ଦକ୍ଷିଣ ଓଡ଼ିଶାରେ ବନ୍ୟା: ୪ ମୃତ, ୧.୭୭ଲକ୍ଷ ଲୋକ ପ୍ରଭାବିତ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ପ୍ରବଳ ବର୍ଷା ଯୋଗୁ ବିଭିନ୍ନ ନଦୀରେ ଜଳସ୍ତର ବୃଦ୍ଧି ପାଇ ଦକ୍ଷିଣ ଓଡ଼ିଶାରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। ବନ୍ୟାରେ ଦକ୍ଷିଣ ଓଡ଼ିଶାର ୯ଟି ଜିଲ୍ଲାର ୪୫ଟି ବ୍ଲକର ୧୦୩୫ଟି ଗାଁ ଏବଂ ୬ଟି ସହରାଞ୍ଚଳରେ ମୋଟ ୧ଲକ୍ଷ ୭୬ହଜାର ୭୦୬ଜଣ ଲୋକ ପ୍ରଭାବିତ ହୋଇଛନ୍ତି। ଆଜିସୁଦ୍ଧା ୪ଜଣଙ୍କର ମୃତ୍ୟୁ ଘଟିଥିବାବେଳେ ୨ଜଣ ନିଖୋଜ ଅଛନ୍ତି। ଆଜି ମହାନଦୀ ସମେତ କେତେକ ନଦୀର ଜଳସ୍ତର ବୃଦ୍ଧି ପାଇଥିଲେ ମଧ୍ୟ ବର୍ଷା ଛାଡ଼ି ଯାଇଥିବାରୁ ସ୍ଥାନାନ୍ତର […]

flood

Manoranjan Sial
  • Published: Friday, 09 August 2019
  • , Updated: 09 August 2019, 10:31 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ପ୍ରବଳ ବର୍ଷା ଯୋଗୁ ବିଭିନ୍ନ ନଦୀରେ ଜଳସ୍ତର ବୃଦ୍ଧି ପାଇ ଦକ୍ଷିଣ ଓଡ଼ିଶାରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। ବନ୍ୟାରେ ଦକ୍ଷିଣ ଓଡ଼ିଶାର ୯ଟି ଜିଲ୍ଲାର ୪୫ଟି ବ୍ଲକର ୧୦୩୫ଟି ଗାଁ ଏବଂ ୬ଟି ସହରାଞ୍ଚଳରେ ମୋଟ ୧ଲକ୍ଷ ୭୬ହଜାର ୭୦୬ଜଣ ଲୋକ ପ୍ରଭାବିତ ହୋଇଛନ୍ତି। ଆଜିସୁଦ୍ଧା ୪ଜଣଙ୍କର ମୃତ୍ୟୁ ଘଟିଥିବାବେଳେ ୨ଜଣ ନିଖୋଜ ଅଛନ୍ତି। ଆଜି ମହାନଦୀ ସମେତ କେତେକ ନଦୀର ଜଳସ୍ତର ବୃଦ୍ଧି ପାଇଥିଲେ ମଧ୍ୟ ବର୍ଷା ଛାଡ଼ି ଯାଇଥିବାରୁ ସ୍ଥାନାନ୍ତର ହୋଇଥିବା ଲୋକମାନେ ନିଜ ନିଜ ଘରକୁ ଫେରି ଆସୁଥିବା ଜଣାପଡ଼ିଛି।

ରାଜ୍ୟ ସ୍ୱତନ୍ତ୍ର ରିଲିଫ କମିଶନରଙ୍କ କାର୍ଯ୍ୟାଳୟରୁ ଜାରି ସୂଚନା ଅନୁସାରେ ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାର ୯ଟି ଜିଲ୍ଲା- ବଲାଙ୍ଗୀର, ଗଜପତି, କଳାହାଣ୍ଡି, କନ୍ଧମାଳ, କୋରାପୁଟ, ମାଲକାନଗିରି, ନବରଙ୍ଗପୁର, ରାୟଗଡ଼ା ଓ ସମ୍ବଲପୁରରେ ବନ୍ୟା ପରିସ୍ଥିତି ଦେଖାଦେଇଛି। ଚଳିତ ବନ୍ୟାରେ କଳାହାଣ୍ଡି ଜିଲ୍ଲାର ସର୍ବାଧିକ ୯୦,୧୬୨ଜଣ ଲୋକ ଓ ରାୟଗଡ଼ାର ୩୭,୯୨୫ଜଣ ଲୋକ ପ୍ରଭାବିତ ହୋଇଛନ୍ତି। ପ୍ରଭାବିତ ଲୋକମାନଙ୍କୁ ୯୯ଟି ଆଶ୍ରୟସ୍ଥଳୀରେ ରଖାଯାଇ ଆବଶ୍ୟକ ରିଲିଫ ସାମଗ୍ରୀ ଓ ଖାଦ୍ୟପାନୀୟ ଦିଆଯାଇଛି। ଗତକାଲିଠୁ ବର୍ଷା ନଥିବାବେଳେ ଆଜି ସ୍ଥିତି ସ୍ୱାଭାବିକ ହୋଇଛି। ଯେଉଁ ଲୋକମାନଙ୍କୁ ସ୍ଥାନାନ୍ତର କରାଯାଇଥିଲା ସେମାନେ ଏବେ ନିଜ ନିଜ ଘରକୁ ଫେରିଗଲେଣି। କେବଳ ବଲାଙ୍ଗୀର ଜିଲ୍ଲାର ପୁଇଁତଳା ବ୍ଲକର ଉତ୍ତର ବାହାଲ ଗାଁର ୩୫ଜଣ ଲୋକ ଏବେବି ଆଶ୍ରୟସ୍ଥଳୀରେ ରହିଛନ୍ତି।

ହୀରାକୁଦ ଜଳଭଣ୍ଡାରର ଜଳଧାରଣ କ୍ଷମତା ୬୩୦ଫୁଟ୍ ଥିବାବେଳେ ଆଜି ଅପରାହ୍ନ ୩ଟା ସୁଦ୍ଧା ଜଳଭଣ୍ଡାର ଭିତରକୁ ୧ଲକ୍ଷ ୨୫ହଜାର ୬୫୫ କ୍ୟୁସେକ ଜଳ ପ୍ରବାହିତ ହେଉଥିବାବେଳେ ୧୬ ହଜାର ୭୭୯ କ୍ୟୁସେକ ଜଳ ନିଷ୍କାସିତ ହେଉଛି। ସେହିପରି ସନ୍ଧ୍ୟା ୬ଟା ସୁଦ୍ଧା ଜଳଭଣ୍ଡାରର ଜଳସ୍ତର ୬୦୮.୯୫ଫୁଟ ଥିବାବେଳେ ୧ଲକ୍ଷ ୧୮ହଜାର ୭୧୧ କ୍ୟୁସେକ ଜଳ ପ୍ରବାହିତ ହେଉଥିଲା ଓ ୧୬,୬୩୯ କ୍ୟୁସେକ ଜଳ ନିଷ୍କାସିତ ହେଉଥିଲା। ତେବେ ହୀରାକୁଦର କୌଣସି ଗେଟ୍ ଖୋଲା ଯାଇନଥିବା ଜଣାପଡ଼ିଛି।

Related story