ବିଧାନସଭାରେ ୨ଲକ୍ଷ କୋଟିର ଲେଖାନୁଦାନ ଓ ୪ମାସର କାମଚଳା ବଜେଟ୍ ଉପସ୍ଥାପିତ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ୨୦୨୨-୨୩ ଆର୍ଥିକ ବର୍ଷ ପାଇଁ ମୋଟ୍ ୨ଲକ୍ଷ କୋଟି ଟଙ୍କାର ଲେଖାନୁଦାନ ବଜେଟକୁ ରାଜ୍ୟ ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ ଆଜି ବିଧାନସଭାରେ ଉପସ୍ଥାପନ କରିବା ସହ ଏପ୍ରିଲରୁ ଜୁଲାଇ ପର୍ଯ୍ୟନ୍ତ ପ୍ରଥମ ୪ମାସ ନିମନ୍ତେ ୧ଲକ୍ଷ ୬ହଜାର ୪୯୮କୋଟି ଟଙ୍କାର କାମଚଳା ବଜେଟକୁ ଅନୁମୋଦନ ନିମନ୍ତେ ପ୍ରସ୍ତାବ ରଖିଛନ୍ତି । ୨୦୨୧-୨୨ରେ ରାଜ୍ୟ ବଜେଟର ଆକାର ୧.୭୦ଲକ୍ଷ କୋଟି ଟଙ୍କା ଥିବାବେଳେ ୨୦୨୨-୨୩ରେ ଏହା ୧୭.୬% ବୃଦ୍ଧି ପାଇ ୨ଲକ୍ଷ କୋଟି ଟଙ୍କାରେ ପହଂଚିଛି […]

Niranjan Pujari

Ordigital Desk
  • Published: Wednesday, 30 March 2022
  • , Updated: 31 March 2022, 12:31 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ୨୦୨୨-୨୩ ଆର୍ଥିକ ବର୍ଷ ପାଇଁ ମୋଟ୍ ୨ଲକ୍ଷ କୋଟି ଟଙ୍କାର ଲେଖାନୁଦାନ ବଜେଟକୁ ରାଜ୍ୟ ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ ଆଜି ବିଧାନସଭାରେ ଉପସ୍ଥାପନ କରିବା ସହ ଏପ୍ରିଲରୁ ଜୁଲାଇ ପର୍ଯ୍ୟନ୍ତ ପ୍ରଥମ ୪ମାସ ନିମନ୍ତେ ୧ଲକ୍ଷ ୬ହଜାର ୪୯୮କୋଟି ଟଙ୍କାର କାମଚଳା ବଜେଟକୁ ଅନୁମୋଦନ ନିମନ୍ତେ ପ୍ରସ୍ତାବ ରଖିଛନ୍ତି । ୨୦୨୧-୨୨ରେ ରାଜ୍ୟ ବଜେଟର ଆକାର ୧.୭୦ଲକ୍ଷ କୋଟି ଟଙ୍କା ଥିବାବେଳେ ୨୦୨୨-୨୩ରେ ଏହା ୧୭.୬% ବୃଦ୍ଧି ପାଇ ୨ଲକ୍ଷ କୋଟି ଟଙ୍କାରେ ପହଂଚିଛି । କରୋନା ମହାମାରୀ ଯୋଗୁ ବ୍ୟାକଫୁଟକୁ ଚାଲି ଯାଇଥିବା ରାଜ୍ୟ ଅର୍ଥନୀତି ପୁଣିଥରେ ଟ୍ରାକକୁ ଫେରିଛି ଓ ଅର୍ଥନୀତିରେ ଦ୍ରୁତ ସୁଧାର ଆସି ୨୦୨୨-୨୩ରେ ରାଜ୍ୟର ଆର୍ଥିକ ଅଭିବୃଦ୍ଧି ହାର ୯ରୁ ୯.୫% ରହିବ ବୋଲି ଆକଳନ କରାଯାଇଛି । ପଂଚାୟତ ଓ ପୌର ନିର୍ବାଚନ ପାଇଁ ଆଦର୍ଶ ଆଚରଣ ବିଧି ଲାଗୁ ଯୋଗୁଁ ବାର୍ଷିକ ବଜେଟ୍ ଆଗତ ସମ୍ଭବପର ନଥିବାରୁ ସରକାର ପ୍ରାୟ ୧.୦୬ଲକ୍ଷ କୋଟି ଟଙ୍କାର ୪ମାସିଆ କାମଚଳା ବଜେଟ୍ ଆଗତ କରି ଆସନ୍ତାକାଲି ଏହାକୁ ବ୍ୟୟମଞ୍ଜୁରୀ ବିଲ୍ ଆକାରରେ ଗୃହରେ ପାରିତ କରାଇବେ । ବଜେଟରେ ଆର୍ଥିକ ଅଭିବୃଦ୍ଧି, ଭିତ୍ତିଭୂମି ଉନ୍ନୟନ, ବିକାଶ ଓ ପୁଞ୍ଜିନିବେଶକୁ ପ୍ରାଥମିକତା ଦିଆଯାଇଛି । ଖଣି କ୍ଷେତ୍ରରୁ ପ୍ରାୟ ୪୮୨୦୦କୋଟି ଟଙ୍କାର ଅଣଟିକସ ରାଜ୍ୟ ଅର୍ଥନୀତି ପାଇଁ ସଞ୍ଜିବନୀ ହୋଇଛି ଓ ଏହା ହିଁ ରାଜ୍ୟର ନିଜସ୍ୱ ଟିକସ ପରିମାଣ ବୃଦ୍ଧିରେ ସହାୟକ ହୋଇଛି ।

ରାଜ୍ୟ ଅର୍ଥମନ୍ତ୍ରୀ ଶ୍ରୀ ପୂଜାରୀ କହିଛନ୍ତି ଯେ, ରାଜ୍ୟ ବଜେଟର ୫୮ ପ୍ରତିଶତ ନିଜସ୍ୱ ରାଜସ୍ୱରୁ ପୂରଣ ହୋଇପାରୁଛି । ଉତ୍ତମ ଆର୍ଥିକ ଓ ସଠିକ୍ ବିତ୍ତିୀୟ ପରିଚାଳନା ଯୋଗୁ କେନ୍ଦ୍ରୀୟ ସହାୟତା ଉପରେ ନିର୍ଭରଶୀଳତା ପୂର୍ବ ତୁଳନାରେ ହ୍ରାସ ପାଇଛି । ୨୦୨୨-୨୩ ଆର୍ଥିକ ବର୍ଷ ପାଇଁ ପ୍ରଶାସନିକ ଖର୍ଚ୍ଚ ୮୯,୬୨୦କୋଟି, କାର୍ଯ୍ୟକ୍ରମ ଖର୍ଚ୍ଚ ୧ଲକ୍ଷ କୋଟି, ବିପର୍ଯ୍ୟୟ ପ୍ରଶମନ ପାଣ୍ଠିରୁ ଖର୍ଚ୍ଚ ୩୨୧୦କୋଟି, ରାଜ୍ୟ ସରକାରଙ୍କ ଦ୍ୱାରା ହସ୍ତାନ୍ତରିତ ହୋଇôଥବା ଅର୍ଥରୁ ଖର୍ଚ୍ଚ ୭୧୭୦କୋଟିର ବଜେଟ୍ ଆକଳନ ହୋଇଛି । ଏଥିରୁ ଏପ୍ରିଲରୁ ଜୁଲାଇ ମାସ ପର୍ଯ୍ୟନ୍ତ ୪ମାସ ପାଇଁ ୧ଲକ୍ଷ ୬ହଜାର ୪୯୮କୋଟି ଟଙ୍କାର ଲେଖାନୁଦାନ ଆଗତ କରାଯାଇଛି । କାର୍ଯ୍ୟକ୍ରମର ଖର୍ଚ୍ଚ ପରିମାଣ ଗତବର୍ଷ ତୁଳନାରେ ୨୫ହଜାର କୋଟି ବୃଦ୍ଧି ପାଇଁ ମୋଟ ୧ଲକ୍ଷ କୋଟି ଟଙ୍କା ହୋଇଥିବାବେଳେ ଏଥିରେ ଶିକ୍ଷା ଓ ଦକ୍ଷତା କ୍ଷେତ୍ର ପାଇଁ ୨୩୯୪୭କୋଟି ଟଙ୍କା, ସ୍ୱାସ୍ଥ୍ୟ କ୍ଷେତ୍ର ପାଇଁ ୧୨୨୪୧କୋଟି ଟଙ୍କା, କୃଷି ଓ ଆନୁସଙ୍ଗିକ କ୍ଷେତ୍ର ପାଇଁ ୨୦୩୪୪କୋଟି ଟଙ୍କା , ଅନୁସୂଚିତ ଜାତି ଓ ଜନଜାତି ପାଇଁ ଚିହ୍ନିତ ଯୋଜନା ନିମନ୍ତେ କାର୍ଯ୍ୟକ୍ରମ ବ୍ୟୟ ୩୩୨୦୩କୋଟି ଟଙ୍କା, ପାଇପ୍ ଯୋଗେ ପାନୀୟ ଜଳ ପ୍ରକଳ୍ପ ପାଇଁ ୮୨୫୫କୋଟି ଟଙ୍କା ଧାର୍ଯ୍ୟ କରାଯାଇଛି । ଏହି ବଜେଟ୍ ଏକ ରାଜସ୍ୱ ବଳକା ଓ ବିତ୍ତୀୟ ନିଅଣ୍ଟିଆ ବଜେଟ । ୨୦୨୨-୨୩ ଆର୍ଥିକ ବର୍ଷରେ ଏଫଆରବିଏମ୍ ଆକ୍ଟ ଅନ୍ତର୍ଗତ ବିତ୍ତୀୟ ନିଅଂଟ ରାଜ୍ୟ ଜିଡିପିର ୩ ପ୍ରତିଶତ ରହିଥିବାବେଳେ ୧୯୬୧୭.୫୮କୋଟି ଟଙ୍କାର ରାଜସ୍ୱ ବଳକା ଆକଳନ ହୋଇଛି ।

୨୦୨୨-୨୩ ଆର୍ଥିକ ବର୍ଷ ଶେଷ ସୁଦ୍ଧା ରାଜ୍ୟର ମୋଟ ଋଣବୋଝ ୧ଲକ୍ଷ ୧୦ହଜାର ୪୦୦କୋଟି ଟଙ୍କାକୁ ଛୁଇଁବ, ଯାହାକି ରାଜ୍ୟ ଜିଡିପିର ୧୫.୩୫% । ୨୦୨୨-୨୩ ଆର୍ଥିକ ବର୍ଷରେ ମୋଟ ୨୪୫୮୯କୋଟି ଟଙ୍କାର ଋଣ ଆଣିବାକୁ ଲକ୍ଷ୍ୟ ରଖାଯାଇଛି । ଏଥିରେ ଭାରତ ସରକାରଙ୍କଠୁ ୫୨୮୦କୋଟି, ଏଲଆଇସି, ଜିଆଇସି ଓ ନାବାର୍ଡ ଆଦିଠୁ ୧୭୦୫୦କୋଟି, ଖୋଲା ବଜାରରୁ ୨୨୫୯କୋଟି ଟଙ୍କାର ଋଣ ସାମିଲ ଅଛି ।
୨୦୨୨-୨୩ ଆର୍ଥିକ ବର୍ଷରେ ମୋଟ ୨ଲକ୍ଷ କୋଟି ଟଙ୍କାର ବଜେଟ୍ ବ୍ୟୟବରାଦ ହୋଇଥିବାବେଳେ ସେଥିରେ ଦରମା, ପେନସନ ଓ ରାଜସ୍ୱ ବ୍ୟୟ ପାଇଁ ୬୨.୭୫ ପ୍ରତିଶତ ଅର୍ଥାତ ୧୨୫୫୦୧.୬୮କୋଟି ଟଙ୍କା ବରାଦ ହୋଇଛି । ପୁଞ୍ଜି କ୍ଷେତ୍ର ପାଇଁ ୪୦୦୧୦କୋଟି ଟଙ୍କା ରହିଥିବାବେଳେ ଋଣ ଓ ସୁଧ ପରିଶୋଧରେ ୨୨୪୬୭କୋଟି ଟଙ୍କା ବ୍ୟୟ ନିମନ୍ତେ ଲକ୍ଷ୍ୟ ରଖାଯାଇଛି । ମୋଟ ରାଜସ୍ୱ ପ୍ରାପ୍ତି ୧ଲକ୍ଷ ୬୩ହଜାର ୯୬୭କୋଟି ଟଙ୍କା ହେବ ବୋଲି ଆକଳନ କରାଯାଇଥିବାବେଳେ ଏଥିରୁ କର୍ମଚାରୀଙ୍କ ଦରମା ଓ ପେନସନ ବାବଦରେ ୪୭,୪୬୯କୋଟି ଟଙ୍କା ଖର୍ଚ୍ଚ ହେବ । କର୍ମଚାରୀଙ୍କ ଦରମାରେ ୨୯୨୪୮କୋଟି ଓ ପେନସନରେ ୧୮୨୨୧କୋଟି ଟଙ୍କା ରହିଛି । ଖଣି ରାଜସ୍ୱ, ରାଜ୍ୟ ଜିଏସିଟି ଓ ବିକ୍ରିକର ଯୋଗୁ ରାଜ୍ୟର ଟିକସ ସଂଗ୍ରହ ପରିମାଣରେ ସୁଧାର ଆସିଛି ।

ସେହିପରି ବଜେଟରେ ୨୦୨୪ ମସିହା ସୁଦ୍ଧା ପ୍ରତ୍ୟେକ ଗ୍ରାମୀଣ ପରିବାରକୁ ଟ୍ୟାପ୍ ଯୋଗେ ପାଣି ଦେବାକୁ ପ୍ରତିଶ୍ରୁତି ଦିଆଯାଇଛି । ସେହିପରି କାଳିଆ ଯୋଜନାରେ ୧୮୭୪ କୋଟି ଟଙ୍କା, ଜାତୀୟ ଗ୍ରାମୀଣ ଜୀବିକା ମିଶନରେ ୧୦୩୯କୋଟି ଟଙ୍କା, ମହିଳା ସ୍ୱୟଂ ସହାୟକ ଗୋଷ୍ଠୀକୁ ୭୭୩କୋଟି ଟଙ୍କା, ମିଶନ ଶକ୍ତି ଗୃହ ନିର୍ମାଣ ପାଇଁ ୧୭୬କୋଟି, ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ ୧୮୬୪କୋଟି ଟଙ୍କା, ମୁଖ୍ୟମନ୍ତ୍ରୀ ସ୍ୱାସ୍ଥ୍ୟ ସେବା ମିଶନ ପାଇଁ ୨୩୩୫କୋଟି ଟଙ୍କା ବ୍ୟୟବରାଦ ଲକ୍ଷ୍ୟ ରଖାଯାଇଛି । ସ୍ୱଚ୍ଛ ଭାରତ ଅଭିଯାନ ପାଇଁ ୨୫୦କୋଟି, ବସୁଧା ଯୋଜନାରେ ୨୨୫୫କୋଟି, ବିଜୁ ସେତୁ ଯୋଜନାରେ ୧୬୮୮କୋଟି, ମୁଖ୍ୟମନ୍ତ୍ରୀ ସଡ଼କ ଯୋଜନାରେ ୬୭୫କୋଟି, ଅଭଡ଼ା ଯୋଜନାରେ ୧୪୦୮କୋଟି, ବିଜୁ ଏକ୍ସପ୍ରେସ ୱେ ପାଇଁ ୩ଶହ କୋଟି, ସମଲେଶ୍ୱରୀ ପୀଠର ବିକାଶ ପାଇଁ ୨ଶହ କୋଟି, ରାଜ୍ୟରେ ମୋଟ ସରକାରୀ ମେଡିକାଲ କଲେଜ ସଂଖ୍ୟା ୧୩କୁ ବୃଦ୍ଧି ପାଇଛି ଓ ଆଗାମୀ ଦିନରେ ବର୍ଷକୁ ପ୍ରାୟ ୨ହଜାର ଏମବିବିଏସ୍ ଡାକ୍ତର ଛାତ୍ରଛାତ୍ରୀ ସ୍ନାତକ ଡିଗ୍ରୀ ହାସଲ କରିବେ ବୋଲି ଅର୍ଥମନ୍ତ୍ରୀ କହିଛନ୍ତି ।

ଏକ ନୂତନ ଓଡ଼ିଶା-ସଶକ୍ତ ଓଡ଼ିଶା ନିର୍ମାଣ ଦିଗରେ ନିରନ୍ତର ପ୍ରୟାସ ଜାରି ରଖିବା ସହ ରାଜ୍ୟରେ ଉନ୍ନତି ଓ ପ୍ରଗତିର ଏକ ନୂଆ ଯୁଗର ସୂତ୍ରପାତ ନିମନ୍ତେ ନିରବଚ୍ଛିନ୍ନ ଉଦ୍ୟମ ଜାରି ରହିଛି ବୋଲି ଶ୍ରୀ ପୂଜାରୀ କହିଛନ୍ତି ।

Related story