୧୦ ମାସ ବିତିଲା: ଏଠି ଜଳସମ୍ପଦ ବିଭାଗକୁ ମିଳୁନି ପୁଲିସ ସୁରକ୍ଷା, ସାଧାରଣ ଲୋକଙ୍କୁ ପଚାରେ କିଏ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟର ସରକାରୀ ସମ୍ପତ୍ତିର ସୁରକ୍ଷା ପାଇଁ ଦୀର୍ଘ ୧୦ ମାସ ହେଲା ରାଜ୍ୟ ଜଳସମ୍ପଦ ବିଭାଗ ଲିଖିତ ଭାବେ ଅନୁରୋଧ କରିିଥିଲେ ବି ଗୃହ ବିଭାଗ ଏଥିପ୍ରତି ସାମାନ୍ୟତମ ଗୁରୁତ୍ୱ ଦେଉନି। ଯଦିଓ ପ୍ରମୁଖ ସରକାରୀ ସମ୍ପତ୍ତିର ସୁରକ୍ଷା ଓ ନିରାପତ୍ତା ପାଇଁ ପୁଲିସ ଓ ଶିଳ୍ପ ନିରାପତ୍ତା ବାହିନୀ ରହିଛନ୍ତି। ତଥାପି ୧୦ମାସ ଧରି ଜଳସମ୍ପଦ ବିଭାଗର ଅନୁରୋଧ ଉପରେ ଗୃହ ବିଭାଗ କୌଣସି ନିଷ୍ପତ୍ତି ନେବା ତ ଦୂରର କଥା ସୌଜନ୍ୟ […]

Irrigation

Ordigital Desk
  • Published: Tuesday, 12 October 2021
  • , Updated: 12 October 2021, 10:33 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟର ସରକାରୀ ସମ୍ପତ୍ତିର ସୁରକ୍ଷା ପାଇଁ ଦୀର୍ଘ ୧୦ ମାସ ହେଲା ରାଜ୍ୟ ଜଳସମ୍ପଦ ବିଭାଗ ଲିଖିତ ଭାବେ ଅନୁରୋଧ କରିିଥିଲେ ବି ଗୃହ ବିଭାଗ ଏଥିପ୍ରତି ସାମାନ୍ୟତମ ଗୁରୁତ୍ୱ ଦେଉନି। ଯଦିଓ ପ୍ରମୁଖ ସରକାରୀ ସମ୍ପତ୍ତିର ସୁରକ୍ଷା ଓ ନିରାପତ୍ତା ପାଇଁ ପୁଲିସ ଓ ଶିଳ୍ପ ନିରାପତ୍ତା ବାହିନୀ ରହିଛନ୍ତି। ତଥାପି ୧୦ମାସ ଧରି ଜଳସମ୍ପଦ ବିଭାଗର ଅନୁରୋଧ ଉପରେ ଗୃହ ବିଭାଗ କୌଣସି ନିଷ୍ପତ୍ତି ନେବା ତ ଦୂରର କଥା ସୌଜନ୍ୟ ଦୃଷ୍ଟିରୁ ଚିଠିର ଉତ୍ତର ମଧ୍ୟ ଦେଇନାହିିଁ । ଗୋଟିଏ ସରକାରୀ ବିଭାଗର ଅନୁରୋଧକୁ ଡଷ୍ଟବିନକୁ ଫିଙ୍ଗି ଦେଇଥିବା ଗୃହ ବିଭାଗ ରାଜ୍ୟର ସାଧାରଣ ଲୋକଙ୍କ ଅଭିଯୋଗ ଉପରେ କିଭଳି ଆଚରଣ କରୁଥିବ ତାହା ଏଥିରୁ ଜଳଜଳ ହୋଇ ଜଣାପଡ଼ୁଛି।

ରାଜ୍ୟରେ ବିପର୍ଯ୍ୟସ୍ତ ଆଇନଶୃଙ୍ଖଳାକୁ ନେଇ ବିରୋଧୀ ଦଳ ନିୟମିତ ଭାବେ ସରକାରଙ୍କୁ ସମାଲୋଚନା କରୁଛନ୍ତି । କିନ୍ତୁ ଗୋଟିଏ ସରକାରୀ ବିଭାଗ, ପୁଣି ସରକାରୀ ସମ୍ପତ୍ତି(ଆନନ୍ଦପୁର ବ୍ୟାରେଜ)ର ସୁରକ୍ଷା ନିମନ୍ତେ ପୁଲିସ କିମ୍ବା ନିରାପତ୍ତା ରକ୍ଷୀ ଯୋଗାଇ ଦେବାକୁ ଗୃହ ବିଭାଗକୁ ୨୦୨୧ ଜାନୁୟାରୀ ୮ତାରିଖରୁ ଚିଠି ଲେଖିଛି, ଆଉ ଏହି ଅନୁରୋଧ ଉପରେ ଗୃହ ବିଭାଗ ପଦକ୍ଷେପ ନେବା ତ ଦୂରର କଥା । ସାଧାରଣ ସୌଜନ୍ୟ ରକ୍ଷା କରି ଜଳସମ୍ପଦ ବିଭାଗକୁ ପ୍ରତ୍ୟୁତର ବି ଦେଇନାହିଁ।

ସୂଚନା ଅନୁସାରେ, ଜଳସମ୍ପଦ ବିଭାଗର ସ୍ୱତନ୍ତ୍ର ସଚିବ ଅର୍ଚ୍ଚନା ପଟ୍ଟନାୟକ ଗତ ୨୦୨୧ ଜାନୁୟାରୀ ୮ତାରିଖରେ ଗୃହ ବିଭାଗର ସ୍ୱତନ୍ତ୍ର ସଚିବ ସନ୍ତୋଷ ବାଲାଙ୍କୁ ଚିଠି ଲେଖି କେନ୍ଦୁଝର ଜିଲ୍ଲାର ଆନନ୍ଦପୁର ବ୍ୟାରେଜ୍ ପ୍ରକଳ୍ପ ନିର୍ମାଣ କାର୍ଯ୍ୟ ଚାଲିଥିବା ସମ୍ପର୍କରେ ଅବଗତ କରାଇଥିଲେ । ସେଠାରେ ମୂଲ୍ୟବାନ ଇଲେକ୍ଟ୍ରିକ ମୋଟର ସହ ଗେଟ୍ ଓ ଅନ୍ୟାନ୍ୟ ଇଲେକ୍ଟ୍ରିକାଲ ଉପକରଣ ରହିଛି, ଯାହାର ମୂଲ୍ୟ ବହୁ ଅଧିକ। ସେହି ବାଟ ଦେଇ ସାଧାରଣ ଲୋକ ଯାଉଥିବାରୁ ଏସବୁ ସାମଗ୍ରୀ ଚୋରି ହେବାର ଆଶଙ୍କା ରହିଛି। ସେହି ପ୍ରକଳ୍ପ ସ୍ଥାନରେ ୨୪ଘଣ୍ଟିଆ ଜଗିବା ନିମନ୍ତେ ବିଭାଗ ପାଖରେ କର୍ମଚାରୀ ନାହାନ୍ତି । ପ୍ରକଳ୍ପ ପାଇଁ କର୍ମଚାରୀଙ୍କର ଅଭାବ ମଧ୍ୟ ରହିଛି । ତେଣୁ ବ୍ୟାରେଜର ସୁରକ୍ଷା ସହ ସରକାରୀ ସମ୍ପତ୍ତିର ସୁରକ୍ଷା ନିମନ୍ତେ ଓଡ଼ିଶା ଶିଳ୍ପ ନିରାପତ୍ତା ବାହିନୀ(ଓଆଇଏସଏଫ)ର ନିରାପତ୍ତା ରକ୍ଷୀଙ୍କୁ ସେଠାରେ ମୁତୟନ କରିବାକୁ ଜଳସମ୍ପଦ ବିଭାଗ ଅନୁରୋଧ କରିଥିଲା । ଏପରିକି ଆବଶ୍ୟକ ସଂଖ୍ୟକ ନିରାପତ୍ତାରକ୍ଷୀଙ୍କ ମୁତୟନ ବାବଦରେ ଯାହା ଅର୍ଥ ଖର୍ଚ୍ଚ ହେବ ତାକୁ ଜଳସମ୍ପଦ ବିଭାଗ ଆନନ୍ଦପୁର ବ୍ୟାରେଜ ପ୍ରକଳ୍ପରୁ ଭରଣା କରିବ ବୋଲି ଲିଖିତ ଭାବେ ଜଣାଇଥିଲା।

କିନ୍ତୁ ଗୃହ ବିଭାଗ ଏହି ଚିଠି ଉପରେ ସାମାନ୍ୟତମ ଗୁରୁତ୍ୱ ଦେଇନଥିଲା । ୧୦ମାସ ଧରି ଗୃହ ବିଭାଗର ନିରବତା ପରେ ଜଳସମ୍ପଦ ବିଭାଗର ସ୍ୱତନ୍ତ୍ର ସଚିବ ଅର୍ଚ୍ଚନା ପଟ୍ଟନାୟକ ପୁଣିଥରେ ଅକ୍ଟୋବର ୭ତାରିଖରେ ଗୃହ ବିଭାଗର ସ୍ୱତନ୍ତ୍ର ସଚିବ ସନ୍ତୋଷ ବାଲାଙ୍କୁ ଗତ ଜାନୁୟାରୀରେ ସେ ଲେଖିଥିବା ଚିଠି ସମ୍ପର୍କରେ ଅବଗତ ଜଣାଇଛନ୍ତି। ଏପରିକି ବିଭାଗକୁ ଆଜି ସୁଦ୍ଧା କୌଣସି ଉତ୍ତର ମଧ୍ୟ ମିଳିଲା ନାହିଁ । ତେଣୁ ଏହି ଘଟଣାକୁ ପ୍ରାଥମିକତା ସହ ବିଚାରକୁ ନେବାକୁ ସେ ପୁଣି ଥରେ ଅନୁରୋଧ କରିଛନ୍ତି।

ପ୍ରଶ୍ନ ଉଠୁଛି, ଯେଉଁଠି ସରକାରୀ ସମ୍ପତ୍ତିର ସୁରକ୍ଷା ପାଇଁ ସରକାରୀ ବିଭାଗର କଥାକୁ ଗୃହ ବିଭାଗ ଭୃକ୍ଷେପ କରୁନି, ସେଠାରେ ସାଧାରଣ ଲୋକଙ୍କ ଅଭିଯୋଗ ଉପରେ କେତେ ତତ୍ପରତା ଦେଖାଉଥିବ ତାହା ଜଳଜଳ ହୋଇ ଜଣାପଡ଼ୁଛି । ଯଦିଓ ଗୃହ ବିଭାଗ ଦାୟିତ୍ୱରେ ମୁଖ୍ୟମନ୍ତ୍ରୀ ଓ ଜଣେ ରାଷ୍ଟ୍ରମନ୍ତ୍ରୀ ରହିଛନ୍ତି, ତଥାପି ଗୃହ ବିଭାଗ ଏବେବି ବ୍ରିଟିଶ ଶାସନ ଶୈଳୀରେ ପରିଚାଳିତ ହେଉଥିବା ଚର୍ଚ୍ଚା ହେଉଛି।

Related story