ସରକାର ଫେଲ୍ : ବିଧାନସଭା ଅଧିବେଶନ ଡାକିବାକୁ ଦାବି କଲା କଂଗ୍ରେସ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟରେ କରୋନା ସଂକ୍ରମଣ ମାମଲା ଦ୍ରୁତଗତିରେ ବୃଦ୍ଧି ପାଉଥିବା ଓ କରୋନାଜନିତ ଅନ୍ୟାନ୍ୟ ସମସ୍ୟାର ମୁକାବିଲା କରିବା ଦିଗରେ ରାଜ୍ୟ ସରକାର ବିଫଳ ହୋଇଥିବା ନେଇ କଂଗ୍ରେସ ଉଦବେଗ ପ୍ରକାଶ କରିଛି। ରାଜ୍ୟର ସ୍ୱାର୍ଥ ଦୃଷ୍ଟିରୁ ଅଗଷ୍ଟ ତୃତୀୟ ସପ୍ତାହ ସୁଦ୍ଧା ବିଧାନସଭା ଅଧିବେଶନ ଡାକି କରୋନା ଯୋଗୁ ଲୋକମାନେ ସମ୍ମୁଖୀନ ହେଉଥିବା ବିଭିନ୍ନ ସମସ୍ୟା ଉପରେ ଆଲୋଚନା ଓ ଏହାର ସମାଧାନ ନିମନ୍ତେ କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର ଦାବି […]

congress-leader-narasingha-mishra

congress-leader-narasingha-mishra

Manoranjan Sial
  • Published: Thursday, 02 July 2020
  • Updated: 02 July 2020, 07:27 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟରେ କରୋନା ସଂକ୍ରମଣ ମାମଲା ଦ୍ରୁତଗତିରେ ବୃଦ୍ଧି ପାଉଥିବା ଓ କରୋନାଜନିତ ଅନ୍ୟାନ୍ୟ ସମସ୍ୟାର ମୁକାବିଲା କରିବା ଦିଗରେ ରାଜ୍ୟ ସରକାର ବିଫଳ ହୋଇଥିବା ନେଇ କଂଗ୍ରେସ ଉଦବେଗ ପ୍ରକାଶ କରିଛି। ରାଜ୍ୟର ସ୍ୱାର୍ଥ ଦୃଷ୍ଟିରୁ ଅଗଷ୍ଟ ତୃତୀୟ ସପ୍ତାହ ସୁଦ୍ଧା ବିଧାନସଭା ଅଧିବେଶନ ଡାକି କରୋନା ଯୋଗୁ ଲୋକମାନେ ସମ୍ମୁଖୀନ ହେଉଥିବା ବିଭିନ୍ନ ସମସ୍ୟା ଉପରେ ଆଲୋଚନା ଓ ଏହାର ସମାଧାନ ନିମନ୍ତେ କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର ଦାବି କରିଛନ୍ତି।

ଶ୍ରୀ ମିଶ୍ର ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଚିଠି ଲେଖି କହିଛନ୍ତି ଯେ, କରୋନା ମୁକାବିଲା ପାଇଁ ବିଧାନସଭାକୁ ମୁଲତବୀ ଓ ଗୃହ ବାହାରେ କଂଗ୍ରେସ ବିଧାୟକ ଦଳ ସମସ୍ତ ସମର୍ଥନ ଦେଇଥିଲା। ଲୋକଙ୍କ ସ୍ୱାର୍ଥ ପାଇଁ ରାଜ୍ୟ ସରକାରଙ୍କୁ ନିଃସର୍ତ୍ତ ସମର୍ଥନ ଯୋଗାଇ ଦିଆଯାଇଥିଲା। କିନ୍ତୁ ୩ମାସରୁ ଅଧିକ ସମୟ ବିତିଯିବାପରେ ବି ରାଜ୍ୟ ସରକାର ନେଇଥିବା ସମସ୍ତ ପଦକ୍ଷେପ ଅତ୍ୟନ୍ତ ନିରାଶାଜନକ ହୋଇଛି। ସରକାର ଯେଉଁ ପଦକ୍ଷେପ ନେଇଛନ୍ତି ତାହା ଭୁଲ୍ ନୁହେଁ କିନ୍ତୁ ଅଧିକାଂଶ ପଦକ୍ଷେପ ଫଳପ୍ରସୂ ହୋଇପାରି ନାହିଁ। ଏବେ ୭ହଜାରରୁ ଅଧିକ ଲୋକ କରୋନା ସଂକ୍ରମିତ ଓ ଦୈନିକ ଏହି ସଂଖ୍ୟା ଉଦବେଗଜନକ ଭାବେ ବୃଦ୍ଧି ପାଉଛି। କେତେକ ରାଜ୍ୟ ତୁଳନାରେ ଓଡ଼ିଶାର ସ୍ଥିତି ଭଲ ଅଛି, ଏଥିରେ ସନ୍ଦେହ ନାହିଁ ମାତ୍ର ଦେଶର କିଛି ରାଜ୍ୟ ମଧ୍ୟ ଓଡ଼ିଶାଠୁ ଭଲ ପ୍ରଦର୍ଶନ କରୁଛନ୍ତି ଓ ଭଲ ସ୍ଥିତିରେ ଅଛନ୍ତି।

ରାଜ୍ୟର ବୃହତ ବର୍ଗର ଲୋକଙ୍କୁ ସ୍ୱାସ୍ଥ୍ୟ ସୁବିଧା ଯୋଗାଇବାରେ ସରକାର ଏବେ ବିଫଳ ହୋଇଛନ୍ତି। ଗଞ୍ଜାମ ଜିଲ୍ଲାର ଗ୍ରାମାଂଚଳରେ ଔଷଧ ଦୋକାନ ବନ୍ଦ ରହୁଥିବାରୁ ଲୋକେ ଔଷଧ ପାଉନାହାନ୍ତି। ଡାକ୍ତରମାନେ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର କିମ୍ବା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ଯାଉନାହାନ୍ତି। ଦୋକାନୀ ଓ ଡାକ୍ତରମାନଙ୍କ ବିରୁଦ୍ଧରେ ଜିଲ୍ଲା ପ୍ରଶାସନ କିଛି କାର୍ଯ୍ୟାନୁଷ୍ଠାନ ନେଉନି। ଭୁବନେଶ୍ୱରରେ ମଧ୍ୟ ଡାକ୍ତରମାନେ ବ୍ଲଡ ପ୍ରେସର ମାପିବାକୁ ଭୟ କରୁଛନ୍ତି। ନିଜ ଜିଲ୍ଲା ବଲାଙ୍ଗିରର ଉଦାହରଣ ଦେଇ ଶ୍ରୀ ମିଶ୍ର କହିଛନ୍ତି ଯେ ଡାକ୍ତରମାନେ ହସ୍ପିଟାଲ, ପିଏଚସି ଓ ସିଏଚସିକୁ ମଧ୍ୟ ଆସୁନାହାନ୍ତି।

ରାଜ୍ୟରେ ଏବେ ବେକାର ସମସ୍ୟା ଉତ୍କଟ ହେଲାଣି। ପ୍ରବାସୀ ଶ୍ରମିକଙ୍କ ଅବସ୍ଥା ଶୋଚନୀୟ ହେଲାଣି। ତୈଳ ଦର ବୃଦ୍ଧି ଓ ଅନ୍ୟାନ୍ୟ କାରଣରୁ ଚାଷୀମାନେ ନିଜର ଧାନ ବିକ୍ରି କରିପାରୁନାହାନ୍ତି। ଅତ୍ୟାବଶ୍ୟକ ସାମଗ୍ରୀର ଦରବୃଦ୍ଧି ହୋଇଛି। ପରିବହନ ସୁବିଧା ନଥିବାରୁ ଲୋକମାନେ କେଉଁ ଆଡ଼େ ଯାତାୟତ କରିପାରୁନାହାନ୍ତି। ଗଣତାନ୍ତ୍ରିକ ମୂଲ୍ୟବୋଧ ଏବେ ଅଳିଆଗଦାରେ ପଡ଼ିଲାଣି। ସମ୍ବିଧାନିକ ଅଧିକାରକୁ କାଣ୍ଟଛାଂଟ୍ କରାଯାଇଛି। ଲୋକ ପ୍ରତିନିଧିମାନଙ୍କୁ ବିଶ୍ୱାସକୁ ନିଆଯାଉନି ବୋଲି ଶ୍ରୀ ମିଶ୍ର କହିଛନ୍ତି।

ତେଣୁ ଏସବୁ କାରଣରୁ ଅଗଷ୍ଟ ତୃତୀୟ ସପ୍ତାହ ସୁଦ୍ଧା ବିଧାନସଭାର ଅଧିବେଶନ ଡାକି ଲୋକଙ୍କ ସମସ୍ୟା ଉପରେ ଆଲୋଚନା କରିବା ଓ ରାଜ୍ୟର ସ୍ୱାର୍ଥ ଦୃଷ୍ଟିରୁ ତା’ର ମିଳିତ ସମାଧାନ କରିବା ଜରୁରୀ ହୋଇପଡ଼ିଛି। ମାର୍ଚ୍ଚ ମଧ୍ୟଭାଗରେ ବିଧାନସଭାକୁ ମୁଲତବୀ କରିବାବେଳେ ଗୃହର ଅଧିବେଶନ ଶୀଘ୍ର ଡକାଯିବ ବୋଲି ପ୍ରତିଶ୍ରୁତି ଦିଆଯାଇଥିଲା। ତେଣୁ ଅଗଷ୍ଟ ତୃତୀୟ ସପ୍ତାହରେ ବିଧାନସଭା ଅଧିବେଶନ ଡାକିବାକୁ ଆବଶ୍ୟକ ପଦକ୍ଷେପ ନେବାକୁ କଂଗ୍ରେସ ବିଧାୟକ ଦଳ ନେତା ଶ୍ରୀ ମିଶ୍ର ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଅନୁରୋଧ କରିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos