥିଲେ । ଗତ କିଛି ମାସ ହେଲା ଗାଁରେ ବୈଠକ ପରେ ନିଜ ଘରକୁ ଫେରିଥିଲେ। କିନ୍ତୁ ଅରକ୍ଷିତ ଝିଅକୁ ଘରେ ରଖିବାକୁ ଚାହୁଁନଥିଲେ । ତେଣୁ ସେ ହିଁ ନିଜ ଝିଅକୁ ହତ୍ୟା ଉଦ୍ୟମ କରିଥିବା ମାମୁ ଘର ଲୋକେ ଅଭିଯୋଗ କରିଛନ୍ତି ।
ପୁଲିସ୍ ଏହି ଘଟଣାର ତଦନ୍ତ ଆରମ୍ଭ କରିଥିବା ବେଳେ ଏହି ଘଟଣାରେ କାହାକୁ ଗିରଫ କରି ନାହିଁ।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।