ଲମତାପୁଟ(ଓଡ଼ିଶା ରିପୋର୍ଟର):କୋରାପୁଟ-ମାଲକାନଗିରି ସୀମାନ୍ତ ହନୁମାଲ ଗାଁ ନିକଟରୁ ଆଜି ସକାଳୁ ଏକ ଗଞ୍ଜେଇ ଭର୍ତ୍ତି ପିକଅପ୍ ଗାଡି ସହ ଗୋଟିଏ ଦେଶୀ ବନ୍ଧୁକ ଓ ୨ଟି ଜୀବନ୍ତ ଗୁଳିକୁ ଜବତ କରିଛି ପୁଲିସ୍। ଘଟଣାସ୍ଥଳର ୨ ଅଭିଯୁକ୍ତ ଫେରାର ହୋଇଯାଇଛନ୍ତି।
ମାଛକୁଣ୍ଡସ୍ଥିତ ୧୫ବାଟାଲିଆନ ବିଏସଏଫ ଓ କୋରାପୁଟ ପୁଲିସର ମିଳିତ ଅପରେସନ ସମୟରେ ବୁଧବାର ସକାଳୁ ହନୁମାଲ ଗାଁ ନିକଟରେ ଯାନବାହାନ ଯାଞ୍ଚ ହେଉଥିଲା । ଠିକ ସେହି ସମୟରେ ମାଲକାନଗିରି ଜିଲ୍ଲାରୁ ଏକ ଗଂଜେଇ ଭର୍ତ୍ତି ପିକ୍ଅପ୍ ଗାଡି ଦ୍ରୁତ ଗତିରେ ଆସିଥିଲା । ପୁଲିସ୍ କୁ ଦେଖି ଡ୍ରାଇଭର ଓ ହେଲପର ଘଟଣାସ୍ଥଳରେ ଗାଡି ଛାଡି ଫେରାର ହୋଇଯାଇଥିଲେ ।
ପରେ ଗାଡି ଯାଞ୍ଚ କରି ପାଖପାଖା ୮କୁଇଣ୍ଟାଲ ଗଞ୍ଜେଇ ଜବତ କରିବା ସହ ଗାଡିକୁ ମାଛକୁଣ୍ଡ ଥାନାକୁ ନେଇଛି ପୁଲିସ୍ । ଜବତ ଗଞ୍ଜେଇର ଆନୁମାନିକ ମୂଲ୍ୟ ୮୦ ଲକ୍ଷ ଟଙ୍କା ହେବ ବୋଲି ଜଣାଯାଇଛି । ମାଛକୁଣ୍ଡ ପୁଲିସ୍ ଏହି ଘଟଣାର ଅଧିକ ତଦନ୍ତ ଆରମ୍ଭ କରିଛି । ଏହି ଗଞ୍ଜେଇ ଛତିଶଗଡ଼ ଚାଲାଣ ହେଉଥିବା ବେଳେ ଧରା ପଡ଼ିଯାଇଥିବା ଜଣାଯାଇଛି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।