'ରୋଗୀ ଦେଖୁଥିଲି, ହଠାତ୍ ଫୋନ୍ ଆସିଲା ତୁ ଓଏଏସ୍ ପାଇଛୁ’

ଭୁବନେଶ୍ୱର (ଶୁଭ୍ରାଂଶୁ ଶେଖର ଜେନା ): “ବାପା ମା’ ଚାହୁଁଥିଲେ ମୁଁ ଜନସେବା କରେ। ଡାକ୍ତରୀ ନହେଲେ ନର୍ସିଂ ପଢ଼େ। ପରିବାରର ଉତ୍ସାହରୁ ନର୍ସିଂରେ ଏମଏସସି କଲି ଏବଂ ଭୁବନେଶ୍ୱର ସିଜୁଆ ସ୍ଥିତ ଏମ୍ସରେ ନର୍ସିଂ ଅଫିସର ଭାବେ ମୋର କ୍ୟାରିଅର ଆରମ୍ଭ ହେଲା। କିନ୍ତୁ କେଉଁଠି ନା କେଉଁଠି ପ୍ରଶାସନିକ ସେବା ପ୍ରତି ମୋର ଦୁର୍ବଳତା ବା ଆଗ୍ରହ ଥିଲା। ଚାକିରୀ କରିବି ପଢ଼ାପଢ଼ି ଜାରି ରଖିଥିଲି। ନର୍ସିଂ କ୍ୟାରିଅରରେ ହଠାତ୍ ପୂର୍ଣ୍ଣଛେଦ ଟାଣିବାକୁ ସେମିତି […]

RASHMI OAS

Subhransu Sekhar
  • Published: Sunday, 12 January 2020
  • , Updated: 12 January 2020, 06:06 PM IST
ଭୁବନେଶ୍ୱର (ଶୁଭ୍ରାଂଶୁ ଶେଖର ଜେନା ): "ବାପା ମା' ଚାହୁଁଥିଲେ ମୁଁ ଜନସେବା କରେ। ଡାକ୍ତରୀ ନହେଲେ ନର୍ସିଂ ପଢ଼େ। ପରିବାରର ଉତ୍ସାହରୁ ନର୍ସିଂରେ ଏମଏସସି କଲି ଏବଂ ଭୁବନେଶ୍ୱର ସିଜୁଆ ସ୍ଥିତ ଏମ୍ସରେ ନର୍ସିଂ ଅଫିସର ଭାବେ ମୋର କ୍ୟାରିଅର ଆରମ୍ଭ ହେଲା। କିନ୍ତୁ କେଉଁଠି ନା କେଉଁଠି ପ୍ରଶାସନିକ ସେବା ପ୍ରତି ମୋର ଦୁର୍ବଳତା ବା ଆଗ୍ରହ ଥିଲା। ଚାକିରୀ କରିବି ପଢ଼ାପଢ଼ି ଜାରି ରଖିଥିଲି। ନର୍ସିଂ କ୍ୟାରିଅରରେ ହଠାତ୍ ପୂର୍ଣ୍ଣଛେଦ ଟାଣିବାକୁ ସେମିତି ବିଧିବଦ୍ଧ ନିଷ୍ପତ୍ତି ନେଇନଥିଲି ଯଦିଓ ଏହା ଭିତରେ ଓଏଏସ୍ ପାଇଁ ମନୋନୀତ ହେବାର ଚୂଡ଼ାନ୍ତ ପର୍ଯ୍ୟାୟକୁ ଆସି ସାରିଥିଲି।"
ଅପ୍ରତ୍ୟାଶିତ ନହେଲେ ବି ସଫଳତାର ଖବରଟି ତାଙ୍କୁ ସେତେବେଳେ ଆସିଥିଲା ଯେତେବେଳେ ତାହା ତାଙ୍କ ମନ ଭିତରେ ଆଦୈ ନଥିଲା। ଏମ୍ସରେ ନର୍ସଂ ଅଫିସର ଭାବରେ ଡ୍ୟୁଟି କରୁଥିବା ବେଳେ ହିଁ ଓଏଏସ୍ ପାଇଥିବାର ସୂଚନା ପାଇଥିଲେ  ବାଲେଶ୍ୱର ବସ୍ତା ବ୍ଲକର ତପନ କୁମାର ଦାସ ଏବଂ ଦୀପ୍ତିରାଣୀ ଦାସଙ୍କ ଝିଅ ରଶ୍ମୀପ୍ରଭା। ନିକଟରେ ପ୍ରକାଶ ପାଇଥିବା ଓଏଏସ୍ ରେଜଲ୍ଟରେ୪୩ ନମ୍ୱର ରାଙ୍କ ହାସଲ କରିଛନ୍ତି ରଶ୍ମୀ ପ୍ରଭା ଦାସ।  କେବଳ ବସ୍ତା ମାଟିର ପ୍ରଥମ ଝିଅ ନୁହେଁ ସେ ରାଜ୍ୟର ପ୍ରଥମ ନର୍ସ ଯିଏ ଓଏଏସ୍ ପାଇଛନ୍ତି। ନିକଟରେ ତାଙ୍କୁ ବସ୍ତା ବ୍ଲକ ତରଫରୁ ‘ଭୂମିକନ୍ୟା’ ସମ୍ମାନରେ ମଧ୍ୟ ସମ୍ମାନୀତ କରାଯାଇଥିଲା। ସଫଳତା ଓ ଆଗାମୀ କାର୍ଯ୍ୟପନ୍ଥା ସମ୍ପର୍କରେ ଓଡ଼ିଶା ରିପୋର୍ଟର ଟିମର ସଦସ୍ୟ ଶୁଭ୍ରାଂଶୁ ଶେଖର ଜେନାଙ୍କ ସହ ନିଜ ଅନୁଭବ ବାଣ୍ଟିଛନ୍ତି ନିଜେ ରଶ୍ମୀପ୍ରଭା।

ରେଜଲ୍ଟ ଯେତେବେଳେ ବାହାରିଲା ସେତେବେଳେ ଆପଣ କ’ଣ କରୁଥିଲେ

ମୁଁ ହସ୍ପିଟାଲରେ ରୋଗୀଙ୍କ କାମ କରୁଥିଲି। ହଠାତ୍ ଘରୁ ଫୋନ୍ ଆସିଲା ଓଏଏସ୍ ପାଇଛି ବୋଲି। ଜାଣିଥିଲି ରେଜଲ୍ଟ ବାହାରିବ। ଡର ବି ଥିଲା କ’ଣ ହେବ। ହେଲେ ହସ୍ପିଟାଲ କାମରେ ବ୍ୟସ୍ତ ଥିବାରୁ କିଛି ସମୟ ପାଇଁ ରେଜଲ୍ଟ ବାହାରିବା କଥା ଭୁଲି ଯାଇଥିଲି। ଘରୁ ଫୋନ୍ ଆସିବା ପରେ ମୁଁ ବି ବହୁତ ଖୁସି ହୋଇଯାଇଥିଲି। ବାବା, ମା' ଓ ସାନ ଭଉଣୀ ସହ କଥା ହେବା ପରେ ମୋର ସହଯୋଗୀମାନଙ୍କୁ ଫୋନ୍ କରି କହିଥିଲି ରେଜଲ୍ଚ ବାବଦରେ। ଆଉ ସମସ୍ତଙ୍କୁ ଚେକଲେଟ୍ ଦେଇଥିଲି।

ଆପଣ ଏବେ ସିଷ୍ଟର ରଶ୍ମୀରୁ ପ୍ରଶାସିକା ରଶ୍ମୀ ହେବାକୁ ଯାଉଛନ୍ତି

ଖୁସି ଲାଗୁଛି। କିନ୍ତୁ ମୋ ସଫଳତା ପଛରେ ସମସ୍ତ ରୋଗୀ ଓ ତାଙ୍କ ପରିବାର ଲୋକଙ୍କ ଭଲ ପାଇବା, ମୋର ଶୁଭେଚ୍ଛୁ ଏବଂ ଭଗବାନଙ୍କର ଆଶୀର୍ବାଦ ରହିଛି। ସବୁଠୁ ବଡ଼ ଅବଦାନ ରହିଛି ମୋ ବାପା, ମା'ଙ୍କର । ବାପା କହିଥିଲେ ପାଠ ପଢ଼ିବୁ ଯଦି ଭଲ ପଢ଼ିବୁ। ନହେଲେ ପର ଘରେ ବାସନ ମାଜିବୁ। ଏହି କଥାକୁ ମନେ ରଖି ମୁଁ ଆଗେଇ ଚାଲିଥିଲି। ଓଏଏସ୍ ମୋର ସ୍ୱପ୍ନ ଥିଲା। କିନ୍ତୁ ଏହା ପରିବାର ଲୋକଙ୍କ ବ୍ୟତୀତ ବହୁତ କମ୍ ଲୋକ ଜାଣିଥିଲେ। ଦ୍ୱିତୀୟ ଥର ଆଟେମ୍ପଟରେ ମୁଁ ସଫଳ ହୋଇଛି।

ତହସିଲଦାର ହୋଇ ନେତା ମନ୍ତ୍ରୀଙ୍କ ଚାପକୁ ଚ୍ୟାଲେଞ୍ଜ ଦେବେ ନା ରୋଗୀ ସେବା କରିବେ?

ଦେଖନ୍ତୁ, ନର୍ସିଂ ହେଉଛି ବିଶ୍ୱର ଏକମାତ୍ର ସେବା ଯାହାକି ବିନା ସ୍ୱାର୍ଥରେ କରାଯାଇଥାଏ। ମୁଁ ଏହି ନର୍ସିଂ ଚାକିରୀ ମନଭରି ଉପଭୋଗ କରୁଛି। ହଁ ଜଣେ ଓଏଏସ୍ ହେବା ପରେ ଅଧିକ କିଛି କାମ କରିପାରିବ। ନର୍ସ ହୋଇ କେବଳ ରୋଗୀଙ୍କ ସେବା କରୁଥିଲି। ହେଲେ ଓଏଏସ୍ ହେବା ପରେ ସବୁ ବର୍ଗର ଲୋକଙ୍କ ପାଇଁ କାମ କରିପାରିବି। ତେଣୁ ବର୍ତ୍ତମାନର ଚାକିରିକୁ ଆଗାମୀ ଦିନରେ ମୁଁ ଛାଡ଼ିବି। ଆଉ ଗୋଟିଏ କଥା ଆପଣ ମାନଙ୍କ ଟିଭି ଚ୍ୟାନେଲ, ଖବରକାଗଜରେ ଅନେକ ଖବରଆସେ ଦୁର୍ନୀତି, ଟେଣ୍ଡର ଆଦିରେ ଅନେକ ବଡ଼ ବଡ଼ିଆ ସରକାରୀ ଅଧିକାରୀଙ୍କ ହାତ ରହିଛି। ମୁଁ କିନ୍ତୁ ରୋଗୀଙ୍କ ସେବା କରି ଆଶୀର୍ବାଦ ପାଇ ଏହି ଓଏଏସ୍ ପାଇଛି। ଲୋକଙ୍କ ଜୀବନ ମରଣର ମୂହୂର୍ତ୍ତରେ ଛିଡ଼ା ହୋଇ ତାଙ୍କର ଦୁଃଖ ଦେଖିଛି। ତେଣୁ ମୁଁ ଯାହା ବି କରିବି ଲୋକଙ୍କ ପାଇଁ କରିବି। ନ୍ୟାୟ ପାଇଁ କରିବ। ମୋ ଆଗରେ ନେତା, ମନ୍ତ୍ରୀ, ସାଧାରଣ ଲୋକ ସମସ୍ତେ ସମାନ ରହିବେ।

ହସ୍ପିଟାଲରେ ଅଧିକ ସମୟ ବିତାଇ କେମିତି ଓପିଏସସି ପାଇଁ ପ୍ରସ୍ତୁତି କରୁଥିଲେ?

ହସ୍ପିଟାଲରୁ ରୁମକୁ ଆସିବା ପରେ ନିଜ କାମ ସବୁ କରୁଥିଲି। ହେଲେ ସେଥିରୁ କିଛି ଘଣ୍ଟା ଓପିଏସସି ପ୍ରସ୍ତୁତିରେ ନିଜକୁ ନିୟୋଜିତ ରଖୁଥିଲି। ଅଳ୍ପ ସମୟ ଦେଉଥିଲେ ମଧ୍ୟ ମନ ଦେଇ ପଢ଼ିଥାଏ।

ନର୍ସିଂ ପଢ଼ିବା ପାଇଁ କେମିତି ଇଚ୍ଛା ପ୍ରକାଶ କଲେ?

ମୋର ପରିବାର ଲୋକେ ସେବାକୁ ଅଧିକ ଗୁରୁତ୍ୱ ଦିଅନ୍ତି। ସେବାକୁ ପରମଧର୍ମ ହିଁ ମାନନ୍ତି। ମୋର ମାଉସୀ ମଧ୍ୟ ନର୍ସିଂ କରି ୟୁକେରେ ଅଛନ୍ତି। ଇଞ୍ଜିନିୟର ହେବା ପାଇଁ ଇଚ୍ଛା ଥିଲା। ଆମେ ଦୁଇ ଭଉଣୀ। ଇଞ୍ଜିନିୟରିଂ ପଢ଼ିଲେ ଓଡ଼ିଶା ବାହାରକୁ ଯିବାକୁ ପଡ଼ିବ। ତେଣୁ ବାପା କହିଲେ ନର୍ସିଂ କରି ଓଡ଼ିଶାରେ ରହିବୁ ଆମେ ପାଖରେ ରହିବୁ। ଆଉ ବାପାଙ୍କ କଥା ମାନି ନର୍ସିଂ କଲି। ବିଏଏସି ନର୍ସିଂ ପ୍ରବେଶିକା ପରୀକ୍ଷାରେ ୪ ନମ୍ୱର ରାଙ୍କ ଥିଲା। ଏମଏସସି ନର୍ସିଂରେ ୧ ନମ୍ୱର ଥିଲି। ମୋର ଭଉଣୀ ମଧ୍ୟ ନର୍ସିଂ ପଢ଼ୁଛି।

Related story