ଜଳଖିଆ ଦୋକାନୀଙ୍କ ଝିଅ ଏବେ ଜଜ୍‌

ବାରିପଦା(ମାଣିକଲାଲ୍‌ ପାଣି): ଜଳଖିଆ ଦୋକାନୀଙ୍କ ଝିଅ ହେଲେ ବିଚାରପତି। ଆଗରୁ ସେ ସରକାରୀ ଓକିଲ ହୋଇ ବିଚାରପତିଙ୍କ ଆଗରେ ବଳିଷ୍ଠ ଯୁକ୍ତି ଉପସ୍ଥାପନ କରୁଥିଲେ। ଏବେ ବିଚାରପତି ଆସନରେ ବସି ସାଧାରଣ ଲୋକଙ୍କୁ ନ୍ୟାୟ ଦେବେ। ଏମିତି ଜଣେ ସୁନାନାଖି ଝିଅ ହେଲେ ବାରିପଦାର ଅନୁଶ୍ରୀ ଜେନା। ଶୁକ୍ରବାର ପ୍ରକାଶ ପାଇଥିବା ଓଜେଏସ୍‌ ପରୀକ୍ଷାରେ ସେ ୧୪ତମ ସ୍ଥାନ ଅଧିକାର କରି ମୟୂରଭଞ୍ଜ ଜିଲ୍ଲା ପାଇଁ ଗୌରବ ଆଣିଛନ୍ତି। ଅନୁଶ୍ରୀଙ୍କ ଘର ହେଉଛି ବାରିପଦା ଟାଉନ୍‌ର ମଧୁବନ। […]

Anushree Jena

  • Published: Saturday, 12 November 2022
  • , Updated: 12 November 2022, 05:52 PM IST

ବାରିପଦା(ମାଣିକଲାଲ୍‌ ପାଣି): ଜଳଖିଆ ଦୋକାନୀଙ୍କ ଝିଅ ହେଲେ ବିଚାରପତି। ଆଗରୁ ସେ ସରକାରୀ ଓକିଲ ହୋଇ ବିଚାରପତିଙ୍କ ଆଗରେ ବଳିଷ୍ଠ ଯୁକ୍ତି ଉପସ୍ଥାପନ କରୁଥିଲେ। ଏବେ ବିଚାରପତି ଆସନରେ ବସି ସାଧାରଣ ଲୋକଙ୍କୁ ନ୍ୟାୟ ଦେବେ। ଏମିତି ଜଣେ ସୁନାନାଖି ଝିଅ ହେଲେ ବାରିପଦାର ଅନୁଶ୍ରୀ ଜେନା। ଶୁକ୍ରବାର ପ୍ରକାଶ ପାଇଥିବା ଓଜେଏସ୍‌ ପରୀକ୍ଷାରେ ସେ ୧୪ତମ ସ୍ଥାନ ଅଧିକାର କରି ମୟୂରଭଞ୍ଜ ଜିଲ୍ଲା ପାଇଁ ଗୌରବ ଆଣିଛନ୍ତି।

ଅନୁଶ୍ରୀଙ୍କ ଘର ହେଉଛି ବାରିପଦା ଟାଉନ୍‌ର ମଧୁବନ। ତାଙ୍କ ବାପା ହେଉଛନ୍ତି ନଗେନ୍ଦ୍ର ଜେନା। ସେ ଜଣେ ଫୁଟ୍‌ପାଥ୍‌ ଜଳଖିଆ ଦୋକାନୀ। ତାଙ୍କର ପରିବାର କହିଲେ ପତ୍ନୀ ଓ ୬ ଝିଅ। ସେମାନଙ୍କ ଭିତରୁ ଅନୁଶ୍ରୀ ଜେନା ହେଉଛନ୍ତି ଦ୍ୱିତୀୟ ଝିଅ। ସେ ମଧୁବନ ସରକାରୀ ସ୍କୁଲରୁ ପ୍ରାଥମିକ ଶିକ୍ଷା ଆରମ୍ଭ କରିଥିଲେ। ତା’ପରେ ଏମ୍‌ପିକେ ବାଳିକା ବିଦ୍ୟାଳୟରେ ନାମ ଲେଖାଇଥିଲେ। ସେଠାରୁ ମାଟ୍ରିକ୍‌ ପାସ୍‌ କରିବା ପରେ ଅନୁଶ୍ରୀ ଏମ୍‌ପିସି ଜୁନିୟର କଲେଜରେ ଯୁକ୍ତ ଦୁଇ ବିଜ୍ଞାନରେ ନାଁ ଲେଖାଇଥିଲେ। ସେଠାରୁ ଭଲ ନମ୍ୱରରେ ପାସ୍‌ କରି ଏମ୍‌ପିସି ସ୍ୱୟଂଶାସିତ ମହାବିଦ୍ୟାଳୟରେ କ୍ୟାମେଷ୍ଟ୍ରିରେ ବିଏ ପଢ଼ିଥିଲେ।

ଅନୁଶ୍ରୀ ଗ୍ରାଜୁଏସନ୍‌ ପାସ୍‌ କରିବା ପରେ ବାରିପଦା ଲ’ କଲେଜରେ ପଢ଼ିଥିଲେ। ୨୦୧୬ ମସିହାରେ ସେ କଲେଜ ଟପ୍ପର ହୋଇଥିଲେ। ଲ’ ପାସ୍‌ କରିବା ପରେ ଓଜେଏସ୍‌ ପରୀକ୍ଷା ଦେବା ପାଇଁ ସାଙ୍ଗସାଥୀ ଓ ଗୁରୁଜନମାନେ ପରାମର୍ଶ ଦେଇଥିଲେ। ସେଥିପାଇଁ ଅଭାବ ସତ୍ତ୍ୱେ ଗୋଟିଏ ବର୍ଷ କଟକରେ କୋଚିଂ ନେଇଥିଲେ। ତା’ପରେ ଅନୁଶ୍ରୀ ଘରକୁ ଫେରିଆସି ଓକିଲାତି କରିବାକୁ ମନ ବଳାଇଥିଲେ। ଗତ ୫ ବର୍ଷ ହେଲା ସେ ବାରିପଦା ଏଡିଜେଏମ୍‌ କୋର୍ଟରେ ସରକାରୀ ଓକିଲ ଭାବେ କାର୍ଯ୍ୟ କରୁଛନ୍ତି।

[caption id="attachment_780972" align="aligncenter" width="650"] ବାପା ଓ ମାଆଙ୍କ ସହ ଅନୁଶ୍ରୀ[/caption]

ସରକାରୀ ଓକିଲ ଭାବେ କାର୍ଯ୍ୟ କରୁଥିବା ଅନୁଶ୍ରୀ ୨୦୨୧ ମସିହାରେ ଓଜେଏସ୍‌ ପରୀକ୍ଷା ଦେଇଥିଲେ। ଶୁକ୍ରବାର ପ୍ରକାଶ ପାଇଥିବା ରେଜଲ୍‌ଟରେ ସେ ୧୪ ନମ୍ୱର ସ୍ଥାନ ଅଧିକାର କରିଛନ୍ତି। ଓକିଲ ଭାବେ ଯୁକ୍ତି ଉପସ୍ଥାପନ କରୁଥିଲେ, ଏବେ ସବୁ ପକ୍ଷର ଯୁକ୍ତ ଶୁଣି ନିଷ୍ପତ୍ତି ଶୁଣାଇବେ। ବିଚାରପତି ହେବେ ଅନୁଶ୍ରୀ। ଏଥିପାଇଁ ସେ ବାପା, ମାଆ ଓ ଗୁରୁମାନଙ୍କୁ ଶ୍ରେୟ ଦେଇଛନ୍ତି।

ଅନୁଶ୍ରୀଙ୍କ ଏ ଲମ୍ୱା ଯାତ୍ରା ଏତେ ସହଜ ନଥିଲା। ପିଲା ଦିନରୁ ବହୁ ସଂଘର୍ଷ କରିଥିଲେ। ଆର୍ଥିକ ଅନଟନ ଭିତରେ ନିଜକୁ ଗଢ଼ିଥିଲେ। ଅନୁଶ୍ରୀଙ୍କ ବାପା ନଗେନ୍ଦ୍ର ଜେନା ହେଉଛନ୍ତି ଜଣେ ଜଳଖିଆ ଦୋକାନୀ। ସେଥିରୁ ଯାହା ଉପାର୍ଜନ ହେଉଥିଲା, ସେଥିରେ ଚଳୁଥିଲା ନଗେନ୍ଦ୍ରଙ୍କ ପୂରା ପରିବାର। ହେଲେ ଗତ  ୬ ମାସ ହେଲା ନଗେନ୍ଦ୍ର ଅସୁସ୍ଥ ହୋଇପଡ଼ିଛନ୍ତି। ପାରାଲିସ୍‌ସ୍‌ ରୋଗରେ ଆକ୍ରାନ୍ତ ହୋଇ ଚାଲିବୁଲି ପାରୁନାହାନ୍ତି। ପରିବାରର ସବୁ କଥା ବଝୁଥିଲେ ଅନୁଶ୍ରୀ। ତେବେ ୪ ମାସ ତଳେ ଅର୍ଥାତ ଜୁଲାଇ ମାସରେ ଅନୁଶ୍ରୀଙ୍କ ବାହାଘର ହୋଇଛି। ସେ ପ୍ରକାଶ ଚେଲ୍‌ଙ୍କୁ ବିବାହ କରିଛନ୍ତି। ବାହାଘର ପରେ ଶାଶୁ ଘରକୁ ଚାଲି ଯାଇଛନ୍ତି ଅନୁଶ୍ରୀ।

ଓଜେଏସ୍‌ ପରୀକ୍ଷା ଫଳ ପ୍ରକାଶ ପାଇବା ପରେ ଅନୁଶ୍ରୀ କହିଛନ୍ତି, “ନ୍ୟାୟ ସମସ୍ତଙ୍କୁ ମିଳୁ। ଗତ ୫ ବର୍ଷ ହେଲା ସରକାରୀ ଓକିଲ ଭାବେ କାମ କରୁଥିବା ବେଳେ ଦେଖିଛି, ନ୍ୟାୟ ପାଇବା ବହୁ କଷ୍ଟ ହୋଇଥାଏ। ନ୍ୟାୟ ଦେବା ତା’ଠାରୁ ଆହୁରି ଅଧିକ କଷ୍ଟ ହୋଇଥାଏ। ତେଣୁ ମୋ ମନରେ କୌଣସି ଲୋଭ ବା ଭୟ ନଆସୁ। ମୁଁ ନିରପେକ୍ଷ ଭାବେ ଲୋକଙ୍କୁ ନ୍ୟାୟ ଦେଇପାରେ।”

Related story